ପାର୍ଶଲ୍ ବୋମା ଓ ପୁଞ୍ଜିଲାଲ୍ ପ୍ରସଙ୍ଗ :
ଆଜୀବନ କାରାଦଣ୍ଡାଦେଶ : ହାଇକୋର୍ଟରେ ଅପିଲ୍ ପ୍ରସ୍ତୁତି
ଡେମୋ ଭିଡିଓରେ ଦୋଷ ସ୍ବୀକାର ଓ ରାୟ ପରେ ଆରୋପୀର ଚିତ୍କାର :
କେଉଁଟା ସତ ?
ପାଟଣାଗଡ : ‘ ମୁଁ ଏହା କରିଛି । କେବଳ ଆପଣଙ୍କୁ କହୁଛି । ମୁଁ ଆଡ୍ ମିଟ୍ କଲି । ଶହେଥର କରି ଦେଖାଇ ଦେବି । ମିଡିଆ ଆଗରେ କହିବେନି । ‘ × ×
‘ ମୁଁ ଭୁଲ୍ ପାଇଁ ପସ୍ତାଉଛି । ‘ / ‘ ଏଜୁକେଟେଡ୍ ଲୋକ ହିଁ କ୍ରାଇମ୍ କରିବା କଥା । ‘
ଏହା ତଦନ୍ତ ବେଳେ ପୁଞ୍ଜିଲାଲ୍ ରାୟପୁରର ସର୍କିଟ୍ ହାଉସ୍ ରେ ତଦନ୍ତକାରୀ ଅଧିକାରୀ କ୍ରାଇମବ୍ରାଞ୍ଚର ତତ୍କାଳୀନ ଏଡିଜି ଅରୁଣ ବୋଥ୍ରା ଓ ଆଡିସନାଲ ଏସ୍ ପି ଅନୀଲ୍ କୁମାର ଦାଶ ଏବଂ ୨ ଜଣ ଦିଲ୍ଲୀର ସିବିଆଇ ଅଧିକାରୀଙ୍କ ଆଗରେ କହିଥିବା ଭିଡିଓ ରେକର୍ଡିଂରେ କହିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୋର୍ଟରେ ପ୍ରମାଣ ଦାଖଲ ହୋଇଥିଲା । ଯାହାର ଡେମୋ ମଧ୍ଯ ଅଭିଯୁକ୍ତ ଓ ତାଙ୍କ ଓକିଲଙ୍କ ଉପସ୍ଥିତିରେ କୋର୍ଟର ରୁଦ୍ଧ କୋଠରୀରେ ପ୍ରଦର୍ଶନ କରାଯାଇଥିଲା । ଏବେ ତାହାକୁ ଉଭୟ ଅରୁଣ ବୋଥ୍ରା ଓ ଅନୀଲ ଦାଶ ଗଣମାଧ୍ୟମରେ ପ୍ରକାଶ କରୁଛନ୍ତି । ଅବଶ୍ଯ ଅଭିଯୁକ୍ତ ପକ୍ଷରୁ ଏହା ଏକ ଡ୍ରାମା ଥିଲା ବୋଲା ଅସ୍ବୀକାର କରାଯାଇଛି ।
ଦ୍ବିତୀୟତଃ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ରାୟ ପ୍ରକାଶ ପରେ କୋର୍ଟରୁ ଜେଲ୍ କୁ ନିଆଯାଉଥିବା ବେଳେ କଡା ସଶସ୍ତ୍ର ପୁଲିସ ପହରାରେ ପୁଞ୍ଜିଲାଲ୍ ମିଡିଆବାଲାଙ୍କୁ ଦେଖି ହାତ ଲମ୍ବାଇ ଉଚ୍ଚସ୍ଵରରେ ‘ ଧିକ୍ ସେମାନଙ୍କୁ , ଯେନ୍ ମାନେ ମିଛ କହି ମୋତେ ବରବାଦ୍ କରିଦେଲେ ‘ ବୋଲି ଚିତ୍କାର କରି କହୁଥିବା ସେ ସମୟର ଗଣମାଧ୍ୟମର ସୁଟିଂରୁ ପ୍ରକାଶ ।
ଉଲ୍ଲେଖଯୋଗ୍ଯ ଯେ , ମଝିରେ ପାଟଣାଗଡ ଉପକାରାଗାରରୁ ବଲାଙ୍ଗୀର ଜିଲ୍ଲା କାରାଗାରକୁ ସ୍ଥାନାନ୍ତରିତ ହେବାର କାରଣ ସ୍ବରୂପ ଅଭିଯୁକ୍ତ ବିରୁଦ୍ଧରେ ସେ ଜେଲ୍ ରୁ ଦିନବେଳେ ମୁଖ୍ଯ ଗେଟ୍ ଦେଇ ପଳାଇବା ଉଦ୍ୟମ କରିଥିବା ସମ୍ପର୍କୀୟ ଏକ ମିଥ୍ୟା ମାମଲା ଋଜୁ ହୋଇଥିଲା , ଯାହାଥିଲା ପାଟଣାଗଡ ଉପକାରାଗାରରେ ନିମ୍ନମାନର ଖାଦ୍ୟପେୟ ଓ କାରା କର୍ମଚାରୀଙ୍କ ଦୁର୍ବ୍ୟବହାର ବିରୋଧରେ ତାଙ୍କର ପ୍ରତିବାଦ ନିମନ୍ତେ ଉକ୍ତ ଜେଲ୍ ୱାର୍ଡର ମାନଙ୍କର ଏକ ମିଥ୍ୟାରୋପ ବୋଲି ସେ ସମୟର ଥାନାରେ ଅଭିଯୁକ୍ତଙ୍କର ପ୍ରତିବାଦର ଏକ ନିଉଜ୍ ଭିଡିଓରୁ ପ୍ରମାଣିତ ।
ଉଲ୍ଲେଖଯୋଗ୍ଯ ଯେ ବିଚାରବିଭାଗୀୟ ଜେଲ୍ ହାଜତରେ ଦୀର୍ଘ ୭ ବର୍ଷ ରହିବା ଭିତରେ ଅଭିଯୁକ୍ତ ଏକ ସାମ୍ବାଦିକତା ପାଠ୍ୟକ୍ରମରେ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିବା ତାଙ୍କ ଉପରେ ଦୀର୍ଘ ମିଡିଆଟ୍ରାଏଲ ବିରୋଧରେ ଏକ ଦୃଢ ପ୍ରତିବାଦ ବୋଲି ବିବେଚନା କରାଯିବ କି ?
କୋର୍ଟ ଆଗରୁ ମିଡିଆ ଟ୍ରାଏଲ୍ : ଏବେ ବି ଚାଲିଛି ସିନେମା
ଆହୁରି ମଧ୍ଯ , କେତେକ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ, ମେ ୨୮ ତାରିଖରେ ଚୂଡାନ୍ତ ରାୟ ପ୍ରକାଶ ପାଇଁ ତାଙ୍କୁ ପାଟଣାଗଡ ଏଡିଜେଙ୍କ କୋର୍ଟକୁ ନେଲାଦିନ ଅଭିଯୁକ୍ତ ପୁଞ୍ଜିଲାଲ ବଲାଙ୍ଗୀର ଜେଲ୍ ର ସାଥୀ କଏଦୀ ମାନଙ୍କୁ କହିଯାଇ ଥିଲେ ଯେ , ‘ ଏହା ତାଙ୍କର ଜେଲ୍ ରେ ଶେଷ ମିଲ୍ । ସେ ଆଜି ନିର୍ଦ୍ଦୋଷରେ ଖଲାସ ହୋଇଯିବେ । ‘ ଅର୍ଥାତ୍ ସେ ନିଜକୁ ନିର୍ଦୋଷ ଭାବୁଥିଲେ ଓ ତାଙ୍କର ବିଚାର ବ୍ୟବସ୍ଥା ଉପରେ ଦୃଢ ଆସ୍ଥା ରହିଥିଲା !
ଏ ପରସ୍ପର ବିରୋଧୀ ଉଭୟ ପ୍ରସାରିତ ତଥ୍ଯରୁ ପ୍ରକୃତରେ କେଉଁଟି ସତ ? ‘ – ଏ ନେଇ ଜନମାନସରେ ଦ୍ବନ୍ଦ ସୃଷ୍ଟି ହେବା ସ୍ୱାଭାବିକ୍ । ଏଣୁ ‘ ତିନିତୁଣ୍ଡରେ ଛେଳି କୁକୁର ‘ ପରି ଏହା ଆରମ୍ଭରୁ ଏଯାବତ୍ ମିଡିଆ ଟ୍ରାଏଲ୍ ରେ ଓ ଶେଷରେ ଏହାର ପ୍ରଭାବରେ ପୁଞ୍ଜିଲାଲ ପ୍ରକୃତରେ ଦୋଷୀ ନା ତାଙ୍କ ଓକିଲଙ୍କ ପକ୍ଷରୁ ରାୟ ବିରୁଦ୍ଧରେ କୁହାଯାଇ ଉପର ହାଇକୋର୍ଟରେ ଅପିଲ୍ କରାଯାଉଥିବା ଏହି ମାମଲାର ଅନ୍ଯାନ୍ଯ ସମଗୁରୁତର ଦିଗକୁ ବିଚାରକୁ ନ ନେଇ ପ୍ରୋସିକ୍ୟୁସନ୍ ପକ୍ଷରୁ କୌଣସି ଠୋସ୍ ପ୍ରମାଣ ପାଇ ନ ପାରି କେବଳ କେତେକ ପାରିପାର୍ଶ୍ବିକ ତଥ୍ଯ ଏବଂ ଘନ ଘନ ମିଡିଆ ଟ୍ରାଏଲ୍ ଉପରେ ଆଶ୍ରାକରି କ୍ରାଇମବ୍ରାଞ୍ଚର ଦାଖଲ ଦସ୍ତାବେଜ୍ କୁ ଗ୍ରହଣ କରି ରାୟ ପ୍ରକାଶ ପାଇଥିବା ଜଣେ ଅଭିଯୁକ୍ତଙ୍କର ଜୀବନ ପ୍ରତି ଦଣ୍ଡବିଧାନର ପ୍ରଶ୍ନ ?
ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ପାଟଣାଗଡ ପାର୍ଶଲ ବୋମା ବିସ୍ଫୋରଣ ମାମଲାର ରାୟ ପ୍ରକାଶ ପାଇଛି । ଗତ ୨୦୧୮ ରେ ବିବାହ ଉପହାର ପାର୍ଶଲରେ ଆସିଥିବା ଏକ ବୋମା ଫୁଟି ଘଟିଥିବା ଏହି ବିସ୍ଫୋରଣରେ ୨ ଜଣଙ୍କର ମର୍ମନ୍ତୁଦ ମୃତ୍ୟୁ ହୋଇଥିବା ସହିତ ଜଣେ ଗୁରୁତର ଆହତ ହୋଇ ଦୀର୍ଘ ଦିନ ଚିକିତ୍ସିତ ହେବା ସୁନିୟୋଜିତ ଏହି ହତ୍ୟାକାଣ୍ଡର ଦୀର୍ଘ ୭ ବର୍ଷ ପରେ କ୍ରାଇମବ୍ରାଞ୍ଚ ଦ୍ବାରା ଗିରଫ ହୋଇ ଜେଲ୍ ହାଜତରେ ଥିବା ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଗତ ମେ ୨୮ ତାରିଖରେ ପାଟଣାଗଡ ଏଡିଜେ କୋର୍ଟ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଓ ୧ ଲକ୍ଷ ୪୦ ହଜାର ଟଙ୍କାର ଜୋରିମାନା ଦଣ୍ଡବିଧାନ କରିଛନ୍ତି ।
ଏହି ବହୁଚର୍ଚ୍ଚିତ ଅପରାଧରେ ପାଟଣାଗଡ ନିବାସୀ ଅଧ୍ୟାପକ ରବୀନ୍ଦ୍ର ସାହୁ ଓ ତାଙ୍କ ପତ୍ନୀ ଭଇଁଷା କଲେଜର ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କର ନବବିବାହିତ ପୁଅ ଇଂ ସୌମ୍ଯ ଶେଖର ଓ ସମ୍ପର୍କୀୟା ଜେଜେମା’ ଜେମାମଣିଙ୍କର ମୃତ୍ୟୁ ଘଟଥିବା ସହ ନବବଧୂ ରୀମାରାଣୀ ଗୁରୁତର ଆହତ ହୋଇଥିଲେ । ଏ ସମ୍ପର୍କରେ ପାଟଣାଗଡ ଥାନାରେ ଏକ ମାମଲା ଋଜୁ କରାଯାଇ ତଦନ୍ତ ଆରମ୍ଭ ହେବାପରେ ମୁଖ୍ଯମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମାସେ ପରେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଭାର ଗ୍ରହଣ କଲାପରେ ଏହାର ଏକମାତ୍ର ଅଭିଯୁକ୍ତ ସେହି ଭଇଁଷା କଲେଜର ପୂର୍ବତନ ଭାରପ୍ରାପ୍ତ ଅଧ୍ୟକ୍ଷ ଥିବା ଇଂରାଜୀ ଅଧ୍ୟାପକ ପାଟଣାଗଡ ନିବାସୀ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରିଥିଲା ।
‘ମୁଁ ଆଡ୍ ମିଟ୍ କଲି / ଭୁଲ୍ ପାଇଁ ପସ୍ତାଉଛି ‘
ତତ୍କାଳୀନ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଗଠିତ ଏସ୍ ଟି ଏସ୍ ତଦନ୍ତରେ ଦୀର୍ଘ ୨୦୦୦ପୃଷ୍ଠାର ଅଭିଯୋଗ ଫର୍ଦ୍ଦ , ୧୦୦ଟି ଦସ୍ତାବେଜ୍ , ୫୫ ଟି ଉପକରଣ ୬୨ ଜଣ ସାକ୍ଷ୍ୟଙ୍କ ବୟାନ ଓ ୧୫୫ ଦିନର ବିଚାର ଇତ୍ୟାଦି ପରେ ମଧ୍ଯ କ୍ରାଇମବ୍ରାଞ୍ଚ ଏହାର କୌଣସି ସଠିକ୍ ତଥ୍ଯ ପ୍ରମାଣ , ଜଣେ ବି ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ବା ଠୋସ୍ ସବୁତ୍ ପାଇ ପାରି ନଥିବା ଗଣମାଧ୍ଯମରେ ସ୍ବୀକାର କରିଛି । ତେବେ ସମ୍ପୂର୍ଣ୍ଣ ଅନ୍ଧାରରୁ ପାରିପାର୍ଶ୍ବିକ ପ୍ରମାଣ , ବୈଜ୍ଞାନିକ ଓ ବୈଷୟିକ ତଥ୍ଯ ଯୋଗାଡ କରାଯାଇଥିବା ତଦନ୍ତକାରୀ କ୍ରାଇମବ୍ରାଞ୍ଚ ସୂତ୍ରରୁ ପ୍ରକାଶ । ତେବେ ଅଭିଯୁକ୍ତ ରାୟପୁରର ସର୍କିଟ୍ ହାଉସ୍ ରେ ରେକର୍ଡିଂ କରାଯାଇଥିବା ଏକ ଭିଡିଓରେ ଓ ଦିଲ୍ଲୀରୁ ଡକାଯାଇଥିବା ୨ ଜଣ ବିଶେଷଜ୍ଞ ଅଧିକାରୀଙ୍କ ଆଗରେ ଦୋଷ ସ୍ବୀକାର କରିବା ସହିତ ୟୁ ଟ୍ୟୁବ୍ ଦେଖି ବୋମା ତିଆରି କୌଶଳ ଶିଖିଥିବା କହି ଅବଲୀଳାକ୍ରମେ ବୋମା ତିଆରି କରିବାର ଏକ ଡେମୋ ଦେଖାଇଥିବା କ୍ରାଇମବ୍ରାଞ୍ଚ ପ୍ରମାଣ ଭାବେ କୋର୍ଟରେ ଦାଖଲ କରିଥିଲା । ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ରୁଦ୍ଧ କୋର୍ଟରୁମ୍ ଭିତରେ ଉଭୟପକ୍ଷର ଓକିଲ ଓ ଅଭିଯୁକ୍ତଙ୍କ ଉପସ୍ଥିତିରେ ଏହାର ଡେମୋ ପ୍ରଦର୍ଶନ କରାଯାଇଥିଲା ।
ତେବେ ଆରମ୍ଭରୁ ମିଡିଆରେ ପୁଞ୍ଜିଲାଲ୍ ଙ୍କୁ ଖଳନାୟକ ଭାବେ ବାରମ୍ବାର କ୍ରାଇମବ୍ରାଞ୍ଚ ତଦନ୍ତର ପୁଙ୍ଖାନୁପୁଙ୍ଖ ବିବରଣୀ ପ୍ରଦର୍ଶନ ଭାଇରାଲ୍ କରାଯାଇଆସିବା ସହିତ ଏକ ଫିଲ୍ମ ସୁଟିଂ କରାଯାଇଥିଲା । ଫିଲ୍ମରେ ପୁଞ୍ଜିଲାଲଙ୍କୁ ଅପରାଧୀ ଭାବରେ ଚିତ୍ରଣ କରାଯାଇଥିବା ଜୋର୍ ଦାର୍ ପ୍ରଚାର ହେବାରୁ ବିରୋଧ ହେବାରୁ ଏହାର ପାଟଣାଗଡ ନାମ ବଦଳାଯାଇ ‘ ମାଇଣ୍ଡ୍ ଗେମ୍ ‘ ନାମାନ୍ତର କରାଯାଇଥିଲା । ବିଶେଷତଃ ଗତ ଅପ୍ରେଲ ମାସଠାରୁ ମେ ୨୮ ତାରିଖ ମଧ୍ଯରେ ଶୁଣାଣୀ ହେବାର ଶୁଣାଯିବା ଓ ଏପରିକି ରାୟ ସଂରକ୍ଷିତ ଥିଲେ ହେଁ , କୋର୍ଟରେ ସଂରକ୍ଷିତ ରହିଥିବା ଉକ୍ତ ଭିଡିଓ ଭାଇରାଲ୍ କରାଯିବା ସହ ଘନ ଘନ ମିଡିଆରେ ପ୍ରଚାର କରାଯିବା ବିଡମ୍ବନାର ବିଷୟ ! ସାଧାରଣତଃ ଅନ୍ୟ କୌଣସି ବିଚାରାଧୀନ ଅପରାଧ ମାମଲାରେ ଏଭଳି ମାତ୍ରାତିରିକ୍ତ ନିୟମ ବହିର୍ଭୂତ ଅଗ୍ରୀମ ମିଡିଆ ଟ୍ରାଏଲ୍ ହୋଇଥିବା ଦେଖାଯାଇନାହିଁ ! ଏହା ସନ୍ଦେହ ସୃଷ୍ଟି କରିଥିଲା । ବିଶେଷତଃ କୋର୍ଟର ସଂରକ୍ଷିତ ଉକ୍ତ ଡେମୋ ଭିଡିଓଟି ଲିକ୍ ହେଲା କେମିତି ବୋଲି ଓକିଲଙ୍କ ମଧ୍ଯରେ ମଧ୍ଯ ଗୁଞ୍ଜରଣ ହୋଇଥିଲା । ବିଶ୍ବସ୍ତସୂତ୍ରରୁ ପ୍ରକାଶ ଯେ , ପୁଞ୍ଜିଲାଲଙ୍କ ପକ୍ଷରୁ ଲଢୁଥିବା ଜଣେ କଟକ ହାଇକୋର୍ଟର ପୂର୍ବତନ ଓକିଲ ଏହି ଡେମୋର କ୍ଲୋନ୍ କୋର୍ଟରୁ ଆବେଦନ କରି ନେଇଥିଲେ ଓ ଫେରାଇଲା ବେଳେ ସେଇ ପ୍ୟାକେଟ୍ ର ସିଲ୍ ଖୋଲାଥିଲା ବୋଲି ଶୁଣାଯାଇଥିଲା । । ତେବେ ଯାଞ୍ଚ ପରେ ଏହା କୋର୍ଟରୁ ଲିକ୍ ହୋଇ ନ ଥିବା ଓ ଉକ୍ତ ଓକିଲଙ୍କ ଠାରୁ ବା କ୍ରାଇମବ୍ରାଞ୍ଚ ଠାରୁ କେହି ଏହାର ନକଲ ବାହାର କରି ଭାଇରାଲ୍ କରିଥିବା ଚର୍ଚ୍ଚା ହୋଇଥିଲା । ସେ ଯାହାହେଉ, ଏହା ବିରୋଧରେ ପ୍ରତିପକ୍ଷ ଓକିଲଙ୍କ ପିଟିସନ୍ ଉଦ୍ୟମ ,ପ୍ରେସ୍ ବିବୃତି ଓ ଅଭିଯୁକ୍ତଙ୍କ ପତ୍ନୀଙ୍କ ପକ୍ଷରୁ ଗଣମାଧ୍ୟମରେ ସ୍ବରଉତ୍ତୋଳନ ସତ୍ତ୍ବେ କୋର୍ଟ କିମ୍ବା କେହି ଏଥିପ୍ରତି ଗୁରୁତ୍ବ ଦେଇ ନ ଥିବା ଆଶ୍ଚର୍ଯ୍ୟଜନକ !
ତେବେ ପାଟଣାଗଡ ଏଡିଜେ କୋର୍ଟଙ୍କ ଉକ୍ତ ରାୟପ୍ରକାଶ ପରେ ଅଭିଯୋଗକାରୀ , ତଦନ୍ତକାରୀ ଓ ଲୋକେ ପୁଞ୍ଜିଲାଲଙ୍କୁ ଏହି ମାମଲାର ଦୋଷୀ ବୋଲି ଗ୍ରହଣ କରି ନେଇଛନ୍ତି । ଅଧିକନ୍ତୁ ଏହା ଉପରେ ତିଆରି ହୋଇଥିବା ପ୍ରଥମରୁ ବିବାଦୀୟ ନାଁ’ ବଦଳ ଫିଲ୍ମ ‘ ମାଇଣ୍ଡ୍ ଗେମ୍ ‘ କୁ ଏବେ ନିଜକୁ ମାନବାଧିକାର କମିସନଙ୍କ ପ୍ରତିନିଧି ବୋଲାଉଥିବା ଜଣେ ଟାଉଟର ଶ୍ରେଣୀୟ ବ୍ଯକ୍ତି ଓ ଗତ ନିର୍ବାଚନରେ ପ୍ରାର୍ଥୀ ହୋଇ ଅମାନତ ହରାଇଥିବା ଅନ୍ୟଜିଲ୍ଲାର ଉକ୍ତ ଫିଲ୍ମର ଜଣେ ବିବାଦୀୟ ଅଭିନେତା ଏବେ ଏହି ଫିଲ୍ମଟିକୁ ଅଞ୍ଚଳର ପୌର କମ୍ୟୁନିଟି ହଲ୍ ଗୁଡିକୁ ଭଡା ନେଇ ଟିକେଟ୍ କାଟି ସିନେମା ଦେଖାଉଥିବା ଦେଖାଯାଇଛି । ଏହାର ଉଦ୍ଦେଶ୍ଯ ବେପାର ନା ଅନ୍ୟକିଛି ସ୍ପଷ୍ଟ ହୋଇନାହିଁ । ତେବେ ଏସବୁ ମିଡିଆଟ୍ରାଏଲ୍ ର ପଛପଟେ କିଛି ଗୋଷ୍ଠୀର କୌଣସି ଉଦ୍ଦେଶ୍ଯସାଧନର ଲକ୍ଷ୍ୟ ପୂରଣ ହୋଇଥିବା ଅନୁମାନ କରାଯାଏ । ଏହି ଉଦ୍ଦେଶ୍ଯରେ କ’ଣ ହୋଇପାରେ ?
ତେବେ ପାଟଣାଗଡ ମାନ୍ୟବର ଏଡିଜେ କୋର୍ଟଙ୍କ ରାୟରେ ଆଜୀବନ କାରାଦଣ୍ଡାଦେଶ ମିଳିଥିବା ଏହି ବହୁଚର୍ଚ୍ଚିତ ଚାଞ୍ଚଲ୍ୟକର ଅପରାଧ ମାମଲାଟି ମିଡିଆଟ୍ରାଏଲ୍ ଭାଷା (? )ରେ ‘ ରେଆରେଷ୍ଟ୍ ଅଫ୍ ଦ ରେଆର୍ ‘ ବା ‘ ବେନିଫିଟ୍ ଅଫ୍ ଡାଉଟ୍ ‘ , ଯାହା କି ଫାଶୀଦଣ୍ଡ ବା ମୃତ୍ୟୁଦଣ୍ଡରୁ ଅଳ୍ପକେ ବର୍ତ୍ତିଯାଇଥିବା ଅଭିସନ୍ଧିମୂଳକ ପ୍ରଚାର ହେଇଥାଉନା କାହିଁକି , ଯଦି ପୁଞ୍ଜିଲାଲ୍ ସତରେ ଏଭଳି ଜଘନ୍ଯ ଅପରାଧ ଘଟାଇ ତଥାପି ଆତ୍ମଗର୍ବୀ ଆସ୍ଫାଳନ ମାରୁଥାଏ , ତାକୁ ପୁତ୍ରଶୋକଦଗ୍ଧ ଅଧ୍ୟାପକ ଦମ୍ପତ୍ତିଙ୍କ ଅଭିଶାପ ଅନୁଯାୟୀ , ଫାଶୀଦଣ୍ଡ ମଧ୍ଯ କମ୍ ହେବ ଓ ତା’କୁ ତୁରନ୍ତ ମୃତ୍ୟୁଦଣ୍ଡାଦେଶ ଦିଆଯିବା ଉଚିତ୍ । ସାମାନ୍ଯ ଏକ କଲେଜ ଅଧ୍ୟକ୍ଷ ପରି ପଦବୀ ହରାଇବାରୁ ଜଣେ ଉଚ୍ଚଶିକ୍ଷିତ ଶିକ୍ଷକଙ୍କର ଏପରି ତୀବ୍ର ଈର୍ଷା ଓ ଅସହିଷ୍ଣୁତାର ପ୍ରତିଶୋଧ ଯେ ଏତେଦୂର ହୋଇପାରେ , ଏହା ଲୋମହର୍ଷକ ନିଶ୍ଚୟ ।
କିନ୍ତୁ ଅଭିଯୁକ୍ତର ସହଯୋଗୀମାନଙ୍କୁ ପୁଲିସର ପଚରାଉଚୁରାରେ କାଳେ ନିଜଆଡକୁ ଆଙ୍ଗୁଳି ଉଠିବା ଆଶଙ୍କାରେ ତାଙ୍କର ସ୍ବଭାବ ସୁଲଭ ଅତିବୁଦ୍ଧି ଦେଖାଇ ବଲାଙ୍ଗୀର ବନାମ ପାଟଣାଗଡ ପୁଲିସ୍ ର ସନ୍ଦେହର ପରିସରକୁ ଆସିଥିବା ପୁଞ୍ଜିଲାଲଙ୍କୁ ଇଂରାଜୀ ଶବ୍ଦ ଓ ଶୈଳୀ ଏବଂ ଲଫାପା , ଅଠା ଇତ୍ୟାଦିର ଲାବୋରଟୋରୀ ଟେଷ୍ଟ୍ ରୁ ଧରିଥିବା ଏଯାବତ୍ ଅନ୍ଯାନ୍ଯ ବହୁଚର୍ଚ୍ଚିତ ଅପରାଧ ମାମଲାର ତଦନ୍ତରେ ସମାଲୋଚିତ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ବାହାସ୍ଫୋଟ ଓ ସେଥିରୁ ବୋମା ତିଆରିର ଲିଡ୍ ପାଇଥିବା ଏବଂ ସନ୍ଦିଗ୍ଧ ଅଭିଯୁକ୍ତ ପୁଞ୍ଜିଲାଲକୁ ଟିହାଇ ତା’ଠାରୁ ସ୍ବୀକାରୋକ୍ତି ଆଦାୟ କରି ଭିଡିଓ ରେକର୍ଡିଂ କରି ପ୍ରମାଣ ହାସଲ କରିଥିବା ଇତ୍ୟାଦି ୟୁ ଟ୍ୟୁବ୍ ଡେମୋ ଗପ ଏତେଟା ବିଶ୍ୱାସଯୋଗ୍ୟ ଲାଗୁନାହିଁ ବୋଲି ଜନସାଧାରଣରେ ସମାଲୋଚନା ମଧ୍ଯ ପ୍ରକାଶ ପାଉଛି ।
ତେଣୁ ଏହାପରେ ଯଦି ଏହି ମାମଲାର କୌଣସି ସମାନ୍ତରାଳ ତଦନ୍ତରେ ଅଥବା ମାନ୍ୟବର ହାଇକୋର୍ଟଙ୍କ ବିଚାରରେ ତଳକୋର୍ଟରେ ଦୋଷୀସାବ୍ୟସ୍ତ ଅଭିଯୁକ୍ତ ଖଲାସ ହୋଇଯାଏ , ତେବେ ଏଭଳି ସୁନିୟୋଜିତ ଷଡଯନ୍ତ୍ରର ପାର୍ଶଲ୍ ବୋମାରେ ଡବଲ୍ ହତ୍ୟାକାଣ୍ଡ ଓ ଜଣକୁ ହତ୍ୟାଉଦ୍ୟମ ବହୁଚର୍ଚ୍ଚିତ ଅପରାଧ ମାମଲାର ଦୀର୍ଘ ୭ ବର୍ଷର ସ୍ବତନ୍ତ୍ର ତଦନ୍ତ ନିଷ୍ଫଳ ହେବା ସହିତ ଏହା ପଠାଇ ଥିବାର ଚତୁର ଦ୍ବିତୀୟ ଆସାମୀ କିଏ ଓ ତା’ର ଉଦ୍ଦେଶ୍ଯ କ’ଣ ଥିଲା ? – ବୋଲି ପ୍ରଶ୍ନ ଅସମାହିତ ରହିଯିବନି ତ ?