ଦୁର୍ନୀତି

ଦିବ୍ୟାଙ୍ଗ ଶିକ୍ଷକ ଅଭ୍ୟାସଗତ ଠକ

Email :

ମହିଳା ଏସ୍ ଏଚ୍ ଜିଙ୍କ ଠାରୁ କୋଟି ଟଙ୍କା ଠକେଇ !

ଉପରଠାଉରିଆ ତଦନ୍ତ କରି ପୁଲିସ୍ କରୁଛି ହାତଚିକ୍କଣ ?

ବଲାଙ୍ଗୀର : ସରକାରଙ୍କ ଭିନ୍ନକ୍ଷମ କୋଟାରେ ଚାକିରୀ କରୁଥିବା ପ୍ରାଥମିକ ବିଦ୍ୟାଳୟର ଜଣେ ଦିବ୍ୟାଙ୍ଗ ଶିକ୍ଷକ ଗ୍ରାମାଞ୍ଚଳ ମହିଳାମାନଙ୍କୁ ସ୍ବାବଲମ୍ବୀ ହେବାର ପ୍ରଲୋଭନ ଦେଇ ବ୍ୟାଙ୍କ ଋଣ କରାଇଦେଇ ଅଭିନବ ଉପାୟରେ କୋଟି କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ପ୍ରକାଶ ପାଇଛି । ତେବେ କ୍ଷୋଭର ବିଷୟ ଏହା ଯେ , ଥାନାରେ ଅଭିଯୋଗ କରାଯାଇଥିବା ସତ୍ତ୍ଵେ ପୁଲିସ ଅଭିଯୋଗକାରିଣୀଙ୍କୁ ଭୁଆଁ ବୁଲାଇ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ସହିତ ଅଭିଯୁକ୍ତ କୋର୍ଟରେ ଆଇନର ଜାଲ ବୁଣି ଖସି ଯିବାରେ ସମର୍ଥ ହେଉଥିବାର ଅଭିଯୋଗ କରାଯାଇଛି ।

ଅଭିଯୋଗରୁ ପ୍ରକାଶ ଯେ , ଖପ୍ରାଖୋଲ ଥାନାନ୍ତର୍ଗତ ଧଣ୍ଡାମୁଣ୍ଡା ଗ୍ରାମର ମୂଳନିବାସୀ ପାଟଣାଗଡରେ ରହୁଥିବା ବେହେରାବନ୍ଧ ପ୍ରାଥମିକ ବିଦ୍ୟାଳୟର ଜଣେ ଦିବ୍ୟାଙ୍ଗ ଶିକ୍ଷକ ଦୀପକ କୁମାର ଭୋଇ ଏକ ତଥାକଥିତ ‘ ଏଲୋରା ଅଗରବତୀ ଉଦ୍ୟୋଗ ‘ ନାଁ’ରେ ଗତବର୍ଷ କିଛିମାସ ତଳେ ସଦର ଥାନାନ୍ତର୍ଗତ କୁଜଙ୍ଗ ଗ୍ରାମର ପ୍ରଦ୍ୟୁମ୍ନ ସାହୁ ନାମକ ଯୁବକଙ୍କ ଜରିଆରେ ପୁଇଁତଳା ଥାନାନ୍ତର୍ଗତ ବୁଢୀସିଣ୍ଢୋଲ , ଦୁର୍ଗାପାଲି , ବାଦୀବାହାଲ ଓ ସଦରଥାନାନ୍ତର୍ଗତ ମାଧିଆପାଲି ଗ୍ରାମର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ୧୮ ଜଣ ମହିଳାଙ୍କୁ ଅଟୋମେଟିକ ପ୍ରେସ୍ ଖଲି ମେସିନ୍ ଦେବାକୁ ୧୪ ଲକ୍ଷ ଟଙ୍କା ଠକି ନେଇଛି ।

ଆଇନର ଜାଲ ବୁଣି ଅଭିଯୁକ୍ତ ଖଲାସ୍ !

ଏ ସମ୍ପର୍କରେ ପୁଇଁତଳା ଥାନାରେ ଅଭିଯୋଗ ସତ୍ତ୍ବେ ପୁଲିସ ନ ଶୁଣିବା ସହିତ ସେମାନେ ଅଭିଯୁକ୍ତଙ୍କୁ ଧରି ଆଣି ପୁଲିସକୁ ଜିମା ଦେଇଥିଲେ । ଅଭିଯୁକ୍ତ ନିଜେ ଟଙ୍କା ଠକିଥିବା ଥାନାରେ ସ୍ବୀକାର କରିଥିବା ବେଳେ ତଦନ୍ତ କରିଥିବା ଅଧିକାରୀ ମନୋଜ ପ୍ରଧାନ ଏକ ଅଣ୍ଡରଟେକିଂ ଲେଖାଇ ଛାଡି ଦେଇଥିବାରୁ ସେମାନଙ୍କ ପକ୍ଷରୁ ଗତ ୧୮ । ମାର୍ଚ୍ଚ । ୨୦୨୫ ତାରିଖରେ ଏସ୍ ପି ଅଭିଳାଷ ଜି ଙ୍କ ପାଖରେ ଅଭିଯୋଗ କରାଯାଇଥିବା ପ୍ରକାଶ । ତେବେ ଏହି ଟଙ୍କା ସେମାନେ ଅଭିଯୁକ୍ତ ଦୀପକ ଭୋଇକୁ ପାଟଣାଗଡ ଯାଇ ଏଗ୍ରିମେଣ୍ଟ୍ ଲେଖି ଦେଇଥିବାରୁ ଏସ୍ ପି ସେମାନଙ୍କୁ ପାଟଣାଗଡ ଥାନାକୁ ଯାଇ ଏତଲା ଦେବାକୁ ପଠାଇ ଦେଇଥିଲେ । ଏଣୁ ଉକ୍ତ ମହିଳାମାନେ ପାଟଣାଗଡ ଥାନାକୁ ଯାଇ ଏକ ଲିଖିତ ଏତଲା ଦେଇଥିଲେ । ଏ ସମ୍ପର୍କରେ ପାଟଣାଗଡ ଥାନାରେ ଅଭିଯୁକ୍ତ ଦୀପକ କୁମାର ଭୋଇ ଓ ପ୍ରଦ୍ୟୁମ୍ନ ସାହୁ ବିରୋଧରେ କେସ୍ ନ୦ ୮୧ / ୨୦୨୫ ରେ ଭାରତୀୟ ନ୍ୟାୟ ସଂହିତା ୟୁ / ଏସ୍ – ୪୮୨ ରେ ଏକ ମାମଲା ଋଜୁ କରାଯାଇଛି ଓ ଏହାର ତଦନ୍ତ ଦାୟିତ୍ବ ବିଶ୍ବରଞ୍ଜନ ମହାନ୍ତି କରୁଛନ୍ତି ଏହା ଆଇ ଆଇ ସି ହରିବନ୍ଧୁ ଗଡତ୍ୟା ତଥା ଏସ୍ ଡି ପି ଓ ସଦାନନ୍ଦ ପୂଜାରୀଙ୍କ ତତ୍ତ୍ବାବଧାନରେ ଚାଲିଥିବା ଉକ୍ତ ତଦନ୍ତକାରୀ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ । ତେବେ ଅଭିଯୁକ୍ତମାନେ କିଛିଦିନ ଫେରାର୍ ରହିବା ପରେ ଏବେ ସେମାନଙ୍କ ଉଚ୍ଚ ନ୍ୟାୟାଳୟରେ ଆଣ୍ଟିସିପେଟରୀ ଜାମିନ୍ ଆଦେଶ ବଳରେ ଗିରଫ ହୋଇ ନ ଥିବା ପୁଲିସ ସୂତ୍ରରୁ ପ୍ରକାଶ ।

ଉଲ୍ଲେଖଯୋଗ୍ଯ ଯେ , ଅଭିଯୁକ୍ତ ପ୍ରଦ୍ୟୁମ୍ନ ସାହୁ ହାଇକୋର୍ଟକୁ ଭୁଲ୍ ତଥ୍ଯ ଦେଇ ସେ ଏଥିରେ ଜଡିତ ନଥିବା ଓ ତାଙ୍କୁ ଅଯଥାରେ ଏହି ମାମଲାରେ ଫସାଇ ଦିଆଯାଇଛି ବୋଲି ଏକ ମିଥ୍ୟା ଆବେଦନ କରିବାରୁ ମାନ୍ୟବର ଅଦାଲତ ଅଭିଯୋଗକାରିଣୀଙ୍କୁ ଏକ କୈଫିୟତ୍ ନୋଟିସ୍ ତଲବ କରିଥିଲେ ଓ ଅଭିଯୋଗକାରିଣୀ କଟକ ଯାଇ ଗତ ମଇ ୧୩ ତାରିଖରେ ଓକିଲଙ୍କ ଜରିଆରେ ହାଜିରା ଦେଇଥିବା ରୀନା ମହାକୁର ଓ ଜିତେନ୍ଦ୍ର ପାଣ୍ଡେ ଏ ସମ୍ପର୍କିତ ଡକୁମେଣ୍ଟ ଦେଖାଇ ପ୍ରକାଶ କରିଛନ୍ତି । ଏଣୁ ଏହି ଠକେଇର ଶିକାର ହୋଇଥିବା ମହିଳାମାନେ ଦୂରବର୍ତ୍ତୀ ସେମାନଙ୍କ ଗାଁ’ରୁ ପୁଇଁତଳା ଥାନାକୁ , ବଲାଙ୍ଗୀର ଏସ୍ ପି ଅଫିସ୍ କୁ , ପାଟଣାଗଡ ଥାନା ଓ ଏସ୍ ଡିପିଓଙ୍କ ପାଖକୁ ଏବଂ ଶେଷରେ କଟକ ହାଇକୋର୍ଟକୁ ଏହି ପ୍ରଚଣ୍ଡ ଗ୍ରୀଷ୍ମକାଳରେ ଘରେ ଛୁଆପିଲା ଛାଡି ଖର୍ଚ୍ଚାନ୍ତ ହୋଇ ବହୁବାର ଧାଇଁ ଧାଇଁ ନିରାଶ ହୋଇ ପଡିଥିବା ପ୍ରକାଶ କରିଛନ୍ତି । ଏପରିକି ପୂର୍ବରୁ ଥରେ ମହିଳାମାନେ ସେମାନଙ୍କୁ ଗାଁ’ର ମିଶନଶକ୍ତିର ସିଆରପି ଜରିଆରେ ପ୍ରଥମେ ଯୋଗାଯୋଗ କରି ପ୍ରବର୍ତ୍ତାଇ ଟଙ୍କା ସଂଗ୍ରହର ଅନ୍ୟତମ ଅଭିଯୁକ୍ତ ପ୍ରଦ୍ୟୁମ୍ନ ସାହୁର ଗାଁ’ କୁଜଙ୍ଗରୁ ଯାଇ ଘରେ ପହଞ୍ଚିବାରୁ ତାଙ୍କ ବାପା ସ୍ଥାନୀୟ ସଦର ଥାନାକୁ ଖବର ଦେଇ ପୁଲିସ୍ ଲଗାଇ ଘଉଡାଇ ଦେଇଥିବା ଅଭିଯୋଗକାରିଣୀଙ୍କ ସୂତ୍ରରୁ ପ୍ରକାଶ । ଏଣୁ ଉପରୋକ୍ତ ଲକ୍ଷାଧିକ ଟଙ୍କାର ଠକେଇ ମାମଲାରେ ବିଭିନ୍ନ ଥାନା ଓ ପୁଲିସର କାର୍ଯ୍ୟକଳାପ କିପରି , ଲକ୍ଷଣୀୟ ! ଏହାପଛର କାରଣ କ’ଣ ହେଇପାରେ ?

ଉପରୋକ୍ତ ବୁଢୀସିଣ୍ଢୋଲର ଜୟ ମା ଅମ୍ବିକା ଏସ୍ ଏଚ୍ ଜି , ମା’ ସନ୍ତୋଷୀ ଏସ୍ ଏଚ୍ ଜି ଓ ଅନ୍ଯାନ୍ଯ ଏସ୍ ଏଚ ଜି ଗ୍ରୁପ୍ ତଥା ଲୋକଙ୍କ ଆକାଉଣ୍ଟରୁ ୧୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଠକେଇରେ ବଲାଙ୍ଗୀରର ଦେନା ବ୍ୟାଙ୍କ ଶାଖା , ଏଲ୍ ଏମ୍ ଟି ବ୍ୟାଙ୍କ ଶାଖା ଓ ଅନ୍ଯାନ୍ଯ ବ୍ୟାଙ୍କ୍ ରେ କାରବାର କରିଥିବା ଜଣାଯାଏ । ପ୍ରଦ୍ୟୁମ୍ନ ସାହୁ ବ୍ୟାଙ୍କ ଋଣ ପରେ ଏଟିଏମ୍ ମାଗିନେଇ ସବୁ ଟଙ୍କା ଉଠାଇ ନେଇଛି । ଏହା ବ୍ୟତୀତ ଏମାନେ ଉକ୍ତ ମହିଳାଙ୍କ ଠାରୁ ଆହୁରି ଲକ୍ଷାଧିକ ଟଙ୍କା ମଧ୍ଯ ଠକି ନେଇଥିବା ପ୍ରକାଶ । ଏହି ଠକେଇରେ କେତେକ ଅଧିକାରୀ , ଶିକ୍ଷା ଅଧିକାରୀମାନେ ଏହି ଠକଙ୍କୁ ସାହାଯ୍ଯ, ଆଇନଗତ ସହାୟତା ଯୋଗାଇ ଦେଉଥିବା କେତେକ ଓକିଲ , ସାମ୍ବାଦିକ ଓ ଅଧିକାରୀଙ୍କୁ ମଧ୍ଯ ଏହି ମାମଲାର ପରିସରଭୁକ୍ତ କରାଯିବାକୁ ଦାବି କରାଯାଏ । ସେମାନଙ୍କର ଟଙ୍କା କେମିତି ଫେରିପାଇବେ , ଏ ସମ୍ପର୍କରେ ଉକ୍ତ ଠକେଇର ଶିକାର ହୋଇଥିବା ପୀଡ଼ିତାମାନେ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝି , ମହିଳା ବିକାଶ ବିଭାଗର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ତାଙ୍କ ପାଟଣାଗଡ ନିର୍ବାଚନ ମଣ୍ଡଳୀର ଏଭଳି ଠକ ବିରୋଧରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ସରକାରଙ୍କୁ ନିବେଦନ କରିଛନ୍ତି ।

ତେବେ କେବଳ ଏହି ଗୋଟିଏ ଠକେଇ ଘଟଣା ବା ମାମଲା ନୁହେଁ , ଦୀର୍ଘ ବର୍ଷ ଧରି ଉକ୍ତ ଅଭିଯୁକ୍ତ ଦିବ୍ଯାଙ୍ଗ ଠକ ଦୀପକ ଭୋଇ ଓ ପ୍ରଦ୍ୟୁମ୍ନ ସାହୁ ବା ତା’ର ଠକ ଗ୍ୟାଙ୍ଗ ଜିଲ୍ଲାର କୁସଙ୍ଗ , ବାଲିପଟା ,ପାଟଣାଗଡ, କୁକୁରମୁଣ୍ଡା ଓ ଅନ୍ଯାନ୍ଯ ବିଭିନ୍ନ ସ୍ଥାନରେ ଏହିପରି କୋଟି କୋଟି ଟଙ୍କାର ଠକେଇରେ ଜଡିତ ରହିଥିବାର କୁହାଯାଏ । ଗତ ପ୍ରାୟ ୯ ମାସ ହେଲା ସେ ଚାକିରୀ କରୁଥିବା ପାଟଣାଗଡ ବ୍ଲକର ବେହେରାବନ୍ଧ ସ୍କୁଲରୁ ଛୁଟି ବଢାଇ ଫେରାର୍ ରହିବା ପରେ ଏବେ ଫେରି ତା’ର ହେଣ୍ଡିକେପ୍ ଟ୍ରାଇ ବାଇକ୍ ରେ ପାଟଣାଗଡରେ ଦେଖାଯାଇଥିବା ଜଣାଯାଇଛି । ଶେଷତମ ଖବର ଅନୁଯାୟୀ , ଗତ କାଲି ରାତିରେ ପ୍ରଦ୍ୟୁମ୍ନ ସାହୁର ଗାଁ କୁସଙ୍ଗରୁ କିଛି ଲୋକ ଫୋନରେ ଅଭିଯୋଗକାରୀ ଜିତେନ୍ଦ୍ର ପାଣ୍ଡେଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଜୀତେନ୍ଦ୍ର ଜଣାଇଛନ୍ତି । ଆଜି ସାବିତ୍ରୀବ୍ରତ ଥିବାରୁ ଠକେଇର ଶିକାର ହୋଇଥିବା ଅଭିଯୋଗକାରିଣୀଙ୍କ ସହ ଜୀତେନ୍ଦ୍ର ଏସ୍ ପି ଙ୍କୁ ଆସି ଉକ୍ତ ଧମକର ଅଡିଓ ରେକର୍ଡ ଓ ଉକ୍ତ ଫୋନ୍ ନମ୍ବର ସହ ଅଭିଯୋଗ କରିବେ ବୋଲି ପ୍ରକାଶ।

ସେହିପରି ପ୍ରଦ୍ୟୁମ୍ନ ସାହୁ ବଲାଙ୍ଗୀର ସହରର ପାଲେସ୍ ଲାଇନ୍ ରେ ଏକ ତିନିମହଲା କୋଠାରେ ଭଡାରେ ରହୁଥିବାର ଜଣାଯାଇଛି। ଦୀପକ ତା’ର ପତ୍ନୀ ସଂଯୁକ୍ତା ଭୋଇଙ୍କ ଆକାଉଣ୍ଟରେ ଟଙ୍କାପଇସା ଟ୍ରାନ୍ସଫର୍ କରୁଥିବା ଜଣାଯାଇଛି। ଏହି ଅଭ୍ୟାସଗତ ଠକମାନେ ମୁଖ୍ଯତଃ ଗ୍ରାମାଞ୍ଚଳ ଲୋକଙ୍କୁ ବିଭିନ୍ନ ଚିଟ୍ ଫଣ୍ଡ , ଋଣ ଓ ଅନ୍ଯାନ୍ଯ ସହାୟତା ଦେବାର ପ୍ରଲୋଭନ ଦେଖାଇ ଅଭିନବ ଉପାୟରେ କେତେକ ବ୍ୟାଙ୍କ କର୍ମଚାରୀଙ୍କୁ ହାତକରି କୋଟି କୋଟି ଟଙ୍କା ଠକି ନେଇ ପୁଲିସକୁ ପ୍ରଚୁର ଲାଞ୍ଚ ଦେଇ ଓ ତାଙ୍କ ସମ୍ପର୍କୀୟ ଆଇନଜିବୀଙ୍କ ସହାୟତାରେ ଆଇନର ଜାଲ ବୁଣି ବାରମ୍ବାର ଖସି ଯାଉଥିବାରୁ ସରକାର ତାକୁ ଧରି ଦୃଢ ଦଣ୍ଡବିଧାନ କରିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି । ଏହି ଠକେଇର ପ୍ରକୃତ ତଦନ୍ତ ନ କରି ଠକକୁ ବାରମ୍ବାର ଉତ୍କୋଚ ଖାଇ ଛାଡି ଦେଉଥିବା ତଦନ୍ତକାରୀ ପୁଲିସ ଅଧିକାରୀଙ୍କ ବିରୋଧରେ ମଧ୍ଯ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି । ନତୁବା କିଏ ଜାଣେ ବାରମ୍ବାର ଠକେଇର ଶିକାର ହେଉଥିବା କୌଣସି ପୀଡିତଙ୍କ ଦ୍ବାରା ଏଭଳି ଧୂର୍ତ୍ତ ଠକ ର ଚରମ ପରିଣତି କ’ଣ ଘଟିବ , ଚିନ୍ତାଜନକ ! ପରବର୍ତ୍ତୀ ସମୟରେ ଏହି ଠକର ଠକେଇର ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇବ।

Leave a Reply

Your email address will not be published. Required fields are marked *

Related Post