ଧାନବୋଝେଇ ଟ୍ରକ୍ ଓଲଟିଲା : ଘଟଣାସ୍ଥଳରୁ ଧାନ ଚୋରି !
ଲାଠୋର : ଗତ ୧୦ ତାରିଖ ଦିନ ପ୍ରାୟ ୧୧ ଟା ସମୟରେ ଲାଠୋର ଥାନା ଲାଠୋର-ପର୍ଲିମାଲ୍- ବେଲପଡା ସଂରକ୍ଷିତ ଜଙ୍ଗଲ ରାସ୍ତାର ଲାଠୋର ଦୁର୍ଗେଶ୍ବରୀ ହାଇସ୍କୁଲ ପାଖରେ ଏକ ଧାନଭର୍ତ୍ତି ୯୦୭ ମିନିଟ୍ରକ୍ ( ଓଡି ୨୬ ବି ୦୫୯୨ ନମ୍ବର)ଓଲଟି ପଡିଥିଲା । ଚାଳକ ଟ୍ରକ୍ ଛାଡି ଫେରାର୍ ହୋଇଯାଇଥିଲା ବେଳେ ପଡୋଶୀ ନୂଆପଡା ଜିଲ୍ଲା କୋମନା ଥାନାର ସେମେଲପାଲି ଗ୍ରାମର ଟ୍ରକ୍ ମାଲିକ ଅଫଜଲ ଖାନ୍ ଘଟଣାସ୍ଥଳରେ ପହଁଞ୍ଚି ଏହା ସେମେଲପାଲିରୁ ବେଲପଡାର ଏକ ରାଇସ୍ ମିଲ୍ କୁ ଯାଉଥିବା କହିଥିବା ସହ ଲାଠୋରର ଜଣେ ବ୍ଯବସାୟୀଙ୍କ ସହ ଧାନକୁ ଅନ୍ୟ ଗାଡିରେ ଉଠାଇନେଇଥିବା ପ୍ରକାଶ । ସୂଚନାଯୋଗ୍ଯ ଯେ , ଅଫଜଲ ଭାଇ ଲାଠୋରରେ ରହନ୍ତି । ଟ୍ରକ୍ ରେ ୨୫୦ ବସ୍ତା ଧାନ ଥିଲା ।

ଖବରପାଇ ଖପ୍ରାଖୋଲ ଯୋଗାଣ ନିରୀକ୍ଷକ ବିକାଶ ବାର୍ଲା ,ବେଲପଡାର ଯୋଗାଣ ନିରୀକ୍ଷକ ଦୁର୍ଗା ପ୍ରସାଦ ରଥ ଓ ପାଟଣାଗଡ ଏସିଏସ୍ ଓ ରାଜାରାମ ହୋତା ପ୍ରମୁଖ ପହଞ୍ଚି ତଦନ୍ତ କରିଥିଲେ ହେଁ , ଖପ୍ରାଖୋଲ ଯୋଗାଣ ନିରୀକ୍ଷକ ବିକାଶ ବାର୍ଲା କହିଛନ୍ତି ଯେ ଏହାର ତଦନ୍ତ କରାଯାଇ ସରକାରୀ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ଲାଠୋର ଥାନାଧିକାରୀ ରମାକାନ୍ତ ସାହୁ କହିଛନ୍ତି ଯେ ଯୋଗାଣ ବିଭାଗର ତଦନ୍ତ ପରେ ଉକ୍ତ ଟ୍ରକ୍ ଟିକୁ ଜବତ କରି ଥାନାକୁ ଅଣାଯିବ ।’ ତେବେ ତଦନ୍ତ ନିମନ୍ତେ ଏହି ମାମଲାରେ ବେଲପଡାର ତାରିଣୀ ମିଲ୍ କର୍ତ୍ତୃପକ୍ଷଙ୍କୁ ଡକାଯାଇଥିବା ଓ ଏହା ମାମଲାକୁ ସମସ୍ତେ ମିଶି ହାତଚିକ୍କଣ କରି ଦଫାରଫା କରିଦେବାକୁ ମସୁଧା କରାଯାଉଥିବା ଚର୍ଚ୍ଚା ହେଉଛି । କାରଣ ଏହି ଅଞ୍ଚଳର ଥାନାଧିକାରୀଙ୍କ ଠାରୁ ଯୋଗାଣ ଅଧିକାରୀଙ୍କ ପର୍ଯ୍ୟନ୍ତ ଅଧିକାରୀଙ୍କ ପର୍ଯ୍ୟନ୍ତ ଏଠୁ ସେଠିକି ବଦଳାବଦଳି କରାଯାଇ ଅବସ୍ଥାପିତ ହୋଇଆସୁଥିବା ଦେଖାଯାଇଥିବା ସହ ଦାଦନଚାଲାଣରୁ ପୂର୍ବର ଏଭଳି କେତେକ ଧାନଚାଉଳ ଟ୍ରକ୍ ଧରାପଡିଥିବା ଘଟଣାକୁ ଛାଡିଦିଆଯାଇଥିବା ଦେଖାଯାଇଆସିଛି ।
ଉଲ୍ଲେଖଯୋଗ୍ଯ ଯେ ଲାଠୋରରୁ ବେଲପଡାକୁ ଏହି ଜଙ୍ଗଲରାସ୍ତାଟି ଧାନଚାଉଳ, କାଠ , ବାଲି , ଗଞ୍ଜେଇ ଆଦି ଚୋରାଚାଲାଣର ରାସ୍ତା ଓ ଆଗରୁ ଏପରି ବହୁଘଟଣା ଘଟିଚାଲିଛି । ଆହୁରିମଧ୍ୟ ବେଲପଡାର ମିଲର୍ସମାନଙ୍କ ବିରୁଦ୍ଧରେ ଧାନ ଓ ଚାଉଳର କଳାବେପାରର ବହୁ ଅଭିଯୋଗ ଶୁଣାଯାଇଛି । ତେବେ ଗୁରୁତର ଅଭିଯୋଗ ଏହା ଯେ ଜିଲ୍ଲା ଅଧିକାରୀମାନେ ଏଥିପ୍ରତି ଗୁରୁତ୍ବ ଦେଇ ନଥାନ୍ତି । ତେଣୁ ଏହା ନିରଙ୍କୁଶ ହୋଇ ବୃଦ୍ଧି ପାଉଛି ।



“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।