ଡି ଏଫ୍ ଓ ଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ
ବଲାଙ୍ଗୀର / ଭବାନୀପାଟଣା : ରାଜ୍ୟରେ ସରକାର ବଦଳି ନୂଆ ସରକାର ଗଠନ ପରେ ବି ସରକାରୀ ବିଭାଗରେ ବିଭାଗୀୟ ଲାଞ୍ଚ ବା ପିସି ବ୍ୟବସ୍ଥାରେ କୌଣସି ରୋକ୍ ଲାଗିନାହିଁ ! ଗତ ୧୮ ତାରିଖରେ ବଲାଙ୍ଗୀର ସିଲ୍ ଭି କଲ୍ ଚର୍ ବିଭାଗକୁ କିଛିଦିନ ତଳେ ବଦଳି ହୋଇ ଆସିଥିବା ଜଣେ ଫରେଷ୍ଟର ରାୟଗଡାର ସଞ୍ଜୟ ନାୟକ ( ୩୩ )ଙ୍କ ଭବାନୀପାଟଣାର ସରକାରୀ କ୍ବାର୍ଟର ଭିତରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ଏହାର ଏକ ଜ୍ବଳନ୍ତ ଉଦାହରଣ ।
ମୃତଦେହ ନିକଟରୁ ପୁଲିସ୍ ଜବତ କରିଥିବା ତାଙ୍କର ସୁଇସାଇଡ୍ ନୋଟ୍ ରେ ସେ ଉଲ୍ଲେଖ କରିଥିବା ରାୟଗଡା ସିଲଭିକଲଚର୍ ଡିଭିଜନର ଡିଏଫଓ ବନାମ ସିଲଭିକଲଚରିଷ୍ଟ ( ରିସର୍ଚ୍ଚ ଉଇଙ୍ଗ୍) ଦେବେନ୍ଦ୍ର ବେହେରା ଓ.ଏଫ.ଏସ. ଙ୍କ ନାଁ’ ରେ ତାଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ପିସି ନେଲାପରେ ବି ଚାକିରୀ ଯିବାର ଭୟ ଦେଖାଇ ସେ ଗତବର୍ଷେ ହେଲା ବାରମ୍ବାର ଚାପ ଓ ମାନସିକ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ କରାଯାଇଛି । ଏ ସମ୍ପର୍କରେ ମୃତକଙ୍କ ଭାଇ ରବି ନାରାୟଣଙ୍କ ପକ୍ଷରୁ ସ୍ଥାନୀୟ ଭବାନୀପାଟଣା ଟାଉନ ଥାନାରେ ଏକ ଏତଲା ଦିଆଯାଇଛି । ଶବ ବ୍ୟବଚ୍ଛେଦ କରି ପୁଲିସ୍ ମୃତଦେହକୁ ପରିବାର ବର୍ଗକୁ ହସ୍ତାନ୍ତର କରିଛି । କଳାହାଣ୍ଡି ଏସ ପି ଅଭିଳାଷ ଜି ଙ୍କ ନିର୍ଦ୍ଦେଶକ୍ରମେ ଏକ ମାମଲା ଋଜୁ ପୂର୍ବକ ତଦନ୍ତ ଚାଲିଛି । ଥାନାର ଆଇ ଆଇ ସି ଯଶୋବନ୍ତ ହିଆଲ ଅଭିଯୁକ୍ତ ଡିଏଫଓଙ୍କୁ ତଦନ୍ତର ପରିସରଭୁକ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି ।
ମୃତକଙ୍କ ପରିବାର ପକ୍ଷରୁ ତୁରନ୍ତ ଅଭିଯୁକ୍ତ ଡିଏଫଓଙ୍କୁ ଗିରଫ କରାଯିବାକୁ ଓ ତାଙ୍କ ପତ୍ନୀ ପ୍ରିୟଙ୍କା ସୁବୁଦ୍ଧି ଅଭିଯୁକ୍ତକୁ ଫାଶୀ ଦିଆଯିବାକୁ ଦାବି କରିଛନ୍ତି । ଅଭିଯୁକ୍ତ ବିରୁଦ୍ଧରେ ଓଡ଼ିଶା ନନ୍ ଗେଜେଟେଡ୍ ଫରେଷ୍ଟ ସର୍ଭିସ୍ ଆସୋସିଏସନ ପକ୍ଷରୁ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଳାହାଣ୍ଡି ପୁଲିସ୍ ଏସ ପି , ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଡିଜି ପୁଲିସ୍ , ବିଭାଗୀୟ ଅଧିକାରୀ ପିସିସିଏଫ୍ , ବିଭିନ୍ନ ଉଚ୍ଚ ପଦାଧିକାରୀ ତଥା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦୃଢ ଦାବି କରିଛନ୍ତି ।
ଗୁରୁତ୍ୱପୂର୍ଣ୍ଣ ଯେ , ମୃତ ଫରେଷ୍ଟରଙ୍କ ସୁଇସାଇଡ୍ ନୋଟ୍ ରେ ସେ ମୃତ୍ୟୁପୂର୍ବରୁ କରିଯାଇଥିବା ଗୁରୁତର ଅଭିଯୋଗ ଅନୁଯାୟୀ , ଚାକିରୀ ଓ ବଦଳି ଭୟ ଦେଖାଇ ଅଭିଯୁକ୍ତ ଡିଏଫଓ ଗତବର୍ଷ ତାଙ୍କଠାରୁ ୭ ଲକ୍ଷ , ଚଳିତବର୍ଷ ଗଣେଶପୂଜା ବେଳେ ଅଢେଇ ଲକ୍ଷ , ତାଙ୍କ ବାସଭବନରେ ଏକ ଏସି , ତାଙ୍କ ଘରେ ଏକ ନଳକୂପ ଖନନ ଓ ଏକ ମନ୍ଦିର ପାଇଁ ୪୦ ହଜାର ଟଙ୍କା ପିସି ନେଲା ପରେ ବି ଆହୁରି ମାନସିକ ନିର୍ଯାତନା ଦେଇ ଚାପ ପକାଇ ଆସୁଥିଲେ । ଅନ୍ୟାନ୍ୟ ସମସ୍ତ ରେଞ୍ଜରଙ୍କ ପରି ଆଉ ଅଧିକ ପିସି ଦେବାକୁ ଦାବି କରୁଥିଲେ । ସେ ବିଗତ ପ୍ରାୟ ୪ ବର୍ଷହେଲା ଭବାନୀପାଟଣାର ଜାରିଙ୍ଗ ସ୍ଥିତ ନର୍ସରୀର ଦାୟିତ୍ୱ ଓ ସିଲଭିକଲଚର୍ ର ଭାରପ୍ରାପ୍ତ ରେଞ୍ଜ ଅଧିକାରୀ ରହିଥିଲେ । କିଛିଦିନତଳେ ତାଙ୍କୁ ବଲାଙ୍ଗୀରକୁ ବଦଳି କରିଦିଆଯାଇଥିଲା । ତେଣୁ ଶେଷରେ ସେ ଅତିଷ୍ଠ ହୋଇ ଏପରି ଚରମ ପଦକ୍ଷେପ ନେଲେ ।ଉଲ୍ଲେଖନୀୟ ଯେ ବଲାଙ୍ଗୀର ସିଲଭିକଲଚର୍ ନର୍ସରୀଟି ରାୟଗଡା ସିଲଭିକଲଚର୍ (ରିସର୍ଚଶାଖା ) ଡିଭିଜନ ଅଧୀନରେ ରହିଛି ।
ମୃତ ବନ ଅଧିକାରୀ ଜଣକ ଯୁବବିଧବାପତ୍ନୀ ଓ ଦୁଇଟି ଛୋଟ ଛୋଟ ଛୁଆଙ୍କୁ ଛାଡି ଯାଇଛନ୍ତି ।
ତେବେ ଏଠି କଥାହେଲା , ଗତ ସରକାରଙ୍କ ଅମଳରରୁ ଏଇ ବିଭାଗ ସମେତ ବିଭିନ୍ନ ସରକାରୀ ବିଭାଗରରେ ପିସି ପରମ୍ପରା ଚାଲି ଆସୁଛି । ନୂତନ ସରକାର ଗଠନ ପରେ ବଲାଙ୍ଗୀରଠାରେ ଉପ- ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏଥର ପିସି ଓ ଉତ୍କୋଚ ବନ୍ଦ ହେବ ବୋଲି ବାହାପିଆ ଭାଷଣ ମାରିଥିଲେ । ଏହା ସତ୍ତ୍ୱେ ଖୋଦ୍ ତାଙ୍କ ନିର୍ବାଚନ ମଣ୍ଡଳୀରେ ପଞ୍ଚାୟତ , ବ୍ଲକ୍ , ସମାଜ କଲ୍ୟାଣ ବିଭାଗ ଅଧୀନସ୍ଥ ଶିଶୁଖାଦ୍ୟ ବା ଛତୁଆ ପ୍ରସ୍ତୁତକାରୀ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ବା ଅଙ୍ଗନବାଡି କର୍ମୀଙ୍କ ନିଯୁକ୍ତି ଆଦି କ୍ଷେତ୍ରରେ ଏବଂ ପୂର୍ତ୍ତ ,ଜନସ୍ୱାସ୍ଥ୍ୟ , ବିଜୁଳି ବିଭାଗ ଓ ଅନ୍ୟାନ୍ୟ ସରକାରୀ ବିଭାଗରେ ଏହା ପୂର୍ବବତ୍ ଚାଲିଆସୁଥିବା ଅଭିଯୋଗ ପ୍ରକାଶ ପାଇଆସୁଛି !
ରାଜ୍ୟର ପ୍ରାୟ ସମସ୍ତ ସରକାରୀ ବିଭାଗରେ ଏଇ କୁତ୍ସିତ ପିସି ବା ଲାଞ୍ଚ ଏକପ୍ରକାର ସ୍ବୀକୃତ ସିଷ୍ଟମ୍ ବୋଲି କୁହାଯାଉଛି । ଏଣୁ ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର ବା ସ୍ବଚ୍ଛ ସରକାରର ଘୋଷଣା ଏକ ତୁଚ୍ଛା ଧୂଆଁବାଣ ଛଡା ଆଉ କିଛି ନୁହେଁ ବୋଲି ଜନସାଧାରଣ ସମାଲୋଚନା କରିଛନ୍ତି । ଶେଷରେ ଏଇ ଘଟଣାର ଫଳାଫଳ କ’ଣ ହେବ , ଭବିଷ୍ୟତରେ ଜଣାପଡିବ ବୋଲି କୁହାଯାଉଛି । ଯଦି ଜଣେ ସର୍ବ ଭାରତୀୟ ସେବାର ଅଧିକାରୀ ବା ଓ.ଏଫ.ଏସ ଅଧିକାରୀ ଏଭଳି ଖୋଲାଖୋଲି ପିସି ନେଇ ଆହୁରି ଦେବାକୁ ଏତେ ଚାପ ପକାନ୍ତି ଓ ପରିଣାମ ଜଣେ ସରକାରୀ ଅଧିକାରୀଙ୍କ ପ୍ରାଣହାନୀ ହୁଏ , ସରକାର କେତେ ନିର୍ମଳ ସମୀକ୍ଷା ସାପେକ୍ଷ ।