ଜିଲ୍ଲା

ଗାଇସିଲେଟ ନାବାଳିକା ପୋଡି ମୃତ୍ୟୁମାମଲା

Email :4

ମହିଳା ଓ ଶିଶୁବିକାଶ ବିଭାଗର ‘ ଅଦ୍ବିକା ‘ କିଶୋରୀ ବାଳିକା ଯୋଜନାର ବିଫଳତା ଓ ଆଦିବାସୀ କଲ୍ଯାଣ ବିଭାଗରେ ଶିକ୍ଷାସଚେତନତାର ଅଭାବ !

ବରଗଡ / ବଲାଙ୍ଗୀର : ଗତ ପ୍ରାୟ ଦୁଇମାସ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଛାତ୍ରୀ / ମହିଳାଙ୍କ ମୃତ୍ୟୁ ଘଟଣା ସରକାରଙ୍କ ପାଇଁ ଉ ଦ୍ ବେ ଗ ସୃଷ୍ଟି କରିଛି । ଏହି ପରିପ୍ରେକ୍ଷୀରେ ପୁଣି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡର ଗାଇସିଲେଟ ଥାନାନ୍ତର୍ଗତ ଫିରିଙ୍ଗିମାଲ ଗ୍ରାମରେ ଜଣେ ୧୩ ବର୍ଷୀୟା ନାବାଳିକାର ଦେହରେ ପେଟ୍ରୋଲ ଢାଳି ନିଆଁ ଲାଗି ମୃତ୍ଯୁ ମାମଲା ସାରାରାଜ୍ଯରେ ଚାଞ୍ଚଲ୍ଯ ଖେଳାଇ ଦେଇଛି ।

ଘଟଣାରୁ ପ୍ରକାଶ ଯେ , ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ସାପଲହର ଆଦିବାସୀ ସେବାଶ୍ରମ ସ୍କୁଲରେ ରହି ପଢୁଥିବା ତେଣ୍ଡାପଦର ଗ୍ରାମର ଜଣେ ନାବାଳିକା ଟୁନି ସେଠ୍ ଓରଫ ରଶ୍ମିତା ( ୧୩ ) ମାଆ ଓ ଭାଇ ସହ ଦୀର୍ଘ ବର୍ଷ ହେଲା ରହୁଥିବା ମାମୁଁଘର ଫିରିଙ୍ଗିମାଲକୁ ଆସିଥିବାବେଳେ , ଗତ ୧୧ ତାରିଖ ସକାଳ ପ୍ରାୟ ୭ ଟା ବେଳେ ଅନତିଦୂରସ୍ଥ ଏକ ପଡିଆରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲାଗି ଜଳି ଯାଇଥିଲା । ସଙ୍ଗେ ସଙ୍ଗେ ତାକୁ ଉଦ୍ଧାର କରାଯାଇ ପ୍ରଥମେ ବରଗଡ ଓ ପରେ ବରଗଡ ସହକାରୀ ଜିଲ୍ଲାପାଳ ପ୍ରମୁଖଙ୍କ ସହାୟତାରେ ବୁର୍ଲା ଭୀମସାର୍ ମେଡିକାଲ କଲେଜ ହାସପାତାଳକୁ ନିଆଯାଇ ଚିକିତ୍ସା କରାଯାଇଥିଲେ ହେଁ , ଦେହର ପ୍ରାୟ ୯୦ ଭାଗ ପୋଡିଯାଇଥିବା କୁହାଯାଇଥିବାରୁ ଉକ୍ତଦିନ ମୃତ୍ୟୁବରଣ କରିଛି । ଏ ସମ୍ପର୍କରେ ପୁଲିସ ଏକ ମାମଲା ଋଜୁ କରି ତଦନ୍ତ କରୁଛି ଓ ସମ୍ବଲପୁର ଆଇଜି ହିମାଂଶୁଲାଲ୍ ଙ୍କ ନେତୃତ୍ବରେ ବରଗଡ ଏସ୍ ପି ଛୁଟିରେ ଥିବାରୁ ବଲାଙ୍ଗୀର ଏସ୍ ପିଙ୍କ ଦ୍ବାରା ଗାଇସିଲେଟ ଥାନା ସମେତ ୩ ଟି ଟିମ୍ ଗଠନ କରାଯାଇ ଘଟଣାର ବିଭିନ୍ନ ଦିଗର ଅନୁସନ୍ଧାନ କରାଯାଉଛି । ଗଣମାଧ୍ୟମରେ ଖବର ପ୍ରକାଶ ପାଇ ଚର୍ଚ୍ଚାର ବିଷୟ ପାଲଟିଛି ।

ମୁମୂର୍ଷୁ ବାଳିକାର ଶେଷକଥା : ‘ ଟୁକେଲ ଗୁଟେ …….’ ?

ପୁଲିସ ଏହାକୁ ପାରିବାରିକ କଳହରୁ ଆତ୍ମହତ୍ୟା କହୁଥିବା ବେଳେ , ଏହାର ପ୍ରକୃତକାରଣ ସ୍ପଷ୍ଟ ହୋଇପାରିନାହିଁ । ଘଟଣାସ୍ଥଳରେ ଏକ ପ୍ଲାଷ୍ଟିକ୍ ପାଣିବୋତଲରେ ପେଟ୍ରୋଲ ଅଣାଯାଇଥିବା ଓ ପାଖରେ ଏକ ଦିଆସିଲି ପଡିଥିବା ସହ ସାମ୍ବାଦିକଙ୍କ ଦ୍ବାରା ନିଆଯାଇଥିବା ମୁମୂର୍ଷୁ ବାଳିକାଟିର ଅନ୍ତିମବୟାନର ରେକର୍ଡ ମିଳିଥିବା ସତ୍ତ୍ବେ ଝିଅଟି କେଉଁ କାରଣରୁ ନିଜେ ନିଜ ଉପରେ ପେଟ୍ରୋଲ ଢାଳି ହେଇ ମାଚିସ୍ ମାରି ନିଆଁ ଲଗାଇଥିଲା ନା ଅନ୍ୟକେହି ଏହା ଘଟାଇଛି , ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇପାରିନାହିଁ । ଝିଅଟିର ମାଆ , ଭାଇ , ମାମୁଁଘର ଲୋକେ ବା ପରିବାର ପକ୍ଷରୁ କିଛିକଥା ଲୁଚାଯାଉଥିବା ମଧ୍ଯ କୁହାଯାଉଛି ।

ସେହିପରି ଏଥିରେ ଆଉକିଛି କଥା ଗୋଳମାଳିଆ ଜଣାଯାଉଛି । ତାହାହେଲା , ସାପଲହର ସେବାଶ୍ରମ ଆଦିବାସୀ ହଷ୍ଟେଲରେ ରହି ଉକ୍ତ ଗ୍ରାମର ଗାନ୍ଧୀ ସ୍ମାରକୀ ବିଦ୍ୟାଳୟରେ ୮ ମ ଶ୍ରେଣୀରେ ଗତ ଅପ୍ରେଲ୍ ୧୦ ତାରିଖରେ ଆଡମିଶନ ନେଇ ପଢୁଥିଲା ।

ଗତ ଅପ୍ରେଲ ୧୬ ତାରିଖରେ ହଷ୍ଟେଲ କ୍ୟାମ୍ପସକୁ ଆସି ରହୁଥିବା ଉକ୍ତ ନାବାଳିକାଟି ଶ୍ରେଣୀରେ ବସି ପଢୁଥିବା ବେଳେ ଗତ ଜୁଲାଇ ୪ ତାରିଖରେ ଅଚେତ ହୋଇପଡିଥିବା ସ୍କୁଲର ପ୍ରଧାନଶିକ୍ଷକ ଶିବସାଗର ମେହେର ହଷ୍ଟେଲ ମ୍ୟାଟ୍ରନ୍ ମଞ୍ଜୁଲତା ସେଠ୍ ଓ ସେବାଶ୍ରମ କର୍ତ୍ତୃପକ୍ଷଙ୍କୁ ଫୋନ୍ କରି ଜଣାଇଥିଲେ । ସେମାନେ ପହଞ୍ଚି ତା’ ମୁହଁରେ ପାଣିଛିଞ୍ଚି ଚେତା ନ ଫେରିବାରୁ ଏକ ଗାଡିଭଡା କରି ୧୨ କିମି ପଦ୍ମପୁର ଉପଖଣ୍ଡ ସରକାରୀ ହାସପାତାଳକୁ ନେଇ ଭର୍ତ୍ତି କରିଥିବା ଓ ଅପରାହ୍ନ ପ୍ରାୟ ସାଢେ ଚାରିଟାରେ ଛାତ୍ରୀଟିର ଚେତା ଫେରିଥିବା ପ୍ରକାଶ । ଛାତ୍ରୀଟିର ଘରଲୋକଙ୍କୁ ଖବର ଦିଆଯାଇଥିଲା ଓ ତାର ମାଆ ଓ ଭାଇ ଆସିଲେ । ଝିଅଟି ତାର ଛାତି ଓ ପିଠି ଚିପି ହେଉଛି କହି ଧଇଁସଇଁ ହେଉଥିବା ଦେଖାଯାଇଥିଲା । ତେବେ ଜରଫର କିଛି ନଥିବା ଓ ଡାକ୍ତରୀପରୀକ୍ଷାରୁ ଇସିଜି , ବିପି ଟେଷ୍ଟ୍ , ସିଭିଲ୍ ସେଲ୍ ,ସିକଲିନ୍ ଆଦି ପରୀକ୍ଷାରେ ସବୁ ନର୍ମାଲ ଥିବା ଜଣାଯାଇଥିଲା । ତାପରେ ଗତ ଜୁଲାଇ ୫ ତାରିଖରେ ମାଆଭାଇ ତାକୁ ଘରକୁ ନେଇଯାଇଥିବା ପ୍ରକାଶ । ଅବଶ୍ଯ ଝିଅଟିର ଏହି ଅସୁସ୍ଥତା ସହିତ ମୃତ୍ୟୁ ବା ଆତ୍ମଦାହର କିଛି ସମ୍ପର୍କ ଅଛି କି ନା ,ଜଣାଯାଇନାହିଁ ।

ତେବେ ଆଉ ଏକ ସୂତ୍ର ଅନୁଯାୟୀ , ଝିଅଟି ମୃତ୍ୟୁର ମାତ୍ର ୩/୪ ଦିନ ପୂର୍ବରୁ ଫିରିଙ୍ଗିମାଳରେ ଥିବା ଦେଖାଯାଇଥିଲା । ଏକଥା ଗାଇସିଲେଟ ସିଡିପିଓ ସବିତା ସାହୁ ଓ ଫିରିଙ୍ଗିମାଲ ଅଙ୍ଗନବାଡିର ସୁପରଭାଇଜର ମଧୁଲତା ସାହୁଙ୍କ ଜରିଆରେ ଫିରିଙ୍ଗିମାଲର ଅଙ୍ଗନବାଡି କର୍ମୀ ସୁମିତ୍ରା ସାଙ୍କ ଠାରୁ ପ୍ରକାଶ । ଉଲ୍ଲେଖଯୋଗ୍ଯ ଯେ , ଉକ୍ତ ଅଙ୍ଗନବାଡି କର୍ମୀଙ୍କ ଘର ମୃତା ନାବାଳିକାର ଘରକୁ ଲାଗି ଅବସ୍ଥିତ । ତେବେ ଝିଅଟି ସମ୍ପର୍କରେ ଲୋକେ ନାନାକଥା କହୁଥିଲେ ହେଁ , ସେ ଭାରି ଭଲ ଥିଲା ବୋଲି ଉକ୍ତ ଅଙ୍ଗନବାଡିକର୍ମୀ ମତ ଦିଅନ୍ତି । କିନ୍ତୁ ସେ ‘ ନାନାକଥା ‘ କ’ଣ ? ‘, ଏହା ଉହ୍ୟ ରହିଯାଇଛି । ଯଦି ତାଙ୍କ ଅନୁଯାୟୀ , ମାମୁଁଘର ଗାଁ’ରେ ଘଟଣା ପୂର୍ବର ମାତ୍ର ୩/୪ ଦିନ ହେଲା ସେ ଦେଖାଯାଇଥିଲା , ତା’ହେଲେ ସାପଲହର ସେବାଶ୍ରମରୁ ଗତ ଜୁଲାଇ ୫ ତାରିଖରୁ ତାକୁ ବଡଭାଇ ଆଣିବା ପରେ ଏତେଦିନ ଧରି ଝିଅଟି କେଉଁଠି କାହିଁକି ରହିଥିଲା ?

ପ୍ରକାଶଯୋଗ୍ୟ ଯେ , ଝିଅର ବାପା କାନ୍ତିଲାଲ ସେଠ ଗତବର୍ଷ ତାମିଲନାଡୁକୁ ଦାଦନଶ୍ରମିକ ଭାବେ ଯାଇଥିଲେ ଓ ସେ ଗତକାଲି ଖବରପାଇ ଆସି ପହଞ୍ଚିଛନ୍ତି । ଝିଅର ମାଆ ଓ ଭାଇ ଦୀର୍ଘ ପ୍ରାୟ ୧୦ ବର୍ଷ ହେଲା ମାମୁଁଘର ପାଖରେ ଗାଁରେ ରହୁଛନ୍ତି । ମାମୁଁ ବିନୋଦ ସେଠ୍ ଗାଇସିଲେଟ ବିଡିଓଙ୍କ ଡ୍ରାଇଭର ଭାବେ ସରକାରୀ ଚାକିରୀ କରନ୍ତି । ମୃତା ନାବାଳିକାର ମାଆଙ୍କର କହିବାନୁଯାୟୀ , ଘଟଣାଦିନ ସକାଳେ ଟୁନି ଶୌଚ ହେବାକୁ ଯାଇଥିଲା ଓ ଘରକୁ ଆସି ଦୌଡି ଦୌଡି ଚାଲିଯାଇଥିଲା ଓ ତାପରେ ଏହି ଘଟଣା ଘଟିଥିଲା । ସେ ତା’ଠାରୁ ଶେଷମୁହୂର୍ତ୍ତରେ ରେକର୍ଡ କରାଯାଇଥିବା ‘ କେଉଁ ‘ଟୁକେଲ୍ ‘ ବା ସାଙ୍ଗର କଥା କହୁଥିଲା ? ‘ -ପ୍ରଶ୍ନର ଉତ୍ତରରେ ତାର ମାଆ ଗ୍ରାମର ୩ ଜଣ ଝିଅଙ୍କ ନାମୋଲ୍ଲେଖ କରିଛନ୍ତି ।

‘ ମାର୍ ମାର୍ ଭଣ୍ଡାରିଆକୁ ମାର୍ …’ ନୀତିରେ ପୁଲିସ ଗ୍ରାମର ଏକ କିରାନାଦୋକାନରୁ ବୋତଲରେ ସରକାରଙ୍କ ବାରଣ ଘୋଷଣା ସତ୍ତ୍ବେ ବୋତଲରେ ପେଟ୍ରୋଲ ବିକୁଥିବା ସନ୍ଦେହରେ ସମ୍ପର୍କୀୟ ଜଣେ ଅଜା ବୁଢା , ମାମୁଁଝିଅ ଓ ଉକ୍ତ ୩ ଜଣ ସାଙ୍ଗମାନଙ୍କ ମଧ୍ଯରୁ ଜଣକୁ ପଚରାଉଚୁରା କରିଛି । ‘ କାହିଁକି ଗାଳି ଲାଗୁଥିବ ? ‘ ବୋଲି ଜଣେ ମହିଳାପୁଲିସଙ୍କର ପଚରାଉଚୁରା ବେଳେ ମାମୁଁଙ୍କ ନାବାଳିକା ଝିଅଟି ଅଚେତ ଓ ଅସୁସ୍ଥ ହୋଇ ପଡିଥିବା ପ୍ରକାଶ । ଉକ୍ତ ଝିଅଟିର ହାର୍ଟ ସମସ୍ୟା ଥିବା ତା’ ବାପାମାଆଙ୍କ ଠାରୁ ସଫେଇ ଦିଆଯାଇଛି ।

ତେବେ ସେ ଯାହାହେଉ ନା କାହିଁକି , ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏହି ଗ୍ରାମରେ ୧୧ ରୁ ୧୮ ବର୍ଷୀୟା କିଶୋରୀ ବାଳିକାଙ୍କ ପାଇଁ ସରକାର ଆରମ୍ଭ କରିଥିବା ‘ ଅଦ୍ବିତା ‘ ଅଧିବେଶନ ଏଠାରେ ବିଫଳ ପ୍ରମାଣିତ ହୋଇଥିବା ଓ ସରକାରଙ୍କ ଅନୁସୁଚିତ ଜାତି ଓ ଜନଜାତି ବିଭାଗର ସ୍କୁଲ୍ , ଆବାସିକ ବିଦ୍ୟାଳୟରେ ଶିକ୍ଷା ସଚେତନତାର ଘୋର ଅଭାବ ପରିଲକ୍ଷିତ ହୋଇଛି । ସାପଲହର ସେବାଶ୍ରମର ପ୍ରଧାନ ସେବକ ରମାକାନ୍ତ ସାହୁ ପ୍ରାୟ ପ୍ରତିଦିନ ତାଙ୍କ ସ୍କୁଲ୍ ଓ ହଷ୍ଟେଲରେ ମୋଟ ୧୧୦ ଜଣ ପିଲାଙ୍କୁ ମ୍ୟାଟ୍ରନ୍ ଙ୍କ ଭରସାରେ ଛାଡିଦେଇ ମାଓ ପ୍ରଭାବିତ ସାପଲହରରୁ ପ୍ରାୟ ୧୨୦ କିମି ବରଗଡର ଘରକୁ ପଳାନ୍ତି ଓ ଅଧାଦିନ ଛୁଟିରେ ରହୁଥିବା ଜଣାଯାଇଛି । ତାଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ‘ ବସ୍ ରେ ଅଛି । ଘରକୁ ଯାଉଛି ‘ କହି ‘ ବରଗଡ ଆସିଲେ , ଦେଖା ହେବ ‘ କହି ମୁଣ୍ଡରୁ ଦାୟିତ୍ବ ଖସାଇ ନେଇଥିଲେ ।

ସେହିପରି ଏହି ଘଟଣା ପରେ ସାପଲହର ସେବାଶ୍ରମକୁ ଆସି କର୍ମଚାରୀଙ୍କୁ ‘ ମିଡିଆବାଲାଙ୍କୁ କିଛି ନ କହିବାକୁ ତାଗିଦ୍ କରି ଯାଇଥିବା ବରଗଡ ଡିଡବ୍ଲୁଓ ମଳୟ ଶତପଥୀ କହିଥିଲେ ଯେ , ‘ ମୁଁ ଅଫିସ୍ ରୁ ଚାଲି ଆସିଲିଣି । ସେ ସମ୍ପର୍କରେ ଏବେ କଥା ହେଇ ପାରିବି ନାହିଁ ! ‘ ଏହି ଅଧିକାରୀଙ୍କ ସମ୍ପର୍କରେ ଲୋକଙ୍କ ଠାରୁ ପ୍ରକାଶ ଯେ ସେ ସବୁ ସେବାଶ୍ରମ, ଆଶ୍ରମ ସ୍କୁଲ ଓ କନ୍ଯାଶ୍ରମରୁ ନିୟମିତ ବଟି ନେଇ ଓ ସୁବିଧାଜନକ ସ୍କୁଲରେ ଶିକ୍ଷକ/ ଶିକ୍ଷୟିତ୍ରୀଙ୍କୁ ଅବସ୍ଥାପିତ କରି ପ୍ରଚୁର ହାତଚିକ୍କଣ କରିଆସି ଦୁର୍ନୀତି ଓ ଅନିୟମିତତାକୁ ଘଣ୍ଟ ଘୋଡେଇ ଆସୁଛନ୍ତି । ତନ୍ମଧ୍ୟରୁ ପୂର୍ବରୁ କିଛିବର୍ଷ ତଳେ ଅନ୍ୟଜିଲ୍ଲାରେ ଜଣେ ମହିଳା ଅଧ୍ୟାପିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଯୌନଶୋଷଣ କରିଥିବାର ରେକର୍ଡ ରହିଥିବା ଅଭିଯୁକ୍ତ ଜଣେ ଶିକ୍ଷକଙ୍କୁ ଏକ କନ୍ଯାଶ୍ରମର ପ୍ରଧାନଶିକ୍ଷକ ପଦରେ ଦୀର୍ଘଦିନ ଧରି ଅବସ୍ଥାପିତ କରି ନିୟମିତ ନିକୃଷ୍ଟ ସ୍ବାର୍ଥସାଧନ କରୁଥିବା ଅନ୍ୟତମ ବୋଲି ଚର୍ଚ୍ଚା ହେଉଛି ।

ସର୍ବୋପରି ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ସାମ୍ବାଦିକମାନଙ୍କପ୍ରଶ୍ନର ଉତ୍ତରରେ ‘ ଆମେ ଚିନ୍ତାରେ ଅଛୁଁ । ସରକାର ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି ‘ ବୋଲି ରାଜନୈତିକ ଆପ୍ତବାକ୍ୟ ଉଚ୍ଚାରି ବଲାଙ୍ଗୀର ଜିଲ୍ଲାର ରାଣୀପୁର ଝରିଆଲ , ହରିଶଙ୍କର ଆଦି ପର୍ଯ୍ୟଟନ କ୍ଷେତ୍ର ବୁଲାବୁଲି କରି ଫୁଲମାଳ , ଉତ୍ତରୀୟରେ ସମ୍ବର୍ଦ୍ଧିତ ହୋଇ ପଶ୍ଚିମଓଡିଶା ଗସ୍ତ କରି ଫେରିଯାଇଥିବା ମହିଳା ସଶକ୍ତୀକରଣ ଓ ଶିଶୁବିକାଶ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ରାଜ୍ୟରେ ପୁନଶ୍ଚ ଚାଞ୍ଚଲ୍ଯ ସୃଷ୍ଟି କରିଥିବା ଓ ସରକାରଙ୍କ ମୁଣ୍ଡବ୍ୟଥା ପାଲଟିଥିବା ଏହି ନାବାଳିକା ପୋଡି ଘଟଣାର ଫିରିଙ୍ଗିମାଲ ନ ଆସିବାକୁ ସ୍ଥାନୀୟ ଲୋକେ ସମାଲୋଚନା ପ୍ରକାଶ କରିଛନ୍ତି ।

ଏହି ଘଟଣା ସମ୍ପର୍କରେ ଗାଇସିଲେଟ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଞ୍ଚଳର ଜଣେ ବରିଷ୍ଠ ନେତା ପ୍ରଣୟ କୁମାର ସାହୁ ମତବ୍ୟକ୍ତ କରିଛନ୍ତି ଯେ , ଏହା ପାରିବାରିକ କଳହ ଜନିତ ନୁହେଁ । ଏଭଳି ପେଟ୍ରୋଲ ଢାଳିହେଇ ଝିଅମାନେ ଆତ୍ମଦାହ କରିବା ଏକ ଟେଣ୍ଡେନ୍ସି ହେଲାଣି । ଏବଂ ଏଥିପାଇଁ ଆଦିବାସୀ କଲ୍ଯାଣ ବିଭାଗ ସମ୍ପୂର୍ଣ୍ଣ ରୂପେ ଦାୟୀ । ମଲାପରେ କ୍ଷତିପୂରଣ ଦେଇଦେବା ବ୍ୟତୀତ ତାଙ୍କର ଯେପରି ଆଉ କିଛି ଦାୟିତ୍ବ ରହୁନାହିଁ । ଏ ଘଟଣା ପରେ ଉକ୍ତ ସ୍କୁଲ ବା ବିଭାଗର କୌଣସି ଅଧିକାରୀଙ୍କ ଗାଁ’କୁ ଆସି ବୁଝିଯାଇ ନାହାଁନ୍ତି ! ‘

ଏଣୁ ଉପରୋକ୍ତ ଘଟଣା ଓ ମତପ୍ରକାଶକୁ ଦୃଷ୍ଟିରେ ରଖି ସରକାର ସ୍ଥାନୀୟ ମହିଳା ଓ ଶିଶୁବିକାଶ ବିଭାଗ ଏବଂ ଆଦିବାସୀ କଲ୍ଯାଣ ବିଭାଗର ବରିଷ୍ଠ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟ୍ବାନ୍ତମୂଳକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହେଉଛି । ଅଧିକନ୍ତୁ ଘଟଣାଟିର ପ୍ରକୃତ ନିରପେକ୍ଷ ତଦନ୍ତକୁ ଦିଗହରା କରି ପାରିବାରିକ କଳହର ରୂପ ଦେବା ସହିତ ଆଖପାଖ ଜିଲ୍ଲାର କଲେଜରେ ସଚେତନତା ସୃଷ୍ଟି ଆଳରେ ସରକାରଙ୍କ ଦୃଷ୍ଟି ଏଡାଇବାର କୌଶଳ ବାହାର କରିଥିବା ପୁଲିସ୍ ଏଭଳି ସାମାଜିକ କଳଙ୍କର ପ୍ରକୃତ ଦୋଷୀ ଓ ଦାୟୀ ଆସାମୀଙ୍କ ପାଖରେ ପହଞ୍ଚିବ କେବେ ?

ସରକାର ମଧ୍ଯ ‘ କାନ ନେଇଗଲା କୁଆ ‘ ନ୍ୟାୟରେ ନ ପଡି କେବଳ ବୋତଲରେ ପେଟ୍ରୋଲ ବିକ୍ରି ପଛରେ ନ ପଡି ମୋବାଇଲରେ ପ୍ରେମକୁ କେଉଁ କେଉଁ ଆପ୍ ବା ଅପପ୍ରଚାରକୁ ନିଷିଦ୍ଧ କରାଯିବା ଇତ୍ୟାଦି ଦିଗରେ ସାଇବର ଅପରାଧ ନିୟନ୍ତ୍ରଣ ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *

Related Post