ନିଆଁ ନଥିଲେ , ଧୁଆଁ ବାହାରେ କି ?

ବରଗଡ : ବିଗତ ତିନି ସରକାରଙ୍କ ଅମଳରୁ ଗନ୍ଧମାର୍ଦ୍ଦନରେ ଖଣିଖନନ ପାଇଁ କମ୍ପାନୀମାନଙ୍କର ଛଞ୍ଚାଣ ଦୃଷ୍ଟି ପଡିଆସିଛି । ଏବେ ବିଜେପିର ତଥାକଥିତ ଡବଲଇଞ୍ଜିନ୍ ସରକାର ଆସୁ ଆସୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ୟ କମ୍ପାନୀ ଗୁଜୁରାଟର ଆଦାନୀ ଗ୍ରୁପ୍ ର ଗନ୍ଧମାର୍ଦ୍ଦନର ଚାରିପଟେ ବଲାଙ୍ଗୀର ଓ ବରଗଡ ଜିଲ୍ଲାର ଗନ୍ଧମାର୍ଦ୍ଦନ ପାଦଦେଶରେ ବ୍ୟାପକ ଜମିକିଣାକୁ ନେଇ ଅତୀତର ବା ଲ୍ କୋ ବିରୁଦ୍ଧରେ ଜନଜାଗରଣର ଭୂତ ପୁଣିଥରେ ଜୀଇଁଉଠି ‘ ଗନ୍ଧମାର୍ଦ୍ଦନ ବଚାଓ ‘ ଆନ୍ଦୋଳନର ସୂତ୍ରପାତ ହୋଇଛି । ଏଥିପାଇଁ ଏକଦା ଏହି ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନରୁ ରାଜନୀତି ଆରମ୍ଭ କରିଥିବା ପାଇକମାଳର ‘ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ‘ ର ମୂଳ ସକ୍ରିୟନେତା ‘କୁନାଭାଇ’ ବନାମ ପଦ୍ମପୁରର ପୂର୍ବତନ ବିଧାୟକ ଓ ଏବର ବରଗଡର ଭାଜପା ସାଂସଦ ପ୍ରଦୀପ ପୁରୋହିତ ଏବଂ ସେପଟେ ପାଟଣାଗଡ ବିଧାୟକ ତଥା ଉପମୁଖ୍ଯମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବନାମ କେଭିଙ୍କୁ ଆନ୍ଦୋଳନକାରୀମାନଙ୍କର ଟାର୍ଗେଟ୍ ର ଉତ୍ତରରେ ଏହି ଶାସକଦଳର ଗନ୍ଧମାର୍ଦ୍ଦନର ଉଭୟପାର୍ଶ୍ବର ଏହି ଉଭୟ ବରିଷ୍ଠ ନେତା ଏଭଳି ଅଭିଯୋଗର ଦୃଢ ଖଣ୍ଡନ କରିଥିବା ପ୍ରକାଶ ।

ଦୁଇଦିନ ତଳେ କେଭି ଏହାକୁ ବିରୋଧୀଦଳର ‘ ଶସ୍ତା ରାଜନୀତି ‘ ବୋଲି କହିଥିବା ପ୍ରକାଶ ପାଇଥିଲା ବେଳେ , ଗତକାଲି କୁନା ଏକ ପ୍ରେସ୍ ବିବୃତି ଦେଇ ‘ ଗନ୍ଧମାର୍ଦ୍ଦନ ପାଇଁ ଜୀବନ ଦେବି ପଛେ , ଇଞ୍ଚେ ଜମି ଛାଡିବୁନି । ମୋ ପାଇଁ ସାଂସଦ ପଦ ପଛ । ବିରୋଧୀଦଳ ମିଛ ପ୍ରଚାର କରୁଛନ୍ତି । ବରଗଡ- ନୂଆପଡା ୧୩୮ କିମି ରେଳ ଲାଇନ୍ ପାଇଁ ସରକାର ୨ ହଜାର ୯୪୬ କୋଟି ଟଙ୍କା ମଞ୍ଜୁର କରିବା ପରେ ବିରୋଧୀମାନେ ଗନ୍ଧମାର୍ଦ୍ଦନ ପ୍ରସଙ୍ଗ ଉଠାଇ ମିଥ୍ୟା ପ୍ରଚାର କରୁଛନ୍ତି । ଏଇ ରେଳ ପ୍ରକଳ୍ପ ଦ୍ୱାରା ଆମ ଅଞ୍ଚଳର କଳା ସାହିତ୍ୟର ବିକାଶ ହେବ। ବାଣିଜ୍ୟ ବେପାର ବୃଦ୍ଧି ପାଇବ । ଏହାକୁ ବିରୋଧୀ ସହି ପାରୁ ନାହାଁନ୍ତି ‘ ଇତ୍ୟାଦି ସଫେଇ ଦେଇଥିବା ପ୍ରକାଶ ।

ଅବଶ୍ୟ ତାଙ୍କର ଗନ୍ଧମାର୍ଦ୍ଦନ ପ୍ରତି ଗଭୀର ସମର୍ପଣ ଭାବ ରହିବା ସ୍ବାଭାବିକ୍ । କିନ୍ତୁ ରାଜନୈତିକ କ୍ଷମତା ଆଗରେ ସେସବୁ କିଛି ନୁହେଁ । କମ୍ପାନୀ ତାଙ୍କର ଘରତରୁ ପାଇକମାଳ ବ୍ଲକ୍ ର ମର୍ଯ୍ୟାଦା ପାଲି , ବାଦୀମାଲ ଇତ୍ୟାଦି ଗାଁ’ ମାନଙ୍କରୁ ୫୩ ଏକର ଜମି କିଣିନେଇ ସାରିଲାଣି ! ସେଠାରେ କମ୍ପାନୀ କଣ କୋବିଚାଷ କରିବାକୁ ଜମି କିଣିଛି ? ନେତାଙ୍କର କଥାରେ ଓ କାମରେ ଫରକ୍ ଥାଏ । ଗନ୍ଧମାର୍ଦ୍ଦନ ସହ ଅନ୍ୟାନ୍ୟ ଖଣିଖାଦାନ ଖୋଳି ରାଜସ୍ୱ ଆଦାୟ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ଗତ ବିଧାନସଭାରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରଶ୍ନର ଉତ୍ତରରେ ନିଜେ ଖଣିମନ୍ତ୍ରୀ ବକ୍ତବ୍ୟ ଦେଇଛନ୍ତି । ଏବେ ଗନ୍ଧମାର୍ଦ୍ଦନର ଉଭୟପାର୍ଶ୍ବରେ ଜମି କିଣିନେଉଥିବା ଆଦାନୀର ‘ ମହାନଦୀ ମାଇନ୍ସ ଆଣ୍ଡ୍ ମିନେରାଲ୍ସ ‘ କମ୍ପାନୀ ଏକ ଖଣି କମ୍ପାନୀ ଅଟେ । ସୁନ୍ଦରଗଡର ବିଜାହନ୍ ଠାରେ ଓପନକାଷ୍ଟ୍ କୋଲ୍ ମାଇନ୍ସ ‘ କୋଇଲାଖଣିର ଜଙ୍ଗଲ ନଷ୍ଟର କ୍ଷତିପୂର୍ତ୍ତି ସକାଶେ ରାଜ୍ୟର ଯେ କୌଣସି ସ୍ଥାନରେ କମ୍ପାନୀ ଜମି କିଣି ଜଙ୍ଗଲ ସୃଷ୍ଟି କରି ପରେ ବନବିଭାଗକୁ ହସ୍ତାନ୍ତର କରିଦେବାରେ ଯଦିଓ କୌଣସି ଆଇନଗତ ଅସୁବିଧା ନାହିଁ ବା ଖଣିନିୟମରେ ପ୍ରାବଧାନ ରହିଥାଇପାରେ ! ତେବେ ଏହି ଆଳରେ ବଲାଙ୍ଗୀର ଓ ବରଗଡ ଜିଲ୍ଲାର ଗନ୍ଧମାର୍ଦ୍ଦନ ପର୍ବତର ଉଭୟ ପାର୍ଶ୍ବରେ ଜମିକିଣିବା ଆଦୌ ଯୁକ୍ତିସଙ୍ଗତ ଲାଗୁନାହିଁ । ଏହା ସହିତ ବାଲକୋ ସମୟର ଖଣିଖନନର ପୂର୍ବ ସନ୍ଦେହ ସ୍ଥାନୀୟ ଲୋକଙ୍କୁ ପ୍ରତିକ୍ରିୟାଶୀଳ କରିଛି । ଏହା ସହିତ କିଛିବର୍ଷ ଆଗରୁ ପାଟଣାଗଡ ଅଞ୍ଚଳରେ କିଏ ଓ କାହାର ପୃଷ୍ଠପୋଷକତାରେ ଜାଟ୍ରୋଫା ଚାଷ ଓ ଅନ୍ୟାନ୍ୟ ଆଳରେ ୩୧ ଟି ଦିଲ୍ଲୀର ଠିକଣା ଦର୍ଶାଇଥିବା ଜାଲ୍ କମ୍ପାନୀର ଅନୁପ୍ରବେଶ ଘଟିଥିଲା , ସେକଥା ଅଦ୍ୟାପି ଲୋକଙ୍କର ସ୍ମରଣରେ ରହିଛି । ଆହୁରି ମଧ୍ୟ , ଏବେ ବି ବଲାଙ୍ଗୀର ଜିଲ୍ଲା ଖଣି କାର୍ଯ୍ୟାଳୟରେ ୮ ଟି ଖଣି କମ୍ପାନୀର ଆବେଦନ ପଡିରହିଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । କେଉଁ ଖଣି କାହାର ଓ ସ୍ଥାନୀୟନେତା ବା ଏବର ଶାସକଦଳର କ୍ଷମତାସୀନ ଲୋକପ୍ରତିନିଧି ଉପମୁଖ୍ଯମନ୍ତ୍ରୀଙ୍କ ପ୍ରତି ଆଦାନୀପୁଅର ଏତେ ପ୍ରୀତିର କାରଣ କ’ଣ , ଜଳଜଳ ହେଇ ଦିଶୁଛି !
ଏଠାରେ ରେଳଲାଇନ୍ ତିଆରି କରିବାରେ କାହାର କେତେ କିପରି ଲାଭ ହେବ ଓ ପ୍ରକୃତରେ ଆଦାନୀର ଖଣିକମ୍ପାନୀ ଗନ୍ଧମାର୍ଦ୍ଦନକୁ ଖୋଳିବ ନା ନାହିଁ , ଭବିଷ୍ୟତ କହିବ ! ତେବେ ଏଇ ବରଗଡ- ନୂଆପଡା ରେଳଲାଇନ ଦ୍ବାରା ଯାତ୍ରୀସେବା ତୁଳନାରେ ଯେ ମାଲ୍ ବା ଖଣିଜଦ୍ରବ୍ୟ ପରିବହନର ବ୍ୟବସ୍ଥା କରାଯାଉଛି , ଯେତେ ଡଙ୍ଗର ତଳର ମାକର୍ ଗିଜ୍ ଦେଖୁଥିଲେ ବି ଲୋକେ ଏହା ବୁଝିବାରେ ଏତେ ବେଡା ନୁହଁନ୍ତି ! ନିଆଁ ନଥିଲେ , ଧୁଆଁ ବାହାରେ ନାହିଁ । ଏହି ରେଳଲାଇନ୍ ତିଆରି ହେଲେ ବାଣିଜ୍ୟ ବ୍ୟବସାୟର ବୃଦ୍ଧି ହୋଇପାରେ , କଳା ସାହିତ୍ୟର କିପରି ବିକାଶ ହେବ ? – ବୁଝିହେଉ ନାହିଁ ! ବୋଲି ଅଞ୍ଚଳର କବି ଲେଖକ , ବୁଦ୍ଧିଜିବୀମାନେ ପଚାରିଛନ୍ତି । ନେତାମାନେ ବିଚଳିତ ହୋଇପଡି ବାଚାଳ ପରି ଯାହାତାହା ବକିଗଲେ , ଚଳିବ ନାହିଁ । ରେଳପଥ ନିର୍ମାଣକୁ ବିରୋଧୀଦଳ ବା କାହିଁକି ସ୍ଥାନୀୟ ଲୋକଙ୍କର ଏହି ବୃହତ୍ତର ସ୍ବାର୍ଥର ବିରୋଧ କରିବେ ? ଏହା ଏକ ଦୁର୍ବଳଯୁକ୍ତି । ଯଦିଓ କୌଣସି ରାଜନୈତିକ ନେତା ଏବେ ଏଭଳି ଜନ ଆନ୍ଦୋଳନର ଫାଇଦା ନେବାକୁ କେଉଁଠି କିଛି କହୁଥାଇ ପାରନ୍ତି ! ଗନ୍ଧମାର୍ଦ୍ଦନର ସୁରକ୍ଷା ନିମନ୍ତେ ସମସ୍ତଙ୍କୁ ସ୍ବାଗତ । କିନ୍ତୁ କୌଣସି ରାଜନୈତିକ ବ୍ୟକ୍ତିବିଶେଷ ନଥାଇ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ହୋଇଥିବା ମିଠାପାଲି ପଞ୍ଚାୟତର କୁଢେରଫସା ଜନସମାବେଶରେ ରେଳଲାଇନ କେତେଖଣ୍ଡ ଗାଁ’ ଭିତର ଦେଇ ନଯିବାକୁ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ତେବେ ଗତ ୧୫ ତାରିଖର ଶହୀଦ ବିର୍ସାମୁଣ୍ଡା ଜୟନ୍ତୀ ଅବସରରେ ଖପ୍ରାଖୋଲର ଜନସମାଗମରେ ବିଭିନ୍ନ ସଂଗଠନ ସହିତ କିଛି ରାଜନେତା ଯୋଗ ଦେଇଥିଲେ । କିନ୍ତୁ ଏଥିରେ ରାଜନୀତି ନଥିଲା। ବରଂ ଗନ୍ଧମାର୍ଦ୍ଦନ ବଞ୍ଚାଅର ସ୍ବାର୍ଥ ନିହିତ ଥିଲା ବୋଲି କୁନାଭାଇଙ୍କର ନିଜ ସଂଗଠନ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପକ୍ଷରୁ କୁହାଯାଇଛି । ପରିଷଦର ସୁଶୀଳ ନାଏକ , ଜୟସିଂ ପୂଜାରୀ , ମହନ ଜଗତ , ଗିରୀଶ ଦଣ୍ଡସେନା , କ୍ଷେତ୍ରୀ ଲୁହାର , ସୁପଲ କରୁଆଁ ଓ ଅନ୍ୟମାନେ ଏହା କହିଛନ୍ତି ।
ସର୍ବୋପରି ଆଦାନୀର ଖଣି କମ୍ପାନୀ ଅନ୍ୟଜିଲ୍ଲାର ଖଣି ପାଇଁ ଜଙ୍ଗଲର କ୍ଷତିପୂର୍ତ୍ତି ନିମନ୍ତେ ଏତେ ତରବରିଆ ଭାବରେ ଗନ୍ଧମାର୍ଦ୍ଦନର ଉଭୟପାର୍ଶ୍ବରେ ରାତିଅଧିଆ ବି ଗରିବ ପ୍ରଜାଙ୍କର ଜମିକୁ ଅଧିକ ଦାମ୍ ର ପ୍ରଲୋଭନ ଦେଇ ଏବଂ ସରକାରୀ ପ୍ରଶାସନର ଭିତିରିଆ ସହଯୋଗରେ ଅଧିକାରୀଙ୍କୁ ଲଗାଇ ଲଜ୍ ରେ କିଣିନେବାର ମହତ୍ ଉଦ୍ଦେଶ୍ୟ ସବୁଜବଳୟ ସୃଷ୍ଟି ବା ଡ୍ରାଗନ୍ ଫ୍ରୁଟ୍ ପରି ବିଦେଶୀ ଦାମିକାଫଳଚାଷ ପାଇଁ ଉଦ୍ଦିଷ୍ଟ ; ଏହା ଜଣାପଡିଯିବାରେ ବେଶି ବିଳମ୍ବ ହେବନାଇଁ । ତେବେ ନେଡିଗୁଡ କହୁଣୀକୁ ବୋହିଯିବା ଆଗରୁ ଇଏ ଆଦୌ ବିରୋଧୀଦଳର ଶସ୍ତା ‘ରାଜନୀତି ‘ ନୁହେଁ , ବରଂ ଏକ ପରିବେଶ , ଐତିହ୍ୟ ଓ ଔଷଧୀୟ ପୁରାଣପ୍ରସିଦ୍ଧ ତୀର୍ଥକ୍ଷେତ୍ର ରହିଥିବା ଗନ୍ଧମାର୍ଦ୍ଦନର ସୁରକ୍ଷା ଦିଗରେ ‘ଉ ଲ୍ ଗୁ ଲା ନ୍ ‘ ବୋଲି ଲୋକଙ୍କ ପକ୍ଷରୁ କୁହାଯାଇଛି।