ନ୍ୟୁଜ୍

ଗନ୍ଧମାର୍ଦ୍ଦନ ଫଟାଇବାକୁ ଚାଲିଛି ଷଡଯନ୍ତ୍ର  ?

Email :

ପର୍ଯ୍ୟାବରଣ ବନାମ ବିକାଶ 

ବଲାଙ୍ଗୀର  :  ପୁରାଣ ପ୍ରସିଦ୍ଧ ବଲାଙ୍ଗୀର ଜିଲ୍ଲାର ହରିଶଙ୍କର ଓ ବରଗଡ ଜିଲ୍ଲାର ନୃସିଂହନାଥ ତୀର୍ଥକ୍ଷେତ୍ର ରହିଥିବା ବିରଳ ମୂଲ୍ୟବାନ୍ ଔଷଧୀୟ ଗୁଳ୍ମଲତାରେ ଭରପୁର ଜୈବବିବିଧତା ଓ ବିଭିନ୍ନ ପ୍ରାଣୀସମ୍ପଦ ଏବଂ ଖଣିଜସମ୍ପଦ ସମ୍ପନ୍ନ ପରିମଳଗିରି ବନାମ ଗନ୍ଧମାର୍ଦ୍ଦନ ପର୍ବତକୁ ଦୀର୍ଘବର୍ଷ ଧରି କମ୍ପାନୀ ହାତକୁ ଟେକି ଦେବାକୁ ସରକାରମାନେ ଉଦ୍ୟମ କରି ଆସୁଛନ୍ତି । ସୂତ୍ରରୁ ପ୍ରକାଶ ଯେ ଅତୀତର କଂଗ୍ରେସ ସରକାର ଅମଳରେ ୧୯୮୨- ୮୩ ରେ ଏହାକୁ ବାଲକୋ କମ୍ପାନୀକୁ ଖଣିଖନନ ପାଇଁ ଉଦ୍ୟମ ବିରୋଧରେ ଅଞ୍ଚଳବାସୀଙ୍କ ପକ୍ଷରୁ ଯୋ ର୍ ଦା ର୍ ଆନ୍ଦୋଳନ କରାଯିବାରୁ ଶେଷରେ ସେତେବେଳେ ୫୬ କୋଟି ଟଙ୍କା ଖର୍ଚ୍ଚ କରିସାରି ମଧ୍ୟ ସବୁପ୍ରକାରର ଭିତ୍ତିଭୂମି ପ୍ରସ୍ତୁତ କରିସାରିଥିବା ସତ୍ତ୍ୱେ ସ୍ଥାନୀୟ ଲୋକଙ୍କର ଯୋ ର୍ ଦା ର୍ ବିରୋଧ ଯୋଗୁଁ ସେହି କମ୍ପାନୀ ଏଠାରୁ ପ୍ରଥମେ କିଛି କଞ୍ଚାମାଲ୍ ଖୋଳିନେଇଥିଲେ ହେଁ , ବକ୍ସାଇଟ୍ ଉତ୍ତୋଳନ କରିବାରେ ବିଫଳ ହୋଇଥିଲା । ବିଶେଷକରି ଏଥିରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଭୂମିକା ଉଲ୍ଲେଖନୀୟ । ଏହାକୁ ଏସିଆର ଦ୍ବିତୀୟ ବୃହତ୍ତମ ଜନଆନ୍ଦୋଳନ କୁହାଯାଏ ।

ଏହାପରେ ୧୯୯୬-୯୭ରେ ବିଜୁ ପଟ୍ଟନାୟକ ସରକାର ସମୟରେ କାନାଡାର ଏକ କମ୍ପାନୀକୁ ଗନ୍ଧମାର୍ଦ୍ଦନରୁ ବକ୍ସାଇଟ୍ ଖୋଳିବାକୁ ଲିଜ୍ ଦିଆଯାଇଥିଲା ଓ ତା’ପରର ନବୀନ ସରକାରଙ୍କ  ସମୟରେ ମଧ୍ୟ ୨୦୦୫ରେ ମଧ୍ୟ ଏହାର ଖଣିଜ ସମ୍ପଦକୁ  କେତେକ କମ୍ପାନୀ ସହ ଏମଓୟୁ କରାଯାଇ ଦେଇଦେବାର ଅପଚେଷ୍ଟା କରାଯାଇଥିବା ଜଣାପଡିଥିଲା । ତତ୍କାଳୀନ ସରକାରମାନଙ୍କର ଏଭଳି ଅପଚେଷ୍ଟା ଅବଶ୍ୟ ଲୋକଙ୍କ ସଚେତନତା ଯୋଗୁଁ ଖଣିଲୁଟ୍ ର କାରସାଦୀ ସଫଳ ହୋଇଯିବା ପୂର୍ବରୁ ସରକାର ବଦଳିଗଲା । ଏବେ ବି  ପ୍ରାୟ ୩୩ ଟା କମ୍ପାନୀର ଏଥିପାଇଁ ଆବେଦନ ପଡିରହିଥିବା କେତେକ ସୂତ୍ରରୁ ପ୍ରକାଶ । ଗନ୍ଧମାର୍ଦ୍ଦନରେ ଖଣିଜସମ୍ପଦ ଉତ୍ତୋଳନକୁ ବିରୋଧ କରି ୧୯୮୫ରୁ ଆରମ୍ଭ ହୋଇଥିବା ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ନିରନ୍ତର ଭୂମିକା ଉଲ୍ଲେଖନୀୟ ।

ଏବେ ସବୁଠାରୁ ବିଡମ୍ବନାର ବିଷୟ ଯେ , ଯେଉଁମାନେ ଏକଦା ଏହି ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନର ନେତୃତ୍ବ ନେଇ ରାଜନୀତି ଆରମ୍ଭ କରିଥିଲେ , ସେଇ ଭୂମିପୁତ୍ରମାନଙ୍କ ମଧ୍ୟରୁ କେତେକ ଲୋକପ୍ରତିନିଧି ନିର୍ବାଚିତ ହୋଇ ଆଜି କ୍ଷମତାସୀନ ଦଳର ମାନ୍ୟବର ପାଲଟିଗଲା ପରେ ରୂପ ଓ କଥା ବଦଳାଇ ଦେଉଥିବା ଅଭିଯୋଗ କରାଯାଇଛି ।  କେତେକ ସୋସିଆଲ୍ ମିଡିଆରେ ପ୍ରକାଶିତ କେତେବେଳେ ଡବଲଇଞ୍ଜିନ୍ ସରକାରର ରାଜ୍ୟ ଓ କେନ୍ଦ୍ରର ରାଜନେତା ମାନଙ୍କର ଫଟୋ ସହ ‘ ବଦ୍ ଲି ପାରେ ନିଅମ୍ । ଗନ୍ଧମାର୍ଦ୍ଦନକେ ନେ ଇ ପା ର୍ ବା କମ୍ପାନୀ ‘ ଶୀର୍ଷକ ଖବର ଭାଇରାଲ୍ ହୋଇଛି ତ , କେତେବେଳେ  ସେମାନଙ୍କ ସଫେଇ ପ୍ରକାଶ ପାଇଛି । ଯଦିଓ ଅଦ୍ୟାବଧି ସରକାର ଏଠାରେ ଖଣିଜଖନନ ସମ୍ପର୍କରେ କିଛି ସୂଚୀତ କରିନାହାଁନ୍ତି ।

ତେବେ ଗତ ୩୦ । ଅଗଷ୍ଟ । ୨୦୨୪ ବିଧାନସଭାରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ‘ବଲାଙ୍ଗୀର ଜିଲ୍ଲାର ଖଣିଜ ସମ୍ପଦ ଓ ଉତ୍ତୋଳନ ପ୍ରସଙ୍ଗ ‘ ଶୀର୍ଷକରେ ଖବରକାଗଜରେ ପ୍ରକାଶିତ ଯେଉଁ ତଥ୍ୟ ଓ ଉତ୍ତର ଦେଇଛନ୍ତି , ତାହାହେଲା ‘ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିୟମ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯିବ ‘ ବୋଲି ପ୍ରକାଶ ପାଇଛି ।  ଏହା ଜାଣିଲାପରେ ବଲାଙ୍ଗୀର ଜିଲ୍ଲା ଓ ଗନ୍ଧମାର୍ଦ୍ଦନ ଉପତ୍ୟକା ଅଞ୍ଚଳରେ ତୀବ୍ର ଜନପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାର ପ୍ରତିଫଳନ ସ୍ବରୂପ ଗତ  ତାରିଖରେ ବରଗଡ ଜିଲ୍ଲାର ପାଇକମାଳ ବ୍ଲକ୍ ର ମିଠାପାଲି ପଞ୍ଚାୟତର କୁଢେରଫସା ଗ୍ରାମରେ ହୋଇଥିବା  ପରିଷଦର ପ୍ରତିଷ୍ଠାଦିବସରେ ସଭା ଓ ଆଗାମୀ ୧୫ ତାରିଖରେ ଖପ୍ରାଖୋଲଠାରେ ଅନୁଷ୍ଠିତ ବିର୍ସାମୁଣ୍ଡା ଜୟନ୍ତୀ ସଭାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ପରିଷଦ ପକ୍ଷରୁ ପ୍ରତିବାଦ କରାଯିବ ବୋଲି ପ୍ରକାଶ ପାଇଛି । କୁଢେରଫସାର ଗନ୍ଧମାର୍ଦ୍ଦନ ଯୁବ ପରିଷଦର ପ୍ରତିଷ୍ଠାଦିବସ ଅବସରରେ ଅନୁଷ୍ଠିତ ରାଲି ଓ ପ୍ରତିବାଦସଭାରେ ପରିଷଦର ପ୍ରତିଷ୍ଠାତା ମୁଖ୍ୟ ସ୍ବାମୀ ସୋମବେଶ ସରସ୍ବତୀ ଓ ଅନ୍ୟାନ୍ୟ ସଦସ୍ୟମାନେ ଏହା ସରକାରଙ୍କର ‘ ଗନ୍ଧମାର୍ଦ୍ଦନକେ ଫଟାବାର୍ ଷଡଯନ୍ତ୍ର ‘ ବୋଲି ଉଦ୍‌ବେଗ ଓ ଅଭିଯୋଗ ପ୍ରକାଶ ପାଇ , ଏଭଳି ଉଦ୍ୟମକୁ ବିରୋଧ କରାଯିବାକୁ ଆହ୍ବାନ କରାଯାଇଛି ।  ଏହା ସହିତ ଖପ୍ରାଖୋଲ ବ୍ଲକ୍ ର ଟଙ୍କପାଣିଠାରେ ଗତ ୬ ତାରିଖରେ ଏହି ଆନ୍ଦୋଳନର ପରିଚାଳନା ନିମନ୍ତେ ଏକ କାର୍ଯ୍ୟାଳୟ ମଧ୍ୟ ଖୋଲାଯାଇ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିବା ଖବର ମିଳିଛି । ଏହି ଆନ୍ଦୋଳନର ପ୍ରଚାରପତ୍ରରେ  ‘ପର୍ଯ୍ୟାବରଣ ବନାମ ବିକାଶ ବନାମ ସଂକଟରେ ଜଙ୍ଗଲ ଦେବତା ଗନ୍ଧମାର୍ଦ୍ଦନ ‘ ‘ ମିଛସ୍ବପ୍ନର ସୌଦାଗର , ପ୍ରତିଶ୍ରୁତି ପାଣିର ଗାର ‘ ଇତ୍ୟାଦି  ସ୍ଲୋଗାନ୍ ଲେଖାଯାଇ ରାଲି କରାଯାଉଛି । ଗାଁ ଗାଁ ରେ ଏଭଳି ସଂଗଠନ ବଢିଚାଲିଛି । ବିଜେପି ଡବଲଇଞ୍ଜିନ୍ ସରକାର ବିରୁଦ୍ଧରେ ଏହା ଏକ ମହାଭିଯୋଗ । ଦୀର୍ଘ ୪୨ ବର୍ଷ ପରେ ପୁଣି ଗନ୍ଧମାର୍ଦ୍ଦନକୁ ଖଣିଖୋଳା କମ୍ପାନୀକୁ ଦେବାର ଏଭଳି ଅଭିଯୋଗ ବିସ୍ଫୋଟକ ରୂପ ନେବାର ସମ୍ଭାବନାକୁ ଏଣୁ ଏଡାଇ ଦିଆଯାଇ ନପାରେ।

ଖଣିମନ୍ତ୍ରୀଙ୍କ ଉପରୋକ୍ତ ବିଧାନସଭାରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ , ଗନ୍ଧମାର୍ଦ୍ଦନ ପର୍ବତରେ ୨୦୨ . ୭୭ ନିୟୁତ ଟନ୍ ବକ୍ସାଇଟ୍ ମହଜୁଦ ରହିଥିବା ଦର୍ଶାଯାଇଛି ।  ସେହିପରି ବଲାଙ୍ଗୀର ଜିଲ୍ଲାର ତେଲେନପାଲି , ବୁରୋମାଲ ,ଧଣ୍ଡାମୁଣ୍ଡା , ସାପମୁଣ୍ଡ ,ଟିକପାଲି , ଲାଲଖାନପୁର ,ଚାଉଳଧରା , ରେଙ୍ଗାଲି ,ଜେରଡା , କେରଡି ,ଫୁଲମାଟି , କୁଆଁର ଗାଁ’ , ଝିଙ୍କିଡୁଙ୍ଗୁରି , ପଖନମୁଣ୍ଡା , ବେଛୁବାହାଲି , ଗଡଗଡ ବାହାଲ, ନାଗଫେଣା ,ସର୍ଗିବାହାଲ , ବେନ୍ଦେର ସଂରକ୍ଷିତ ଜଙ୍ଗଲ , କେନ୍ଦୁଝାଲ ,ଭରୁଆମୁଣ୍ଡା ,ବାଗଦୋର- ଜାମଖରୀ , ହର୍ଡାଟାଲ୍ ,ଲୁହାଖାନ୍ ,ଧଉଁରାଖମନ , ସର୍ଗିମୁଣ୍ଡା , ଗଏଁଦିମାଲ , କେନ୍ଦୁମୁଣ୍ଡି , ସେମେଲମୁଣ୍ଡା , ଦେଷଣ୍ଢ ,ମହନିଲହ, ଜାମକୀ ,ମାଲେସିରା , କେନ୍ଦୁଝାଲ ,ଝିକେରମାଲ ,ବେନିଆମାଲ ,ଗଞ୍ଜାଧର ,ବାବେଜୁରୀ ,ବିଲାସପୁର ,ପାଣ୍ଡେସରା , କେଶେଇପାଲି ,କିରିବାଞ୍ଜି ,ଖରେଲି ,ଭାନୁପାଲି , କୁବୁରିମହୁଲ ,ମୁରିବାହାଲ ,ଶଙ୍ଖୁଆ ,ଅସୁରମୁଣ୍ଡା ,ବେଲଘାଟି ଡୁଙ୍ଗୁରି , ବିଜାଘାଟି , ପିପଲମୁଣ୍ଡା , ତଲିଉଡାର , ଲୁକାପଡା ଡଙ୍ଗରପଡା ଇତ୍ୟାଦି ଅଞ୍ଚଳରେ ଚୂନପଥର ୮ .୫୫ ନିୟୁତ ଟନ୍ ,  ମାଙ୍ଗାନିଜ୍ , ରତ୍ନପଥର ମହଜୁଦ ଅଛି । ଏବେ ବଲାଙ୍ଗୀର ଜିଲ୍ଲାରେ ମାତ୍ର ୩ ଟି ସକ୍ରିୟ ରତ୍ନପଥର ଖଣିରୁ ସରକାର ଗତ ୫ ବର୍ଷ ମଧ୍ୟରେ ମୋଟ ୧୫୭ କିଗ୍ରା ଉତ୍ତୋଳନ କରି ରାଜସ୍ୱ ଆଦାୟ କରିଛନ୍ତି ।

ତେବେ ବିଭାଗୀୟ ମନ୍ତ୍ରୀଙ୍କ ଏହି ସଦ୍ୟତଥ୍ୟ ବ୍ୟତୀତ ଦଶନ୍ଧି ଦଶନ୍ଧି ଧରି ବଲାଙ୍ଗୀର ଜିଲ୍ଲା ଓ ଆଖପାଖର କନ୍ଧମାଳ , ବୌଦ୍ଧ , ସୁବର୍ଣ୍ଣପୁର , ନୂଆପଡା , କଳାହାଣ୍ଡି ଆଦି ଜିଲ୍ଲାଗୁଡିକରୁ ମୂଲ୍ୟବାନ୍ ରତ୍ନପଥର ସମେତ ବିବିଧ ଖଣିଜସମ୍ପଦର ବେଆଇନ୍ ଲୁଣ୍ଠନ ଚାଲିଆସୁଛି । ତନ୍ମଧ୍ୟରୁ ଏଇ ଅଳ୍ପବର୍ଷ ତଳର ପାଟଣାଗଡ ଲରମ୍ଭା ନିକଟସ୍ଥ ଚମ୍ପାସର ଖଣିର ଜବତ କଞ୍ଚାମାଲଗଦାରୁ ଲୁଟ୍ ବେଳେ ଝାରସୁଗୁଡା- ବ୍ରଜରାଜନଗରର ଜଣେ ଖଣିମାଫିଆର ଲିଙ୍କ୍ ଓ  ତାଙ୍କଦ୍ବାରା ଚୋରିରେ ନିୟୋଜିତ ଡମ୍ଫର , ଟ୍ରାକ୍ଟରଆଦି ଜବତ ହୋଇ କେତେକ ବାହାର ଖଣିଚୋରଙ୍କୁ ପୁଲିସ୍ ଗିରଫ କରିବାଥିଲା ।  ଏଇ ଅଳ୍ପଦିନ ତଳେ ସୁବର୍ଣ୍ଣପୁର ଜିଲ୍ଲାରୁ ରତ୍ନପଥର ଚୋରାଚାଲାଣରେ ଜଡିତ ଜଣେ ପୁଲିସ୍ କନେଷ୍ଟବଳଙ୍କର ବଲାଙ୍ଗୀର ରେଳଷ୍ଟେସନ ଲଜ୍ ରେ ଝାଡଖଣ୍ଡର ଆନ୍ତଃରାଜ୍ୟ ଅପରାଧୀଙ୍କ ଦ୍ୱାରା ନିର୍ମମ ହତ୍ୟାକାଣ୍ଡ ଇତ୍ୟାଦି ଉଲ୍ଲେଖନୀୟ ଘଟଣା ।

ଅନ୍ୟ ଏକ ଦିଗ ହେଉଛି ,  କିଛିବର୍ଷ ତଳେ ପାଟଣାଗଡ ଓ ଖପ୍ରାଖୋଲ ଅଞ୍ଚଳରେ ଜାଟ୍ରୋଫା ଚାଷ , କପାଚାଷ , ପ୍ଲାଣ୍ଟେସନ୍ , ଚିକିତ୍ସାଳୟ ସ୍ଥାପନ ଆଳରେ ଦିଲ୍ଲୀର ୩୧ଟି ଅନାମଧ୍ୟେୟ ତଥାକଥିତ କମ୍ପାନୀ ଓ ବାହାର ରାଜ୍ୟର କିଛି ସନ୍ଦିଗ୍ଧବ୍ୟକ୍ତି ଆସି ଘୁମେର , ତମିଆ , ଟିକ୍ରାପଡା ଅଞ୍ଚଳ , ପଡିଆ ବାହାଲ ଓ ଅନ୍ୟାନ୍ୟ ଗ୍ରାମର ଲୋକଙ୍କଠାରୁ ରାତିଅଧିଆ ଶାଗମାଛ ଦରରେ ଶହ ଶହ ଏକର ଜମି କିଣିନେବା  ଲୋକଙ୍କ ମଧ୍ୟରେ ବିଦ୍ରୋହ ସୃଷ୍ଟି କରିଥିଲା । କିଛିଦିନତଳେ ଭାଲୁଡୁଙ୍ଗୁରି ଗ୍ରାମରେ  ଜମିକିଣିବା ଉଦ୍ୟମ କରି ଖପ୍ରାଖୋଲ ଥାନାରେ କିଛି ରାଜ୍ୟବାହାରର ଅଜଣାବ୍ୟକ୍ତି ଅଟକ ହେବାପରି ଘଟଣା  ଘଟିଥିଲା ।

ଶୁଣାଯାଉଛି , ଏବେ ଆଦାନୀଗ୍ରୁପ୍ ବଲାଙ୍ଗୀର ଜିଲ୍ଲାର ବିଶେଷକରି ପାଟଣାଗଡ ଓ ଖପ୍ରାଖୋଲ ବ୍ଲକ୍ ର ଗନ୍ଧମାର୍ଦ୍ଦନ ପାଦଦେଶର ଗ୍ରାମାଞ୍ଚଳରୁ ପ୍ଲାଣ୍ଟେସନ୍ ଆଳରେ ବହୁ ଜମି କିଣିନେଉଛି !  ତେବେ ଏସବୁ ପଛରେ କମ୍ପାନୀର ଭିନ୍ନ ମତଲବ ରହିଥିବା ଚର୍ଚ୍ଚା ହେଉଛି ।

ଅନ୍ୟପକ୍ଷରେ ହରିଶଙ୍କର ପାଖରୁ ପଡୋଶୀ ଛତିଶଗଡର ଲଖନାକୁ ଏକ ପ୍ରସ୍ତାବିତ ରେଳଲାଇନ୍ ନିର୍ମାଣର ପ୍ରସ୍ତାବ ବିରୋଧରେ ଗାଁ’ ବାହାର ଦେଇ ଏହା ଯିବାକୁ ମଧ୍ୟ ଉପରୋକ୍ତ ପରିଷଦର ଏଜେଣ୍ଡାରେ ସ୍ଥାନ ପାଇଛି । ଲୋକଙ୍କ ମଧ୍ୟରେ  ଏସବୁ ଚର୍ଚ୍ଚା  ମଧ୍ୟ ଉପରୋକ୍ତ ଜନ ଆନ୍ଦୋଳନକୁ ଖୋରାକ୍ ଯୋଗାଉଛି କି  ? ସାଧୁ ସାବଧାନ୍ !

Leave a Reply

Your email address will not be published. Required fields are marked *

Related Post