ରାଜ୍ୟ

ଗନ୍ଧମାର୍ଦ୍ଦନକୁ ଜାତୀୟ ସମ୍ପତ୍ତି ଦାବି କଲେ ସାଂସଦ

Email :

ବରଗଡ / ବଲାଙ୍ଗୀର  :  ବରଗଡ ଓ ବଲାଙ୍ଗୀର ଜିଲ୍ଲାର ଗନ୍ଧମାର୍ଦ୍ଦନ ପାଦଦେଶରେ ଆଦାନୀ କମ୍ପାନୀର ଜମିକିଣା ପରିପ୍ରେକ୍ଷୀରେ ଗନ୍ଧମାର୍ଦ୍ଦନ ପର୍ବତରେ ଉକ୍ତ କମ୍ପାନୀ ଖଣିଖୋଜା ଓ ଖଣିଖୋଳାକୁ ବିରୋଧ କରି ଦଶନ୍ଧି ଦଶନ୍ଧି ତଳେ ଏହି ପୁରାଣ ପ୍ରସିଦ୍ଧ ଏହି ବିପୁଳ ଖଣିଜ ତଥା ପ୍ରାକୃତିକ ସମ୍ପଦର ଗନ୍ତାଘରକୁ ସୁରକ୍ଷା ଦେବାକୁ ଆରମ୍ଭ ହୋଇ ଅତୀତରେ ବାଲକୋ ଇତ୍ୟାଦି କମ୍ପାନୀର ଖଣି ଖନନକୁ ବିରୋଧ କରିଆସୁଥିବା ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପକ୍ଷରୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଆନ୍ଦୋଳନ ଆରମ୍ଭ ହେବାରୁ ଏହା ରାଜ୍ୟ ତଥା ଦେଶର ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି ।  ଚଳିତ କେନ୍ଦ୍ର ଓ ରାଜ୍ୟରେ ଭାଜପା ସରକାର ରହିଥିବା ତଥା ଏହି ଗନ୍ଧମାର୍ଦ୍ଦନ ପର୍ବତର ଉଭୟ ପାର୍ଶ୍ବରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଏବଂ ଆରପଟରେ ବଲାଙ୍ଗୀରର ସାଂସଦ ସଙ୍ଗୀତା ସିଂହଦେଓଙ୍କ ସମେତ ତାଙ୍କ ସ୍ବାମୀ ପାଟଣାଗଡ ବିଧାୟକ ତଥା ଉପମୁଖ୍ଯମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ରହିଥିବାରୁ ଆଦାନୀର ଏହି ଜମିକିଣିନେବା ଭବିଷ୍ୟତର ଗନ୍ଧମାର୍ଦ୍ଦନରେ ଖଣିଖୋଳାକୁ ସୁହାଉଛି ଓ ଏହି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଲୋକ ପ୍ରତିନିଧିମାନେ ଏଥିରେ ସମ୍ପୃକ୍ତ ରହିଛନ୍ତି ବୋଲି ଅଭିଯୋଗ ପ୍ରକାଶ ପାଇଛି । ତେବେ ବିଧାନସଭାରେ ରାଜ୍ୟ ସରକାର ଗନ୍ଧମାର୍ଦ୍ଦନରେ ଖଣିଖୋଳା ଯିବ ନାହିଁ ବୋଲି କହିଥିଲେ ବି ଲୋକେ ଏହାକୁ ବିଶ୍ବାସରେ ନେଇ ନାହାଁନ୍ତି । ଖପ୍ରାଖୋଲ ତହସିଲ ଅଫିସ ସାମ୍ନାରେ ଓ ପାଇକମାଳରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପକ୍ଷରୁ  ଗଣଧାରଣା ଅବ୍ୟାହତ ରହିଛି । ଏହି ଆନ୍ଦୋଳନରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ସରକାର ଗନ୍ଧମାର୍ଦ୍ଦନକୁ ଜାତୀୟ ସମ୍ପତ୍ତି ରୂପେ ଘୋଷଣା କରନ୍ତୁ ବୋଲି ଦାବି କରାଯାଇଛି । ଏହିକ୍ରମରେ ଚଳିତ ଲୋକସଭାରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଏହି ଦାବି ମଧ୍ୟ ଉଠାଇଛନ୍ତି ।

ଶ୍ରୀ ପୁରୋହିତ ଲୋକସଭାକୁ ଲେଖି କରିଥିବା ଏହି ଦାବିରେ କହିଛନ୍ତି ଯେ , ସେ ମୂଳରୁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ସହ ଜଡିତ ଓ ସେହିଠାରୁ ହିଁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ । ଉଭୟପଟେ ନୃସିଂହନାଥ ଓ  ହରିଶଙ୍କର ପୀଠ ତଥା ପର୍ଯ୍ୟଟନ କ୍ଷେତ୍ର ଅବସ୍ଥିତ ଏହି ବିରଳ ଔଷଧୀୟ ବନରାଜି ସମୃଦ୍ଧ ୯୭ କିମି ବ୍ୟାପ୍ତ ପୁରାଣ ପ୍ରସିଦ୍ଧ ପର୍ବତରେ ଅତୀତରେ କଂଗ୍ରେସ ସରକାର , ବିଜୁ ସରକାର ଓ ନବୀନ ସରକାରଙ୍କ ଅମଳରେ ବାଲକୋ ସମେତ ଅନ୍ୟାନ୍ୟ କମ୍ପାନୀ ପକ୍ଷରୁ ଏକାଧିକବାର ଖଣିଖନନର ପ୍ରୟାସ ହୋଇଥିଲା ଓ ସେ ନିଜେ ଏହାକୁ ବିରୋଧ କରି ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ଯୋଗୁଁ  ତାହା ସଫଳ ହୋଇପାରି ନଥିଲା ଓ ସରକାର ତାଙ୍କର ଲିଜ୍ ପ୍ରତ୍ୟାହାର କରି ନେଇଥିଲେ । ତେଣୁ ଏବେ ଯେଉଁ ଆଦାନୀ କମ୍ପାନୀର ଖଣିପୂର୍ତ୍ତି ବନୀକରଣ ଆଳରେ ଜମିକିଣାରୁ  ଖଣିଖୋଳା ଆଶଙ୍କା ସୃଷ୍ଟି ହୋଇଛି , ସେ ମଧ୍ୟ ଏହାକୁ ବିରୋଧ କରୁଛନ୍ତି । ତେଣୁ ସେ ଆନ୍ଦୋଳନକାରୀଙ୍କ ସହ ଏକମତ ହୋଇ ଗନ୍ଧମାର୍ଦ୍ଦନକୁ ଜାତୀୟ ସମ୍ପତ୍ତି ଘୋଷଣା କରିବାକୁ ସରକାରଙ୍କ ଠାରେ ଦାବି ଦୋହରାଇଛନ୍ତି । 

ଏଥିସହ ବଲାଙ୍ଗୀର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମଧ୍ୟ  ୧୯ ହଜାର ହେକ୍ଟରର ବିଭିନ୍ନ ବିରଳ ଓ ଔଷଧୀୟ ବୃକ୍ଷଲତା ସମେତ ଜୈବ ବିବିଧତା ଘୋଷିତ ଗନ୍ଧମାର୍ଦ୍ଦନ ପର୍ବତ ସହ ହରିଶଙ୍କର ଓ ନୃସିଂହନାଥ ପୀଠକୁ ବିଶ୍ବ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେବାକୁ ରାଜ୍ୟସଭାରେ ପ୍ରସଙ୍ଗ ଉପସ୍ଥାପନ କରିଥିବା ପ୍ରକାଶ ।

ଉଭୟ ସାଂସଦଙ୍କର ଏହି ଦାବି ଆନ୍ଦୋଳନକୁ ବଳ ଦେଇଛି ।

Leave a Reply

Your email address will not be published. Required fields are marked *

Related Post