ଜିଲ୍ଲା

ଗନ୍ଧମାର୍ଦ୍ଦନ ସ୍ଥାୟୀ ସୁରକ୍ଷା ଦାବିରେ ମହାସମାବେଶ

Email :

ଖପ୍ରାଖୋଲ  :  ଗତ ନଭେମ୍ବର ୨୫ ରୁ ଆରମ୍ଭ ହୋଇଥିବା ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପକ୍ଷରୁ ଖପ୍ରାଖୋଲ ତହସିଲ ଅଫିସ୍ ପରିସରରେ ଗଣଧାରଣାକୁ ୫୭ ଦିନ ପୁରିବା ପରେ ଏହାକୁ ସାମୟିକ ସ୍ଥଗିତ ରଖାଯାଇଥିବା ଜଣାଯାଇଛି । ତେବେ ପୂର୍ବଘୋଷିତ ଧାର୍ଯ୍ୟ ଦିନ ଗତ ୧୯ ତାରିଖରେ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଏ ଉପଲକ୍ଷେ ଏକ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗୀର ସମେତ ବରଗଡ , ନୂଆପଡା , କଳାହାଣ୍ଡି , ସମ୍ବଲପୁର ଓ କୋରାପୁଟ ଜିଲ୍ଲାରୁ ବହୁଲୋକ ସାମିଲ୍ ହୋଇଥିଲେ । ପରିଷଦର ଜୟସିଂ ପୂଝାରୀଙ୍କ ଆବାହକତ୍ବରେ ପରିଷଦର ଉପଦେଷ୍ଟା ପୂର୍ବତନ ସମ୍ବଲପୁର ସାଂସଦ ଭବାନୀ ପ୍ରସାଦ ହୋତାଙ୍କ ଅଧ୍ୟକ୍ଷତାରେ ମାର୍ଗଦର୍ଶକ ସ୍ବାମୀ ସୋମବେଶ ସରସ୍ବତୀ , ବିଶିଷ୍ଟ ଜନବାଦୀନେତା ପ୍ରଫୁଲ୍ଲ ସାମନ୍ତରା , ଏସ୍ ୟୁ ସିଆଇର ରାଜ୍ୟ ସଦସ୍ୟ ଅଶୋକ ମିଶ୍ର ,ପରିଷଦର ଅନ୍ୟତମ ଆବାହକ ଗୌତମ ବିଶ୍ବାଳ , କେନ୍ଦ୍ରୀୟ ଆବାହକ ରବି ନାରାୟଣ ସାହୁ , କୋଶଳବାଦୀ ନେତା ପ୍ରମୋଦ ମିଶ୍ର , ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ , ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା , ପୂର୍ବତନ ପାଟଣାଗଡ ବିଧାୟକ ସରୋଜ ମେହେର , ପୂର୍ବତନ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ , ପୂର୍ବତନ ବିଜେପୁର ବିଧାୟିକା ରୀତା ସାହୁ , ଡାଇମଣ୍ଡ ଭୋଇ , ଲିଙ୍ଗରାଜ ଆଜାଦ୍ , ବୃନ୍ଦାବନ ବାରିକ , ଲବ ସୁନା ପ୍ରମୁଖ ମଞ୍ଚାସୀନ ଥିବା ସହ ଉଦ୍ ବୋଧନ ଦେଥିଲେ । ଏଥିସହ ପରିଷଦର ବରିଷ୍ଠ ସକ୍ରିୟ ସଦସ୍ୟ ସୁଶୀଳ ନାୟକ , ଟେକେନ୍ଦ୍ର ଜାଲ୍ ଓ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।

ଆନ୍ଦୋଳନକୁ ଏଡାଇଯିବା ସନ୍ଦେହ ବଢାଉଛି  !

ଆଦାନୀ କମ୍ପାନୀର ଗନ୍ଧମାର୍ଦ୍ଦନ ପର୍ବତର ଉଭୟ ପାର୍ଶ୍ବରେ ଜମିକିଣାରୁ ଗନ୍ଧମାର୍ଦ୍ଦନ ପର୍ବତରେ ଖଣିଖୋଳା ସନ୍ଦେହରୁ ଚାଲିଥିବା ଗଣଆନ୍ଦୋଳନର ମୁଖ୍ୟ ଦାବି ରୂପେ ସରକାର ଏକ ସ୍ଥାୟୀ ସୁରକ୍ଷା ଆଇନ୍ ନିମନ୍ତେ ପଦକ୍ଷେପ ନେବାକୁ ଦାବି କରାଯାଇଛି ।  ଏହା କରା ନଗଲେ ଆଗାମୀଦିନରେ ଆଦିବାସୀ ଓ ଜନସାଧାରଣଙ୍କ ପକ୍ଷରୁ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଉଲ୍ଲେଖନୀୟ ଯେ , ବଲାଙ୍ଗୀର ଓ ବରଗଡର ଗନ୍ଧମାର୍ଦ୍ଦନର ଉଭୟ ପାର୍ଶ୍ବର ନିର୍ବାଚିତ ଲୋକପ୍ରତିନିଧି ବନାମ ବିଧାୟକ , ମନ୍ତ୍ରୀ ବନାମ ଉପମୁଖ୍ଯମନ୍ତ୍ରୀ ଓ ସାଂସଦଙ୍କ କାର୍ଯ୍ୟକଳାପ ଓ ମନୋବୃତ୍ତି ବିରୋଧରେ ଜନପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ବେଳେ ସେଇବାଟ ଦେଇ ଖପ୍ରାଖୋଲକୁ ଉପମୁଖ୍ଯମନ୍ତ୍ରୀ , ସାଂସଦ , ଜିଲ୍ଲାପାଳ , ଏସ୍ ପି ଆସିଥିଲେ ହେଁ , ପ୍ରବଳଶୀତରେ ଖରାବର୍ଷାକାକରରେ ରାତିଦିନ ଏଥିପାଇଁ ଆନ୍ଦୋଳନରେ ବସିଥିବା ସ୍ଥାନୀୟ ଲୋକଙ୍କ ପ୍ରତି ଆଡଆଖିରେ ଥରେ ଅନାଇ ନଥିବା ଓ ଅଦ୍ୟାବଧି ଖଣିଖନନ କରି ରାଜସ୍ୱ ଆଦାୟ ପାଇଁ ସମୀକ୍ଷାବୈଠକରେ କହିଥିବା ସହ ଆଦାନୀର ପୁଅଠାରୁ ଫୁଲତୋଡା ଗ୍ରହଣ ଏବଂ ଏଭଳି ନକାରାତ୍ମକ ଆଚରଣ ଗନ୍ଧମାର୍ଦ୍ଦନକୁ ଖଣିକମ୍ପାନୀକୁ ଟେକିଦେବାର ସନ୍ଦେହକୁ ଦୃଢୀଭୂତ କରୁଥିବା ଅଭିଯୋଗ ପ୍ରକାଶ ପାଇଛି  । ଏଣୁ ଏହି କୁହୁଳୁଥିବା ନିଆଁକୁ ଗୁରୁତ୍ୱ ନଦେବା ଅତୀତର ବାଲକୋ ଆନ୍ଦୋଳନ ପରି ସରକାରଙ୍କ ପାଇଁ ମହଙ୍ଗା ପଡିବ ବୋଲି ଲୋକେ ଆଲୋଚନା କରୁଛନ୍ତି I

Leave a Reply

Your email address will not be published. Required fields are marked *

Related Post