ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ) ଗତ କିଛି ବର୍ଷ ଧରି ଆଦିବାସୀ ଅଧ୍ୟୁଷିତ ଦାଦନପ୍ରବଣ ମାଓଉପଦ୍ରୁତ ଜିଲ୍ଲାର ଏକ ସୀମାନ୍ତବର୍ତ୍ତୀ ପଛୁଆ ଖପ୍ରାଖୋଲ ବ୍ଲକ୍ ରେ ବାରମ୍ବାର ମନରେଗା ଯୋଜନାରେ ଅନିୟମିତତାର ଅଭିଯୋଗ ହୋଇ ଆସୁଛି। ଅଭିଯୋଗର ତଦନ୍ତ କରିବାକୁ ଏକାଧିକବାର ବଲାଙ୍ଗୀର ଲୋକପାଳ ଗସ୍ତ କରି ଭୁଲ୍ ଧରିବା ସହ ଜୋରିମାନା କରିଛନ୍ତି।
ଗତବର୍ଷ ଶ୍ରମିକ ମଜୁରୀ ବାକିରହିଥିବା ଅଭିଯୋଗରେ ମହରାପଦର ପଞ୍ଚାୟତର ସାଲେପାଲି ଓ ଅନ୍ୟାନ୍ୟ ଗ୍ରାମବାସୀ ବ୍ଲକ୍ ଘେରାଉ କରି ଅଫିସ୍ ଭଙ୍ଗାରୁଜା କରିଥିଲେ। ଦଶନ୍ଧିତଳର ଝିଙ୍ଗଟୁ ବରିହା ପରିବାରର ୫ ଜଣଙ୍କର ଅନାହାରମୃତ୍ୟୁ ଅଭିଯୋଗ ଆନ୍ତର୍ଜାତୀୟ ସ୍ତରରେ ଚାଞ୍ଚଲ୍ଯ ସୃଷ୍ଟି କରିଥିଲା ବେଳେ, ଗତବର୍ଷ ଏହି ଭାନପୁର ପଞ୍ଚାୟତର ବୁରୋମାଲ-ଚାବିରୀପାଲିରେ ମନରେଗା ଯୋଜନାରେ ଦାଦନଶ୍ରମିକଙ୍କ ପଳାୟନ ପରେ ସେମାନଙ୍କ ନାଁ’ରେ ଓ ଅନ୍ୟାନ୍ୟ ମିଛଶ୍ରମିକଙ୍କ ନାଁ’ରେ ଲକ୍ଷ ଲକ୍ଷ ଟଙ୍କା ଗ୍ରାମସାଥୀ ହଡପ କରିଥିବା ଅଭିଯୋଗକୁ ଚପାଇ ଦିଆଗଲା।
ଏବେ ପୁଣି ଦମେଇପାଲି ପଞ୍ଚାୟତର କେଛୋବାହାଲ ଗ୍ରାମରେ ମନରେଗା ଯୋଜନାରେ ବାର୍ଦ୍ଧକ୍ୟଭତ୍ତା ପାଉଥିବା ବୃଦ୍ଧ ଓ ଦିବ୍ୟାଙ୍ଗଙ୍କ ନାଁ’ରେ ହିତାଧିକାରୀ ଦର୍ଶାଯାଇ ଗ୍ରାମସାଥୀ ଲକ୍ଷାଧିକ ଟଙ୍କା ହଡପ କରିଥିବା ଅଭିଯୋଗ କରି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।
ଏଥିପାଇଁ ଗାଁ’ରେ ଏକ ବୈଠକରେ ଆଲୋଚନା ପରେ ଉକ୍ତ ଗ୍ରାମସାଥୀଙ୍କୁ ବହିଷ୍କାର ଦାବିରେ ଗ୍ରାମବାସୀମାନେ ଖପ୍ରାଖୋଲ ବିଡିଓଙ୍କୁ ଭେଟି ଦାବିପତ୍ର ଦେଇଥିବା ପ୍ରକାଶ। ଏ ସମ୍ପର୍କରେ ବିଡିଓ ବିବେକାନନ୍ଦ ଷଡଙ୍ଗୀ ଓ ଏପିଓ ପ୍ରଶାନ୍ତ ସାହୁ ତଦନ୍ତର ପ୍ରତିଶ୍ରୁତି ଦେଇଛନ୍ତି। ତେବେ ମୂଳରୁ ଚୂଳ ପର୍ଯ୍ୟନ୍ତ ସମସ୍ତେ ଏଠାରେ ଏଭଳି ଅନିୟମିତତାରେ ଜଡିତ ବୋଲି ଚର୍ଚ୍ଚା ହେଉଛି ।






“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।