ପ୍ରତିନିଧିଙ୍କ ବିଲବୁଲା…
ଭୁବନେଶ୍ବର : ନୂଆବର୍ଷ ଆରମ୍ଭହେବାର ଦିନେ ଦି’ଦିନ ପୂର୍ବରୁ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଫସଲ ଦେଖିବାକୁ ବିଲବୁଲା ଚାଲିଛି ନେତା, ଏମ୍ ଏଲ୍ ଏ , ମନ୍ତ୍ରୀ ,ଉପମୁଖ୍ଯମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀଙ୍କର । ନୂଆସରକାରଙ୍କର ଇଏ ଏକ ନୂଆ ପରମ୍ପରା ! ୟା’ ଦେଖାଦେଖି କୋଉକାଳେ ଦେଖା ନଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନବାବୁ ବି ଅଞ୍ଚଳଗସ୍ତରେ ! ଚାଷୀଙ୍କ ପାଇଁ ଦରଦ ପ୍ରଦର୍ଶନ । ମନ୍ଦ ନୁହେଁ । ୟା’ ପରେ ହୁଏତ କ୍ଷତିର ଆକଳନ କରାଯାଇ କିଛି କିଛି କ୍ଷତିପୂରଣର ବ୍ୟବସ୍ଥା କରାଯିବ । ଚାଷୀ ମୁହଁରେ ହସ ଫୁଟାଇବାକୁ ସରକାରଙ୍କର ଏ ଉଦ୍ୟମ ପ୍ରଶଂସନୀୟ । ନେତା ଓ ତାଙ୍କ ନିର୍ବାଚିତ ପ୍ରତିନିଧିଙ୍କୁ ପାଖରେ ପାଇ ଚାଷୀ , ଚାଷୀଘରଣୀ ଓ ଗ୍ରାମବାସୀଙ୍କର କି ଲୁହବୋଳା କାକୁତିମିନତୀ ! ଓଡିଶାର ଏ ଦାରୁଣ ବିପର୍ଯ୍ୟୟ କାଳେ ସରକାରଙ୍କ ସମୟୋପଯୋଗୀ ପଦକ୍ଷେପ । ଏ କ୍ଷୟକ୍ଷତିର ରିପୋର୍ଟ ପଠାଇଲଃ ଡବଲଇଞ୍ଜିନ୍ ସରକାରର କେନ୍ଦ୍ରରୁ ଅଧିକ ଟଙ୍କା ଆସିବ । ତେଣିକି ଓଡିଆଅସ୍ମିତାର ଅବନାପୁଅର ବନାନଶୁଦ୍ଧି ନଥାଇ ବାପକୁ ଚିଠି ଲେଖିଲା ଭଳିଆ ‘ ବପ , ଟଙ୍କ ପଠବ ତ ପଠବ , ନ ପଠବ ତ ମରଯବ ‘ ପରି କଥା ! ଦେଖ ହୋ , ରାଜଧାନୀରେ କି ଦପ୍ତରରେ ବସି ବେତନ ଭୋଗୁଥିବା ଅମଲ ଅଫିସରମାନେ , ପୂର୍ବସରକାର ଚାଷୀଙ୍କୁ ବାସିରେ ପଚାରୁ ନଥେଲା ବେଳେ , ଆମ ସରକାର କିମିତି ସିଧା ବିଲରେ ଶୀତକାକର ମାଡି ଦୁଃଖ ଶୁଣିବାକୁ ଫିଲ୍ଡରେ ହାଜର୍ !
ତେବେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନଶୁଣାଣୀ ଦରବାର ହେଉ ଅଥବା ଇଏ ବିଲବୁଲା , ୟା’ର ପରିଣତି କ’ଣ କିଛି ଦାନ ଅଜାଡିଦେଲେ ସମସ୍ୟାର ସମାଧାନ ଓ ଲୋକେ ଖୁସ୍ ?

ପ୍ରାକୃତିକ ବିପର୍ଯ୍ୟୟର ରାଜ୍ୟ ଓଡିଶାରେ ଇମିତି ବର୍ଷା ବାତ୍ଯା ମରୁଡି ଲାଗିରହିଛି । ନବୀନବାବୁ ସବୁବାତ୍ୟାକୁ ଆଗୁଆ ମୁକାବିଲା କରି ବିଶ୍ବରେ ନାଁ’ କମାଇଥିଲେ । ଏମାନେ ? ଏମାନଙ୍କର ଉତ୍ସାହ ଦେଖୁନା ! ବାତ୍ୟା ଫାତ୍ୟା ଆସୁ ! ଦେଖିବନି କି ! ଏମିତି ଲୋକେ ଆଲୋଚନା କରୁଛନ୍ତି ।
ତେବେ ନୂଆ ଏ ଲୋକସରକାରଙ୍କର ମଣ୍ଡିଫଣ୍ଡିର ଅବ୍ୟବସ୍ଥା , ଶାସନପ୍ରଶାସନିକ ପୂର୍ବାବସ୍ଥା ବା ଅଖାବସ୍ତା ଯୋଗାଣ କଥାକୁ ପାଶୋରି ଏ ସକ୍ରିୟତା ବନାମ ସହାନୁଭୂତି ସ୍ବାଗତଯୋଗ୍ଯ ନିଶ୍ଚୟ ।
ଦ୍ବିତୀୟତଃ ପ୍ରଧାନମନ୍ତ୍ରୀ ଫସଲବୀମାରେ ୫ ବର୍ଷରେ ଓଡିଶାରୁ ବୀମାକମ୍ପାନୀ ୭୮୬୬୩୨ ଲକ୍ଷ ଟଙ୍କା ପ୍ରିମିୟମ୍ ପାଇଥିବା ବେଳେ କ୍ଷତିପୂରଣ ବାବଦରେ ଚାଷୀଙ୍କୁ ମାତ୍ର ୩୪୬୦୮୩ ଲକ୍ଷଟଙ୍କା ଦେଇଥିବା ରିପୋର୍ଟରେ ପ୍ରକାଶ ପାଇଛି । ତେଣୁ କମ୍ପାନୀ ପାଇଛି ଅଧିକ , ଦେଇଛି କମ୍ ବୋଲି ପ୍ରକାଶ ପାଇଛି । ଏଣୁ ଏହି ମଧ୍ୟବର୍ତ୍ତୀକାଳୀନ ଅଦିନିଆବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷେତ୍ରଗସ୍ତର ସରକାରୀ ସୁଆଗ କୋଉଦିଗକୁ ନେଇ ବୋଲି ପ୍ରଶ୍ନ ଉଠିଛି ।
ଅପରପକ୍ଷରେ ରାଜ୍ୟକୁ ଜଣେ ଅମଲାର ରିମୋଟ୍ କଣ୍ଟ୍ରୋଲରେ ରଖି ସୁଇଚ୍ ଟିପି ଉଦ୍ ଘାଟନରୁ ଯୋଜନାର ଶୁଭାରମ୍ଭ କରି ଶୀତତାପନିୟନ୍ତ୍ରିତ କଣ୍ଟେନର୍ ରେ ବୁଲି କାଚଝର୍କାରୁ ଲୋକଙ୍କୁ ବାଁ’ ହାତ ହଲାଇ ‘ ଆପୋନ୍ ମାନେ କୁସି ତୋ ? ‘ ପଚାରୁଥିବା ନବୀନ ବାବୁ ଏଥର ବାହାରିପଡିଛନ୍ତି ବାହାରବୁଲାରେ !
ଏସବୁରୁ ଲୋକେ ଯାହା ବୁଝୁଛନ୍ତି , ଏହାପଛରେ ଆଗାମୀ ପଞ୍ଚାୟତ ନିର୍ବାଚନ ଉପଲକ୍ଷେ ଏବଠୁଁ ପ୍ରାକ୍ ନିର୍ବାଚନୀ କ୍ଷେତ୍ରପ୍ରସ୍ତୁତିର ଗନ୍ଧ ଆସୁଛି , ଏହା ହିଁ ଚର୍ଚ୍ଚା ହେଉଛି । ପବ୍ଲିକ୍ ସବ୍ ଜାନତା ହୈ !