ଶହ ଶହ ଏକର ଜମି କିଣିନେଉଛନ୍ତି ତେଲୁଗୁଚାଷୀ !
ମ. ରାମପୁର : କଳାହାଣ୍ଡି ଜିଲ୍ଲାର ମଦନପୁର- ରାମପୁର ଅଞ୍ଚଳରେ ତେଲୁଗୁମାନେ ଆସି ବଣୁଆହାତୀଙ୍କ ଚଲାପଥ ରହିଥିବା ସଂରକ୍ଷିତ ଜଙ୍ଗଲ ସୀମାନ୍ତବର୍ତ୍ତୀ ଉଜୁଡା ଗାଁ’ର ଶହଶହ ଏକର ଜମି କିଣିନେଇଥିବା ଓ ସେମାନେ କ୍ରମଶଃ ଜଙ୍ଗଲଜମିକୁ ଜବରଦଖଲ କରିବା ମତଲବ୍ ରେ ଥିବା ଅଞ୍ଚଳବାସୀଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି ।
ଅନୁସନ୍ଧାନରୁ ଜଣାପଡିଛି ଯେ , ଗତ ୨୦୨୨ ବା ତା’ ଆଗରୁ ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀ ନାର୍ ଦୋଲ୍ ଅଞ୍ଚଳରୁ ଆସି ୧୦ ଜଣ ତେଲୁଗୁ ବ୍ୟକ୍ତି ରାମପୁର ରାଜସ୍ୱ ସର୍କଲର ନର୍ଲା ବନବିଭାଗ ରେଞ୍ଜ୍ ର ସୀମାନ୍ତବର୍ତ୍ତୀ କୁସୁମଖାଲ ଗ୍ରାମର ପ୍ରାୟ ଦେଢଶହ ଏକର ଜମିକୁ ସ୍ଥାନୀୟ ଗ୍ରାମବାସୀଙ୍କୁ ଶାଗମାଛ ଦରରେ ପ୍ରଲୋଭିତ କରି କିଣିନେଇ ପାମ୍ ଚାଷ କରୁଛନ୍ତି । ତେବେ ଏ ସମ୍ପର୍କରେ ସେମାନେ ପ୍ରାୟ ସାଢେ ତିନିଶହ ଜଙ୍ଗଲଜମି ସମେତ ଜବରଦଖଲ କରୁଥିବା ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ଆଶଙ୍କାରୁ ସୂଚନା ପାଇ କେତେକ ବରିଷ୍ଠ ସାମ୍ବାଦିକ ସେଠାରେ ପହଞ୍ଚି ଅନୁସନ୍ଧାନ କରିଥିଲେ । ନର୍ଲା ବନବିଭାଗ ରେଞ୍ଜ୍ ର ସଂରକ୍ଷିତଜଙ୍ଗଲ ସୀମାର ହାତୀ ଚଲାପଥ ପାର୍ଶ୍ବରେ ସେମାନେ ସୋଲାର୍ ଫେନସିଂ ବିଦ୍ୟୁତ୍ ତାରବାଡ ଦେଇଥିବା ଦେଖାଯାଇଛି । ସେମାନେ କିଣିନେଇଥିବା ଏହି ପ୍ରାୟ ଦେଢଶହ ଏକର ଜମିରେ ବିରି ଇତ୍ୟାଦି ଶସ୍ଯଫସଲ ସହ ମୁଖ୍ୟତଃ ପାମ୍ ତେଲ ଚାଷ କରୁଛନ୍ତି । ଖବର ନେବାରୁ ଜଣାଯାଇଛି ଯେ ଏହି କୁସୁମଖାଲ ଗାଁ’ରେ ପ୍ରାୟ ୯୦ ଘର ଆଦିବାସୀ ଓ ଅନ୍ୟାନ୍ୟ ଜାତିର ଲୋକେ ବସବାସ କରୁଥିଲେ । ଏବେ ସେଠାରେ ମାତ୍ର ୪ ଟି ଘର ରହିଛି । ସେମାନେ କେଉଁ କାରଣରୁ ଗାଁ’ ଛାଡି ଜମିବାଡି ବିକି ପଳାଇଲେ , ଅନୁସନ୍ଧାନ ସାପେକ୍ଷ । ତେବେ ଜମି ଖୋଜି ଖୋଜି ଆସିଥିବା ଏହି ତେଲୁଗୁଲୋକମାନଙ୍କୁ ଏଠାକାର ଠିକଣା ଦେବାକୁ ଜଣେ ସ୍ଥାନୀୟ ମଧ୍ୟସ୍ଥିଙ୍କୁ ୨ ଲକ୍ଷ ଟଙ୍କା କମିଶନ୍ ଦେଇଥିବା ଓ ଏକରପିଛା ମାତ୍ର ୪୦ ହଜାର ଟଙ୍କାରେ କିଣିନେବା ପରେ ପୁଣି ସେହି ଜମିକୁ ଏକରପିଛା ଦୁଇରୁ ଅଢେଇ ଲକ୍ଷ ଟଙ୍କାରେ ଏମାନଙ୍କୁ ବିକିଦେଇଥିବା ଜଣାଯାଇଛି ।

ତେବେ ଏହି ଉଜୁଡା ଗାଁ’ର ଜମି ସହିତ ଗାଁ’ର ରାସ୍ତା , ଗୋଚର ଓ ଅନାବାଦୀ ଜମି ସହ ଆହୁରି କିଛି କିଣି ନଥିବା ଜମି ମଧ୍ୟ ସେମାନଙ୍କ କବ୍ ଜାରେ ରହିଛି । ତତ୍କାଳୀନ ଜଣେ ରାଜସ୍ବ ନିରୀକ୍ଷକ ହେରଫେର କରି ସେମାନଙ୍କୁ ଏହିସବୁ ଜମି ଯୋଗାଇ ଦେଇଥିବାରୁ ସେତେବେଳେ ସେମାନେ ଜଙ୍ଗଲଜମି ମାଡିବସୁଥିବାର ରାମପୁରର ଗ୍ରାମବାସୀଙ୍କ ପକ୍ଷରୁ ପ୍ରବଳ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଥିଲା । ସେମାନଙ୍କ ପକ୍ଷରୁ ତତ୍କାଳୀନ ଉତ୍ତର ରାମପୁର ବା ନର୍ଲା ରେଞ୍ଜର ପ୍ରଶାନ୍ତ କୁମାର ପାଲୋଙ୍କୁ ଅଭିଯୋଗ କରି ନିରାଶ ହୋଇଥିଲେ । ଏପରିକି ପରବର୍ତ୍ତୀ ରେଞ୍ଜର ଅସୀତ କୁମାର ଦାଶଙ୍କର ମଧ୍ୟ ଦୃଷ୍ଟିଆକର୍ଷଣ କରାଯିବାରୁ ସେ ଏ ସମ୍ପର୍କରେ ହାଇକୋର୍ଟରେ ଅନ୍ ଲାଇନ୍ ମାମଲା ଦାଏର କରିବାକୁ ପରାମର୍ଶ ଦେଇଥିବା ପ୍ରକାଶ । ତେବେ କଣ ହେଲା କେଜାଣି , ଇତିମଧ୍ୟରେ ପୂର୍ବତନ ରାଜସ୍ୱ ନିରୀକ୍ଷକଙ୍କ ପକ୍ଷରୁ ମାମଲାର ଦଫାରଫା କରିଦିଆଯାଇଥିବା ଜନୈକ ତଳିଆ ବନକର୍ମଚାରୀଙ୍କ ଠାରୁ ବିଶ୍ବସ୍ତ ସୂତ୍ରରୁ ପ୍ରକାଶ । ପ୍ରକାଶ ଯୋଗ୍ୟ ଯେ , ସେ ମଧ୍ୟ ଏହିଗ୍ରାମର କିଛି ଜମି କିଣିଛନ୍ତି । ତେବେ ଏହି ଗାଁ’ର ଜମିକିଣା ବା ଏନକ୍ରୋଚମେଣ୍ଟ୍ କେସ୍ ଇତ୍ୟାଦିର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଗଲେ ବହୁ ଅନିୟମିତତା ଧରାପଡିବ ବୋଲି କୁହାଯାଉଛି ।

ଏ ସମ୍ପର୍କରେ ଏବେ ନର୍ଲା ବନବିଭାଗ ରେଞ୍ଜ୍ ର ଭାରପ୍ରାପ୍ତ ରେଞ୍ଜର ବନାମ ଡେପୁଟିରେଞ୍ଜର ଭାରତବନ୍ଧୁ ଶବରଙ୍କୁ ପଚାରିବାରୁ ସେ ଦିନେ ସମୟ ମାଗି ଉକ୍ତ ଅଞ୍ଚଳକୁ ଯାଇ ଅନୁସନ୍ଧାନ କରିବାପରେ ଦୃଢଭାବେ ଉକ୍ତ ପାମ୍ ଚାଷ କରୁଥିବା ଜମିକ୍ରେତା ବାହାର ରାଜ୍ୟର ତେଲୁଗୁମାନେ ଆଦୌ ତାଙ୍କ ସଂରକ୍ଷିତ ଜଙ୍ଗଲଜମି ଅଧିକାର କରି ନଥିବା ପ୍ରକାଶ କରିଛନ୍ତି ।

ତେବେ ଠିକ୍ ତାଙ୍କ ସଂରକ୍ଷିତ ଜଙ୍ଗଲର ସୀମାକୁ ଲାଗି ସେମାନେ ପ୍ରାଇଭେଟ୍ ଜମି କିଣିନେବା ଓ କୁସୁମଖାଲକୁ ଲାଗି ବହିଯାଉଥିବା ଉତେଇ ନଦୀ ଡେଇଁ ରାମପୁରକୁ ଲାଗିଥିବା ସେହି ଅଞ୍ଚଳଟି ହାତୀ କରିଡର ଥିବା ସ୍ବୀକାର କରିଛନ୍ତି । ସେଠାରେ ଏବେ ବି ହାତୀ ପାଦଚିହ୍ନ ରହିଥିବା ଦେଖିବାକୁ ମିଳିଛି । ଉଲ୍ଲେଖଯୋଗ୍ୟ ଯେ , ଭବାନୀପାଟଣା ବନଖଣ୍ଡର ରାମପୁର ଉତ୍ତର ବନାମ ନର୍ଲା ବନମଣ୍ଡଳର ମୋଟ ଜଙ୍ଗଲଜମିର ଆୟତନ ୧୦ . ୮୬୮ ବା ପ୍ରାୟ ୧୧ ହଜାର ହେକ୍ଟର ବା ପ୍ରାୟ ୫୦ କିମି ବ୍ୟାସାର୍ଦ୍ଧର ଅଟେ । ଏହି ରେଞ୍ଜ୍ ର ନର୍ଲା , ବେଲଗାଁ’ , କମଡ , ହର୍ଲଙ୍ଗା ୪ ଟି ଫରେଷ୍ଟ ସେକ୍ସନ୍ । ଏଠାରେ ୧୭ ଜଣଙ୍କ ମଧ୍ୟରୁ ୯ ଜଣ ଫରେଷ୍ଟଗାର୍ଡ ଅଛନ୍ତି ୮ ଟି ପଦ ଖାଲି ପଡିଛି । ୧୦ ଜଣ ପାରାଷ୍ଟାଫ୍ ଓ ୧୦୫ ଜଣ ଗଜସାଥୀ ଥିବା ଅଧିକାରୀଙ୍କ ଠାରୁ ପ୍ରକାଶ ।ଏହି ରେଞ୍ଜ୍ ର ଜଙ୍ଗଲରେ ବୌଦ୍ଧ ଅଞ୍ଚଳରୁ ଗୁଣ୍ଠୁଣୀହାତୀ ଆସନ୍ତି ଓ ସ୍ଥାନୀୟ ବଡହାତୀଙ୍କର ବସତି ରହିଛି । ତେଲୁଗୁଚାଷୀଙ୍କ ଫାର୍ମହାଉସ୍ କଡେ କଡେ ସେମାନେ ଟ୍ରେଞ୍ଚ୍ ମଧ୍ୟ ଖୋଳିଛନ୍ତି ଜଙ୍ଗଲରୁ ଆସୁଥିବା ବନ୍ୟପ୍ରାଣୀଙ୍କ ଠାରୁ ସୁରକ୍ଷା ପାଇଁ ।
ଏବେ ମହାବଳବାଘ ଦେଖାଯାଉ ନଥିଲେ ହେଁ, ଭାଲୁ , ବାର୍ହା , ହରିଣ , କୁଟ୍ରାଦି ଅନ୍ୟାନ୍ୟ ବନ୍ୟପ୍ରାଣୀ ଚିତାବାଘ ଅଛନ୍ତି । ଏହି ରେଞ୍ଜ୍ ରେ କିଛିଦିନ ତଳେ ସେମେଲପଦର ଓ ରିପିଟିମାଲରେ ୨ ଟି ବଣୁଆ ହାତୀଙ୍କର ମୃତ୍ୟୁଘଟିଛି । ତେବେ ହାତୀଙ୍କ ବିଚରଣସ୍ଥଳୀ ଭାବରେ ଏହି ବନାଞ୍ଚଳଟି ଜଣାଶୁଣା । କ୍ରମଶଃ ଏହାର ଜଙ୍ଗଲାଞ୍ଚଳ କମୁଥିବାରୁ ଏହାର ଆଖପାଖର ପରିବେଶ ଓ ପରସ୍ଥିତି ପ୍ରତି ବନବିଭାଗର ଅଧିକ ସଚେତନତା ଜରୁରୀ । ଏ ସମ୍ପର୍କରେ ଏହି ମାଓପ୍ରବଣ ବନାଞ୍ଚଳରେ ଜନସାଧାରଣଙ୍କ ପକ୍ଷରୁ ଅବଶିଷ୍ଟ ବନରକ୍ଷୀଙ୍କ ପଦପୂରଣ ସହିତ ବାହାରଲୋକଙ୍କ ଗତିବିଧି ପ୍ରତି ସଚେତନ ରହିବାକୁ ଭବାନୀପାଟଣା ଡିଏଫଓ ଅନୁରାଗ ମିଶ୍ରଙ୍କର ଦୃଷ୍ଟିଆକର୍ଷଣ କରାଯାଇଛି।
ତେଣୁ ଏହି ପରିପ୍ରେକ୍ଷୀରେ ହାତୀକରିଡରର ସୁରକ୍ଷା ଦିଗରେ ବନବିଭାଗ ଓ ଅନୁରୂପ ଭାବେ ଆଦିବାସୀ ଅଧ୍ୟୁଷିତ ଏକ ରାଜସ୍ବଗ୍ରାମ ଉଜୁଡ଼ିଯିବା ସହିତ ଏହିଗ୍ରାମର ଶହ ଶହ ଏକଡ ସବୁଜମିଜମାକୁ ବାହାର ରାଜ୍ୟର ଲୋକମାନେ ଆସି କିଣିନେବାର ପ୍ରକ୍ରିୟାର ଏକ ଉଚ୍ଚସ୍ତରୀୟ ଯୁଗ୍ମତଦନ୍ତ କରାଯିବା ନିମନ୍ତେ ଜନସାଧାରଣଙ୍କ ପକ୍ଷରୁ ସରକାରଙ୍କ ଠାରେ ଦାବି କରାଯାଇଛି ।