ଅପରାଧ

ହାତୀମୃତ୍ୟୁର କାରଣ ଜାଣିବାକୁ ମନ୍ତ୍ରୀଙ୍କ ଉଦ୍ ବେଗ

Email :54

କେବେ ଆନ୍ଥ୍ରାକ୍ସ ତ , କେବେ ସ୍ବାଭାବିକ୍ ବୟସାଧିକ୍ୟ ମୃତ୍ୟୁର  ସଫେଇ !

ଗଜସାଥୀ  ଅଧିକାରୀଙ୍କ ଘରେ ଚାକର ?

ଭୁବନେଶ୍ବର  : କେବଳ ଆଜି ନୁହେଁ , ଦଶନ୍ଧି ଦଶନ୍ଧି ଧରି ବଲାଙ୍ଗୀର ଓ ରାଜ୍ୟର ବିଭିନ୍ନ ବନଖଣ୍ଡର ବିଭିନ୍ନ ରେଞ୍ଜ୍ ରେ ବଣୁଆହାତୀଙ୍କର ମୃତ୍ୟୁ ବନାମ ହତ୍ୟା ଚାଲିଆସୁଛି । ଉଦାହରଣତଃ ବଲାଙ୍ଗୀର ବନଖଣ୍ଡର ଲୋଇସିଂହାରୁ ବଲାଙ୍ଗୀର ବା ପାଟଣାଗଡ ଇତ୍ୟାଦି ରେଞ୍ଜ୍ ରେ ଏହା ମିଶାଇଲେ , ଗତ କିଛିବର୍ଷ ମଧ୍ୟରେ ଏହା ୧୦ଟିରୁ ଅଧିକ ହୋଇଗଲାଣି । ରାଜ୍ୟରେ ଗତ ଜାନୁଆରୀରୁ ଅଦ୍ୟାବଧି ଘଟିଥିବା ହାତୀମୃତ୍ୟୁ ସଂଖ୍ୟା ୫୦ ।

ବଲାଙ୍ଗୀରରେ  ଏଇ ଗତମାସ ଓ ଚଳିତ ସପ୍ତାହରେ କ୍ରମାଗତ ହାତୀମୃତ୍ୟୁର କାରଣ ଜଙ୍ଗଲରେ ବାର୍ହାଶିକାର ପାଇଁ ଚୋରାଶିକାରୀମାନେ କିମି କିମି ବ୍ୟାପି ଟାଣିଥିବା ବିଦ୍ୟୁତ୍ ଜି ଆଇ ତାରର ଫାଶ ହିଁ ମୁଖ୍ୟ ବୋଲି ଜଣାପଡ଼ିଥିବା ବେଳେ ଜଙ୍ଗଲୀହାତୀଙ୍କ ଗତିପଥ ଅନୁସନ୍ଧାନ କରିବାକୁ ନିୟୋଜିତ ସରକାରୀ ଖର୍ଚ୍ଚରେ ଏଲିଫ୍ୟାଣ୍ଟ୍ ଟ୍ରାକର୍ ମାନଙ୍କୁ ଉପରିସ୍ଥ ଅଧିକାରୀଙ୍କ ଘରେ ଘରୋଇ ଚାକର ଭାବେ ଖଟାଉଥିବାରୁ ହାତୀ ଚଳାଚଳର ପ୍ରକୃତ ସୂଚନା ମିଳି ସେସବୁ ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ପଦକ୍ଷେପ ନିଆଯାଇ ପାରୁ ନଥିବା ଅନ୍ୟତମ ପ୍ରଧାନ ତ୍ରୁଟି ବୋଲି ଅଭିଯୋଗ ପ୍ରକାଶ ପାଇଛି । ବିଡମ୍ବନା ଯେ ଏଭଳି ଅଭିଯୋଗ ପ୍ରକାଶ ପାଇଥିବା ସତ୍ତ୍ୱେ ଅଦ୍ୟାବଧି ଡିଏଫଓଙ୍କ ସମେତ ଏସିଏଫ୍ ଓ ରେଞ୍ଜର ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଖାତିର୍ କରୁନାହାଁନ୍ତି  ଓ  ଏହି ବେଆଇନ୍ ସେବା ଉପଭୋଗ କରିଚାଲିଛନ୍ତି  ! ଫଳତଃ  ଚଳିତ ଧାନଫସଲ ପାଚିବା ଋତୁରେ ଜଙ୍ଗଲରୁ ଦଳଦଳ ହୋଇ ଆସୁଥିବା ଜଙ୍ଗଲୀବାର୍ହା ଶିକାର କରିବାକୁ ଗାଁ’ ଗହଳରେ ଚୋରାଶିକାରୀମାନେ ସକ୍ରିୟ ହୋଇଉଠୁଥିବାରୁ ସେଥିରେ ଲାଗି ହାତୀଙ୍କର ପ୍ରାଣହାନୀ ଘଟୁଛି ।  ପରିତାପର ବିଷୟ ଯେ , ବନବିଭାଗ ନିଜ ମୁଣ୍ଡରୁ ଅଠାଛଡାଇବାକୁ ପଶୁଡାକ୍ତରଙ୍କ ସହ ହାତମିଳାଇ ବା ଅର୍ଥବଳରେ ସେମାନଙ୍କୁ ପ୍ରଭାବିତ କରି କେବେ ହାତୀମୃତ୍ୟୁର କାରଣକୁ ବିଭ୍ରାନ୍ତିକର ଶବବ୍ୟବଚ୍ଛେଦ ରିପୋର୍ଟରେ ଆନ୍ଥ୍ରାକ୍ସ ତ କେବେ ବୟସାଧିକ୍ୟ ସ୍ବାଭାବିକ୍ ମୃତ୍ୟୁ ବୋଲି ସରକାରଙ୍କୁ ଠକି ଚାଲିଛନ୍ତି ।  ବନବିଭାଗ ପକ୍ଷରୁ ବିଶେଷକରି ଏଇ ଧାନଫସଲ ଆମଦାନୀ ଋତୁରେ ଜଙ୍ଗଲସଂଲଗ୍ନ ଗ୍ରାମ ଗୁଡିକରେ ଗୋଇନ୍ଦାତଥ୍ୟ ସଂଗ୍ରହ ଓ ଜଙ୍ଗଲଆଇନ୍ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଉଦ୍ୟମ ଜରୁରୀ ହୋଇପଡିଥିବା ବେଳେ ଅବହେଳା ଲକ୍ଷ୍ୟ କରାଯାଇଛି ।

ପ୍ରକାଶଯୋଗ୍ୟ ଯେ , ଚୋରାଶିକାରୀମାନେ ବାର୍ହାଶିକାର କରିବାକୁ ମାଇଲ୍ ମାଇଲ୍ ବ୍ୟାପି ଜିଆଇ ତାର ଟାଣି , ତହିଁରେ ଖାଲି ବିୟର୍ ବୋତଲ୍ ବା ଥଣ୍ଡାପାନୀୟର ଖାଲି ବୋତଲ ବାନ୍ଧି ଫାଶ ବସାଇ ନିଷବ୍ଦରାତିରେ ଟାକିଥା’ନ୍ତି । ଗତମାସର ବଲାଙ୍ଗୀର ସଦର ରେଞ୍ଜ୍ ର ଅସୁରଡୁଙ୍ଗୁରୀ ଦନ୍ତାହତ୍ୟା ମାମଲାରେ ଗିରଫ ହୋଇଥିବା ୫ ଜଣ ସ୍ଥାନୀୟ ଗ୍ରାମବାସୀଙ୍କ ଠାରୁ ଏପରି ଗୋଛାଏ ବିଦ୍ୟୁତ୍ ତାର ଜବତ ହୋଇଥିବା ସହ ସେମାନେ ଦୋଷସ୍ବୀକାର କରିଥିବା ପ୍ରକାଶ । ପୂର୍ବରୁ କିଛିବର୍ଷ ତଳେ  ବଲାଙ୍ଗୀର ବନଖଣ୍ଡର ଲୋଇସିଂହା ରେଞ୍ଜ୍ , ସାଲେଭଟା ସେକ୍ସନ୍ ରେ ମଧ୍ୟ ଏଭଳି ତାର ବନବିଭାଗ ଜବତ କରିଥିଲା ।  ବନବିଭାଗ ଆନ୍ତରିକ ଉଦ୍ୟମ କଲେ ଜଙ୍ଗଲସଂଲଗ୍ନ ଗ୍ରାମରୁ ଏଭଳି ଗୋଇନ୍ଦାସୂଚନା ପାଇବା ଆଦୌ ବଡକଥା ନୁହେଁ । ତେବେ ଏଭଳି ପଦକ୍ଷେପର ଦାୟିତ୍ୱ ଅଧିକାରୀମାନେ ନେଉଥିବାରୁ ବାରମ୍ବାର ବଲାଙ୍ଗୀର  ବନଖଣ୍ଡରେ ହାତୀମୃତ୍ୟୁ ଥମୁନାହିଁ ।

ସେହିପରି ସୋନପୁର , ଅନଗୁଳ ଓ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ସବୁ ହାତୀମୃତ୍ୟୁ ଘଟଣା ଲୋକଲୋଚନକୁ ଆସିପାରୁନାହିଁ । ଏଣୁ ଶେଷରେ ବିଭାଗୀୟ ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଉଦ୍ ବେଗ ପ୍ରକାଶ କରି ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖନୀୟ ଯେ , ଏହା ରୋକିବାକୁ ସରକାର ଗଜସାଥୀ , ରାପିଡ୍ ଆକ୍ସନ୍ ଟିମ୍ ଇତ୍ୟାଦିର ବ୍ୟବସ୍ଥା କରିଛନ୍ତି । ଏହାସତ୍ତ୍ବେ ଉଦ୍ ବେଗ ଜନକ ଭାବେ ହାତୀମୃତ୍ୟୁ ବଢିଚାଲିଛି । ଏହାକୁ ସରକାର କୌଣସିମତେ ବରଦାସ୍ତ କରିବେ ନାହିଁ । ଏଥିପାଇଁ ଦୋଷୀ ଓ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରିଥିବା କର୍ମଚାରୀ / ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏକମାସ ମଧ୍ୟରେ ଏହାର ରିପୋର୍ଟ ଦେବାକୁ ମନ୍ତ୍ରୀ ତାଗିଦ୍ କରିଥିବା ପ୍ରକାଶ ।

Leave a Reply

Your email address will not be published. Required fields are marked *

Related Post