ଛଟେଇ ପରେ ଗୁମର ଖୋଲିଲା
ବଲାଙ୍ଗୀର : ଏବେ ଉତ୍କଟ ବେକାରୀସମସ୍ୟାକୁ ଆଉଟ୍ ସୋର୍ସିଂ ନିଯୁକ୍ତି ଓ ତହିଁରେ ପୁଣି ଲକ୍ଷାଧିକ ଟଙ୍କାରେ ଖୋଲାଖୋଲି ଚାକିରୀ ବିକ୍ରି ପରେ ମନଇଚ୍ଛା ଛଟେଇ ସମସ୍ୟା ସୃଷ୍ଟି କରିଛି । ସଂପ୍ରତି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହାସପାତାଳରେ ଏଭଳି ଘଟଣା ଗଣମାଧ୍ୟମରେ ଖବର ପ୍ରକାଶ ପରେ ଜନପ୍ରତିକ୍ରିୟା ପ୍ରକାଶ ପାଇଛି ।
ପ୍ରକାଶ ଯେ , ଏଠାରେ ବିବିଏମ୍ ଏଚ୍ ହାସପାତାଳରେ କିଛିଦିନତଳେ ୮ ହଜାରିଆ ବେତନର ସଫେଇ କର୍ମଚାରୀ ନିଯୁକ୍ତିରେ ଆଉଟ୍ସୋର୍ସିଂ ବନାମ ନିଯୁକ୍ତିଦାତା ଘରୋଇ ସଂସ୍ଥା ଜଣପିଛା ୧ ଲକ୍ଷ ୮୦ ହଜାର ଟଙ୍କାରେ ଏହିଚାକିରୀକୁ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା । ଏବେ ଲାବ୍ ଟେକ୍ନିସିଆନ୍ , ଫିଲ୍ଡ ଟେକ୍ନିସିଆନ୍ , ଇଲେକ୍ଟିସିଆନ୍ ଓ ଫାର୍ମାସିଷ୍ଟ୍ ଇତ୍ୟାଦି ପଦ ପାଇଁ ଏହି ୧୦ ହଜାରିଆ ଚାକିରୀକୁ ପ୍ରତ୍ୟୁଷ ଏଜେନ୍ସି ନାମକ ନିଯୁକ୍ତିଦାତା ସଂସ୍ଥା ପକ୍ଷରୁ ୧ ଲକ୍ଷ ୫୦ ହଜାର / ୧ ଲକ୍ଷ ୮୦ ହଜାର ଟଙ୍କାରେ ବିକ୍ରି କରାଯାଇ ୬ ମାସ ତଳେ ୪୫ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା ଓ ଏବେ ସେମାନଙ୍କ ମଧ୍ୟରୁ ଏକକାଳୀନ ୨୦ ଜଣଙ୍କୁ ଛଟେଇ କରିଦିଆଯାଇଛି । ନିଯୁକ୍ତିବେଳେ କୁହାଯାଇଥିଲା ଯେ ୬ ମାସ ସେମାନଙ୍କର କାମର ତଦାରଖ ପରେ ସ୍ଥାୟୀ ନିଯୁକ୍ତି ଦିଆଯିବ । ତେବେ କେଉଁ ‘ମାନକ’ ବା ‘ଭିତ୍ତି’ରେ ଏହି ୨୦ ଜଣଙ୍କୁ ଛଟେଇ କରାଯାଇଛି , ଏହାର କାରଣ ଜାଣିବାକୁ ଗତକାଲି ଏହି ଛଟେଇ କର୍ମଚାରୀମାନେ ବିବିଏମ୍ ଏଚ୍ ଅଧୀକ୍ଷିକା ଡା ମାନସୀ ପଣ୍ଡାଙ୍କୁ ଘେରିଥିଲେ । ଏହାର ଉତ୍ତରରେ ଅଧୀକ୍ଷିକା ପାଣ୍ଠି ଅଭାବରୁ ଏହା କରାଯାଇଛି ଓ ଯିଏ ଚାକିରୀ ଦେବାକୁ ଟଙ୍କା ନେଇଛି , ଯାଅ ତାକୁ ପଚାରିବ ବୋଲି ସଫେଇ ଦେଇ ନିଜମୁଣ୍ଡରୁ ଦାୟିତ୍ୱ ଖସାଇ ନେଇଥିବା ପ୍ରକାଶ ।
ତେବେ ଏହି ପ୍ରତ୍ୟୁଷ ଏଜେନ୍ସି କେଉଁଠିକାର , କିଏ ଏହି ସଂସ୍ଥାକୁ ଏଭଳି ନିଯୁକ୍ତି ପାଇଁ ଅନୁମୋଦନ କରିଛି ଓ ଉକ୍ତ ସଂସ୍ଥା କିପରି ନିରଙ୍କୁଶ ଭାବରେ ଲକ୍ଷାଧିକ ଟଙ୍କା ଉତ୍କୋଚ ନେଇ ଚାକିରୀ ବିକ୍ରି କରୁଛି ; ଏହାର ପରିଚାଳନା ଦାୟିତ୍ବ କାହାର ? ବିବିଏମ୍ ଏଚ୍ କର୍ତ୍ତୃପକ୍ଷଙ୍କର ଏଥିପାଇଁ କୌଣସି ଦାୟିତ୍ୱ ଅଛି କି ? ପୂର୍ବରୁ ମଧ୍ୟ ଏହି ସରକାରୀ ହାସପାତାଳରେ ଏଭଳି ଅଭିଯୋଗ ପ୍ରକାଶ ପାଇଥିବା ସତ୍ତ୍ୱେ କାହିଁକି ସରକାର ଏହାର ତଦନ୍ତ ନକରି ପୁଣି ସେଇ ଅଭିଯୁକ୍ତସଂସ୍ଥାକୁ ରଖିଛନ୍ତି , ଏହାର ଉତ୍ତରଦାୟୀ କିଏ ହେବ ? ସର୍ବୋପରି ସ୍ବାସ୍ଥ୍ୟମନ୍ତ୍ରୀ ଡା ମୁକେଶ ମହାଲିଙ୍ଗ ବଲାଙ୍ଗୀର ଜିଲ୍ଲାର ହୋଇଥିଲେ ହେଁ , ଗଣମାଧ୍ୟମରେ ଲୋକଲୋଚନକୁ ଓ ସରକାରଙ୍କ ଦୃଷ୍ଟିକୁ ଅଣାଯାଇଥିବା ଆଉଟ୍ସୋର୍ସିଂ ସଂସ୍ଥାମାନଙ୍କର ଏପରି ବିଭିନ୍ନ ଆଳରେ ବଦମାସୀକୁ ବରଦାସ୍ତ କରିବା ପଛରେ କି ଉଦ୍ଦେଶ୍ୟ ରହୁଛି ? ‘ବୋଲି ଲୋକେ ଆଲୋଚନା କରୁଛନ୍ତି ।
ତେବେ ଟଙ୍କା ଦେଇ ଚାକିରୀ କିଣି ଫାଶରେ ପଡିଲାପରେ ବୁଦ୍ଧି ଶିଖୁଥିବା ଛଟେଇ କର୍ମଚାରୀମାନଙ୍କର ମଧ୍ୟ କିଛି ଭୂମିକା ରହୁଛି କି ବୋଲି ପ୍ରଶ୍ନ କରାଯାଇଛି ?