ଅପରାଧ

ହଷ୍ଟେଲରେ ମୋବାଇଲ ଚୋରି ପାଇଁ ଛାତ୍ରହତ୍ୟା

Email :

ସୋନପୁର : ଗତ ଡିସେମ୍ବର ୧୫ ତାରିଖରେ ତରଭା ଥାନାନ୍ତର୍ଗତ ଚାରଭଟା ଏସ୍ ସି ଏସ୍ ଟି ସ୍କୁଲ ହଷ୍ଟେଲରେ ଏକ ମୋବାଇଲ ଫୋନ୍ ଚୋରି ସନ୍ଦେହରେ ୯ ଜଣ ସହପାଠୀ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ମିଳିତ ଭାବେ ପିଟି ପିଟି ହତ୍ୟା କରି ଗିରଫ ହୋଇଛନ୍ତି । ମିଳିତ ଭାବରେ ନିସ୍ତୁକମାଡରେ ଛାତ୍ରଟିର ଶରୀରର ଆଭ୍ୟନ୍ତରୀଣ ଅଂଶରେ ଗୁରୁତର ଆଘାତ ଉପରକୁ ଜଣାପଡୁ ନ ଥିଲେ ହେଁ , ସେ ପରଦିନ ପର୍ଯ୍ୟନ୍ତ ବଞ୍ଚିଥିଲା ଓ ୧୬ ତାରିଖ ପୂର୍ବାହ୍ନରେ ଖଟରେ ବେହୋସ୍ ହୋଇପଡିଥିବା ଦେଖି ସ୍କୁଲ୍ ପକ୍ଷରୁ ତାକୁ ଉକ୍ତ ଦିନ ଘ୧୧.୪୫ମି ରେ ସ୍ଥାନୀୟ ଚାରଭଟା ପି ଏଚ୍ ସି କୁ ନିଆଗଲା ବେଳକୁ ତାର ମୃତ୍ୟୁ ହୋଇ ସାରିଥିଲା । ଚାରଭଟା ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଡା. ପ୍ରେମାନନ୍ଦ ମେହେର ତାହାକୁ ରିସିଭ୍ ଡେଡ୍ କରି ମୃତଘୋଷଣା କରିଥିଲେ । ଖବରପାଇ କମସରା ପୁଲିସ ପହଞ୍ଚିଥିଲା ଓ ମୃତଦେହକୁ ତରଭା ଥାନାକୁ ନିଆଯାଇ ତରଭା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶବବ୍ୟବଚ୍ଛେଦ କରାଯାଇଥିଲା । ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଲୋକଙ୍କ ମଧ୍ଯରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସୁବର୍ଣ୍ଣପୁର ଜିଲ୍ଲାପାଳ , ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀ , ଏସ୍ ପିଙ୍କ ନିର୍ଦ୍ଦେଶରେ ଜଣେ ଡିଏସପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ମୃତଛାତ୍ରଟିର ପିତା ଓ ପରିବାର ଲୋକେ ପହଞ୍ଚିଯାଇଥିଲେ ।

୯ ଜଣ ସହପାଠୀ ପିଟି ପିଟି ଜଣକୁ ମାରିଦେଲେ

ଏହି ଘଟଣାରେ ଜିଲ୍ଲାପାଳ ଡ. ନୃପରାଜ ସାହୁ ଉକ୍ତ ହଷ୍ଟେଲର ସହକାରୀ ସୁପରିଣ୍ଟେଣ୍ଡେଣ୍ଟ୍ ଅରବିନ୍ଦ ମହାକୁରଙ୍କୁ ଦାୟିତ୍ବରେ ଅବହେଳା ପାଇଁ ନିଲମ୍ବିତ କରିବା ସହ ପ୍ରଧାନଶିକ୍ଷୟିତ୍ରୀ ନିବେଦିତା ହୋତାଙ୍କୁ କୈଫିୟିତ୍ ତଲବ କରିଛନ୍ତି । ପ୍ରକାଶଯୋଗ୍ଯ ଯେ , ଏହି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ନିବେଦିତା ହୋତା ଅଳ୍ପଦିନ ହେଲା ଗତ ଅଗଷ୍ଟ ୧୪ ତାରିଖରେ ସଇଁତଳାରୁ ବଦଳି ହୋଇ ଆସିଛନ୍ତି । ସେ ଜଣେ ସରଳା ଓ ଅଭିଜ୍ଞା ପ୍ରଧାନଶିକ୍ଷୟିତ୍ରୀ ହୋଇଥିଲେ ହେଁ ତାଙ୍କୁ କେତେକ ଶିକ୍ଷକ/ ଶିକ୍ଷୟିତ୍ରୀ ନିକୃଷ୍ଟ ସ୍ବାର୍ଥସାଧନ କରି ନ ପାରିବାରୁ ଅସହଯୋଗ କରି ଆସୁଥିବା ଲକ୍ଷ୍ୟ କରାଯାଇଛି । ଜଣେ ଦୀର୍ଘବର୍ଷ ଧରି ଅବସ୍ଥାପିତା ପୂର୍ବଓଡିଶାର ଶିକ୍ଷୟିତ୍ରୀ ବରାବର ତାଙ୍କ ଅହଂ ପାଇଁ ଭିତିରିଆ ବିଶୃଙ୍ଖଳା ସୃଷ୍ଟି କରି ଆସୁଥିବା ଜଣାଯାଇଛି । ଏପରିକି ଆଗତୁରା ଟେବୁଲ୍ ଉପରେ ମେସ୍ ଖର୍ଚ୍ଚର ଟଙ୍କା ନ ରଖିଲେ ସେ ମେସ୍ ଚାର୍ଜ ନେବେନାହିଁ ବୋଲି ହଟ କରୁଥିବା ପ୍ରକାଶ । ଏହି ସ୍କୁଲରେ କାହିଁକି ଜଣେ ପୁରୁଷ ପ୍ରଧାନ ଶିକ୍ଷକଙ୍କୁ ଦାୟିତ୍ବରେ ରଖାଯାଉନାହିଁ ? ‘-ବୋଲି ପ୍ରଶ୍ନର ଉତ୍ତରରେ ବିଶ୍ବସ୍ତସୂତ୍ରରୁ କୁହାଯାଉଛି ଯେ , ଉକ୍ତ ଶିକ୍ଷୟିତ୍ରୀ ଜଣକ କୁଆଡେ ଥରେ ଜଣେ ପୁରୁଷ କର୍ମଚାରୀଙ୍କ ବିରୁଦ୍ଧରେ ନିଜ ବ୍ଲାଉଜ୍ ଚିରିଦେଇ ମିଥ୍ୟା ଅଭିଯୋଗରେ ଫସାଇ ଦେଇଥିଲେ !

ଜିଲ୍ଲାର ଏହି ଏକମାତ୍ର ଅନୁସୂଚିତ ଜାତି ଓ ଜନଜାତିର ଉଚ୍ଚ ମାଧ୍ୟମିକ ସ୍କୁଲ୍ ବା ଆଦିବାସୀ କଲେଜରେ ଦୀର୍ଘବର୍ଷ ହେବ ବିଭିନ୍ନ କ୍ଷେତ୍ରରେ ଅବ୍ୟବସ୍ଥା ଲାଗି ରହିଛି । ମୋଟ ୩ ଟି ଛାତ୍ର ଛାତ୍ରୀଙ୍କର ମେସ୍ ଓ ଛାତ୍ରାବାସରେ ୧୧୪ ଓ ଛାତ୍ରୀନିବାସରେ ୧୮୧ ତଥା ମୋଟ ୮୨୪ ଜଣ ପିଲାଙ୍କର ଏହି ସ୍କୁଲରେ ଅନେକ ଶିକ୍ଷକ ନ ରହି ବଲାଙ୍ଗୀର ଓ ଘରକୁ ପଳାନ୍ତି । ଘଟଣାଦିନ ଉକ୍ତ ଛାତ୍ରାବାସରେ ୭୬ ପିଲା ଥିବା ସ୍କୁଲ ପକ୍ଷରୁ ପ୍ରକାଶ । କିଛିଦିନ ତଳେ ଏହି ସ୍କୁଲର ଦୁଇଜଣ ଛାତ୍ରଛାତ୍ରୀ ପାଚେରୀ ଡେଇଁ ପଳାଇଥିବା ପରି ଘଟଣା ଘଟିଥିବା କୁହାଯାଇଛି । ତଦନ୍ତ କରିବାକୁ ଯାଇଥିବା ଜଣେ ପୁଲିସ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରୁଥିବା ଏତେବଡ ପ୍ରକଳ୍ପରେ କୌଣସିପ୍ରକାର ପରିଚାଳନାଗତ ଶୃଙ୍ଖଳା ନାହିଁ । ମୃତଛାତ୍ରଟିକୁ ଆକ୍ରମଣ କରାଯାଇଥିବା ଘଟଣାସ୍ଥଳରେ ଦେଶୀ ମଦପାଉଚ୍ ଜରି , କୋରେକ୍ସ କଫସିରଫ୍ ର ଖାଲିଶିଶି ଓ ଅନ୍ଯାନ୍ଯ ନିଶାଦ୍ରବ୍ୟର ଗଦା ଦେଖି ସେ ବିସ୍ମିତ ହୋଇଯାଇଥିଲେ ! ଭାରପ୍ରାପ୍ତା ସୁପରିଣ୍ଟେଣ୍ଡେଣ୍ଟ୍ ବାସନ୍ତୀ ଦେଈଙ୍କୁ ସେ ଉକ୍ତ ଦିନର ଦାୟିତ୍ବରେ ଥିବାବେଳେ କ’ଣ କରୁଥିଲେ ? ‘ ର ଉତ୍ତରରେ ସେ କେବଳ ଆଡମିସନ , ଏକ୍ ଜା ମିଶନ ମୋର ଦାୟିତ୍ବ ଓ ସେତେବେଳେ ଉପରୁ ଏକ ଫୋନ୍ ଆସିବାରୁ ମୁଁ ପରୀକ୍ଷାଖାତା ଖୋଜୁଥିଲି ‘ ବୋଲି ଚତୁରତାର ସହିତ ଏଡାଇ ଯାଇଥିଲେ । କେତେକ ଶିକ୍ଷକ/ ଶିକ୍ଷୟିତ୍ରୀଙ୍କ ପ୍ରରୋଚନାରେ କେତେକ ଛାତ୍ରୀଙ୍କ ସ୍ବାକ୍ଷରରେ ନିଲମ୍ବିତ ଶିକ୍ଷକଙ୍କୁ ପରୀକ୍ଷା ପାଖଥିବା ଆଳରେ ନିଲମ୍ବନ ପ୍ରତ୍ୟାହାର କରାଯିବାକୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ଯରେ ଏକ ଦରଖାସ୍ତ ପ୍ରଦାନର ଉଦ୍ୟମ ହେଉଥିବା ଏହି ସ୍କୁଲରେ ପ୍ରଚ୍ଛନ୍ନ ଷଡଯନ୍ତ୍ରର ଆଭାସ ମିଳିଥିଲା । ମଝିରେ ମଝିରେ ହଷ୍ଟେଲରୁ ପୁଳା ପୁଳା ମୋବାଇଲ ଜବତ ହେଉଥିବା ଜନୈକା ସହକାରୀ ମହିଳା କର୍ମଚାରୀ ପ୍ରକାଶ କରିଛନ୍ତି । ତଥାପି ବସ୍ତି ଭିତରେ ଅବସ୍ଥିତ ଏହି ସ୍କୁଲର ହଷ୍ଟେଲର ଛାତ୍ରାବାସ / ଛାତ୍ରୀନିବାସର ଅନ୍ତେବାସୀଙ୍କ ସହ ବାହାରର ଅଣଛାତ୍ରଙ୍କର ଅବାଧ ଅନୁପ୍ରବେଶ ରହିଥିବା କୁହାଯାଉଛି ।

ଏସ୍ ପି ନାରାୟଣ ନାଏକ ପ୍ରଥମେ ଏହି ଘଟଣାକୁ ଏକ ଅପମୃତ୍ୟୁ ମାମଲା ଋଜୁ ହେଲା ପରେ ହାଲୁକା ଭାବରେ ନେଇଥିବା ଓ ମାଡ ଯୋଗୁଁ ହତ୍ୟା ବୋଲି ନିର୍ଦ୍ଦିଷ୍ଟ ଅଭିଯୋଗ ହେଲେ ସେ ସମ୍ପର୍କରେ ତଦନ୍ତ ହେବ ବୋଲି କହିବାରୁ ମୃତଛାତ୍ରଙ୍କ ପରିବାର ପକ୍ଷରୁ ପୁଣି ଦ୍ବିତୀୟ ଏତଲା ଦିଆଯିବା ସହ କେତେକ ସଂଗଠନ ପକ୍ଷରୁ ଏସ୍ ପି ଙ୍କୁ ପ୍ରକୃତ ଦିଗରେ ତଦନ୍ତ ନିମନ୍ତେ ଦାବି କରାଯାଇଥିଲା ।

ଏଣୁ ପ୍ରଥମେ ସ୍କୁଲ ପକ୍ଷରୁ ଘଟଣାଟିକୁ ଛାତ୍ରଙ୍କର ସ୍ବାଭାବିକ ମୃତ୍ୟୁ କୁହାଯିବାରୁ ଘରଲୋକ ଓ ବିଭିନ୍ନ ସଂଗଠନ ତରଫରୁ ଏହା ଏକ ସଂଘବଦ୍ଧ ହତ୍ୟାକାଣ୍ଡ ବୋଲି ଦାବି କରାଯାଇ ଦ୍ବିତୀୟବାର ହତ୍ୟାକାଣ୍ଡ ସନ୍ଦେହର ଏତଲା ଦେବାପରେ ପୁଲିସ ପ୍ରଥମେ ତରଭା ଥାନାରେ ଏକ ଅପମୃତ୍ୟୁ ମାମଲା ଋଜୁ କରିଥିଲେ ହେଁ, ପରେ ସେ ଦିଗରେ ତଦନ୍ତ କରି ଶବବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍କୁଲର ୯ ଜଣ ସହପାଠୀଙ୍କୁ ଥାନାକୁ ଆଣି ତଥ୍ୟ ଓ ପ୍ରମାଣ ପାଇ ସେମାନଙ୍କ ମଧ୍ଯରୁ ଜଣେ ସାବାଳକକୁ ଗିରଫ କରି ସୋନପୁର ଜେଲ୍ ହାଜତ ଓ ୮ ଜଣ ନାବାଳକଙ୍କୁ ରାଉରକେଲା ବାଳସୁଧାରଗୃହକୁ ପଠାଇ ଦେଇଛି । ଗିରଫ ଅଭିଯୁକ୍ତ ସାବାଳକ ଜଣକ ହେଲା ତରଭା ଥାନାନ୍ତର୍ଗତ ପୁରୁଣାପାଣି ଗ୍ରାମର ଅଜିତ ହରିପାଲ ( ୧୮ ) ଓ ଅନ୍ୟ ୮ ଜଣ ନାବାଳକମାନେ ହେଲେ ସୁବର୍ଣ୍ଣପୁର ଓ ଆଖପାଖ ଅଞ୍ଚଳର ଓ ଅନ୍ଯାନ୍ଯ ଜିଲ୍ଲାର ଅଟନ୍ତି । ମୃତ ଛାତ୍ର ଜଣକ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ଥାନାନ୍ତର୍ଗତ ଚେରୁପାଲି ପଞ୍ଚାୟତର ବଡ ନୂଆପାଲିର ବିଷ୍ଣୁ ସୁନାଙ୍କ ପୁତ୍ର ଆର୍ଯ୍ୟନ୍ ସୁନା ( ୧୭ ) ।

ତେବେ ଜିଲ୍ଲାର ଉପାନ୍ତରେ ଅବସ୍ଥିତ ଆଦିବାସୀ କଲ୍ଯାଣ ବିଭାଗର ଏହି ଉଚ୍ଚ ଶିକ୍ଷାନୁଷ୍ଠାନର ବାପମାଆ କେହି ଥିବା ପରି ଲାଗେନାହିଁ । ଦୀର୍ଘବର୍ଷ ଧରି ଏହାର କାନ୍ଥ ଓ ପାଚେରୀଗୁଡିକ କଣା ଓ ଫାଟି ଭାଙ୍ଗିଯାଇଛି । ‘ଚୋର ପଳାଇଲା ପରେ ବୁଦ୍ଧି ପଶେ ‘ ପରି ଆମେ ଗଲାଦିନ ତରଭା ବିଡିଓ ଗଙ୍ଗାରାମ ବୁଡେକ ପହଞ୍ଚି ଭଙ୍ଗା ପାଚେରୀ ଓ ଖୋଲାଗେଟ୍ ମରାମତି ପାଇଁ ତଦାରଖ କରୁଥିବା ଦେଖାଯାଇଥିଲା । ଏହି ଆକ୍ରମଣରେ ବାହାରର କେତେକ ଅଣଛାତ୍ରଙ୍କ ସମ୍ପୃକ୍ତି ରହିଥିବା ଚର୍ଚ୍ଚା ମଧ୍ଯ ତାଙ୍କ କର୍ଣଗୋଚର ହୋଇଥିଲା । ଏ ସମ୍ପର୍କରେ ଫୋନ୍ ଯୋଗେ ସୁବର୍ଣ୍ଣପୁର ଜିଲ୍ଲା ଏଡିଡବ୍ଲୁଓ ସଂଯୁକ୍ତା ମାଝିଙ୍କୁ ଯୋଗାଯୋଗ କରାଯାଇ ଥିଲେ ହେଁ , ସେ ଫୋନ୍ ଉଠାଇ ନ ଥିବା ବେଳେ , ଡିଡବ୍ଲୁଓ ଅଚ୍ୟୁତାନନ୍ଦ ସିଂ ‘ ସେ ଏ ସମ୍ପର୍କରେ କିଛି ଜାଣି ନଥିବା ପ୍ରକାଶ କରିଥିଲେ । ଏହି ଅଧିକାରୀମାନେ ନିତାନ୍ତ ଅପାରଗ ଓ ଜିଲ୍ଲାର ୧୧ଟି ହାଇସ୍କୁଲ, ଆଶ୍ରମସ୍କୁଲ୍ , ସେବାଶ୍ରମର ପରିଚାଳନାରେ ଘୋର ବିଶୃଙ୍ଖଳା ପରିଲକ୍ଷିତ ହୋଇଛି । ଅସୁରଗଡ ବା ଉଲୁଣ୍ଡା ବ୍ଲକ୍ ର କୁଞ୍ଜାପାଲି ସ୍କୁଲରେ ଶିକ୍ଷକମାନେ ରହନ୍ତିନାହିଁ । ଏହି ଆଦିବାସୀ ଆବାସିକ ସ୍କୁଲ ଗୁଡିକରୁ ମେସ୍ ଖର୍ଚ୍ଚରୁ ଓ ଅନ୍ଯାନ୍ଯ ଖର୍ଚ୍ଚରୁ ନିୟମିତ ବଟି ନେବା ବିଭାଗୀୟ ଅଧିକାରୀଙ୍କ ଏକ ଅଭ୍ୟାସଗତ ଦୁର୍ନୀତିରେ ପରିଣତ ହୋଇଛି ।

ଏହି ସ୍କୁଲର ୩ ଟି ଯାକ ମେସ୍ ରେ ମାସିକ ପ୍ରାୟ ୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଖର୍ଚ୍ଚ ହେଉଥିବା ଓ ଉପରୁ ତଳ ପର୍ଯ୍ୟନ୍ତ ଶିକ୍ଷକ/ ଶିକ୍ଷୟିତ୍ରୀ ଓ ବିଭାଗୀୟ ତଥା ପ୍ରାଶାସନିକ ଅଧିକାରୀମାନେ ପିଲାମାନଙ୍କ ପେଟକାଟି ହାତଚିକ୍କଣ କରି ଆସୁଥିବା ଲୋକେ ଅଭିଯୋଗ କରୁଥିଲେ ହେଁ , ଶେଷରେ ଚରମ ବିଶୃଙ୍ଖଳାର ପରିଣତି ସ୍ବରୂପ ବାପାମାଆମାନେ ସରକାରଙ୍କ ଅନୁଦାନରେ ପେଟକୁ ଗଣ୍ଡାଏ ଖାଇବାକୁ ପାଇ ପାଠପଢିବାକୁ ଛାଡିଦେଉଥିବା ପିଲାମାନଙ୍କ ଦୁଃଖଦ ଭବିଷ୍ୟତ ଯେ ଏମିତି ଘଟିବ , ଏଥିପାଇଁ କିଏ ଦାୟୀ ?

Leave a Reply

Your email address will not be published. Required fields are marked *

Related Post