ଜିଲ୍ଲା

ଜାଲ୍ ସାର୍ଟିଫେକଟ୍ ରେ ଚାକିରୀ 

Email :

ଅଙ୍ଗନବାଡି ନିଯୁକ୍ତିରେ ଅବିଚାର  !

ବଲାଙ୍ଗୀର :  ଖପ୍ରାଖୋଲ ବ୍ଲକ୍ ର ଶିଶୁ ବିକାଶ ପ୍ରକଳ୍ପ ଅନ୍ତର୍ଗତ ଜଲପାଙ୍କେଲ ଗ୍ରାମର ଏକ ଅଙ୍ଗନବାଡି କେନ୍ଦ୍ରର କର୍ମୀ ନିଯୁକ୍ତିରେ ଗତ ୨୦୧୦ରୁ ଦୀର୍ଘ ୧୪ ବର୍ଷ ଧରି ବିବାଦ ଥମୁନାହିଁ ।  ଜଣେ କର୍ମୀ ଏଇ ପଦବୀଟିକୁ ନକଲି ଶିକ୍ଷାଗତ ପ୍ରମାଣପତ୍ର ବଳରେ କବ୍ଜା କରି ରହିଆସିଥିବା ବେଳେ ଏହାକୁ ଚ୍ୟାଲେଞ୍ଜ୍ କରି ପ୍ରକୃତ ଯୋଗ୍ୟା ପ୍ରାର୍ଥିନୀ ଜଣକ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଆଇନ ଅଦାଲତର ଦର୍ଜା ଖଟଖଟାଇବା ପରେ ମଧ୍ୟ ଅଦ୍ୟାବଧି ନ୍ୟାୟ ମିଳୁ ନଥିବାର ଅଭିଯୋଗ କରିଛନ୍ତି । ଉଲ୍ଲେଖନୀୟ ଯେ , ଅଦ୍ୟାପି ଉକ୍ତ ଗ୍ରାମର ଜଣେ ବୋହୁ ବିନୋଦିନୀ ରଣା ଏଇ ପଦବୀଟିକୁ ମାଡି ବସିଥିବା ବେଳେ , ଏହି ପଦର ଦାବିଦାର ପ୍ରତିଦ୍ଵନ୍ଦୀ ଅନ୍ୟ ଜଣେ ବୋହୁ ଗୀତାଞ୍ଜଳି ତ୍ରିପାଠୀ ଏଥିରୁ ବଞ୍ଚିତା ହୋଇଛନ୍ତି ।  ଗୀତାଞ୍ଜଳିଙ୍କ ଅଭିଯୋଗ ଅନୁଯାୟୀ , ତାଙ୍କର ତାଙ୍କ ଗାଁ’ ହାଇସ୍କୁଲ  ପାଟଣାଗଡ ମରୁଆଁ ହାଇସ୍କୁଲର ଛାତ୍ରୀ ଭାବରେ ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରିଆସୁଛନ୍ତି । କିନ୍ତୁ ଏହି ଚାକିରୀଟି ପାଇଁ ଆରମ୍ଭରୁ ତାଙ୍କ ଜଲପାଙ୍କେଲ ଗ୍ରାମର ବିବାହିତା ଓ ଜୁରିଆ ଗ୍ରାମର ପ୍ରାଥମିକ ସ୍କୁଲରେ ପଢିଥିବା ବିନୋଦିନୀ ରଣା ପୂର୍ବରୁ ବାହାର ରାଜ୍ୟର ନକଲି କିଣା ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରି ତାଙ୍କ ଅଭିଯୋଗକ୍ରମେ ବହିଷ୍କୃତା ହେବା ପରେ ପୁଣି ଦ୍ବିତୀୟଥରର ଇଣ୍ଟରଭିଉରେ ଆଉ ଏକ ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରି ଏହି ପଦଟିକୁ ହାସଲ କରିଛନ୍ତି । ଉକ୍ତ ଦୁଇଟି ପ୍ରମାଣପତ୍ରରେ ତାଙ୍କର ଭିନ୍ନ ଭିନ୍ନ ଜନ୍ମତାରିଖ ମଧ୍ୟ ଉଲ୍ଲେଖ ରହିଛି । ତେଣୁ ସେ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ସିଡିପିଓ , ଉପଜିଲ୍ଲାପାଳ , ଅତିରିକ୍ତ ଜିଲ୍ଲାପାଳ , ଜିଲ୍ଲାପାଳ ପ୍ରମୁଖଙ୍କ ନିକଟରେ  ଅଭିଯୋଗ ପୂର୍ବକ ଆବେଦନ କରିଆସୁଛନ୍ତି । ପୂର୍ବରୁ ତାଙ୍କ ସପକ୍ଷରେ ତତ୍କାଳୀନ ଏଡିଏମ୍ ମଧ୍ୟ ବିଚାର କରି ଖପ୍ରାଖୋଲ ସିଡିପିଓଙ୍କୁ ନକଲି ସାର୍ଟିଫିକେଟ୍ ର ତଦନ୍ତ ନିମନ୍ତେ ଲାଠୋର ଥାନାରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ତତ୍କାଳୀନ ଖପ୍ରାଖୋଲ ସିଡିପିଓ ବା ଲାଠୋର ଥାନାଧିକାରୀ ତଦନ୍ତ କରି ନଥିଲେ । ଅଧିକନ୍ତୁ ତତ୍କାଳୀନ ଖପ୍ରାଖୋଲ ସିଡିପିଓ ତାଙ୍କୁ ଜଏନ୍ କରାଇ ନଦେବାକୁ ଦୀର୍ଘ ଛୁଟି ନେଇ କାଳକ୍ଷେପଣ କରି ଟାଳି ଦେଇଥିଲେ । ଏଇ ଅବସରରେ ସୁଯୋଗ ପାଇ ପ୍ରତିଦ୍ଵନ୍ଦୀ ପ୍ରାର୍ଥିନୀ ହାଇକୋର୍ଟରୁ ସ୍ଥଗିତାଦେଶ ଆଣି ପୁଣି ଏକ ସାର୍ଟିଫିକେଟ୍ ଦାଖଲ କରି ଚାକିରୀଟିକୁ ହାତେଇ ନେବାରେ ସଫଳ ହୋଇଥିବା ସେ ଅଭିଯୋଗ ପ୍ରକାଶ କରୁଛନ୍ତି ।

ନେଇ ଆଣି ଥୋଇ ଜାଣିଲେ ଚୋରିବିଦ୍ୟା ଭଲ ?

ଏଥର ମଧ୍ୟ ବଲାଙ୍ଗୀର ଏଡିଏମ୍ ଙ୍କୁ ସେ ଅଭିଯୋଗ କରିଥିଲେ । ଏଡିଏମ୍ ମଧ୍ୟ ଯଥେଷ୍ଟ ଚତୁରତା ପୂର୍ବକ ‘ ଆଗକଥା ଛାଡ ‘,  ଆଜି ଆସ’ , ‘କାଲି ଆସ’ , ‘ମୁଁ ବ୍ୟସ୍ତ ଅଛି’ , ‘ଛୁଟିରୁ ଆସିଲେ ଅର୍ଡରରେ ସ୍ବାକ୍ଷର କରିବି’ , ‘ମୁଁ କ ନ୍ ଫ୍ୟୁ ଜ୍ ହେଉଛି ‘ ଇତ୍ୟାଦିର  କହି କାଳକ୍ଷେପଣ ପୂର୍ବକ ପୂର୍ବର ଏଡିଏମ୍ ଙ୍କ  ନିର୍ଦ୍ଦେଶକୁ ବିଚାରକୁ ନ ନେଇ ଆଉଥରେ ଆବେଦନର ଦାଖଲ ସାର୍ଟିଫେକଟ୍ କୁ ଆଧାର କରି ବିନୋଦିନୀ ରଣାଙ୍କ ସପକ୍ଷରେ ରାୟ ଦେଇଥିବା ପ୍ରକାଶ । ଏହାପଛରେ ଲକ୍ଷ ଲକ୍ଷ ଟଙ୍କାର ଉତ୍କୋଚ କାରବାର ହୋଇଥିବା ସନ୍ଦେହ କରାଯାଉଛି । ଏ ସମ୍ପର୍କରେ ବଲାଙ୍ଗୀର ଏଡିଏମ୍ ବିଜୟାନନ୍ଦ ସେଠୀଙ୍କ ମତାମତ ନେବାକୁ  ଉଦ୍ୟମ କରାଯାଇଥିଲେ ହେଁ , ସମ୍ଭବ ହୋଇପାରିନାହିଁ । ସର୍ବୋପରି ସେ ଏଇ ମାମଲାଟି ନିମନ୍ତେ କେତୋଟି ତାରିଖ ଧାର୍ଯ୍ୟ କରିଥିଲେ , କେବେ ଚୂଡାନ୍ତ କଲେ ଓ ଶେଷ ବିଚାର ପରେ କେତେଦିନ ଅର୍ଡରରେ ଦସ୍ତଖତ କରିବାକୁ କାହିଁକି କେତେଦିନ ଅହେତୁକ ଭାବେ  ଫାଇଲ୍ ପକାଇ ରଖିଥିଲେ ଓ ଉପମୁଖ୍ଯମନ୍ତ୍ରୀ ପଚାରିବାରୁ କେଉଁ ବିଷୟରେ କ ନ୍ ଫ୍ୟୁ ଜ୍ ଥିଲେ ‘ ଇତ୍ୟାଦି ସମ୍ପର୍କରେ ତାଙ୍କର ସଫେଇ କ’ଣ ଜଣାପଡିପାରି ନାହିଁ ।

କ୍ଷୋଭର ବିଷୟ ଯେ , ଗୀତାଞ୍ଜଳିଙ୍କ କହିବାନୁଯାୟୀ , ଏ ସମ୍ପର୍କରେ ସ୍ଥାନୀୟ ପାଟଣାଗଡ ବିଧାୟକ ତଥା ଉପମୁଖ୍ଯମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ପାଖକୁ ବାରମ୍ବାର ଯାଇ ଆପତ୍ତି କରିବା ପରେ ପ୍ରଥମେ ଉପମୁଖ୍ଯମନ୍ତ୍ରୀ ତାଙ୍କର ନ୍ୟାୟୋଚିତ ଅଧିକାର ରହିଛି । ସେ ହିଁ ଚାକିରୀ ପାଇବେ । ଯିଏ ଥରେ ସାର୍ଟିଫେକଟ୍ ଜାଲିଆତି କରିଛି , ସେ ଚୋର ‘ ଇତ୍ୟାଦି ଭେଣ୍ଡିଆବୋଧ ଦେଇ ଏଡିଏମ୍ ଙ୍କ ସହ କଥାହେଲା ପରେ ବି , ଶେଷରେ ତାଙ୍କ କଥା ରଖିଲେ ନାହିଁ  !

ଉଲ୍ଲେଖଯୋଗ୍ଯ ଯେ , ଏଇ ବିବାଦରେ ଦୁଇଜଣ ଓକିଲ ଉଭୟ ପକ୍ଷରୁ ନିୟୋଜିତ ହୋଇଥିଲେ ଓ ଲକ୍ଷ ଲକ୍ଷ ଟଙ୍କାର ଫିଜ୍ ନେଇଛନ୍ତି । ବିନୋଦିନୀ ରଣାଙ୍କ ପକ୍ଷରୁ ଓକିଲ ଦର୍ପ ପଟ୍ଟନାୟକ ଏବଂ ଗୀତାଞଳିଙ୍କ ପକ୍ଷରୁ ତ୍ରିଲୋଚନ ପୁଞ୍ଜି ନାମକ ଦୁଇଜଣ ସ୍ବନାମଧନ୍ଯ ଓକିଲ ଏହି କେସ୍ ଦୀର୍ଘବର୍ଷ ଧରି ଲଢୁଥିଲେ । ଏପରିକି ତାଙ୍କ ପକ୍ଷର ଓକିଲ ଜଣକ ତାଙ୍କଠାରୁ ତିନି/ ଚାରି ଲକ୍ଷ ଟଙ୍କା ଝଡାଇନେଇ ସେମାନଙ୍କୁ କାଙ୍ଗାଳ କରିଦେଇଛନ୍ତି । ଫଳରେ ତାଙ୍କ ସ୍ବାମୀ ଦେଇଥିବା ଛୋଟ ଦୋକାନଟିକୁ ବନ୍ଦ କରିଦେଇ ରାଜ୍ୟ ବାହାରେ ଦାଦନ ଖଟି ଯାଇଥିବା ବେଳେ ସେ ଶାଶୁଘରେ ଦୁଇଟି ଛୋଟ ଛୋଟ ଛୁଆ ଓ ବୁଢା ଶଶୁରଙ୍କୁ ଧରି ଅତ୍ୟନ୍ତ ଅନାଟନରେ ପଡି ରହିଥିବା ଦୁଃଖପ୍ରକାଶ କରନ୍ତି । ଏଣୁ ସେ ତାଙ୍କର ପ୍ରକୃତ ଅଧିକାର ଓ ନ୍ୟାୟ ପାଇବାକୁ ଆଇନଅଦାଲତର ଉପରକୁ ଯିବେ ବୋଲି ପ୍ରକାଶ କରିଛନ୍ତି ।

ଏହା ଏକ ଅବିଚାର ବୋଲି ଜନସାଧାରଣରେ ଅଭିଯୋଗ ପ୍ରକାଶ ପାଇଛି । 

ବଲାଙ୍ଗୀର ଜିଲ୍ଲାରେ ଦୀର୍ଘବର୍ଷ ଧରି ଜାଲ୍ ଶିକ୍ଷାଗତ ପ୍ରମାଣ ପତ୍ରର ରାକେଟ୍ ଚାଲି ଆସୁଛି । ଗତବର୍ଷ ଏଭଳି ଜାଲ୍ ସାର୍ଟିଫେକଟ୍ ର ମାଷ୍ଟର ମାଇଣ୍ଡ୍ ଓ ଜଣେ ସହଯୋଗୀ ସମେତ ମୋଟ ୧୯ ଜଣ ଗିରଫ ହୋଇ ଜେଲ୍ ଯାଇଥିଲେ । ତଥାପି ଏଭଳି ବିଭିନ୍ନ ଚାକିରୀରେ ଗୋଟି ଗୋଟି କରି ଏଇ ନକଲି ସାର୍ଟିଫିକେଟ୍ ମାମଲା ଲୋକଲୋଚନକୁ ଆସୁଛି । ତଥାପି ପ୍ରଶାସନିକ ଅଧିକାରୀଙ୍କର ଏତାଦୃଶ ହେରଫେର ହାତସଫେଇ ଚାଲିଛି । ଏହାପଛର କାରଣ କ’ଣ , ସମସ୍ତେ ଜାଣନ୍ତି । ଆଉ ରାଜନେତା ବନାମ ଲୋକପ୍ରତିନିଧିଙ୍କର କି ଗୁଣ ଗାଇବା  ? ସେମାନେ ତ ଖଜୁରୀଗଛ । ମୂଳରୁ ପାହାଚ ପାହାଚ ।

Leave a Reply

Your email address will not be published. Required fields are marked *

Related Post