ଅଧିକାରୀଙ୍କ ହାତଚିକ୍କଣରୁ ଲଗାମ୍ ଛଡା ଶିକ୍ଷକ
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା କଲ୍ଯାଣ ବିଭାଗର ସ୍କୁଲ୍ ଗୁଡିକରେ ବିଶୃଙ୍ଖଳା ଓ ଅନିୟମିତତା ସୀମାଲଙ୍ଘନ କଲାଣି । କେଉଁଠି ଶିକ୍ଷକ/ ଶିକ୍ଷୟିତ୍ରୀଙ୍କ ଆଚରଣ ଛାତ୍ରଛାତ୍ରୀଙ୍କ ପ୍ରତି ହିଂସାତ୍ମକ ହୋଇଉଠିଲାଣି ତ , ପ୍ରାୟ ସବୁ ଆବାସିକ ଆଶ୍ରମ ଓ ସେବାଶ୍ରମ ସ୍କୁଲ୍ ସମେତ ବିଦ୍ୟାଳୟର ମେସ୍ ଓ ମଧ୍ଯାହ୍ନଭୋଜନରୁ ନିୟମିତ ବାଟମାରଣା ଦୁର୍ନିବାର ହୋଇଉଠିଛି । ଅଧିକାରୀଙ୍କ ହାତଚିକ୍କଣ ହେଉଥିବାରୁ ଅଭିଯୋଗ ପ୍ରକାଶ ସତ୍ତ୍ବେ ସେସବୁକୁ ଚପାଇ ଦିଆଯାଉଛି । ଏପରି କି ଏସବୁ ବିଶୃଙ୍ଖଳା ଓ ଅନିୟମିତତାର ଅଭିଯୋଗ ବିଭାଗୀୟ କର୍ତ୍ତୃପକ୍ଷ, ପ୍ରଶାସନ ଓ ସରକାରଙ୍କ କାନରେ ପଡୁଥିଲେ ହେଁ , ତଳୁ ଉପରସ୍ତର ପର୍ଯ୍ଯନ୍ତ ପ୍ରିୟାପ୍ରୀତିତୋଷଣ ଯୋଗୁଁ ଏହା ଆଦିବାସୀ କଲ୍ଯାଣ ବିଭାଗର ଏକ ନିନ୍ଦିତ ପରମ୍ପରାରେ ପରିଣତ ହେଲାଣି ।
ଉଦାହରଣ ସ୍ବରୂପ, ଗତ ୧୪ ତାରିଖରେ ପାଟଣାଗଡ ବ୍ଲକ୍ ର ବନେଇମୁଣ୍ଡା ଆଶ୍ରମସ୍କୁଲ୍ ର ୭ ଜଣ ଛାତ୍ର ପାଚେରୀ ଡେଇଁ ହଷ୍ଟେଲରୁ ପଳାୟନ କରିବା ପରେ ବଲାଙ୍ଗୀର ବସ୍ ଷ୍ଟାଣ୍ଡରୁ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ଏ ସମ୍ପର୍କରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଜ୍ଞାନମଞ୍ଜରୀ ଶିକା ସବୁ ଜାଣିଥିଲେ ହେଁ , ଅସଲ କାରଣ ଲୁଚାଇଥିଲେ । ପରେ ଏହାର କାରଣ ପୂର୍ବଦିନ ସ୍କୁଲର ଜଣେ ଭୋକେସନାଲ ଶିକ୍ଷକ ପ୍ରଶାନ୍ତ ପଟେଲ ଉକ୍ତ ଛାତ୍ରମାନେ ସ୍କୁଲ ଛୁଟିହେଲା ପରେ ବାହାରେ ଟିକେ ଖେଳୁଥିବା ଦେଖି ଏକ ବାଉଁଶବାଡିରେ ନିର୍ଘାତ୍ ମାଡ ମାରି ନୋଳା ଫଟାଇ ଦେଇଥିଲେ । ଉକ୍ତଦିନ ଶ୍ରେଣୀରେ ପୁଣି ପିଟିବାର ଧମକ ଦେବାରୁ ପୀଡିତ ପିଲାମାନେ ଭୟରେ ପାଚେରୀ ଡେଇଁ ପଳାଇଥିବା ଜଣାପଡିଥିଲା । ଏ ସମ୍ପର୍କରେ ଜଣେ ପିଲାର ମାମୁଁ ବାବୁଲାଲ ଧରୁଆ ଯାଇ ଅଭିଯୋଗ କରିବା ସହିତ ପିଲାଟିକୁ ନେଇ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ । ଖବର ପାଇ ଆଦିବାସୀ କଲ୍ଯାଣ ସଂଘର କେତେକ କର୍ମକର୍ତ୍ତା ମଧ୍ଯ ସ୍କୁଲକୁ ଯାଇ ଅନୁସନ୍ଧାନ କରିଥିବା ପ୍ରକାଶ । ତେବେ ଏ ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ ଉକ୍ତ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିବା ବେଳେ , ଅଦ୍ୟାବଧି ଖବର ପାଇ ମଧ୍ଯ ଭାରପ୍ରାପ୍ତ ଜିଲ୍ଲା କଲ୍ଯାଣ ଅଧିକାରୀ ପ୍ରତାପ କୁମାର ମହାନ୍ତି ନୀରବ ରହିଥିବା ମୂଳରେ ବିଭାଗୀୟ ଶିକ୍ଷକ ମହଲରେ ଭିନ୍ନକଥା ଶୁଣାଯାଇଛି । ଏହିସ୍କୁଲରେ ଦୀର୍ଘଦିନ ଧରି ଅବସ୍ଥାପିତା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ମଧ୍ଯ ଅନେକ ଅଭିଯୋଗ ରହିଛି ।
ଉଲ୍ଲେଖଯୋଗ୍ଯ ଯେ , ଉକ୍ତ ଅଧିକାରୀଙ୍କ ବିରୋଧରେ ଆଗରୁ କେତେକ ଗୁରୁତର ଅଭିଯୋଗ ପ୍ରକାଶ ପାଇଆସିଛି । ତନ୍ମଧ୍ୟରୁ ମାଟ୍ରିକ୍ ସିଟି ଟିଜିଟି ଶିକ୍ଷକ ମାନଙ୍କର ପଦୋନ୍ନତି ପାଇଁ ହେରଫେର କରିବା , ଏଫ୍ ଆର ଏ ପାଇଁ ଲକ୍ଷାଧିକ ଟଙ୍କାର ଲାଞ୍ଚ ମାଗିବା , ପ୍ରତ୍ୟେକ ସ୍କୁଲରୁ ନିୟମିତ ବଟି ଆଦାୟ ଏବଂ ସିସି ଟିଭି , ଟିଭି ଇତ୍ୟାଦି ବିଭିନ୍ନ ଉପକରଣ କିଣା ପାଇଁ ଟେଣ୍ଡର ଫିକ୍ସିଂ ଇତ୍ୟାଦି । ଜିଲ୍ଲା କାର୍ଯ୍ୟାଳୟର କେତେକ କିରାଣୀ ଓ କେତେକ ହାତବାରିସୀ ସାଜିଥିବା ଶିକ୍ଷକ, ଚୟନ କମିଟିର କେତେକ ଅଧିକାରୀଙ୍କ ସମେତ କେତେକ ଦଲାଲଙ୍କ ସହ ତାଙ୍କର ସଲାସୁତୁରା ଥିବା ଚର୍ଚ୍ଚା ହେଉଛି । ଆଶ୍ଚର୍ଯ୍ୟର ବିଷୟ ଯେ , ବଲାଙ୍ଗୀର ପରି ଏକ ପୁରାତନ ବଡ ଜିଲ୍ଲାରେ ଉପର ହାତ ଯୋଗୁଁ ତାଙ୍କ ପରି ଜଣେ ଭାରପ୍ରାପ୍ତ ଡିଡବ୍ଲୁଓଙ୍କୁ ରଖାଯାଇଛି ! ତାଙ୍କର ଏକ ଅନିୟମିତତା ବିରୋଧରେ ଜଣେ ଶିକ୍ଷକଙ୍କ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ମଧ୍ଯ କରାଯାଇଥିବାର ସୂଚନା ମିଳୁଛି । ଏସବୁ ସମ୍ପର୍କରେ ଗଣମାଧ୍ୟମରେ ବାରମ୍ବାର ଅଭିଯୋଗ ପ୍ରକାଶ ପାଇଛି । ପରେ ଏହି ଅଧିକାରୀ ଓ ଜିଲ୍ଲାକାର୍ଯାଳୟର କେତେକ କର୍ମଚାରୀ ଓ କେତେକ ଶିକ୍ଷକ/ ଶିକ୍ଷୟିତ୍ରୀଙ୍କ ପିଲାଙ୍କ ମେସ୍ ବାଟମାରଣା ସମ୍ପର୍କରେ ଏକ ବିଶଦ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇବ ।


“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।