ଦୁର୍ନୀତି

ମହିଳା ସରପଞ୍ଚ ଅନାସ୍ଥାଭୋଟ୍ ରେ ହାରିଲେ

Email :

ପଦ୍ମପୁର  :  ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡର ଗାଇସିଲେଟ ବ୍ଲକ୍ ର ତାଳପାଲି ପଞ୍ଚାୟତର ମହିଳା ସରପଞ୍ଚ ଉର୍ମିଳା ସେଠ୍ ଗତ ୧୯ ତାରିଖରେ ହୋଇଥିବା ଅନାସ୍ଥାଭୋଟ୍ ରେ ହାରିଯାଇଛନ୍ତି । ତାଳପାଲି ପଞ୍ଚାୟତ ଅଫିସ୍ ରେ ଏହି ଅନାସ୍ଥାଭୋଟ୍ ହୋଇଥିଲା ଓ ଗାଇସିଲେଟ ତହସିଲଦାର ଟିଟସ୍ ମହାନନ୍ଦିଆ ନିର୍ବାଚନ ପରିଚାଳନା କରିଥିଲେ ।  ବିଜେପୁର ତହସିଲଦାର କର୍ଣ୍ଣ ସୁନା ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିଲେ । ୮ ଟି ଗ୍ରାମବିଶିଷ୍ଟ ଉକ୍ତ ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ୧୫ ଜଣ ସଭ୍ୟ/ ସଭ୍ୟା ଭୋଟ୍ ଦେଇଥିଲେ । ତାଙ୍କ ବିରୋଧରେ ସରକାରୀ ଅର୍ଥ ହେରଫେର ଓ ତାଙ୍କ ସ୍ବାମୀ ସରପଞ୍ଚ କ୍ଷମତାର ଅପବ୍ଯବହାର କରି ସରପଞ୍ଚଙ୍କ ଚୌକିରେ ବସୁଥିବା ଓ ମଦପିଇ  ଗାଳିଗୁଲଜ କରିବା ଇତ୍ୟାଦି ପଦ୍ମପୁର ଉପଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ହୋଇଥିଲା । ଉପଜିଲ୍ଲାପାଳଙ୍କ ନୋଟିସ୍ ପାଇବା ପରେ ଲୋକଲଜ୍ୟା ଓ ଭୟରେ ଉର୍ମିଳା ଗତ ୧୦ ତାରିଖରେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ରାସ୍ତାରେ ଅଚେତ ହୋଇ ପଡିଥିବା ଅବସ୍ଥାରେ ଉଦ୍ଧାର କରାଯାଇ ବୁର୍ଲା ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗାଇସିଲେଟ ବିଡିଓ ଲକ୍ଷ୍ମଣ ମାଝି ପିଇଓଙ୍କୁ ହସ୍ପିଟାଲକୁ ପଠାଇ ମୁମୂର୍ଷୁ ସରପଞ୍ଚଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ସହ ତାଙ୍କର ଆଶୁ ଆରୋଗ୍ଯ କାମନା କରିଥିବା ପ୍ରକାଶ । ସୌଭାଗ୍ଯକ୍ରମେ ସେ ବଞ୍ଚି ଯାଇଥିଲେ । ସେ ସରପଞ୍ଚ ପଦ ହରାଇବା ପରେ ନାଏବ ସରପଞ୍ଚ ସଞ୍ଜୀବ ସାହୁ ସରପଞ୍ଚ ପଦ ପାଇ ପାରିବାର ସମ୍ଭାବନା ସୃଷ୍ଟି ହୋଇଛି ।

ଦୁର୍ନୀତିରେ ଇଓଙ୍କ ସମ୍ପୃକ୍ତି ଅଭିଯୋଗ

ଅନ୍ୟସୂତ୍ରରୁ ପ୍ରକାଶ ଯେ ତାଙ୍କ ସ୍ବାମୀ ପଞ୍ଚାୟତର ସବୁ ଠିକାକାମ ଇତ୍ୟାଦି ପିଇଓଙ୍କ ସହ ମିଶି  କରିଥିବା ଓ କାହାକୁ ସୁଯୋଗ ଦେଉ ନଥିବାରୁ ପଞ୍ଚାୟତରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ପଞ୍ଚାୟତର ଉନ୍ନୟନ, ଆବାସ ଯୋଜନା , ଓ ଯାବତୀୟ କାମରେ ଦୁର୍ନୀତି ନିମନ୍ତେ  ପିଇଓମାନେ ବି ଦାୟୀ ବୋଲି ଅଭିଯୋଗ ହେଉଥିଲା । ଉକ୍ତ ମହିଳା ସରପଞ୍ଚ ଓ ତାଙ୍କ ସ୍ବାମୀଙ୍କୁ ହାତବାରିସୀ କରି ଉକ୍ତ ପଞ୍ଚାୟତରେ ବହୁ ଆର୍ଥିକ ଅନିୟମିତତା ହୋଇଥିବା ଚର୍ଚ୍ଚା ହେଉଥିଲା । ଅବଶ୍ୟ  ଏପରି ଅଭିଯୋଗକୁ ଅସ୍ବୀକାର କରାଯାଇଛି । ଏହି ପଞ୍ଚାୟତରେ ଗତ ୨୦୨୧ରୁ ପାଣ୍ଡବ ନନ୍ଦ ପିଇଓ ଅଛନ୍ତି ଓ ସେ ଏବେ ଭାରପ୍ରାପ୍ତ ଜିପିଇଓ ମଧ୍ୟ ରହିଛନ୍ତି ।  ନିର୍ବାଚିତ ଲୋକପ୍ରତିନିଧିମାନେ ମନରେଗା ବା କୌଣସି ସରକାରୀ ଯୋଜନା ବା ଠିକା ଇତ୍ୟାଦିକାମରେ ପ୍ରତ୍ୟେକ୍ଷଭାବରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ସରକାରୀ ନିର୍ଦ୍ଦେଶାବଳୀ ଥିଲେ ହେଁ , ବାସ୍ତବରେ ସେଇମାନେ ଇ ଠିକା କରିଥା’ନ୍ତି । ଆପାତତଃ ଏଇଥିରୁ ହିଁ ବିବାଦ ସୃଷ୍ଟି ହେଉଛି । ତେଣୁ ଏହି ପଞ୍ଚାୟତରେ କାର୍ଯ୍ୟକାରୀ ହୋଇଥିବା ସମସ୍ତ ସରକାରୀ ଯୋଜନାର ଏକ ଭିଜିଲାନ୍ସ ତଦନ୍ତ ନିମନ୍ତେ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି ।

Leave a Reply

Your email address will not be published. Required fields are marked *

Related Post