ବଲାଙ୍ଗୀର : ବଲାଙ୍ଗୀରଜିଲ୍ଲାର କେତେକ ଯୋଗାଣ ସହାୟକଙ୍କ ଭୂମିକା ଚାଞ୍ଚଲ୍ଯ ସୃଷ୍ଟି କରିଛି । କେଉଁଠି ମାଣ୍ଡିଆବଣ୍ଟନରେ କଳାବଜାରରେ ସମ୍ପୃକ୍ତି ତ , କେଉଁଠି ବିଧବା ମହିଳା ହିତାଧିକାରୀଙ୍କୁ ଦୁଷ୍କର୍ମ ଅଭିଯୋଗ ଓ ଆଉ କେଉଁଠି ଚାଉଳ ବଣ୍ଟନରେ ୫ କେଜି କାଟିଲା ବେଳେ ଅଭିଯୋଗ କରିବାରୁ ରାଶନକାର୍ଡ କାଟିଦେବାକୁ ଧମକ !
ପ୍ରକାଶିତ ଖବର ଅନୁଯାୟୀ , ଟିଟିଲାଗଡ ଉପଖଣ୍ଡରେ ମାଣ୍ଡିଆବଣ୍ଟନରେ ବଡ ଧରଣର ଦୁର୍ନୀତି ହୋଇଥିବା ଲୋକଲୋଚନକୁ ଆସିଛି । ତହିଁରେ ୯ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଦୁର୍ନୀତି କରାଯାଇଥିବା ଓ ଏଥିରେ ଟିଟିଲାଗଡ ବ୍ଲକ୍ ର ଯୋଗାଣ ନିରୀକ୍ଷକଙ୍କ ସମେତ ସମସ୍ତ ଯୋଗାଣବିଭାଗର ହାତ ଥିବା ଚର୍ଚ୍ଚା ପ୍ରକାଶ ପାଇଛି । ବିଭିନ୍ନ ପଞ୍ଚାୟତର ଯୋଗାଣ ସହାୟକମାନେ କୁଆଡେ ନାମକୁ ମାତ୍ର ମାଣ୍ଡିଆବଣ୍ଟନ କରି ବଡଭାଗ ମାଣ୍ଡିଆ କଳାବଜାରୀଙ୍କ ହାତକୁ ଟେକି ଦେଇଥିବା ଅଭିଯୋଗ ପ୍ରକାଶ ପାଇଛି । ମାର୍ଲାଡ୍ ପଞ୍ଚାୟତର ଯୋଗାଣ ସହାୟକ ମାଣ୍ଡିଆବଣ୍ଟନ କରି ନଥିବା ପ୍ରକାଶ ପାଇଛି । ପ୍ରକାଶ ଯେ , ଗଣମାଧ୍ୟମରେ ଏ ସମ୍ପର୍କରେ ବାରମ୍ବାର ଖବର ପ୍ରକାଶ ହେବାରୁ ଟିଟିଲାଗଡ ଉପଜିଲ୍ଲାପାଳ ରେହାନ୍ କ୍ଷେତ୍ରୀ ଏକ ତିନିଜଣିଆ ତଦନ୍ତଦଳ ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏସମ୍ପର୍କରେ ମଧ୍ୟ ଜିଲ୍ଲାପାଳ ତଦନ୍ତ ରିପୋର୍ଟ ଆସିବାପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିବା ପ୍ରକାଶ । ତେବେ ଏହି ତିନିଜଣିଆ ତଦନ୍ତଦଳରେ ଦୁର୍ନୀତିର ମାଷ୍ଟର୍ ମାଇଣ୍ଡ୍ କୁହାଯାଉଥିବା ଟିଟିଲାଗଡ ଅତିରିକ୍ତ ଯୋଗାଣ ଅଧିକାରୀ ଶଙ୍କର୍ଷଣ ଭୋଇ ଏବଂ ଟିଟିଲାଗଡ ବ୍ଲକ୍ ସମେତ ସଇଁନ୍ତଳା ବ୍ଲକ୍ ର ଯୁଗ୍ମ ଦାୟିତ୍ୱରେ ରହିଥିବା ଯୋଗାଣ ନିରୀକ୍ଷକ ପଦ୍ମଲୋଚନ ମାଝିଙ୍କୁ ସାମିଲ୍ କରାଯାଇଥିବାରୁ ତଦନ୍ତ ବାଟବଣା ହେବାର ସନ୍ଦେହ ପ୍ରକାଶ ପାଇଛି । ତେବେ ଟିଟିଲାଗଡ ଉପଖଣ୍ଡରେ ଏତେଟଙ୍କାର ମାଣ୍ଡିଆର କଳାବଜାର ଦୁର୍ନୀତି ନିଶ୍ଚିତଭାବରେ ଗୁରୁତର ! ଉପରିସ୍ଥ ଅଧିକାରୀଙ୍କ ବିନା ଜ୍ଞାତସାରରେ ଯୋଗାଣ ସହାୟକମାନେ ଏଭଳି ଦୁଃସାହସ କରିବା ସମ୍ଭବ ନୁହେଁ ।

ତେବେ ସେଠାରେ ଏଭଳି ଅଭିଯୋଗ ପ୍ରକାଶ ପାଇବାପରେ କେବଳ ଟିଟିଲାଗଡରେ ନୁହେଁ , ଜିଲ୍ଲାର ଅନ୍ୟାନ୍ୟ ଉପଖଣ୍ଡର ବ୍ଲକ୍ ଓ ପଞ୍ଚାୟତଗୁଡିକରେ ଏଭଳି ହୋଇଥିବା ସନ୍ଦେହ ପ୍ରକାଶ ପାଇଛି । ମୁଖ୍ୟତଃ ଏକ ବାହାର ରାଜ୍ୟର ଏନଜିଓ ଦ୍ବାରା ଏହି ତଥାକଥିତ ମିଲେଟ୍ ମିଶନ କାର୍ଯ୍ୟକାରୀ କରାଯାଇଥିବାରୁ ଓ ଚାପରେ ସରକାର ଦୂରଦୃଷ୍ଟିହୀନ ଭାବେ ହଠାତ୍ ଏତେ ବିପୁଳ ପରିମାଣରେ ମାଣ୍ଡିଆକିଣି ମାଗଣାବଣ୍ଟନ ଆରମ୍ଭ କରିଦେଇଥିବାରୁ ଯୋଗାଣବିଭାଗ ଅଡୁଆରେ ପଡିଯାଇ ଯେ କୌଣସିମତେ ଦାୟିତ୍ୱ ସାରିଦେବାକୁ ଏପରି କେଳେଙ୍କାରୀରେ ଫସି ଯାଇଥିବା ଅନୁମାନ କରାଯାଉଛି । ସବୁ ଚାପ ପଡୁଛି ତଳିଆ କର୍ମଚାରୀଙ୍କ ଉପରେ । ଉଲ୍ଲେଖନୀୟ ଯେ , କିଛିଦିନତଳେ ବଲାଙ୍ଗୀର ସହରର ମାଲପଡା ଅଞ୍ଚଳରେ ରାସ୍ତାଉପରେ ଗଦା ଗଦା ମାଣ୍ଡିଆ ବଣ୍ଟନ କରାଯାଇ ନପାରି ଫିଙ୍ଗି ଦିଆଯାଇଥିଲା ।
ତେବେ ବିଭିନ୍ନ ପଞ୍ଚାୟତର ଯୋଗାଣ ସହାୟକମାନେ କଳାବଜାରରେ ମାଣ୍ଡିଆ ବିକିଦେବା ଓ ସତରେ ଏହା ୯ କୋଟି ଟଙ୍କାର ବୋଲି ପ୍ରକାଶ ପାଇବା ଚିନ୍ତାଜନକ ବିଷୟ ! ‘ ମାର୍ ମାର୍ ଭଣ୍ଡାରିଆକୁ ମାର୍ ‘ ନୀତିରେ ଯୋଗାଣ ବିଭାଗର ହାତବାରିସୀ ଏହି ତଳିଆ କର୍ମଚାରୀଙ୍କ ମୁଣ୍ଡରେ ସବୁ ଦୋଷ ଲଦିଦେବା କେତେଦୂର ଠିକ୍ , ବିଚାର ସାପେକ୍ଷ । ତେବେ କେତେକ ଯୋଗାଣ ସହାୟକଙ୍କ କାର୍ଯ୍ୟକଳାପ ଆଦୌ କ୍ଷମଣୀୟ ନୁହେଁ । ମୁଖ୍ୟତଃ ପଞ୍ଚାୟତରେ ଚାଉଳବଣ୍ଟନର ଦୁର୍ନୀତିରେ ଏମାନଙ୍କର ହାତ ରହିଆସିଛି । ଏହି ପରିପ୍ରେକ୍ଷୀରେ ଏଠାରେ କିଛିବର୍ଷ ମଧ୍ୟରେ ଯୋଗାଣ ସହାୟକ ବନାମ ହାଟବିକ୍ରି ବିଭାଗର ଭ୍ୟାନ୍ ଚାଳକରୁ କୋଟିପତି ପାଲଟିଯାଇ ଏବେ ଏକାଧିକ ମିଲ୍ ର ମାଲିକ ଓ ପରିବହନ ଏଜେଣ୍ଟ୍ ପାଲଟିଥିବା ଟିଟିଲାଗଡର ଜଣେ ପୂର୍ବତନ ଅସ୍ଥାୟୀ ତଳିଆ ଯୋଗାଣ କର୍ମଚାରୀଙ୍କ ଉଦାହରଣ ଦେବା ଆଦୌ ଅପ୍ରାସଙ୍ଗିକ ହେବନାହିଁ ।
ଦ୍ୱିତୀୟତଃ ଅଳ୍ପଦିନ ତଳେ ପାଟଣାଗଡ ଗଙ୍ଗାସାଗର ପଞ୍ଚାୟତର ଜଣେ ଯୋଗାଣ ସହାୟକଙ୍କ ଅଭିଯୋଗରେ ଯୋଗୀମୁଣ୍ଡା ଆର ଆର ସିରୁ ଆସିଥିବା ଏକ ମିଲ୍ ର ବିବର୍ଣଚାଉଳ କେଳେଙ୍କାରୀର ଅଭିଯୋଗ ଉଠିଥିଲା ।
ଆହୁରି ମଧ୍ୟ , ଗତ ସପ୍ତାହରେ ଆଗଲପୁର ବ୍ଲକ୍ ର ବୁଦୁଲା ପଞ୍ଚାୟତର ଜଣେ ଯୋଗାଣ ସହାୟକଙ୍କ ବିରୋଧରେ ଜଣେ ବିଧବା ମହିଳା ହିତାଧିକାରୀ ଦୁଷ୍କର୍ମ ଅଭିଯୋଗ ଆଣିବା ଚାଞ୍ଚଲ୍ୟକର । ତେବେ ବର୍ଷାଧିକ କାଳ ପରେ ପୀଡିତାଙ୍କ ମୁହଁ ଖୋଲିବା ସହିତ ପଞ୍ଚାୟତକୁ ଚାଉଳ ନେବାକୁ ଆସି ସେ ଏଭଳି ନିର୍ଯ୍ଯାତନାର ଶିକାର ହେବା ଇତ୍ୟାଦି ଅଭିଯୋଗର ସତ୍ୟତା ନେଇ ସନ୍ଦେହ ରହିଛି । ତେବେ ସେ ଯାହାହେଉ , ସେ ଜଣେ ଯୋଗାଣସହାୟକଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ଆଣିବା ନିଶ୍ଚିତ ଭାବେ ଆପତ୍ତିଜନକ ଘଟଣା ।
ଏବେ ଆଉ ଏକ ଯୋଗାଣ ସହାୟକଙ୍କ ବିରୁଦ୍ଧରେ ଅନ୍ୟପ୍ରକାର ଅଭିଯୋଗ ଆସିଛି । ଖପ୍ରାଖୋଲ ବ୍ଲକ୍ ର ଲାଠୋର ପଞ୍ଚାୟତର ଯୋଗାଣ ସହାୟକ ୬ ତାରିଖରେ ଗତ ୩ ମାସର ଚାଉଳ ବଣ୍ଟନ କଲାବେଳେ ସେଥିରେ ୪/ ୫ କେଜି କମ୍ ରହୁଛି । ଜଣେ ଗରିବ ହିତାଧିକାରୀ ଅଭିଯୋଗ କରିବାରୁ ଯୋଗାଣ ସହାୟକ କୁଆଡେ ତାଙ୍କୁ ଧମକ ଦେଇ କହିଥିଲେ ଯେ , ‘ ବେଶି ନି କହ ! ବେଶି କହେଲେ , ତୋର୍ ରାଶନକାର୍ଡ ଭିଲ୍ ଉଡିଯିବା । ‘ ସମ୍ପୃକ୍ତ ଅଞ୍ଚଳରେ ତାଙ୍କର ଏହି ଧମକର ଚର୍ଚ୍ଚା ହେଉଛି ।
ଏ ସମ୍ପର୍କରେ ପଞ୍ଚାୟତକୁ ଚାଉଳ ଯୋଗାଉଥିବା ପରିବହନ ଏଜେଣ୍ଟଙ୍କୁ ପଚରାଯିବାରୁ ସେ ‘ ମୁଁ ତ ଠିକ୍ ପରିମାଣରେ ଦେଉଛି । ତେବେ ଏ ସମ୍ପର୍କରେ ସରପଞ୍ଚ କିମ୍ବା ବ୍ଲକ୍ ଯୋଗାଣ ଅଧିକାରୀ ତାଙ୍କୁ ନିୟନ୍ତ୍ରଣ କରିପାରିବେ ‘ ବୋଲି ସଫେଇ ଦେଇଛନ୍ତି । ତେବେ ସରପଞ୍ଚ ସୁଶ୍ରୀ ଜୟଶ୍ରୀ ଭଇଁଷାଲ୍ ବା ଖପ୍ରାଖୋଲ ବ୍ଲକ୍ ଯୋଗାଣ ନିରୀକ୍ଷକଙ୍କର ମତାମତ ନିଆଯାଇ ପାରିନାହିଁ । ଓଜନଯନ୍ତ୍ରରେ ନ ଦେଇ ବାଲ୍ ଟି ରେ ମାପି ଚାଉଳ ଦେଉଥିବାରୁ ଏପରି ଅନିୟମିତତା ହେଉଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ଯୋଗାଣ ସହାୟକ ତୁଳାରାମ ମେହେରଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇ ଥିଲେ ହେଁ , ସମ୍ଭବ ହୋଇପାରିନାହିଁ ।
ତେବେ ଏହା ସତ ଯେ , ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଚାଉଳବଣ୍ଟନରେ ଉପରୁତଳ ସମସ୍ତଙ୍କ ଜାଣତରେ ଏପରି ସର୍ଟେଜ୍ ରହୁଛି ।