ଦୁର୍ଗନ୍ଧରେ ଫାଟିପଡୁଛି ଗାଁ’ : ଶବ୍ଦ ପ୍ରଦୂଷଣ ବି
ସୋନପୁର : ଶିଳ୍ପବିହୀନ ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକ୍ ର ଅନୁନ୍ନତ ଗାଁ’ ପାଣିମୋରାରେ ଦିଲ୍ଲୀରୁ ଆସି ଜଣେ ଅଣଓଡିଆ ସ୍ଥାପନ କରିଛନ୍ତି ଏକ ଇଥାନଲ୍ କାରଖାନା । ଚାଉଳଖୁଦ ଓ ମକାରୁ ତିଆରି ହେଉଥିବା ଏହି ତରଳ ରାସାୟନିକ କୃତ୍ରିମ ଦ୍ରବ୍ୟଟିରୁ ମଦ , ଔଷଧ , ରଙ୍ଗ, କସ୍ ମେଟିକ୍ସ , ସାନିଟାଇଜର୍ ଓ କେତେକାଂଶରେ ଯାନର ପେଟ୍ରୋଲ୍ ର ବିକଳ୍ପ ଇନ୍ଧନ ଭାବରେ ବ୍ୟବହୃତ ହେଉଥିବା କୁହାଯାଉଛି ।ତେବେ ଶହଶହକୋଟିର ଏହି କାରଖାନାଟି ଏଠାରେ ସ୍ଥାପନର ଯାହା ଉପକାରୀ ଉଦ୍ଦେଶ୍ୟ ଥାଉନା କାହିଁକି , ଏହି କାରଖାନାର ଯଥେଷ୍ଟ କୁପ୍ରଭାବ ଅଞ୍ଚଳରେ ପଡୁଥିବା ଅଭିଯୋଗ ହେଉଛି । ସବୁଠାରୁ ବଡ ଅସୁବିଧା ସୃଷ୍ଟି ହୋଇଛି ନିକଟସ୍ଥ ଜନବସତି ଏହାର ଅସହ୍ୟ ପଚାଦୁର୍ଗନ୍ଧରେ ଫାଟିପଡୁଛି । ସ୍ଥାନୀୟ ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ନା କାରଖାନା କର୍ତ୍ତୃପକ୍ଷ , ନା ପ୍ରଶାସନ ନା ସରକାର , କେହି ଏଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି । ଏପରିକି ପାଣିମୋରା ଗାଁ’ ଭିତରେ ଅବସ୍ଥିତ ଆଦିବାସୀ କଲ୍ୟାଣ ବିଭାଗର ଶତାଧିକ କୋମଳମତି ଛାତ୍ରଛାତ୍ରୀଙ୍କ ଆବାସିକ ବିଦ୍ୟାଳୟରେ ଗୁରୁତର ପରିବେଶ ପ୍ରଦୂଷଣ ହେଉଛି । ଏଥିସହ କାରଖାନା ଭିତରେ କଳ ଓ କୋଡିଏଟିରୁ ଅଧିକ ଟ୍ରକ୍ , ଡମ୍ଫର୍ ଚାଲୁଥିବାର ଧୂଳି ଧୂଆଁ ପାଉଁଶର ଆଣ୍ଠୁଏ ବହଳର ପ୍ରଦୂଷିତ ଆସ୍ତରଣ ଭିତରେ ୩୦୦ ରୁ ୪ ୦୦ ମହିଳା ଓ ପୁରୁଷ ଶ୍ରମିକଙ୍କ ସହ ୩୦ ସିକ୍ୟୁରିଟି କର୍ମଚାରୀ ଓ ପ୍ରାୟ ୫୦ ଜଣରୁ ଉର୍ଦ୍ଧ୍ବ ଅଧିକାରୀ/ କର୍ମଚାରୀଙ୍କ ନିମନ୍ତେ ମାସ୍କ , ଗ୍ଲୋଭ୍ ସ , ଜୋତା ବା ଅନ୍ୟାନ୍ୟ ସୁରକ୍ଷା ଉପକରଣର କୌଣସି ବ୍ୟବହାର ହେଉ ନଥିବା ଦେଖାଯାଇଛି । ଆଶ୍ଚର୍ଯ୍ୟର ବିଷୟ ଯେ , ଏଥିପାଇଁ କୌଣସି କ୍ଷତିପୂର୍ତ୍ତି ବନୀକରଣ ବର୍ଷ ବର୍ଷ ଧରି କରାଯାଇନାହିଁ ! ଅନୁଚ୍ଚ ଛୋଟ ଛୋଟ ଟିଣ କ୍ୟାବିନ୍ ର ବାରାକ୍ ଭିତରେ ଅଫିସ୍ ଚାଲିଛି ।
ଚାଷୀଙ୍କ ୟୁରିଆ କଳାବଜାରରୁ କିଣିବା ଅଭିଯୋଗ !
ପ୍ରାୟ ୫୦ ଏକର ବିଶିଷ୍ଟ ଏହି କାରଖାନାର ପରିସର ‘ ପାଣିମୋରା ଜଙ୍ଗଲ ‘ ବୋଲି ଉଲ୍ଲେଖ ରହିଛି । କାରଖାନାକୁ ଯିବାର ରାସ୍ତା ମଧ୍ୟ ଧୂଳିମାଟିକାଦୁଅ ଜର୍ଜରିତ । ତେବେ ଗତ ୨୦ । ୫ । ୨୦୨୨ ତାରିଖରେ ଏବଂ ଗତ ୧ । ୩ । ୨୦୨୪ ତାରିଖରେ ୨ ଥର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ଏହି MASH BIO-FUEI PVT . LTD ନାମକ ପ୍ରାଇଭେଟ୍ କାରଖାନାର ଫଳକରେ ଓଡିଶା ସରକାରଙ୍କ ଲୋଗୋ ରହିଥିବା ଦେଖାଯାଇଛି । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସ୍ଥାନୀୟ ବିଧାୟକ ତଥା ତତ୍କାଳୀନ ଅର୍ଥ ଓ ଅବକାରୀ ଓ ପରେ ପାର୍ଲ୍ୟାମାଣ୍ଟାରୀ ଆଫେୟାର୍ସ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ , ତତ୍କାଳୀନ ବାଣିଜ୍ୟି ଓ ପରବହନ ମନ୍ତ୍ରୀ ପଦ୍ମନାଭ ବେହେରା , ତତ୍କାଳୀନ ଜିଲ୍ଲାପାଳ।ମିସେସ୍ ନରବଣେ ଏବଂ ଏବର ଜିଲ୍ଲାପାଳ ଅନ୍ୟା ଦାସ ପ୍ରମୁଖ ଏହାର ଉଦ୍ଘାଟନ କରିଥିବା ଉକ୍ତ ଫଳକରୁ ଜଣାଯାଇଛି ।

ଏହି କାରଖାନାର ମାଲିକ ବା ସିଏମଡି ଦିଲ୍ଲୀର ଅନୀଲ୍ କାନୋଡିଆ ବୋଲି ସୂତ୍ରରୁ ପ୍ରକାଶ ।
ତେବେ ଏହି କାରଖାନାରେ ଶ୍ରମିକ ସୁରକ୍ଷା ବିପନ୍ନ ଓ କାରଖାନା ସ୍ଥାପନର ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦିଆଯାଇ ଆସୁଥିବା ସତ୍ତ୍ୱେ ସମ୍ପୃକ୍ତ ବିଭିନ୍ନ ବିଭାଗ , ପ୍ରଶାସନ ବା ସରକାର ଏଥିପ୍ରତି ବର୍ଷ ବର୍ଷ ଧରି ନିସ୍ପୃହ ରହିଆସୁଥିବା ଆଶ୍ଚର୍ଯ୍ୟଜନକ !
ଉଲ୍ଲେଖନୀୟ ଯେ , ଗତ ଜାନୁଆରୀ ୧୨ ତାରିଖରେ ନିକଟସ୍ଥ ଅରଖପଦର ଗ୍ରାମର ଜଣେ ବିବାହିତ ଯୁବଶ୍ରମିକ ଅଜୁ ମହାକୁର ( ୨୪ )ଙ୍କର ସନ୍ଧ୍ୟା ପ୍ରାୟ ସାଢେ୬ ଟାରେ ମେସିନ୍ ଲାଗିଯାଇ ଦୁର୍ଘଟଣାରେ ମର୍ମନ୍ତୁଦ ମୃତ୍ୟୁ ହୋଇଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ତାଙ୍କ ଖଣ୍ଡବିଖଣ୍ଡିତ ଦେହକୁ ବହୁକଷ୍ଟରେ ବାହାର କରାଯାଇଥିଲା । ଏହାର ଖବର ପାଇ ଆଖପାଖର କେତୋଟି ଗ୍ରାମର ଲୋକେ ଆସି କାରଖାନାର ସୁରକ୍ଷାକର୍ମୀ , କର୍ମଚାରୀ , ଅଧିକାରୀ ଓ ଖବର ପାଇ ସେଠାରେ ପହଞ୍ଚିଥିବା ତରଭା ପୁଲିସ୍ ଉପରେ ଆକ୍ରମଣ ଓ ଭଙ୍ଗାରୁଜା କରି ତୁମୁଳକାଣ୍ଡ କରିପକାଇଥିଲେ । ଏ ସମ୍ପର୍କରେ ତରଭାଥାନାରେ ଏକ ମାମଲା ଋଜୁ ପୂର୍ବକ ତଦନ୍ତ କରାଯାଇଥିଲା ଓ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କାରଖାନା କର୍ତ୍ତୃପକ୍ଷ କ୍ଷତିପୂରଣ ଦେଇଥିବା ପ୍ରକାଶ । ତେବେ କେବଳ ଏବର ଏଇ ଗୋଟିଏ ଦୁର୍ଘଟଣା ନୁହେଁ , ବାହାରର ଏକାଧିକ ଶ୍ରମିକଙ୍କର ଏଭଳି ଦୁର୍ଘଟଣାଜନିତ ମୃତାହତ ମାମଲାକୁ ଚପାଇ ଦିଆଯାଇଥିବା ଚର୍ଚ୍ଚା ହେଉଛି । ଏଣୁ ଏହାପରେ ମଧ୍ୟ ଶ୍ରମିକଙ୍କ ସୁରକ୍ଷା ନିମନ୍ତେ ଅଦ୍ୟାବଧି ସେପରି କୌଣସି ବ୍ୟବସ୍ଥା କରାଯାଇ ନଥିବା ପରିଲକ୍ଷିତ ।
ଶ୍ରମିକସୁରକ୍ଷା ବିପନ୍ନ !
ଅନୁସନ୍ଧାନରୁ ପ୍ରକାଶ ଯେ , ଏହି କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କର ଉପଯୁକ୍ତ ତାଲିକା , ପାଉଣା , ଚିକିତ୍ସା ଓ ବୀମା ଆଦି କ୍ଷେତ୍ରରେ ଅନିୟମିତତା ରହିଛି । କାରଖାନାର ସିଏସ୍ ଆର୍ କାର୍ଯ୍ୟକ୍ରମ ହେଉନାହିଁ । ପ୍ରତି ୩ ମାସରେ ଥରେ ହେବାକୁ ଥିବା RPDAP ବୈଠକ ବସୁନାହିଁ । ଆଉ ଏକ ଗୁରୁତର ଅଭିଯୋଗ ଏହା ଯେ ଏହି କାରଖାନାରେ ବ୍ୟବହୃତ ୟୁରିଆ ସାର ନିକଟସ୍ଥ ଅଞ୍ଚଳରୁ ଚାଷୀଙ୍କ ପାଇଁ ବିକ୍ରି ଲାଇସେନ୍ସ ପାଇଥିବା ଡିଲରଙ୍କୁ ହାତ କରି କମ୍ ଦାମ୍ ରେ କଳାବଜାରରୁ କିଣି ନିଆଯାଇ ଆସୁଛି । ଯଦିଓ ଏଭଳି ଅଭିଯୋଗ ସମ୍ପର୍କରେ ପଚରାଯିବାରୁ ଜନୈକ ଅଧିକାରୀ ‘ ନୋ କମେଣ୍ଟସ୍ ‘ ବୋଲି ଉତ୍ତର ଦେଇ ଏଡାଇ ଯାଇଥିଲେ । ଏହି କାରଖାନାର।ଅଧିକୃତ ଓ ଜବରଦଖଲ ଏରିଆ ନେଇ ମଧ୍ୟ ସନ୍ଦେହ ରହିଛି ।
ସବୁଠାରୁ ବଡଚର୍ଚ୍ଚା ହେଉଛି ଯେ , କାରଖାନା ମାଲିକ ସବ୍ ସିଡି ମାରି କାରଖାନା ବନ୍ଦ କରି ପଳାଇଯିବାକୁ ମସୁଧା କରୁଛି । ଏଣୁ ଏଠାରେ ଏହି କାରଖାନା ସ୍ଥାପନ କରିବା ଦ୍ବାରା ସ୍ଥାନୀୟ ଲୋକଙ୍କର କି ଲାଭ ହେଲା ? ଯଦିଓ ଅଳ୍ପ ହାତଗଣତି କିଛି ସ୍ଥାନୀୟ ବେକାର ଯୁବକଙ୍କୁ ସାଲିସ୍ ବେତନରେ ନିୟୋଜିତ କରାଯାଇଛି । ତେବେ ମୂଲିଆ ମଜୁରିଆ ପରି କାମରେ ସ୍ଥାନୀୟଲୋକଙ୍କୁ ରଖାଯାଇଥିବା ଗ୍ରାମବାସୀଙ୍କ ସହ ଆଲୋଚନାରୁ ପ୍ରକାଶ । ଏହି ଜିଲ୍ଲାର ଶରଧାପାଲି ଠାରେ ମଧ୍ୟ ଆଉ ଏକ ବାଇଓ ଫୁଏଲ୍ କାରଖାନା ଆରମ୍ଭ ହୋଇଛି । ପଡୋଶୀଜିଲ୍ଲା ବରଗଡରେ ଏକ ବଡକାରଖାନା ରହିଛି । ବଲାଙ୍ଗୀର ଜିଲ୍ଲାରେ ଦୁଇଟି ଏଭଳି କାରଖାନା ହେବ ବୋଲି ଶୁଣାଯାଉଛି । ତେବେ ଯଦି ସେସବୁ ଏଇଭଳି ବଡବଡିଆ ରାଜନେତା , ଅଧିକାରୀ ଓ ସବ୍ ସିଡି ପାଇଁ ବା ମୁନାଫାଖୋର୍ ବାହାରର ଅଣଓଡିଆ ବ୍ୟବସାୟୀଙ୍କ ସ୍ବାର୍ଥସାଧନ କରିବାକୁ ଉଦ୍ଦିଷ୍ଟ ଥାଏ , ତା’ହେଲେ ବେଲ ପାଚିଲେ , କୁଆର କି ଲାଭ ?’ ବୋଲି ଲୋକେ ଆଲୋଚନା କରୁଛନ୍ତି । ତେଣୁ ସରକାର ଏସବୁ ଅଭିଯୋଗ ଓ ଚର୍ଚ୍ଚାର ଏକ ଉଚ୍ଚସ୍ତରୀୟ ଉଚିତ୍ ତଦନ୍ତ କରାଇବାର ଜରୁରୀ ହୋଇପଡିଛି ।