ଜିଲ୍ଲା

ପାଣିମୋରା ଇଥାନଲ କାରଖାନା ବିରୁଦ୍ଧରେ ଅଦାଲତି ସଜବାଜ

Email :

ସବୁ ନିୟମର ଉଲଙ୍ଘନ କରୁଛି ମାସ୍ ବାଇଓ ଫୁଏଲ୍ ଲିଃ.

ତରଭା : ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକର ପାଣିମୋରା ଗ୍ରାମରେ ଗତ ୨୦୨୪ ରେ ସ୍ଥାପିତ ମାସ୍ ବାଇଓ ଫୁଏଲ୍ ପ୍ରା. ଲିଃ ନାମକ ଘରୋଇ ଇଥାନଲ କାରଖାନାର ଯାବତୀୟ ନିୟମର ଉଲଙ୍ଘନ ଯୋଗୁଁ ଅତିଷ୍ଠ ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ଓ ଆନ୍ଦୋଳନ ପରେ ମଧ୍ଯ କାରଖାନା କର୍ତ୍ତୃପକ୍ଷ ରାଜନୈତିକ ଓ ପ୍ରଶାସନିକ ଅଧିକାରୀଙ୍କୁ ହାତକରି ଖାତିର୍ କରୁ ନ ଥିବାରୁ ଶେଷରେ ସବୁଆଡୁ ନିରାଶ ହୋଇ ଗ୍ରାମବାସୀଙ୍କ ତରଫରୁ କୋର୍ଟର ଆଶ୍ରୟ ନେବାକୁ ସଜବାଜ ହେଉଥିବା ଜଣାଯାଇଛି ।

ତିନିବର୍ଷ ହେଲା କାରଖାନାର ବର୍ଜିତ ଦୂଷିତ ଜଳ , ଭୀଷଣ ଶବ୍ଦ ପ୍ରଦୂଷଣ, ପ୍ରତିଶ୍ରୁତି ଦେଇ ସ୍ଥାନୀୟ ଗ୍ରାମବାସୀମାନଙ୍କୁ ନିଯୁକ୍ତିସୁଯୋଗ ନ ଦେବା , ରାସ୍ତାଘାଟ ଓ ଚାଷଜମି ନଷ୍ଟ, ଶ୍ରମିକସୁରକ୍ଷା ବିପନ୍ନ ଓ ଅନ୍ଯାନ୍ଯ କ୍ଷତି ପ୍ରତି ଭରଣା ନକରି ଠକୁଥିବା ଇତ୍ୟାଦି ବିରୋଧରେ ସରକାର ଓ ପ୍ରଶାସନ ଉପରୁ ଆସ୍ଥା ହରାଇ ଏଭଳି ଲୋକଙ୍କ କାମରେ ନ ଆସି କ୍ଷତି କରି ଚାଲିଥିବାରୁ ବରଂ କାରଖାନାକୁ ବନ୍ଦ କରିଦିଆଯିବାକୁ ଦାବି କରି କାରଖାନା କର୍ତ୍ତୃପକ୍ଷ, ସ୍ଥାନୀୟ ନିର୍ବାଚିତ ଲୋକପ୍ରତିନିଧି , ପ୍ରଶାସନିକ ଅଧିକାରୀ ଓ ସରକାରଙ୍କ ବିରୋଧରେ ଅଦାଲତରେ ଜନସ୍ବାର୍ଥ ମାମଲା , ପ୍ରଦୂଷଣ, କାରଖାନାରେ ଚପାଇ ଦିଆଯାଇଥିବା ସନ୍ଦିଗ୍ଧ ରହସ୍ଯଜନକ ଶ୍ରମିକ ବା କର୍ମଚାରୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ଘଟଣା , ବିପନ୍ନ ଶ୍ରମିକସୁରକ୍ଷା ଓ କ୍ଷତିପୂରଣ ଇତ୍ୟାଦିର ଅଭିଯୋଗରେ ଆଗାମୀ ଦିନରେ ଅଦାଲତରେ କେତୋଟି ଆଇନଗତ ମାମଲା ଋଜୁ କରାଯିବାକୁ ମସୁଧା ଚାଲିଥିବାର ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ଯ ଯେ , କିଛିମାସ ତଳେ ନିକଟସ୍ଥ ଅରଖପଦର ଗ୍ରାମର ଜଣେ ଶ୍ରମିକଙ୍କ ମେସିନରେ କଟି ମର୍ମନ୍ତୁଦ ମୃତ୍ୟୁ ଘଟଣା , କିଛିଦିନ ତଳର ନିକଟସ୍ଥ ଗ୍ରାମବାସୀଙ୍କ ଦ୍ବାରା ପାଣିନାଳରେ ଦୂଷିତ ଜଳ ଛାଡୁଥିବା ବିରୁଦ୍ଧରେ କାରଖାନାର ଗାଡିମଟର ଭଙ୍ଗାରୁଜା ଘଟଣା ସହିତ ଗତ ୨୪ ତାରିଖରେ ଜଳ ଓ ଶବ୍ଦ ପ୍ରଦୂଷଣରେ ଅତିଷ୍ଠ ହୋଇ ପାଣିମୋରା ଗ୍ରାମବାସୀଙ୍କ କାରଖାନାର ପ୍ରବେଶଦ୍ଵାର ସମ୍ମୁଖରେ ରାସ୍ତା ଖୋଳି ଅବରୋଧ ଆନ୍ଦୋଳନ ପରେ ପୁଲିସ, ପ୍ରଶାସନ , କାରଖାନା କର୍ତ୍ତୃପକ୍ଷ , ଗ୍ରାମବାସୀ ଓ ଗଣମାଧ୍ୟମର ମିଳିତ ବୈଠକରେ ୫ ଦିନ ମଧ୍ଯରେ କାରଖାନା କର୍ତ୍ତୃପକ୍ଷ ସବୁ ସମସ୍ୟାର ସମାଧାନର ପ୍ରତିଶ୍ରୁତି ଦେଇ ମଧ୍ଯ ଗ୍ରାମବାସୀଙ୍କ ୫ ଦଫା ନ୍ୟାଯ୍ୟ ଦାବି ଅଦ୍ୟାବଧି ସବୁ ପୂରଣ ନ କରିବା ଘଟଣା ଗ୍ରାମବାସୀଙ୍କୁ ଅଧିକ ଅସନ୍ତୁଷ୍ଟ କରିଛି ।

ପ୍ରକାଶ ଯୋଗ୍ଯ ଯେ ଗତ ସରକାରଙ୍କ ଅମଳରେ ଏଠାରେ ପାଣିମୋରା ଜଙ୍ଗଲରେ ମାତ୍ର ଅଳ୍ପ ଜମି କିଣିନେଇ ଦିଲ୍ଲୀର ଅନୀଲ୍ କାନୋଡିଆଙ୍କର ମାସ୍ ସ୍ପିରିଟ୍ ବନାମ ମାସ୍ ବାଇଓ ଫୁଏଲ୍ ପ୍ରା. ଲିଃ ନାମକ ଏହି ଇଥାନଲ କାରଖାନାକୁ ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ଥାନୀୟ ବିଧାୟକ ନିରଞ୍ଜନ ପୂଜାରୀ ଉଦ୍ଘାଟନ କରିଥିଲେ । ଏହାର ମାଲିକ ଅନୀଲ କାନୋଡିଆ ଓ ତାଙ୍କ ବାପା ଆସି ବଲାଙ୍ଗୀର ଓ ତରଭା ଅଞ୍ଚଳରେ ଲୁଚି ରହି ମଝିରେ ମଝିରେ କାରଖାନାକୁ ଯାଉଥିଲେ ହେଁ , କାହାକୁ ଦେଖା କରନ୍ତି ନାହିଁ । ଏହି କାରଖାନାର ପ୍ରଦୂଷଣ ନିୟନ୍ତ୍ରଣ, ଉତ୍ପାଦନ, କଞ୍ଚାମାଲ କିଣା , ରାଜ୍ଯ ବାହାରୁ ଶତାଧିକ ଟ୍ରକ୍ ପରିବହନ ସବୁକିଛିରେ ଗୋପନତା ଅବଲମ୍ବନ କରାଯାଇ ଆସୁଛି । ବଡବଡିଆଙ୍କୁ ଧରି ଏହି ବାହାରିଆ ଅଣଓଡିଆ ମାଲିକ କୌଣସି ନିୟମକୁ ମାନୁ ନଥିବା ଓ କାହା ସହ ସମ୍ପର୍କ ରଖୁ ନ ଥିଲେ ହେଁ , ସରକାର , ଶିଳ୍ପବିଭାଗ , ସ୍ଥାନୀୟ ପୁଲିସ ଓ ପ୍ରଶାସନିକ ଅଧିକାରୀ ଓ ରାଜନୈତିକ ନେତା ବା ଲୋକପ୍ରତିନିଧିଙ୍କ ପକେଟ୍ ଗରମ କରି ମୁନାଫା ନେଉଥିବା ସତ୍ତ୍ବେ ସ୍ଥାନୀୟ ଗ୍ରାମବାସୀମାନଙ୍କ ସ୍ୱାର୍ଥହାନୀ କରି ଚାଲିଥିବାରୁ ଏଥର ଜନଅସନ୍ତୋଷ ଚରମସୀମାରେ ପହଞ୍ଚିଛି । ଏଣୁ କାରଖାନାର ଉପରୋକ୍ତ ବେଆଇନ କାର୍ଯ୍ଯକଳାପ ଓ କେତେକ ଅସାଧୁ ଅଧିକାରୀଙ୍କ ସମେତ ନିର୍ବାଚିତ ଲୋକପ୍ରତିନିଧିଙ୍କ ବିରୋଧରେ ଏଭଳି ଅଦାଲତି ଆଇନଗତ ପଦକ୍ଷେପ ଅନିବାର୍ଯ୍ୟ ହୋଇ ପଡିଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *

Related Post