ସୁବର୍ଣ୍ଣପୁରର ନୂତନ ଜିଲ୍ଲାପାଳଙ୍କ ଯୋଗଦାନ
ସୋନପୁର : ସଂପ୍ରତି ସୁବର୍ଣ୍ଣପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଡ ନୃପରାଜ ସାହୁ ( ଓ ଏ ଏସ୍ ( ଏସ୍ ଏସ୍ ) ଜିଲ୍ଲାର ୩୪ ତମ ଜିଲ୍ଲାପାଳ ଭାବରେ ଯୋଗଦେଇଛନ୍ତି । ପଡୋଶୀ କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକର ନିବାସୀ ଡ ସାହୁ ଜଣେ ଶିକ୍ଷାବିତ୍ , ସାହିତ୍ଯାନୁରାଗୀ ଓ ଅଭିଜ୍ଞ ପ୍ରଶାସକ ଭାବ ସେ ବଲାଙ୍ଗୀର,ନୂଆପଡା,କଳାହାଣ୍ଡି ଇତ୍ୟାଦି ଜିଲ୍ଲାରେ ବିଡିଓ , ତହସିଲଦାର ଓ ସମ୍ବଲପୁରରେ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର୍ ଇତ୍ୟାଦି ପଦରେ ଅବସ୍ଥାପିତ ଥିଲେ । ସେ ଯୋଗଦେବା ପରେ ଜିଲ୍ଲାବାସୀଙ୍କ ପକ୍ଷରୁ ତାଙ୍କୁ ଉଚ୍ଛ୍ବସିତ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଛି । ତେବେ ଆଗାମୀ ୨୦୨୬ ଅଗଷ୍ଟରେ ସେ ଅବସର ଗ୍ରହଣ କରିବେ ବୋଲି ଶୁଣାଯାଇଛି ।
ଅନ୍ୟପକ୍ଷରେ ଜଗତସିଂହପୁର ଜିଲ୍ଲାର ଏକ ରାଜନୈତିକ ପରିବାରରୁ ଆସିଥିବା କୁହାଯାଉଥିବା ସେହି ଯୁବମହିଳା ଜିଲ୍ଲାପାଳ ଗତ ୩୦ । ୧ । ୨୦୨୪ ତାରିଖରେ ଏଠାରେ ଯୋଗଦେଇଥିବା ବିଦାୟୀ ଜିଲ୍ଲାପାଳ ଅନ୍ୟା ଦାସ ( ଆଇ ଏ ଏସ୍ ) ଗତ ୨୯ । ୭ । ୨୦୨୫ ତାରିଖରେ ଭୁବନେଶ୍ଵରକୁ ଅନ୍ୟ ପଦବୀରେ ବଦଳି ହୋଇ ଯାଇଛନ୍ତି । ତାଙ୍କର ଏଠାରେ କାର୍ଯ୍ୟକାଳ ମଧ୍ଯରେ ସେ ସିଧାସଳଖ ହାତଚିକ୍କଣ କରୁଥିବାର ଦୁର୍ନାମ ରହିଥିଲା । ଉନ୍ନୟନମୂଳକ ଫାଇଲ୍ ଗୁଡିକ ଜିଲ୍ଲା କାର୍ଯ୍ୟାଳୟରୁ ତାଙ୍କ ସମୟରେ ଶୀଘ୍ର ଛଡାଯାଉ ନଥିଲା । ତେଣୁ ଏ ସମ୍ପର୍କରେ ଜଣେ ନେତା ଏକ ସାମ୍ବାଦିକସମ୍ମିଳନୀରେ ବିଷୋଦ୍ ଗାର କରିଥିଲେ । ଆହୁରି ମଧ୍ଯ ଯୋଗାଣ ବିଭାଗର ଧାନକିଣା , ମଣ୍ଡି , ନିୟନ୍ତ୍ରିତ ବଜାର କମିଟି ଓ ଚାଉଳକଳ ଗୁଡିକ ଉପରେ ମହିଳାସାଂସଦଙ୍କ ସହ ଯାଇ ପ୍ରତ୍ୟେକ୍ଷ ଉଦ୍ଦେଶ୍ଯମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା , ବଦଳିନିଯୁକ୍ତି , ଶିଶୁଖାଦ୍ୟ ପ୍ରସ୍ତୁତ କରୁଥିବା ଏସ୍ ଏଚ୍ ଜି ର ଛତୁଆ ୟୁନିଟ୍ ରୁ ଦଲାଲଙ୍କ ଜରିଆରେ ଓ ସିଧାସଳଖ ନିରଙ୍କୁଶ ବଟି ଆଦାୟ ଅଭିଯୋଗ , ବିଭିନ୍ନ ସରକାରୀ ସାମଗ୍ରୀକ୍ରୟାଦି ଓ ଅନ୍ଯାନ୍ଯ ବିଭାଗରୁ ତାଙ୍କର ଶୋଷଣ ଚର୍ଚ୍ଚାରେ ରହିଆସିଥିଲା । ଏପରିକି କିଛିଦିନ ତଳେ ପଞ୍ଚାୟତରାଜ ମନ୍ତ୍ରୀଙ୍କ ଗସ୍ତ ବେଳେ ମନ୍ତ୍ରୀ ମନରେଗାକାମରେ ମେସିନ୍ ବ୍ୟବହାର ଇତ୍ୟାଦି ଧରି ପ୍ରକଳ୍ପସ୍ଥଳରେ ଲୋକଙ୍କ ସାମ୍ନାରେ ଜିଲ୍ଲାପାଳଙ୍କ ଉପରେ ବର୍ଷିଥିବା ଖବର ପ୍ରକାଶ ପାଇଥିଲା । ଜିଲ୍ଲାରେ ଉନ୍ନୟନ କାମ ଧିମେଇ ଯାଇଥିଲା । ବ୍ଲକ୍ ଓ ପଞ୍ଚାୟତ ଗୁଡିକରେ ତାଙ୍କର ହସ୍ତକ୍ଷେପ ରହିଥିଲା । ବିନିକା ଓ ଡୁଙ୍ଗୁରିପାଲି ବ୍ଲକରେ ଚାଲିଥିବା ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ଓ ଅନ୍ଯାନ୍ଯ ଅନେକ ପ୍ରକଳ୍ପ ଅଧାପନ୍ତରିଆ ପଡିରହିଥିଲା । ମୁଖ୍ଯତଃ ଡୁଙ୍ଗୁରିପାଲି ନିୟନ୍ତ୍ରିତ ବଜାର କମିଟିର ଜଣେ ପୂର୍ବତନ ସମ୍ପାଦକଙ୍କ ଜରିଆରେ ଯାବତୀୟ ଦୁର୍ନୀତି ତାଙ୍କରି ଜ୍ଞାତସାରରେ ଚାଲିଥିବା ଅଭିଯୋଗ ପ୍ରକାଶ ପାଇଥିଲା । ଏହିସବୁ କାରଣରୁ ତାଙ୍କ ଉପରେ ଲୋକେ ଅସନ୍ତୁଷ୍ଟ ଥିଲେ । ଉପରୋକ୍ତ ବିଷୟରେ ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ହେଁ ସେ ବେଖବର୍ ରହୁଥିଲେ । ଏଣୁ ଗତଥରର ଜିଲ୍ଲାପାଳମାନଙ୍କ ବଦଳିରେ ସେ ତାଲିକାଭୁକ୍ତ ନ ଥିବା ଓ ଏବେ ତାଙ୍କର ବଦଳି ହୋଇଥିବାରୁ ଜିଲ୍ଲାବାସୀ ଆଶ୍ବସ୍ତ ହୋଇଥିବା ପ୍ରକାଶ ।
ଅୟମାରମ୍ଭ ଶୁଭାୟ ଭବତୁ
ଅପରତଃ ନବନିଯୁକ୍ତ ଜିଲ୍ଲାପାଳ ଡ ସାହୁ କାର୍ଯ୍ୟରେ ଯୋଗଦେବା ପରେ ଉତ୍ସାହୀ ହୋଇପଡିଥିବା ଲକ୍ଷ୍ୟ କରାଯାଇଛି । ତାଙ୍କର ଲୋକଙ୍କ ସହ ମିଶିବା ଓ କେଉଁଠି କିଛି ସମସ୍ୟା ସୃଷ୍ଟିହେବାର ଖବର ପାଇଲେ ଘଟଣାସ୍ଥଳକୁ ଧାଇଁଯାଏ ସମସ୍ୟାର ଆଶୁସମାଧାନ କରୁଥିବା ତାଙ୍କୁ ଆରମ୍ଭରୁ ଲୋକପ୍ରିୟ କଲାଣି । ସେ ମଧ୍ଯ ସମାଜର ପ୍ରାୟ ସମସ୍ତବର୍ଗର ଲୋକଙ୍କ ସହ ନିର୍ବିଘ୍ନରେ ମିଶୁଥିବା ଲୋକଙ୍କୁ ସୁହାଉଛି । ସେ ତାଙ୍କ ସ୍ବାଗତ ଅଭିଭାଷଣରେ ଜିଲ୍ଲାର ପ୍ରତ୍ୟେକ ଲୋକଙ୍କର ସମସ୍ୟାର ସମାଧାନ କରିବାକୁ ସେ ସତତ ପ୍ରୟାସରତ ଓ ସାମ୍ବାଦିକମାନେ ପ୍ରଶାସନର ଆଖିକାନ ଇତ୍ୟାଦି ଆପ୍ତବାକ୍ୟ କହି ଆଶ୍ବାସନା ଦେଉଥିବା ପ୍ରକାଶ ।

ତେବେ ଅବିଭକ୍ତ ବଲାଙ୍ଗୀର ଜିଲ୍ଲାରୁ ବିଚ୍ଛିନ୍ନ ହେଲାପରେ ଏଇ ନବଗଠିତ ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଗତି ଅଦ୍ୟାବଧି ଆଶାନୁରୂପ ହୋଇପାରିନାହିଁ । ଆରମ୍ଭରୁ ଏହି ଜିଲ୍ଲାର ଭାଗ୍ୟବିଧାତା ଭାବେ ଯେଉଁମାନେ ଜିଲ୍ଲାପାଳ ହୋଇ ଆସିଛନ୍ତି , ସେମାନଙ୍କ ମଧ୍ଯରେ ଅଧିକାଂଶତଃ ଅବସରକାଳ ପାଖେଇ ଆସିଥିବା , ପ୍ରମୋଟୀ ପ୍ରାଇଜ୍ ପ୍ରଶାସକ ଅର୍ଥାତ୍ ସେମାନଙ୍କ ରିମୋଟ୍ ରାଜନେତା ,ନିର୍ବାଚିତ ଲୋକପ୍ରତିନିଧି ବନାମ ସରକାରଙ୍କ ହାତରେ ରହିଥିବା କଥାଟି ଏତେ ଦୁର୍ବୋଧ୍ୟ ନୁହେଁ । ତେଣୁ ବିଭିନ୍ନ ସରକାରୀ ଯୋଜନାର ବାସ୍ତବ ରୂପାୟନ, ଦୁର୍ନୀତିମୁକ୍ତ ଶାସନବ୍ୟବସ୍ଥା ଓ ଜିଲ୍ଲାର ପ୍ରକୃତ ବିକାଶ କାହାହାତରେ ବୋଲି ଲୋକଙ୍କ ମନରେ ଶଙ୍କା ସୃଷ୍ଟି ହେବା ସ୍ୱାଭାବିକ୍ । ଏହି ଜିଲ୍ଲାର ପ୍ରାୟ ପ୍ରତ୍ୟେକ ବିଭାଗରେ ଅଧିକାରୀଙ୍କ ବ୍ୟତୀତ କର୍ମଚାରୀମାନେ ବର୍ଷ ବର୍ଷ ଧରି ଜାଗାମାଡି ବସିଛନ୍ତି । ପଞ୍ଚାୟତ ଠାରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଏହା ଦେଖାଯାଇଛି । ଜିଲ୍ଲାର ୨ ଟି ସବ୍ ଡିଭିଜନ ବା ୬ ଟି ବ୍ଲକରେ ସଂସ୍କାର ଜରୁରୀ । ବହୁ ସମସ୍ୟା ପ୍ରତି ପ୍ରଶାସନ ବର୍ଷ ବର୍ଷ ଧରି ଆଖିବୁଜି ଦେଇଛି । ତରଭା ବ୍ଲକର ଶିଶୁ ବିକାଶ ପ୍ରକଳ୍ପର ଅଫିସ୍ ଗୃହ ନ ଥିବା ହେଉ ବା ବୀରମହାରାଜପୁର ବ୍ଲକର କୁଞ୍ଜାପାଲି ଆଶ୍ରମସ୍କୁଲ୍ ରେ ଶିକ୍ଷକ/ ଶିକ୍ଷୟିତ୍ରୀ ନ ରହିବା ବା ତରଭା ବ୍ଲକର ଚାରଭଟା ଅନୁସୂଚିତ ଜାତି ଓ ଜନଜାତିର ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନିମ୍ନମାନର ନିର୍ମାଣ ଓ ମରାମତି , ପେକ୍ସ ଅନିୟମିତତା , ଭଙ୍ଗାସ୍କୁଲଗୃହ , ଅତାସିଂହା କେଜିବିଭି କୋଠା ଦୁରବସ୍ଥା ହେଉ ! କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ବହୁ ଘୋଷିତ ଯୋଜନା କେବଳ ମିଟିଂରେ ପର୍ଯ୍ୟବେଶିତ । ଠିକା ଓ ଠକେଇରେ ଚାଲିଛି ବିକାଶ ! ଏସବୁ ବିନା ରାଜନୈତିକ ଇଚ୍ଛାଶକ୍ତିରେ ସମ୍ଭବ କି ?
ତେବେ ନୂତନ ଜିଲ୍ଲାପାଳ ଡ ସାହୁ ତାଙ୍କ ସୀମିତ ଶାସନକାଳରେ ଯାବତୀୟ ପ୍ରତିବନ୍ଧକକୁ ସାମ୍ନା କରି ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ଆସ୍ଥାଭାଜନ ହୁଅନ୍ତୁ ଓ ଅୟମାରମ୍ଭ ଶୁଭାୟ ଭବତୁ , ଏହା ହିଁ ମା’ ସୁରେଶ୍ଵରୀ ଓ ସୁବର୍ଣ୍ଣଶମ୍ଭୁଙ୍କ ନିକଟରେ ପ୍ରାର୍ଥନା !



“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।