ଭାଇ , ଖରାପ ଭାବିଲ କି ? କଟିଯିବ କି ?
କଟିଗଲାପରେ ଉପ-ନିର୍ବାଚନରେ ପୁଣି ନବୀନ !
କଣ୍ଟାବାଞ୍ଜି : ଏଥରର ନିର୍ବାଚନରେ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀହୋଇଥିବା ବିଗତ ୨୪ ବର୍ଷର ବିଜେଡି ସରକାରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହରାଇ ବିଧାୟକ ହୋଇଥିବା ଜାଏଣ୍ଟ୍ କିଲର୍ ଭାଜପାର ଲକ୍ଷ୍ମଣ ବାଗଙ୍କ ସ୍ଥିତି ଟଳମଳ ହେଉଥିବାର ଆଶଙ୍କା ସୃଷ୍ଟି ହୋଇଛି । କାରଣ ତାଙ୍କ ବିରୋଧରେ ସେ ପ୍ରାର୍ଥୀପତ୍ର ଦାଖଲବେଳେ ଦାଖଲ କରିଥିବା ସତ୍ୟପାଠରେ କେତେକ ମିଥ୍ୟାତଥ୍ୟ ଉଲ୍ଲେଖ କରିଥିବା ଜଣେ ସ୍ଥାନୀୟ ରାଜନେତା ଗିରିରାଜ ସିଂ ମାଝି ହାଇକୋର୍ଟରେ ଅଭିଯୋଗ କରିଥିଲେ । ଏବେ ଉଲ୍ଲେଖ ଅନାବଶ୍ୟକ ଯେ ଉକ୍ତ ବ୍ୟକ୍ତିଜଣକ ବିଜେଡିର ଜଣେ ଆଶାୟୀ ପ୍ରାର୍ଥୀ ଥିଲେ ହେଁ , ତାଙ୍କ ସମେତ ଏକାଧିକ ଆଶାୟୀଙ୍କୁ ଚକ୍ ମା ଦେଇ ଖୋଦ୍ ମୁଖ୍ୟମନ୍ତ୍ରୀ ଏଠାରେ ପ୍ରାର୍ଥୀ ହୋଇଥିଲେ ।
ତେବେ ଲକ୍ଷ୍ମଣ ବାଗଙ୍କ ବିରୋଧରେ ଉଚ୍ଚ ଅଦାଲତରେ ଆବେଦନ କରାଯାଇଥିବା ଏହି ମାମଲାର ପାଇଁ ଅଦାଲତର ତିନିଥରର ସମନକୁ ସେ ଅଣଦେଖା କରିବାରୁ ସେ ଆଉ ଅଦାଲତରେ ନିଜର ପକ୍ଷ ରଖିପାରିବେ ନାହିଁ ବୋଲି ଖବର ପ୍ରକାଶ ପାଇଥିଲା । ଉଲ୍ଲେଖନୀୟ ଯେ ଆଗାମୀ ୨୮ ତାରିଖରେ ଏହି ମାମଲାର ଶୁଣାଣି ରହିଛି । ତେବେ ଏହି ପରିପ୍ରେକ୍ଷୀରେ ତାଙ୍କର ବିଧାୟକ ପଦବୀ ବାତିଲ୍ ହୋଇଯାଇପାରେ ବୋଲି ବିଭିନ୍ନ ମହଲରେ ଆଶଙ୍କା ସୃଷ୍ଟି ହୋଇଥିବା ସହ ସାମାଜିକ ଗଣମାଧ୍ୟମରେ ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଚର୍ଚ୍ଚା ଅନୁଯାୟୀ , ଯଦି ତାଙ୍କ ସଭ୍ୟପଦ ରବ୍ଦ ହୁଏ , ଏଥିପାଇଁ ଆଗାମୀ କଣ୍ଟାବାଞ୍ଜି ଉପନିର୍ବାଚନରେ ପୁଣି ନବୀନ ପଟ୍ଟନାୟକ ପ୍ରାର୍ଥୀ ହେବେ ବୋଲି ମଧ୍ୟ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।
ଉକ୍ତ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଜଣେ ରାଜନୈତିକ ବିଶ୍ଳେଷକ ତଥା ବରିଷ୍ଠ ସାମ୍ବାଦିକଙ୍କ ଠାରୁ ପ୍ରକାଶ ଯେ , ଆବେଦନକାରୀଙ୍କ ଅନୁଯାୟୀ , ବିଧାୟକ ଲକ୍ଷ୍ମଣ ବାଗ ତାଙ୍କର ପ୍ରାର୍ଥୀପତ୍ର ଦାଖଲର ତାରିଖରେ ଏପଟ ସେପଟ କରିଥିବା ସହ ତାଙ୍କ ଶିକ୍ଷାଗତ ଯୋଗ୍ୟତାର ନିର୍ଭରଯୋଗ୍ୟ ପ୍ରମାଣପତ୍ରରେ ସନ୍ଦେହ , ମିଳିଥିବା ୨୦ ଲକ୍ଷର ଦଳୀୟ ପାଣ୍ଠିକୁ ନ ଦର୍ଶାଇବା ସହିତ ତାଙ୍କର ଓ ତାଙ୍କ ମିଳିତ ପରିବାରର ପ୍ରକୃତ ସମ୍ପତ୍ତିକୁ ଦର୍ଶାଇ ନଥିବା ଏବଂ ତାଙ୍କ ବିରୋଧରେ ରହିଥିବା ବିଚାରଧୀନ ଫୌଜଦାରୀ ମାମଲାଗୁଡିକ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ ନକରିବା ଇତ୍ୟାଦି ଅଭିଯୋଗ ଉଲ୍ଲେଖ କରାଯାଇଛି ।
ତେବେ ସେ ଜାଣିଶୁଣି ନିର୍ବାଚନ କମିଶନଙ୍କ ପାଖରେ ଏପରି ତ୍ରୁଟିପୂର୍ଣ୍ଣ ଦଲିଲ ଦସ୍ତାବେଜ୍ ଦାଖଲ କରିଛନ୍ତି ନା ବାରମ୍ବାର ‘ ଡାକ୍ତରଙ୍କୁ ଶିକ୍ଷକ ବା ଶିକ୍ଷକଙ୍କୁ ଡାକ୍ତର ‘ ବୋଲି କହୁଥିବା ମୂର୍ଖତାବଶତଃ ଏପରି ଗୁରୁତ୍ୱପୂର୍ଣ୍ଣ ଦଲିଲକୁ ଅନ୍ୟ ସହଯୋଗୀଙ୍କ ହାତରେ ଛାଡିଦେଇ ଗୁରୁତ୍ୱ ଦେଇନାହାଁନ୍ତି ଅଥବା ତାଙ୍କର ଆଇନ୍ ପରାମର୍ଶଦାତାମାନଙ୍କର ଏତାଦୃଶ ଅଜ୍ଞତା ରହିଥିଲା ; ସମୀକ୍ଷା ସାପେକ୍ଷ ବୋଲି ଲୋକଙ୍କ ଭିତରେ ଚର୍ଚ୍ଚା ହେଉଛି । ଅଧିକନ୍ତୁ ଲକ୍ଷ୍ମଣ ବାଗ ଦାଖଲ କରିଥିବା ମାଟ୍ରିକ୍ ବା ତତ୍ତୁଲ୍ୟ ଶିକ୍ଷାଗତ ପ୍ରମାଣ ପତ୍ରଟି ଏଲାହାବାଦ ବିଶ୍ବବିଦ୍ୟାଳୟର ସ୍କୁଲ୍ର ହୋଇଥିବାରୁ ସଂପ୍ରତି ବଲାଙ୍ଗୀର ଜିଲ୍ଲାରେ ଚାଲିଯିବା ଜାଲ୍ ସାର୍ଟିଫିକେଟ୍ ରାକେଟ୍ ଜରିଆରେ ଏହା ଏକ କିଣାଜାଲ୍ ପ୍ରମାଣପତ୍ର ବୋଲି ବି ସନ୍ଦେହ ପ୍ରକାଶ ପାଇଛି । ଏଣୁ ଏହାକୁ ମଧ୍ୟ ତଦନ୍ତର ପରିସରଭୁକ୍ତ କରାଯିବାକୁ ଲୋକେ ସରକାର ଓ ମାନ୍ୟବର ଅଦାଲତଙ୍କର ଦୃଷ୍ଟି ଆକର୍ଷଣ କରନ୍ତି ।
ସେ ଯାହାହେଉ ନା କାହିଁକି , ଯଦି ଏଥିପାଇଁ କୋର୍ଟର ବିଚାରରେ ତାଙ୍କର ବିଧାୟକ ସଭ୍ୟପଦଟି ରବ୍ଦ ହୋଇଯାଏ ଓ ସମ୍ଭାବ୍ୟ ଉପ- ନିର୍ବାଚନ ହୁଏ , ସେତେବେଳେ ଆଉଥରେ ଏଠାରେ ଏବେ ବିରୋଧୀଦଳ ନେତା ଥିବା ହିଞ୍ଜଳି ବିଧାୟକ ନବୀନ ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିବ ନା ଆଉ କାହାକୁ କରିବ , ଏ ନେଇ ମଧ୍ୟ ଏହାପରେ ଏବଠୁଁ ଲୋକେ କଳ୍ପନା ଜଳ୍ପନା ଆରମ୍ଭ କରିଦେଲେଣି । ଯଦି ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇ ଜିତିଯାଆନ୍ତି , ତେବେ ସେ ହିଞ୍ଜଳି ଓ କଣ୍ଟାବାଞ୍ଜି ମଧ୍ୟରୁ କେଉଁ ଗୋଟିକ ଆସନ ରଖିବେ ? ତା’ହେଲେ ଓଡିଶା ଆଉ ଗୋଟିଏ ଅର୍ଥାତ୍ ଲାଗ୍ ଲାଗ୍ ଦୁଇଟି ଉପନିର୍ବାଚନର ସମ୍ମୁଖୀନ ହେବ ? ନତୁବା ବିଜେଡି ଦଳରୁ ନିର୍ବାଚନ ବେଳେ ଟଣାଓଟରା ହେଉଥିବା ପୂର୍ବତନ ବିଧାୟକ ହାଜୀ ମହମ୍ମଦ ଆୟୁବ୍ ଖାଁ , ବଲାଙ୍ଗୀରରୁ ଯାଇ ଦୀର୍ଘବର୍ଷ ଧରି କଣ୍ଟାବାଞ୍ଜିରେ ଡେରା ପକାଇଥିବା ଅନ୍ୟଜଣେ ବରିଷ୍ଠ ବିଜେଡିନେତା ଅଜୟ ଦାସ , ଲକ୍ଷ୍ମଣଙ୍କ ବିରୋଧରେ ଏହି ଅଭିଯୋଗ କରିଥିବା ଅବସରପ୍ରାପ୍ତ ସାମରିକ କର୍ମଚାରୀ ଆଶାୟୀ ପ୍ରାର୍ଥୀ ଗିରିରାଜ ସିଂ ମାଝିଙ୍କ ମଧ୍ୟରୁ କାହାକୁ ଜଣକୁ ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚାରୁ ପ୍ରକାଶ । ତେବେ ଏମାନଙ୍କ ଭିତରୁ ଆୟୁବ୍ ଖାଁ’ଙ୍କ ନାଁ ଆଗରେ ରହିଛି । କେତେକମହଲରେ ଏମାନେ କେହି ନୁହନ୍ତି , ବରଂ ଜଣେ ପ୍ରଭାବଶାଳୀ ଆମଦାନୀ ନେତା ପାଣ୍ଡିୟାନ୍ ଙ୍କୁ ବିଜେଡି ଏଠାରେ ପ୍ରାର୍ଥୀ କରିପାରେ ବୋଲି ବି କୁହାଯାଉଛି ।
ସେହିପରି ଭାଜପାରୁ ଉକ୍ତ ସମ୍ଭାବିତ ଉପନିର୍ବାଚନରେ ଆଉଥରେ ସଠିକ୍ ଦଲିଲ ଦସ୍ତାବେଜ୍ ସଜାଡି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଦଳ ପ୍ରାର୍ଥୀ କରିବ ନା ତାଙ୍କ ସ୍ଥାନରେ ବଲାଙ୍ଗୀର ଜିଲ୍ଲା ଭାଜପା ସଭାପତି ଥିବା ଦୀର୍ଘଦିନର ଅନ୍ୟତମ ଆଶାୟୀ ଶିବାଜୀ ମହାନ୍ତିଙ୍କୁ ଦଳ ପକ୍ଷରୁ ଟିକେଟ୍ ମିଳିବ , ଏଭଳି ସମ୍ଭାବନାର ବିଲୁଆବିଚାର ଆରମ୍ଭ ହୋଇଛି ।