‘ଏକ୍ସପାର୍ଟି ‘ବଡକଥା ନୁହେଁ , ଅଭିଯୋଗ ପ୍ରମାଣ କରି ନ ପାରିଲେ ମାମଲା ରବ୍ଦ ହେବ – ନରସିଂହ
କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀଟି ଗୋଟିଏ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ , ଏଇଥିପାଇଁ ଯେ ସେଠାରେ ପ୍ରାର୍ଥୀ ହୋଇଥିବା ବିଜୁ ଜନତା ଦଳର ସୁପ୍ରିମୋ ତଥା ଦୀର୍ଘ ୨୪ ବର୍ଷର କ୍ଷମତାରେ ରହିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଜପାର ଜଣେ ସାଧାରଣ ପ୍ରତିଦ୍ଵନ୍ଦୀଙ୍କ ଠାରୁ ହାରିଯାଇଥିଲେ । ଏହାପରେ ଏବର କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ବିରୋଧରେ ଗିରିଧର ସିଂ ମାଝି ନାମକ ଜଣେ ବ୍ୟକ୍ତି ସେ ନିର୍ବାଚନ ବେଳେ କେତେକ ଭୁଲ୍ ତଥ୍ୟ ଦେଇ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି ବୋଲି ଓଡିଶା ହାଇକୋର୍ଟରେ ଏକ ଅଭିଯୋଗ ଦାଖଲ କରିଛନ୍ତି । ବିଡମ୍ବନାର କଥା ଯେ , ମାନ୍ଯବର କୋର୍ଟଙ୍କ ୩ ଥରର ସମନ୍ ବା ନୋଟିସ୍ ପରେ ଶ୍ରୀ ବାଗ ତାଙ୍କର ପକ୍ଷ ରଖି ନାହାଁନ୍ତି !
ଗତ ୨୭ ତାରିଖରେ ଥିଲା ଏହାର ଶୁଣାଣିର ଶେଷ ତାରିଖ ବୋଲି ପ୍ରକାଶ । ତେଣୁ ସମଗ୍ର ରାଜ୍ୟର ଦୃଷ୍ଟି ନିବଦ୍ଧ ହୋଇଥିଲା ଏହି ଦିନର ରାୟ ଉପରେ । ଆଗକୁ ମାନ୍ୟବର ଅଦାଲତ କି ନିଷ୍ପତ୍ତି ନେବେ ବା ପକ୍ଷ ଓ ପ୍ରତିପକ୍ଷ କି କି ପଦକ୍ଷେପ ଗ୍ରହଣ କରିବେ , ତା’ ତ ରହିଛି । ତେବେ ଏ ସମ୍ପର୍କରେ କଣ୍ଟାବାଞ୍ଜିର ଜଣେ ରାଜନୈତିକ ବ୍ୟକ୍ତିବିଶେଷ ବା ସମାଜସେବୀ ସୁରଥ ବେହେରା ଏ ସମ୍ପର୍କରେ ଓଡିଶାର ପୂର୍ବତନ ଆଇନମନ୍ତ୍ରୀ ତଥା ବିଚକ୍ଷଣ ରାଜନେତା ନରସିଂହ ମିଶ୍ରଙ୍କର ମତାମତ ଲୋଡିଥିଲେ , ଯାହା ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହାର ଆଗାମୀ ପରିଣତି କ’ଣ ହେଇପାରେ , ଏ ନେଇ ଜନସାଧାରଣଙ୍କର ଉତ୍କଣ୍ଠା ସୃଷ୍ଟି ହେବା ସ୍ବାଭାବିକ୍ । ଏଣୁ ଏହାର ଏକ ତର୍ଜମା ଜରୁରୀ ହୋଇପଡିଛି ।
ଏକଥା ବି ପଛକଥା ଯେ , ଏଥିରେ ରାଜନୀତିର ଗନ୍ଧ ଅଛି କି ନ ଅଛି ! କହିବାବାହୁଲ୍ୟ , ବିଧାୟକଙ୍କ ବିରୁଦ୍ଧରେ ଅଦାଲତରେ ଉକ୍ତ ଅଭିଯୋଗ ମାମଲାଟି ଫାଇଲ୍ କରିଥିବା ଆବେଦନକାରୀ ଗତ ନିର୍ବାଚନ ପୂର୍ବରୁ ବିଧାୟକଙ୍କର ଅନେକଙ୍କ ମଧ୍ୟରେ ଜଣେ ପ୍ରତିଦ୍ଵନ୍ଦୀ ଭାବେ ବିଜୁ ଜନତା ଦଳର ଜଣେ ଟିକେଟ୍ ଆଶାୟୀ ଥିଲେ । ସେ ଜଣେ ଅବସରପ୍ରାପ୍ତ ସାମରିକକର୍ମଚାରୀ ଓ ତାଙ୍କର କିଛି ଜାତିଗତ ଭୋଟ୍ ଓ ସଂଗଠନ ରହିଛି । କିନ୍ତୁ ମୁଖ୍ୟମନ୍ତ୍ରୀ ନିଜେ ସେଠାରେ ଠିଆ ହେବାରୁ ତାଙ୍କଦଳର ସମସ୍ତଙ୍କୁ ନିରାଶ ହେବାକୁ ପଡିଥିଲା । ଯଦି ଏହି ଅଦାଲତି ରାୟରେ ସତକୁ ସତ ବିଧାୟକ ହାରିଯାଆନ୍ତି ଓ ଏଠରେ ଏକ ଉପ- ନିର୍ବାଚନ ହୁଏ , ଷଣ୍ଢଡ୍ୟାସ୍ କୁ ଶୃଗାଳ ଆଶାରେ କାହାକୁ ପରବର୍ତ୍ତୀ ପ୍ରଭାବଶାଳୀ ଦଳ ବିଜେଡିରୁ କାହାକୁ ଟିକେଟ୍ ମିଳିବ ଓ ସେ ବିଜୟୀ ହେବେ ; ଏହାର ମଧ୍ୟ କୌଣସି ଗ୍ୟାରେଣ୍ଟି ନାହିଁ ।
ଏହା କେବଳ ଗୋଟେ ଖିଜନୀବୁଦ୍ଧି ବାହାର କରି ଶିଙ୍ଗ ଦେଖାଇବା କଥା ବୋଲି ଲୋକେ ଆଲୋଚନା କରୁଛନ୍ତି । ସେହିପରି ଏବେ ଏଭଳି ପ୍ରଶ୍ନ ପଚାରିବା ବ୍ୟକ୍ତି ଜଣକ ବି ଓଡିଶାରେ ସ୍ଥିତି ନଥିବା ‘ ଆମ୍ ଆଦମୀ ପାର୍ଟି ‘ ବନାମ ସ୍ବାଧୀନପ୍ରାର୍ଥୀ ଥିଲେ , ଯିଏ ଅମାନତ ହରାଇବା ନିଧାର୍ଯ୍ଯ ଥିଲା ଓ ତାହା ହେଲା ବି । ଯଦି ବିଧାୟକ ପଦ ହରାନ୍ତି , ତାଙ୍କର ମଧ୍ୟ ଅନାକାଂକ୍ଷିତ ଉପ ନିର୍ବାଚନରେ ପ୍ରାର୍ଥୀହୋଇ ଆଉଥରେ ଜିତିବାର ଲେଶମାତ୍ର ସମ୍ଭାବନା ନଥିବା ଲୋକେ ଜାଣନ୍ତି ।
ତେବେ ଏକଥାଟି ରାଜ୍ୟର ଜଣେ ବରିଷ୍ଠ କଂଗ୍ରେସନେତା , ପୂର୍ବତନ ଆଇନମନ୍ତ୍ରୀ ଓ ଆଇନଜ୍ଞଙ୍କୁ ପଚାରିଦେଇ ସେ କିଛିଲୋକଙ୍କର ମନର ଓରିମାନାକୁ ଉଖାରିଦେଇ କିଛି ଗୁରୁତର ଭୁଲ୍ କରିନାହାଁନ୍ତି ! ସେ ଜଣେ ସଚ୍ଚୋଟ ସଚେତନ ନାଗରିକ , ସାମ୍ବାଦିକତା କରୁଥିଲେ , ସଂଗଠକ ଓ ଉତ୍ସର୍ଗୀକୃତ ସମାଜସେବୀ । ତାଙ୍କର ଏକ ନିର୍ମଳ ଭାବମୂର୍ତ୍ତି ଓ ଲଢୁଆ ମନୋବୃତ୍ତି ରହିଛି । ସେ ଏଇ ରୋଚକ ପ୍ରସଙ୍ଗଟି ଆଲୋଚନା କରି ମୁଖ୍ୟତଃ କଣ୍ଟାବାଞ୍ଜି ଅଞ୍ଚଳର ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ବଲାଙ୍ଗୀର ଆସି ଶ୍ରୀ ମିଶ୍ରଙ୍କୁ ଭେଟିଥିଲେ ନା ଶ୍ରୀ ମିଶ୍ର କୌଣସି ଅବସରରେ କଣ୍ଟାବାଞ୍ଜି ଯାଇଥିଲା ବେଳେ ତାଙ୍କୁ ଭେଟି ଏଇ ସାକ୍ଷାତକାରଟି ନେଇ କେଉଁ ଉଦ୍ଦେଶ୍ୟରେ ଏଇ ଲାଇଭ୍ ପୋଷ୍ଟ୍ କଲେ , ସେ ଜିରାରୁ ଶିରା କାଢିବା ବି ଆମର ଲକ୍ଷ୍ୟ ନୁହେଁ ।
ତେବେ ଏ ପରିପ୍ରେକ୍ଷୀରେ ଶ୍ରୀ ମିଶ୍ରଙ୍କ ମତାମତ ଗୁରୁତ୍ୱପୂର୍ଣ୍ଣ ଅଟେ । ଶ୍ରୀ ବେହେରାଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ମିଶ୍ର ଆଇନର ତର୍ଜମା କରି ବୁଝାଇଦେଇ କହିଲେ ଯେ , ଏସବୁ ମାମଲାରେ କୋର୍ଟରେ ଏକ୍ସପାର୍ଟି ବଡକଥା ନୁହେଁ । ହୁଏତ ସେ କୋର୍ଟର ନୋଟିସ୍ ଅନୁଯାୟୀ , ଧାର୍ଯ୍ୟସମୟସୀମା ପକ୍ଷ ରଖି ପାରି ନାହାଁନ୍ତି । ଏଥିପାଇଁ ଯୋଉମାନେ ଭାବୁଛନ୍ତି , ସେ ହାରିଗଲେ , ସେମିତି ନୁହେଁ । ଶୁଣାଣି ମଧ୍ୟରେ ସେ ଟଙ୍କା ଦେଇ ବା ଫାଇନ୍ ଦାଖଲ କରି ଆଉଥରେ ପକ୍ଷ ରଖିପାରିବେ । ତା’ଛଡା , ଉପରର ସୁପ୍ରିମକୋର୍ଟକୁ ଯାଇ ପାରନ୍ତି । ସାଧାରଣତଃ ଏଭଳି ନିର୍ବାଚନୀ ମାମଲା ଗୁଡିକ ସରୁ ସରୁ ତିନିଚାରିବର୍ଷ ଲାଗିଯାଇଥାଏ ଓ ତା’ପରେ ଆଗାମୀ ନିର୍ବାଚନ ଆସିଯିବାର ସମୟ ହେଇଯାଏ । ଅବଶ୍ୟ ଲୋକେ ଏବେ ଅଧିକ ଆଇନ ସଚେତନ ହୋଇଥିବାରୁ ପୂର୍ବାପେକ୍ଷା ଏଥର ଏଭଳି ନିର୍ବାଚନୀମାମଲା ବଢିଛି ।
ଆହୁରି ମଧ୍ୟ , ଯେଉଁମାନେ ଅଭିଯୋଗ କରିଛନ୍ତି , ସେମାନେ ଯଦି ତାଙ୍କ ଅଭିଯୋଗକୁ ପ୍ରମାଣିତ କରି ନ ପାରିବେ , ମାମଲା ଖାରଜ ହେଇଯିବ ।
ଏହାସହିତ ଶ୍ରୀ ମିଶ୍ର ଏହାର ଏକ ରାଜନୈତିକ ଛୁଙ୍କ ମଧ୍ୟ ଦେଇଥିଲେ । ତାଙ୍କ ସ୍ବଭାବସୁଲଭ ଭଙ୍ଗୀରେ ସେ କହିଲେ ଯେ , ନବୀନ ପଟ୍ଟନାୟକ ଏଠାରେ ପରାଜିତ ପ୍ରାର୍ଥୀ ଓ ସେ କୌଣସି ଅଭିଯୋଗ କରିନାହାଁନ୍ତି ! ତେଣୁ ଯେଉଁମାନେ ଏ ଅଭିଯୋଗ କରିଛନ୍ତି , ସେମାନେ କାହିଁକି କଲେ , ଲୋକେ ଜାଣୁଥିବେ !
ଆପାତତଃ ଏହି ଆଲୋଚନା ବନାମ ପ୍ରଶ୍ନୋତ୍ତରରୁ ଲୋକେ ପଚାରୁଛନ୍ତି : ଏଥରୁ କ’ଣ ବୁଝିଲ , ପିଲେ ? ଶ୍ରୀ ମିଶ୍ର ଅଭିଯୁକ୍ତ ବିଧାୟକଙ୍କ ପାଇଁ ଓକିଲାତି କଲେ ନା ସପକ୍ଷରେ ସମର୍ଥନର ସୂଚନା ଦେଲେ ? ଯିଏ ପଚାରିଲେ , ତାଙ୍କର କ’ଣ କଂଗ୍ରେସଦଳରେ ମିଶିବାକୁ ମନ ହେଇଛି ନା ଯିଏ ଉତ୍ତର ଦେଇଥିଲେ , ସେ ଭାଜପା ଆଡକୁ ଢଳିବେ ? ଏଇସବୁ ବିଲୁଆବିଚାର ବି ଲୋକେ କଲେଣି ।
ଅନନ୍ତର ପିଲେ ଗୋଲକଧନ୍ଦାରେ ପଡିଯିବା ଥୟ !