ଦୁର୍ନୀତି

କଟନୀଛଟନୀରୁ ୫ କୋଟିର ଦୁର୍ନୀତି ଆକଳନ  !

Email :

ବଲାଙ୍ଗୀର : ଚଳିତବର୍ଷ ସରକାର ଧାନର ସହାୟକ ମୂଲ୍ୟ ବା ଏସ୍ ଏମ୍ ପି  ଇନ୍ ପୁଟ୍ ମିଶାଇ କୁଇଣ୍ଟାଲ୍ ପ୍ରତି ୩୧୦୦ ଟଙ୍କାକୁ ବୃଦ୍ଧି କରିଥିବା ସହ କଟନୀଛଟନୀ ବନ୍ଦ ଘୋଷଣା କରିଥିଲେ ହେଁ , କେହି ଏହାକୁ ମାନୁନାହାଁନ୍ତି । ସମ୍ଭବତଃ  ଦଳୀୟ ନେତାଙ୍କର ପ୍ରତିମିଲ୍ ରୁ ୫ ରୁ ୭ ଲକ୍ଷ ରାଜତଣ୍ଡ ଏହାର ଏକ ମୁଖ୍ୟକାରଣ ହୋଇଥିବା ବେଳେ , ଏଫ୍ ଏ କ୍ୟୁ ମାନର ଧାନର କଟକଣା ମିଲର୍ସଙ୍କୁ ବିଦ୍ରୋହୀ କରିଛି ।  ତେଣୁ ପ୍ରାୟ ସବୁଠି ୩ ରୁ ୭ କେଜି କଟନୀଛଟନୀ ନକଲେ ମିଲର୍ସ ମଣ୍ଡିରୁ ଧାନ ଉଠାଇବାରେ ଜାଣିଶୁଣି ଅହେତୁକ ବିଳମ୍ବ କରୁଥିବା ଲକ୍ଷ୍ୟ କରାଯାଇଛି । ଏଥିରେ ବିଭାଗ ଓ ପ୍ରଶାସନର ସମ୍ପୂର୍ଣ୍ଣ ଜ୍ଞାତସାରରେ ମିଲର୍ସଙ୍କ ହାତବାରିସୀ ସାଜିଛନ୍ତି ପେକ୍ସର ସେକ୍ରେଟାରୀମାନେ । ଏହି ସମ୍ପାଦକ ମାନଙ୍କୁ ନିଯୁକ୍ତି ବେଳୁ ଇ ଦୁର୍ନୀତି କରିବାକୁ ଏକପ୍ରକାର ନିୟୋଜିତ କରାଯାଇଛି । ଏଥିରେ ହାତ ରହୁଛି ସିଧା ଡିଆରସିଏସ୍ ର । ଅର୍ଜୁନପୁର ପେକ୍ସର ସମ୍ପାଦକ ନିଯୁକ୍ତି ଏହାର ଏକ ଜ୍ବଳନ୍ତ ଉଦାହରଣ ।  ଏହା ସହିତ ବ୍ୟାଙ୍କ୍ , ବିଭାଗ ଓ ପ୍ରଶାସନର ଭାଗ ରହିଛି ଏଥିରୁ । ତେଣୁ ସରକାରଙ୍କ ନିୟମ , କଟକଣା ଓ ଘୋଷଣା କିଛି କାମ ଦେଉନାହିଁ ।

ଚଳିତବର୍ଷର ଖରିଫ୍ ଋତୁରେ ଜିଲ୍ଲାର ୧୫୮ ପେକ୍ସ ଓ ୧୮ଟି ଏସ୍ ଏଚ୍ ଜି ଦ୍ବାରା ଧାନକିଣା ମଣ୍ଡିର ମୋଟ କଟନୀଛଟନୀ , ଓଜନ ହେରଫେର ଓ ବସ୍ତା ଇତ୍ୟାଦି କାଟି ମୋଟ ୩୪ ଲକ୍ଷ କୁଇଣ୍ଟାଲ୍ ଧାନକିଣାରୁ ସମ୍ଭାବିତ ଆଗାମୀ ଫେବୃଆରୀ ମାସ ମଧ୍ୟଭାଗର ସୁଦ୍ଧା ଗୋଟିଏ ଖରିଫ୍ ଋତୁରେ ୫ କୋଟି ଟଙ୍କାର ହେରଫେର ହେବ ବୋଲି ଗଣମାଧ୍ୟମରେ ଆକଳନ ପ୍ରକାଶ ପାଇଛି । 

ଅସାଧୁ କର୍ମଚାରୀଙ୍କ ଦ୍ବାରା ମଣ୍ଡିରୁ ଷଡଯନ୍ତ୍ର ?

ଯଦି ଉପରୋକ୍ତ ପ୍ରଲମ୍ବିତ ଦୁର୍ନୀତିର ମୂଳରୁ ଅନୁଧ୍ୟାନ କରାଯାଇ କେବଳ ଦେଓଗାଁ ବ୍ଲକ୍ ର ଅର୍ଜୁନପୁର ପେକ୍ସକୁ ଉଦାହରଣ ଭାବେ ନିଆଯାଏ , ତେବେ ଏଭଳି ଷଡଯନ୍ତ୍ର ସ୍ପଷ୍ଟ ।

ଉଲ୍ଲେଖନୀୟ ଯେ , ଗତ ୨୦୨୨ରୁ ଏହି ପେକ୍ସରେ ସମ୍ପାଦକ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଲୋକଲୋଚନକୁ ଆସିଥିଲା । ମୋଟ ୩୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଶେଷରେ ଚୟନରେ ରହିଥିବା ୪ ଜଣଙ୍କ ମଧ୍ୟରୁ ଜଣଙ୍କୁ ମାର୍କ ଭିତ୍ତିରେ ନିଯୁକ୍ତି ଘୋଷଣା କରି ୧୦ ଦିନର କାମକଲାପରେ ମାସକ ପରେ ଏହାକୁ ବାତିଲ୍ କରାଯାଇଥିଲା ।  ତେଣୁ ଉକ୍ତ ଚାକିରୀ ହରାଇଥିବା ସମ୍ପାଦକ ପେକ୍ସର ସଭାପତି ଓ ଜଣେ ନିର୍ଦ୍ଦେଶକଙ୍କ ବିରୋଧରେ ତାଙ୍କଠାରୁ ନିଯୁକ୍ତି ନିମନ୍ତେ ୧୫ ହଜାର ଟଙ୍କା ନଗଦ ଓ ଫୋନ୍ ପେ’ ରେ ୬୦ ହଜାର ଟଙ୍କା ଲାଞ୍ଚ ନେଇଥିବା ତୁଷୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।  ଅଭିଯୁକ୍ତମାନେ ଏହା ମଧ୍ୟ ସ୍ବୀକାର କରିଥିବା ପ୍ରକାଶ ପାଇଥିଲା । କିନ୍ତୁ  ପୁଲିସ୍ ଏ ସମ୍ପର୍କରେ କୌଣସି ମାମଲା ଋଜୁ ନକରି ଥାନାକୁ ଡକାଇ ସମାଧାନ କରିଦେଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।

ଏହାପରେ ଉକ୍ତ ପେକ୍ସର ଅବସରପ୍ରାପ୍ତ ପୂର୍ବତନ ସମ୍ପାଦକଙ୍କ ପୁଅ ତଥା ସହସମ୍ପାଦକଙ୍କ ଠାରୁ ଜଣେ ଭାରପ୍ରାପ୍ତ ଏଆରସିଏସ୍ ୭ ଲକ୍ଷଟଙ୍କା ଲାଞ୍ଚ ନେଇ ତାଙ୍କୁ ଗତବର୍ଷର ରବି ଓ ଖରିଫ୍ ଋତୁର ଧାନକିଣା ଦାୟିତ୍ୱରେ ରଖାଇଥିଲେ ।ଶେଷରେ ଗତବର୍ଷ ଜାଲ୍ ସାର୍ଟିଫିକେଟ୍ ( ଡିସିଏମ୍ ) ଅଭିଯୁକ୍ତ ଜଣକ ଠାରୁ ଲକ୍ଷାଧିକ ଟଙ୍କା ଲାଞ୍ଚ ନିଆଯାଇ ନିଯୁକ୍ତି ଦିଆଯାଇଛି । କୌତୁହଳର ବିଷୟ ଯେ , ପ୍ରତିପକ୍ଷ ପ୍ରାର୍ଥୀ ଓ ଚୟନ ପ୍ରକ୍ରିୟା  ବିରୋଧରେ ଡିଆରସିଏସ୍ , ବିଧାୟକ ଓ ଜିଲ୍ଲାପାଳଙ୍କ ଠାରେ ଓଲଟା ଅନିୟମିତତାର ଅଭିଯୋଗ କରୁଥିବା ଏହି ଯୁବକ ଜଣକ ଶେଷରେ ଜମିବିକା ଲକ୍ଷାଧିକ ଟଙ୍କା ଜଣେ କରିତ୍ କର୍ମା ଅଧିକାରୀଙ୍କୁ ଲାଞ୍ଚ ଦେଇ ଏଇ ପଦଟି ଅକ୍ତିଆର କରି ନେଇଥିବା ଅଭିଯୋଗ କରାଯାଉଛି । ଏଥିରେ ଗୁରୁତର ଅଭିଯୋଗ ଏହା ଯେ , ଜିଲ୍ଲାରେ ବହୁଚର୍ଚ୍ଚିତ ଜାଲ୍ ଶିକ୍ଷାଗତ ସାର୍ଟିଫିକେଟ୍ ଠାରୁ ଏହି ପଦ ସକାଶେ ଆବଶ୍ୟକ ପଡୁଥିବା ଜାଲ୍ ଡିସିଏମ୍ ସାର୍ଟିଫିକେଟ୍ ରାକେଟ୍ ର ଅଦ୍ୟାବଧି ଅଭିଯୋଗ ପ୍ରକାଶ ପାଇଥିବା ସତ୍ତ୍ୱେ ତଦନ୍ତ ହେଲାନାହିଁ !  ଏହି ରାକେଟ୍  ଉକ୍ତ ଅର୍ଜୁନପୁର ଓ ନିକଟସ୍ଥ ସୁବର୍ଣ୍ଣପୁର ଜିଲ୍ଲାର ଚାରଭଟା ଅଞ୍ଚଳର ପଣ୍ଡା ଓ ରଣା ନାମକ ଦଲାଲ ଲକ୍ଷାଧିକ ଟଙ୍କା ନେଇ ନୂଆଦିଲ୍ଲୀର ଏକ ନକଲି ସଂସ୍ଥା ନାଁ’ର ଉକ୍ତ ପ୍ରମାଣପତ୍ର ଯୋଗାଇଥିବା ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।

ଯଦିଓ ଉପରୋକ୍ତ ଅଭିଯୋଗର ଯାଞ୍ଚ ନାଁ’ରେ ତତ୍କାଳୀନ ଡିଆରସିଏସ୍ ଦମୟନ୍ତୀ ସିଂ ମାସ ମାସ ଧରି ଅହେତୁକ କାଳକ୍ଷେପଣ କଲାପରେ  ଏଥିରେ କୌଣସି ଅନିୟମିତତା ହୋଇ ନଥିବା ଏଆରସିଏସ୍ ରବୀନ୍ଦ୍ର ପଣ୍ଡା କହିଥିବା ପ୍ରକାଶ । ଏଥିପାଇଁ ମଧ୍ୟ ପ୍ରାର୍ଥୀଙ୍କ ପକ୍ଷରୁ ହାଇକୋର୍ଟକୁ ଯାଇଥିବା ଓ ପରିଶେଷରେ ଅଦାଲତ ସ୍ଥାନୀୟ ବୋର୍ଡର ନିଷ୍ପତ୍ତି ହିଁ ଚୂଡାନ୍ତ ବୋଲି କହିବା ପରେ ପୁଣି  ଲାଞ୍ଚ ଦେଇ ସେଇ ପେକ୍ସ ବୋର୍ଡର ଶରଣ ପଶିବା ପରେ ଟୁନା ପ୍ରଧାନଙ୍କୁ  ଦୁଇବର୍ଷପରେ ଗତବର୍ଷ  ସେକ୍ରେଟାରୀ ଚାକିରୀ ଦିଆଯାଇଥିବା ଚର୍ଚ୍ଚା ହେଉଛି । 

ଅନ୍ୟ ଏକ ପେକ୍ସର ସମ୍ପାଦକ ଏଭଳି ଅନିୟମିତତା ଅଭିଯୋଗରେ ନିଲମ୍ବିତ ହୋଇଥିଲେ । ପଡୋଶୀ ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକ୍ ର କମସରା ପେକ୍ସର ଡିଇଓ ଗତବର୍ଷ ୩୫ ଲକ୍ଷ ଟଙ୍କାର ଫେକ୍ ଭେଣ୍ଡର ଏଣ୍ଟ୍ରି କରି ୧୫ ଲକ୍ଷ ଟଙ୍କା ଚାଷୀ ବନାମ ବେପାରୀଙ୍କୁ  ଭରଣାଦେଇ ଗ୍ରାମର କଙ୍ଗାରୁକୋର୍ଟରେ ଦୋଷମୁକ୍ତ ହେବାପରି ଘଟଣା ଘଟିଥିଲା ।

ତେଣୁ ‘ଏଭଳି ଅନିୟମିତତାର ଅଭିଯୁକ୍ତ ପେକ୍ସ ସମ୍ପାଦକମାନଙ୍କ ଠାରୁ କିଭଳି ସ୍ବଚ୍ଛତା ଆଶା କରାଯାଇପାରେ ? ‘  ବୋଲି ଚର୍ଚ୍ଚା ହେଉଛି ।

ସଦ୍ୟତମ ଘଟଣାରେ ଅଦ୍ୟାବଧି ଅର୍ଜୁନପୁର ପେକ୍ସରେ ଧାନ ଉଠାଣରେ ଅହେତୁକ ବିଳମ୍ବ ଓ ମଣ୍ଡିରେ ୫ ହଜାର ବସ୍ତାରୁ ଉର୍ଦ୍ଧ୍ବଧାନ ପଡିରହିଥିବା ପ୍ରକାଶ ।  ଏହାର କାରଣ ସ୍ବରୂପ କୁହାଯାଉଛି ଯେ , ଜାଣିଶୁଣି ସମ୍ପାଦକଙ୍କ ସହ ସଲାସୁତୁରାରେ ଚାଷୀଙ୍କୁ ହଇରାଣ କରାଯାଇ ଏଭଳି ଅକଳରେ ପକାଯାଉଛି । ତେଣୁ ଚାଷୀ ବାଧ୍ୟହୋଇ ବସ୍ତାପିଛା ୩ / ୪  ବନାମ କୁଇଣ୍ଟାଲ୍ ପିଛା ଓଜନ ହେରଫେରରେ ୫ ରୁ ୭ କେଜି ପର୍ଯ୍ୟନ୍ତ କଟନୀଛଟନୀକୁ ମାନି ନେଉଛି  ? ଏହା ଏକ ଅପ୍ରିୟସତ୍ୟ ଯେ ଏହି ସବୁ ହଜାର ହଜାର କୁଇଣ୍ଟାଲର କଟନୀଛଟନୀର ଧାନ ମିଲ୍ କୁ ହିଁ ଯାଉଛି ଓ ଏଥିରେ ତଳୁ ଉପରସ୍ତର ପର୍ଯ୍ୟନ୍ତ ସମସ୍ତଙ୍କର ଭାଗ ରହିଛି ।  ସର୍ବୋପରି ଗୋଟିଏ ଗୋଟିଏ ମଣ୍ଡିର ଧାନକିଣାରେ ସମ୍ପାଦକମାନେ କୋଟିପତି ହୋଇଯାଉଥିବା ଲକ୍ଷ୍ୟ କରାଯାଇଛି । ଜଣେ ପେକ୍ସ ସେକ୍ରେଟାରୀ କାର୍ , କୋଠା , ଲକ୍ଷ ଲକ୍ଷ ଟଙ୍କାର ବ୍ୟାଙ୍କ ବାଲାନ୍ସ କରିପାରୁଛନ୍ତି । ଗଉଡଗୋଠ ପେକ୍ସର ସମ୍ପାଦକ ତାଙ୍କ ଗ୍ରାମରେ ଏକ କଲେଜ ଖୋଲିବାକୁ ସୁବର୍ଣ୍ଣପୁର ଜିଲ୍ଲାର ଏକ ବ୍ୟାଙ୍କ ଜରିଆରେ ୧୨ ଲକ୍ଷଟଙ୍କାର ଅର୍ଥ ଲଗାଇଥିବା ଚର୍ଚ୍ଚା ହେଉଛି । ଖପ୍ରାଖୋଲ , ଦଶପୁର , ମହୀମୁଣ୍ଡା , ଉପରଝର , ମହଲେଇ , ଶିବତଲା ଓ ଥାଲବନ୍ଧ ପରି ମଣ୍ଡିର ଦାୟିତ୍ୱ ଦିଆଯାଇଥିବା  ଏସ୍ ଏଚ୍ ଜି ସହିତ ପ୍ରାୟ ସବୁମଣ୍ଡିରେ ହଜାର ହଜାର ବସ୍ତା ଧାନ ପକାଇ ରଖାଯାଇ ମିଲର୍ସଙ୍କ ମନମାନି ନିମନ୍ତେ ସୁଯୋଗ ଦିଆଯାଉଥିବା ଅଭିଯୋଗ ପ୍ରକାଶ ପାଇଛି ।

ଜଣେ ଜଣେ ସମ୍ପାଦକଙ୍କୁ ଏକାଧିକ ମଣ୍ଡିର ଦାୟିତ୍ୱ ଦିଆଯାଇଛି । ତେବେ ପେକ୍ସର ପିଅନ ଓ ଡିଇଓମାନେ ହିଁ ପ୍ରକୃତରେ ଧାନ କିଣାରେ ନିୟୋଜିତ ରହିଥିବା ଦେଖାଯାଉଛି ।  ସରକାର ଏଭଳି ତୃଣମୂଳ ସ୍ତର ଦୁର୍ନୀତିର ତଦନ୍ତ କରିବେ କି ?

Leave a Reply

Your email address will not be published. Required fields are marked *

Related Post