ଫରେଷ୍ଟର ନିଲମ୍ବିତ : ଖସିଗଲେ ରେଞ୍ଜର !
ବଲାଙ୍ଗୀର : ବଲାଙ୍ଗୀର କେନ୍ଦୁପତ୍ର ସର୍କଲ ଅନ୍ତର୍ଗତ ଟିଟିଲାଗଡ ଡିଭିଜନର ଦେଓଗାଁ’ ରେଞ୍ଜରେ ଫଡିରୁ ଗୋଦାମକୁ ପ୍ରସେସିଂ ବିଡାବନ୍ଧା କେନ୍ଦୁପତ୍ର ପରିବହନରେ ଅନିୟମିତତାର ଅଭିଯୋଗ ବିଷୟରେ ଗଣମାଧ୍ୟମରେ ପ୍ରକାଶ ପାଇବାରୁ ତଦନ୍ତ ପୂର୍ବକ ଡିଏଫଓ ସମ୍ପୃକ୍ତ ଫରେଷ୍ଟରଙ୍କୁ ନିଲମ୍ବିତ କରିଛନ୍ତି ।
ପ୍ରକାଶ ଯେ ଗତ ୨୦ ତାରିଖରେ ନୂଆପାଲି ଓ ବଗଡା ଫଡିରୁ ଏକ ମିନିଟ୍ରକ୍ ( ଓଡି ୦୩ ଏଚ୍ ୩୪୮୬ ନମ୍ବର)ରେ ୪୦ ଟି ବସ୍ତାରେ ୪୮୦ ବିଡା ବନ୍ଧେଇ କେନ୍ଦୁପତ୍ର ଦେଓଗାଁ’ ରେଞ୍ଜ୍ ର ଗୋଦାମକୁ ଆସୁଥିଲା । ତେବେ କୌଣସି ସୂତ୍ରରୁ ଏଥିରେ ନୂଆପାଲିରୁ ୬ ଓ ବଗଡାରୁ ୮ ଟି ସିଲ୍ ବସ୍ତା ସହ ବିନା ନମ୍ବର ଓ ସିଲ୍ ର ୨୬ ବସ୍ତା ଅଛି ବୋଲି ଏକ ସାଦାକାଗଜରେ ରଜନୀକାନ୍ତ ଭୋଇଙ୍କ ଦସ୍ତଖତ ଥାଇ ପତ୍ର ରହିଥିବା ଖବର ପାଇ ଗ୍ରାମବାସୀଙ୍କ ପକ୍ଷରୁ ଚୋରାଚାଲାଣ ସନ୍ଦେହରେ ମିନିଟ୍ରକ୍ ଟିକୁ ଅଟକାଇବାରୁ ଏହି ଅନିୟମିତତା ଧରାପଡିଥିଲା । ଏପରିକି ଏହାକୁ ଫଟୋ ଉଠାଯାଇ ଉପରିସ୍ଥ ଅଧିକାରୀଙ୍କ ସମେତ ଗଣମାଧ୍ୟମର ଦୃଷ୍ଟିକୁ ଅଣାଯାଇଥିଲା । ଏହା ଗଣମାଧ୍ୟମରେ ପ୍ରକାଶ ପାଇ ହଇଚଇ ସୃଷ୍ଟିହେବାରୁ ବିଭାଗୀୟ ଚାପରେ ଗତ ୧୮ ତାରିଖ ଦିନ ଟିଟିଲାଗଡ ଡିଏଫଓ ତଦନ୍ତ ପୂର୍ବକ ସମ୍ପୃକ୍ତ ଫରେଷ୍ଟର ଅରକ୍ଷିତ ଦଳେଇଙ୍କୁ ନିଲମ୍ବିତ କରିଛନ୍ତି । ଏଥିରେ ତୃଣମୂଳସ୍ତରର ଆଉ କିଏ କିଏ ଜଡିତ ରହିଛନ୍ତି , ଚପାଇ ଦିଆଯାଇଥିବା ଅଭିଯୋଗ ହେଉଛି । ତେବେ ଅଞ୍ଚଳର ଜଣେ ସୂଚନାକର୍ମୀ ଏହାପଛରେ ପଡିଥିବାରୁ ସେ ଏହା ଲୋକଲୋଚନକୁ ଆଣିଥିବା କୁହାଯାଉଛି ।
ଏ ସମ୍ପର୍କରେ ଦେଓଗାଁ’ ରେଞ୍ଜର ଧୁବା ରଣାଙ୍କୁ ବାରମ୍ବାର ଯୋଗାଯୋଗ କରିବା ସତ୍ତ୍ବେ ସେ ଧରାଛୁଆଁ ଦେଲେନାହିଁ । ଉଲ୍ଲେଖଯୋଗ୍ଯ ଯେ ଏହି ସମୟରେ ଟିଟିଲାଗଡ ଆଇ ଏଫ୍ ଏସ୍ ମହିଳା ଡିଏଫଓ ରଶ୍ମୀ ଜି ବଦଳିଯାଇ ପ୍ରାୟ ମାସେ ହେଲା ନୂଆ ଡିଏଫଓ ରୁକସାନା ସୋରେନ୍ ଯୋଗଦେଇଛନ୍ତି ଓ ଏହି ସର୍କଲରେ ଦୀର୍ଘ ଦିନରୁ ଡିଏଫଓ ଓ ପଦୋନ୍ନତି ପାଇ ଅବସ୍ଥାପିତ ସିସିଏଫ୍ ରଞ୍ଜିତ କୁମାର ମଲ୍ଲିକ ଟ୍ରେନିଂରେ ଯାଇ ଆଜି ସମ୍ବଲପୁରରେ ଅକ୍ ସନ୍ ଆଟେଣ୍ଡ୍ କରି ଫେରୁଥିବା ଜଣାଯାଇଛି ।
ତେବେ ଏଭଳି ଅନିୟମିତତା ବଲାଙ୍ଗୀର ଜିଲ୍ଲା ବା ଦେଓଗାଁ’ ରେଞ୍ଜ୍ ରେ ନୂଆ ଘଟଣା ନୁହେଁ । ବିଗତ କିଛିବର୍ଷ ତଳେ ବଲାଙ୍ଗୀର ସର୍କଲର ପାଟଣାଗଡ ରେଞ୍ଜ୍ ଅନ୍ତର୍ଗତ ଧଣ୍ଡାମୁଣ୍ଡା ( ପାଟିମାଲ- ଶାନ୍ତିପୁର ) ସେଣ୍ଟ୍ରାଲ୍ ଗୋଦାମରୁ ଚୋରି ହୋଇ କଲିକତାରେ ଟ୍ରକ୍ ଧରାପଡିଥିବା ସହିତ ବିଭାଗୀୟ ଅଧିକାରୀଙ୍କ ଜାଣତରେ କର୍ମଚାରୀଙ୍କ ଦ୍ବାରା ୧୬ ବସ୍ତା ପ୍ରୋସେସିଂ ବିଡାବନ୍ଧା କେନ୍ଦୁପତ୍ର ନିଲାମ ନେଇଥିବା ବ୍ୟବସାୟୀଙ୍କୁ ଡେଲିଭରି ଦିଆଗଲା ବେଳେ ଧରାପଡିଥିଲା । ପୁନଶ୍ଚ ଏହି ଦେଓଗାଁ’ ରେଞ୍ଜ୍ ରେ ବିଗତ କିଛିବର୍ଷ ମଧ୍ଯରେ ବାରମ୍ବାର କେନ୍ଦୁପତ୍ର ଚୋରି ଓ ଏହିପରି ଫଡି ଓ ଗୋଦାମ ମାନଙ୍କରେ ଏକାଧିକ ଅନିୟମିତତା ଧରାପଡିଥିବାର ଇତିହାସ ରହିଛି । ଅନ୍ଯାନ୍ଯ ରେଞ୍ଜ୍ ରେ ମଧ୍ଯ ଏଭଳି କମ୍ ଉତ୍ପାଦନ, ଝଡବର୍ଷା ଜନିତ କ୍ଷତି , ଟାର୍ଗେଟ୍ ସର୍ଟେଜ୍ ର ଭରଣା ଇତ୍ୟାଦି ବାହାନାରେ ଅନିୟମିତତା ଚାଲିଆସୁଛି । ଆହୁରି ମଧ୍ଯ ଗୋଛାକଟେଇ,ପତ୍ର ତୋଳା , ପତ୍ରକିଣା , ଫଡି ନିର୍ମାଣ ଓ ମରାମତି , ଶୁଖେଇ ରଚେଇ , ଷ୍ଟୋରେଜ୍ , ବନ୍ଧେଇ ଏବଂ ଅନ୍ଯାନ୍ଯ ପ୍ରକ୍ରିୟାରେ ଏହି ସର୍କଲର ସମସ୍ତ ଡିଭିଜନର ରେଞ୍ଜ୍ ଗୁଡିକରେ ଅନୁରୂପ ଅନିୟମିତତାର ଅଭିଯୋଗ ପ୍ରକାଶ ପାଇ ଆସୁଛି । ଅଧିକନ୍ତୁ ଏହି ବିଭାଗରେ ନିଯୁକ୍ତି ଓ ପଦୋନ୍ନତିରେ ଦୁର୍ନୀତିର ଅଭିଯୋଗ ଶୁଣାଯାଇଛି । ସରକାରଙ୍କୁ ପ୍ରତିବର୍ଷ କୋଟି କୋଟି ଟଙ୍କାର ରାଜସ୍ବ ଦେଉଥିବା ଏହି ବିଭାଗଟିର ଯାବତୀୟ ପ୍ରକାଶିତ ଅଭିଯୋଗର ତଦନ୍ତ କରାଯାଉନାହିଁ ଓ ଚପାଇ ଦିଆଯାଉଛି । ସଂପ୍ରତି ବହୁ ରେଞ୍ଜ୍ ରେ ରେଞ୍ଜର ନାହାଁନ୍ତି ଓ ଭାରପ୍ରାପ୍ତ ଫରେଷ୍ଟର ମାନେ ଅବସ୍ଥାପିତ ରହିଥିବାରୁ ଏସବୁ ଜ୍ଞାତସାର ଅନିୟମିତତାର ଅଭିଯୋଗକୁ ନଜରଅନ୍ଦାଜ କରିଦିଆଯାଉଥିବାର ଅଭିଯୋଗରୁ ପ୍ରକାଶ ।
ଏଣୁ ଏହି କୋଟି କୋଟି ଟଙ୍କାର କେନ୍ଦୁପତ୍ର ଚୋରାଚାଲାଣ ଫଡିସ୍ତରରୁ ଆରମ୍ଭ ହୋଇ ଅକ୍ ସନ୍ ପର୍ଯ୍ୟନ୍ତ ଲମ୍ବିଥିବା ଓ ଏଥିରେ ଚେକର , ମୁନସୀ , ଫରେଷ୍ଟର, ରେଞ୍ଜରଙ୍କ ଠାରୁ ଆରମ୍ଭ କରି ବଡବଡିଆଙ୍କ ହାତ ରହୁଥିବାର ଅଭିଯୋଗକୁ ନିରାଧାର ବୋଲି କଦାଶ୍ଚନ କୁହାଯାଇ ପାରିବ ନାହିଁ । ଏହା ଭାତହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି !



“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।