ପେମେଣ୍ଟ ସିଡ୍ୟୁଲ ଓ ମଷ୍ଟରରୋଲ୍ ର ଭିଜିଲାନ୍ସ ତଦନ୍ତ ଦାବି
ବଲାଙ୍ଗୀର : ଚଳିତବର୍ଷ କେନ୍ଦୁପତ୍ର ଋତୁରେ ଫଡି ମରାମତି ବା ନିର୍ମାଣ ସରି ଗୋଛାକଟେଇ ପରେ ପତ୍ରପୋଡା ଓ ପତ୍ରକିଣା ଆରମ୍ଭ ହୋଇ ଅଧା ସରିବାକୁ ବସିଲାଣି । ତେବେ ବଲାଙ୍ଗୀର ସର୍କଲ୍ ର ୮ ଟି ଯାକ କେନ୍ଦୁପତ୍ର ଡିଭିଜନର ପ୍ରାୟ ପ୍ରତ୍ୟେକ ରେଞ୍ଜ୍ ବା ସେକ୍ ସନ୍ ଗୁଡିକରେ ଥିବା ଉଭୟ ସ୍ଥାୟୀ ଓ ଅସ୍ଥାୟୀ ଫଡିଗୁଡିକର ମରାମତି ଓ ନିର୍ମାଣରେ ପ୍ରତିବର୍ଷ କୋଟି କୋଟି ଟଙ୍କାର ଖର୍ଚ୍ଚ ହୋଇଥାଏ । ଗତବର୍ଷ ଠାରୁ ଫଡିଘର ବା ଅଫିସ୍ ଆଦିର ରଙ୍ଗମରା ସହିତ ଲତାପତ୍ର ଚିତ୍ରବିଚିତ୍ରରେ ମଧ୍ଯ ବହୁତ ଖର୍ଚ୍ଚ ହୋଇଛି । ବଲାଙ୍ଗୀର ସର୍କଲର ବଲାଙ୍ଗୀର, ପାଟଣାଗଡ, ଟିଟିଲାଗଡ, ପଦ୍ମପୁର, ଖଡ଼ିଆଳ, ଭବାନିପାଟଣା , ଜୟପୁର ଓ ନବରଙ୍ଗପୁର ଆଦି ୮ ଟି ଡିଭିଜନର ଶତାଧିକ ଫଡିଘରର ନିର୍ମାଣ, ମରାମତି ଓ ରଙ୍ଗମରା ଚିତ୍ରବିଚିତ୍ର ନିମନ୍ତେ କେତେ ଟଙ୍କାର ଓ କାହାଦ୍ୱାରା କିପରି ଏହି ଖର୍ଚ୍ଚ ହୋଇଛି , ସିସିଏଫ୍ ଙ୍କ ଅଫିସ୍ ରେ ସୂଚନା ଅଧିକାର ବଳରେ ତଥ୍ଯ ମଗାଗଲେ ଜଣାପଡିପାରିବ ।
ଚିତ୍ର ବିଚିତ୍ରର ହିସାବ ବି କମ୍ ନୁହେଁ !
ଏଥିପାଇଁ ଟେଣ୍ଡର କରାଯାଇ ଥିଲା କି ? ସର୍ବୋପରି ଏସବୁର ବିଲ୍ କଲାବେଳେ ଡିଭିଜନର ଅଧିକାରୀଙ୍କ ପକ୍ଷରୁ ପିସି ନିଆଯାଇଥିବାର ଉଦାହରଣ ମଧ୍ଯ ରହିଛି । ଗତ ୨୦୨୦ ରେ ପାଟଣାଗଡ ଡିଭିଜନର ଡି ଏଫ୍ ଓ ଓ ଡେପୁଟି ରେଞ୍ଜର ପାଟଣାଗଡ ରେଞ୍ଜରଙ୍କ ଠାରୁ ଫଡିମରାମତିରୁ ୨ ଲକ୍ଷ ୬୮ ହଜାର ଟଙ୍କା ପିସି ଦାବି କରି ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଏହା ଗୋଟିଏ ଡିଭିଜନର ଦୁର୍ନୀତିର ଉଦାହରଣ ହୋଇଥିବା ବେଳେ ଅନ୍ଯାନ୍ଯ ଡିଭିଜନରେ ଏପରି ଯେ ଚାଲି ନ ଥିବ , କିଏ କହିପାରିବ ?

ସଂପ୍ରତି ଆକାଉଣ୍ଟ ପେମେଣ୍ଟ ର ଆଳ ଦିଆଯାଉଥିଲେ ହେଁ , ଜନସେବା କେନ୍ଦ୍ର ଗୁଡିକ ଜରିଆରେ ବାଇଓମେଟ୍ରିକ ଯନ୍ତ୍ର ମାଧ୍ୟମରେ ଶ୍ରମିକଙ୍କ ପେମେଣ୍ଟରେ ଜାଲିଆତିର ଅଭିଯୋଗର ଚର୍ଚ୍ଚା ପ୍ରକାଶ ପାଇଛି । ବଲାଙ୍ଗୀର କେନ୍ଦୁପତ୍ର ମୁଖ୍ଯ ବନସଂରକ୍ଷକ ରଞ୍ଜିତ କୁମାର ମଲ୍ଲିକଙ୍କ ସହ ଏ ସମ୍ପର୍କରେ ଏକ ଅନୌପଚାରିକ ଆଲୋଚନା ବେଳେ , ସେ ଏଭଳି ସମ୍ଭାବନାକୁ ଅସ୍ୱୀକାର ନ କରି , ଏଭଳି ଘଟଣା ଦୃଷ୍ଟିକୁ ଆସିଲେ , କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।
ତେବେ ପ୍ରତିଟି ରେଞ୍ଜ୍ ର ପେମେଣ୍ଟ ସିଡ୍ୟୁଲ ସହ ମଷ୍ଟରରୋଲ୍ ଯାଞ୍ଚ କରାଗଲେ , ଏହା ଧରାପଡିପାରିବ ବୋଲି କୁହାଯାଉଛି । ଏଥିନେଇ କେତେକ ସୂଚନାକର୍ମୀ ସକ୍ରିୟ ହୋଇଉଠିଥିବାର ସୂଚନା ମିଳିଛି । ସାଧୁ ସାବଧାନ୍ !



“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।