ଆକାଉଣ୍ଟ ପେମେଣ୍ଟ ଆଳରେ ବି ବାଟମାରଣା ?
ବଲାଙ୍ଗୀର : ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ଯ ଆରମ୍ଭ ହୋଇ ଯାଇଛି ଏଠାରେ କେନ୍ଦୁପତ୍ର ସଂଗ୍ରହ ଋତୁ । ଅଦ୍ୟାବଧି ଗୋଛାକଟେଇ ସରି କେନ୍ଦୁପତ୍ର ତୋଳା ସହ ପତ୍ରକିଣା ଚାଲିଛି । ବଲାଙ୍ଗୀର ସର୍କଲ୍ ଅଧୀନସ୍ଥ ୮ ଟି ଡିଭିଜନ୍ ରେ ଏହା ଚାଲିଥିବା ବେଳେ ବଲାଙ୍ଗୀର, ଟିଟିଲାଗଡ ଓ ପାଟଣାଗଡ ଡିଭିଜନର କେତୋଟି ରେଞ୍ଜ୍ ରେ ଆମ ପକ୍ଷରୁ ଏକ ବିହଙ୍ଗମ ନମୁନା ପର୍ଯ୍ୟବେକ୍ଷଣ କରାଯାଇଥିଲା । ଏହି ସର୍ଭେରେ ଅଦିନିଆ ଝଡବତାସରେ ହୋଇଥିବା ପାରମ୍ପରିକ କ୍ଷୟକ୍ଷତି ସହିତ ଗୋଛାକଟେଇର ପ୍ରାୟତଃ ସମ୍ପୂର୍ଣ୍ଣ ଶ୍ରମିକଙ୍କ ଦେୟ ପ୍ରଦାନ ଓ କିଛି କିଛି ପତ୍ରଖର୍ଦ୍ଦି ହୋଇଥିବା ଜଣାଯାଏ । ତେବେ ଏଥିରେ ଫଡି ମରାମତି ଓ ନିର୍ମାଣ ସହ ଦେୟପ୍ରଦାନରେ କୋଟି କୋଟି ଟଙ୍କାର ଖର୍ଚ୍ଚରେ ମୁଖ୍ଯତଃ ଶ୍ରମିକଙ୍କ ଆକାଉଣ୍ଟରେ ଏହା ପେମେଣ୍ଟ କରାଯାଉ ଥିବାରୁ ପୂର୍ବ ପରି ନଗଦ ପେମେଣ୍ଟ ଅନୁପାତରେ କୌଣସିପ୍ରକାର ଅନିୟମିତତା ବା ଟଙ୍କାଟିଏ ବି ହେରଫେର ହେବାର ସମ୍ଭାବନା ନାହିଁ ବୋଲି ବିଭାଗ ପକ୍ଷରୁ ସଫେଇ ଦିଆଯାଉଛି ।
କିନ୍ତୁ ଏ ନେଇ ଅପରପକ୍ଷରେ କେତେକ ଅଭିଯୋଗ ଓ ସନ୍ଦେହ ପ୍ରକାଶ ପାଇଛି । ସେଥିମଧ୍ୟରେ କେନ୍ଦୁପତ୍ର ସଂସ୍ଥାରେ ଘରୋଇକରଣକୁ ବିରୋଧ , କନ୍ଯା ବିବାହ ସହାୟତା ଓ ଦରମାବୃଦ୍ଧି ଦାବିରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବିକ୍ଷୋଭ ପ୍ରଦର୍ଶନ ସହ ବଲାଙ୍ଗୀର ଡିଏଫ୍ ଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ ଅନ୍ଯତମ । ଏଥିରେ ସରକାରଙ୍କ ବିଭିନ୍ନ ଯୋଜନା ସତ୍ତ୍ବେ ବଲାଙ୍ଗୀରରେ ଦାଦନସମସ୍ୟାରେ ରୋକ୍ ଲାଗିପାରେ ନଥିବା ଓ ବଲାଙ୍ଗୀରରେ ୫୦ ହଜାରରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ତୋଳାଳୀ କର୍ମଚାରୀଙ୍କ ଜୀବିକା ଉପରେ ପ୍ରଭାବ ପଡୁଥିବା ଅଭିଯୋଗ ପ୍ରକାଶ । ଉଲ୍ଲେଖଯୋଗ୍ଯ ଯେ , ଦାବନସମସ୍ୟାର ନିରାକରଣ ସକାଶେ ଜିଲ୍ଲାର ପାଟଣାଗଡ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ କରାଯାଇ ଥିଲେ ହେଁ , ଏହା ନିଷ୍କ୍ରିୟ ପ୍ରାୟ !
ତେଣୁ ବଲାଙ୍ଗୀର ସର୍କଲରୁ ଲକ୍ଷ ଲକ୍ଷ ଗ୍ରାମାଞ୍ଚଳ ଶ୍ରମିକ ବନାମ କେନ୍ଦୁପତ୍ର ତୋଳାଳୀ ଦାଦନଶ୍ରମିକ ଭାବରେ ରାଜ୍ୟବାହାରୁ ବା ଅନ୍ଯତ୍ର ପଳାଇଥିବା ବେଳେ ସେମାନଙ୍କ ତୋଳାଳୀକାର୍ଡ ବା ଆକାଉଣ୍ଟରେ ପଡୁଥିବା ମଜୁରୀ ବା ମିଥ୍ୟାମଜୁରୀର ପାଉଣା ଟଙ୍କା କିଏ ଉଠାଉଛି ? ପ୍ରକୃତରେ କେଉଁମାନଙ୍କ ଆକାଉଣ୍ଟର ମଜୁରୀ ଟଙ୍କା ପଡେ ? ପ୍ରତିଟି କେନ୍ଦୁପତ୍ର ରେଞ୍ଜ ର ମୁ ନ୍ ସୀ ମାନେ ଫରେଷ୍ଟରଙ୍କ ତତ୍ତ୍ବାବଧାନରେ ସିଡ୍ୟୁଲ ପ୍ରସ୍ତୁତ କରିଥା’ନ୍ତି ଓ ଏହି କାର୍ଯ୍ୟତାଲିକା ଓ ନାଁ’ ଅନୁଯାୟୀ , ଆକାଉଣ୍ଟରେ ଟଙ୍କା ପଡିବା ପରେ ମୁଖ୍ଯତଃ କିଓସ୍କ ବ୍ୟାଙ୍କ ବା ଜନ ସହଯୋଗ କେନ୍ଦ୍ରରୁ ବାଇଓମେଟ୍ରିକ ଯନ୍ତ୍ରରେ ଟିପଚିହ୍ନ ଦେଇ ଟଙ୍କା ଉଠାଣ ହୋଇଥାଏ ।

ବିଭାଗୀୟ ସତୀତ୍ବ ସନ୍ଦେହଜନକ !
ତେବେ ଏଇଠି ଇ ବାଟମାରଣାର ସନ୍ଦେହର ଅବକାଶ ରହିଥିବାର କୁହାଯାଏ । ପାଟଣାଗଡ ଅଞ୍ଚଳର କେତେକ ସ୍ଥାନରେ କେତେକ ମୁ ନ୍ ସୀ ଏଭଳି ଯନ୍ତ୍ର କିଣିନେଇ ଏଭଳି ଜନ ସହଯୋଗ କେନ୍ଦ୍ର ବା କିଓସ୍କ ବ୍ୟାଙ୍କ ସହ ମିଶି ସେମାନଙ୍କ ଘରେ କେତେକ ଶ୍ରମିକଙ୍କୁ ପେମେଣ୍ଟ ଟଙ୍କା ଉଠାଇ ନେଉଥିବା ଗୁଞ୍ଜରଣ ଶୁଣାଯାଉଛି । ଏଭଳି ଘଟଣାରେ ଦାଦନ ଖଟିବାକୁ କାର୍ଡ ବନ୍ଧକ ଦେଇ ପଳାଇଥିବା ମିଥ୍ୟାଶ୍ରମିକଙ୍କୁ ମଜୁରୀ ପକାଇ ତୃଣମୂଳସ୍ତରରୁ ଶ୍ରମିକଙ୍କ ପାଉଣା ବାଟମାରଣା କରାଯାଉଥିବା ସମ୍ପର୍କୀୟ ଚାଞ୍ଚଲ୍ୟକର ଅଭିଯୋଗର ଚର୍ଚ୍ଚା ପ୍ରକାଶ ପାଇଛି । ଏପରିକି ମୁନସୀମାନେ ବା ବିଭାଗୀୟ ଫରେଷ୍ଟର/ ରେଞ୍ଜରମାନେ ୩୦ / ୪୦ ହଜାର ଟଙ୍କାର ଗୁଡିଏ ବାଇଓମେଟିକ୍ ଯନ୍ତ୍ର କିଣି ଆଣୁଥିବା ବିଶ୍ବସ୍ତସୂତ୍ରରୁ ପ୍ରକାଶ । ଏ ସମ୍ପର୍କରେ ଆମ ପକ୍ଷରୁ ବଲାଙ୍ଗୀର ଡି ଏଫ୍ ଓ ଅମୀତା ରାୟ , ବଲାଙ୍ଗୀର ଏସିଏଫ୍ ଜିତେନ୍ଦ୍ର ସାହୁ , ବଲାଙ୍ଗୀର ଡିଏଫ୍ ଓ ଅଫିସ୍ ର କତିପୟ କିରାଣୀ , ବଲାଙ୍ଗୀର ସିସିଏଫ୍ ଅଫିସ୍ ର କେତେକ ବରିଷ୍ଠ ଅଧିକାରୀ ,ବଲାଙ୍ଗୀର ଓ ଝାରବନ୍ଧଲି ଭାରପ୍ରାପ୍ତ ରେଞ୍ଜର ଦିଲିପ ସାହୁ , ଲୋଇସିଂହା ରେଞ୍ଜର ଶେଷଦେବ ମେହେର , ତୁଷୁରା ( ମହୀପୁର ) ରେଞ୍ଜର ମାନସ ବାରିକ , ଦେଓଗାଁ ଭାରପ୍ରାପ୍ତ ରେଞ୍ଜର ଧୋବା ରଣା ପ୍ରମୁଖଙ୍କୁ ଅନୌପଚାରିକ ଆଲୋଚନାକ୍ରମେ ପଚାରିବାରୁ ସେମାନେ ଏଭଳି ଆଶଙ୍କାକୁ ଅସ୍ବୀକାର କରିଛନ୍ତି ।
ଯଦିଓ ବଲାଙ୍ଗୀର ସି ସି ଏଫ୍ ରଞ୍ଜିତ କୁମାର ମଲ୍ଲିକ ଏଭଳି ସମ୍ଭାବନାକୁ ସାଂପ୍ରତିକ ଜା ମ୍ ତ ରା ଦି ସାଇବର ଠକେଇ ଇତ୍ୟାଦିର ପରିପ୍ରେକ୍ଷୀରେ ଅସମ୍ଭବ ନୁହେଁ ବୋଲି ଆଶଙ୍କା ପ୍ରକାଶ ପୂର୍ବକ ଯଦି ସେଭଳି କୌଣସିପ୍ରକାର ଘଟଣା ଦୃଷ୍ଟିକୁ ଆସେ ତୁରନ୍ତ ପୁଲିସକୁ ମାମଲା କରାଯିବାରେ ବିଭାଗ ପକ୍ଷରୁ ହେଳା କରାଯିବନାହିଁ ବୋଲି ପ୍ରକାଶ କରିଛନ୍ତି । ଏହା ସତ୍ଯ ହେଲେ ସାଙ୍ଘାତିକ୍ ! ସର୍ବୋପରି ଏତେ ପରିମାଣର ଶହଶହ କୋଟି ଟଙ୍କାର କାରବାରରେ ବିଲ୍ ଭାଉଚର , ମଷ୍ଟରରୋଲ୍ ଠାରୁ ଆରମ୍ଭ କରି ଫଡି ମରାମତି ଓ ନିର୍ମାଣ, ଗୋଦାମଠାରୁ ଅଫିସ୍ ରେ ରଙ୍ଗମରା ଚିତ୍ରବିଚିତ୍ର , ରକ୍ଷଣାବେକ୍ଷଣ ଠାରୁ ଆବଶ୍ୟକ ସାମଗ୍ରୀ କିଣା , ଗସ୍ତଖର୍ଚ୍ଚ ,ଗାଡିଭଡା , ଆନୁସଙ୍ଗିକ ବ୍ୟୟ ଇତ୍ୟାଦିରେ ଯେ ଦାନ୍ତଚିପି ବିଭାଗର ସମସ୍ତେ ଚଳୁଛନ୍ତି , ଏହା ଅଧୁନାତନ କାଳରେ ଆଦୌ ବିଶ୍ୱାସଯୋଗ୍ୟ ନୁହେଁ ବୋଲି ଜନସାଧାରଣ ମତପ୍ରକାଶ କରନ୍ତି । ଅନ୍ଧାରରେ ଟେକା ଫିଙ୍ଗିଲା ପରି ଯେ କୌଣସି ରେଞ୍ଜ୍ ରେ ସୂଚନା ଅଧିକାର ଆଇନ ବଳରେ ଓ ଭିଜିଲାନ୍ସ ତଦନ୍ତ ହେଲେ ଏହା ଧରାପଡିପାରିବ ।
ଏସବୁ ପରେ ବଲାଙ୍ଗୀର କେନ୍ଦୁପତ୍ର ସର୍କଲ୍ ଅନ୍ତର୍ଗତ ବଲାଙ୍ଗୀର, ପାଟଣାଗଡ, ଟିଟିଲାଗଡ, ପଦ୍ମପୁର, ଖଡ଼ିଆଳ, ଭବାନୀପାଟଣା , ଜୟପୁର ଓ ନବରଙ୍ଗପୁର ଇତ୍ୟାଦି ଆଠଟି ଡିଭିଜନ୍ ମଧ୍ଯରେ ନୂଆପଡା ଜିଲ୍ଲାର ଛତିଶଗଡ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଛତିଶଗଡ ରାଜ୍ୟର ପତ୍ରକେରିର ଦାମ୍ ଅଧିକ ଥିବାରୁ ସେଠାକାର ଲୋକେ ଓଡିଶାରୁ ପତ୍ର ଚୋରିକରି ନେଉଥିବା ସମ୍ପର୍କୀୟ ଏକ ନୂଆ ଘଟଣା ପ୍ରକାଶ ପାଇଛି । ତେବେ ଯଦି ଏ ଅଞ୍ଚଳରେ କେନ୍ଦୁପତ୍ର ଲୋକଙ୍କୁ ଏତେ କୋଟି କୋଟି ଟଙ୍କାର ରୋଜଗାର ଯୋଗାଇ ଦେଉଛି , ଏଠାକାର ଲକ୍ଷ ଲକ୍ଷ ଲୋକେ ଦାଦନଶ୍ରମିକ ହୋଇ ପଳାଇଯାଉଛନ୍ତି କାହିଁକି ଓ ଯଦି ଏତେ ସଂଖ୍ୟକ ଲୋକ ବାହାରେ , ତା’ହେଲେ , ବିଭାଗର ଏତେ ଶ୍ରମଦିବସ ସୃଷ୍ଟି ହେଲା କିପରି ?
ତେବେ କେବଳ କେନ୍ଦୁପତ୍ର ଗୋଛାକଟେଇ ଓ ତୋଳାଳୀକାର୍ଡ ଆକାଉଣ୍ଟ ନୁହେଁ , ମନରେଗା ବା ଅନ୍ଯାନ୍ଯ ବିଭାଗର ସରକାରୀ ଆକାଉଣ୍ଟରୁ ମଧ୍ଯ ବ୍ୟାଙ୍କ ବନାମ ଜନସେବା କେନ୍ଦ୍ରରୁ ମୁନସୀ / ଗ୍ରାମସାଥୀ ଓ ଅନ୍ଯାନ୍ଯ ଅସାଧୁ ତଳିଆ କର୍ମଚାରୀଙ୍କ ଦ୍ବାରା ବାଇଓମେଟ୍ରିକ ମେସିନ୍ କିଣିଆଣି ଆଦୌ କାମ କରି ନଥିବା ‘ମେଲା ଭୁତିଆର ‘ ମିଛ ଶ୍ରମିକ ବା କମ୍ କାମ କରିଥିବା ହିତାଧିକାରୀଙ୍କୁ ଫୁସୁଲାଇ କମିଶନ୍ ଭିତ୍ତିରେ ଏଭଳି ମଜୁରୀ ବାଟମାରଣାର ଏକ ବ୍ୟାପକ ରାକେଟ୍ ସକ୍ରିୟ ରହିଥିବା ଅଭିଯୋଗର ଚର୍ଚ୍ଚା ହେଉଛି । କଣ୍ଟବାଞ୍ଜି ଓ ପାଟଣାଗଡ ସହରରେ ଏଭଳି ବାଇଓମେଟ୍ରିକ ଯନ୍ତ୍ର ବହୁଳ ଭାବରେ ବିକ୍ରି ଚାଲିଥିବା ସୂଚନା ମିଳିଛି । ତେବେ ସବୁଠାରୁ ଗୁରୁତର ବିଷୟ ହେଲା , ଏ ସମ୍ପର୍କରେ ତଳୁ ଉପର ସ୍ତରର ସବୁ ଅଧିକାରୀ ଅବଗତ ଅଛନ୍ତି ?
ସେ ଯାହାହେଉନା କାହିଁକି , ଅଦିନିଆ ଝଡବତାସରେ ଯେତେ ଖର୍ଦ୍ଦି ହେଇଥିବା ପତ୍ର, ପବନ ଉଡେଇ ନେଇଥାଉ ଓ ବର୍ଷାରେ ଭିଜି ବା କରାମାଡରେ ନଷ୍ଟଭ୍ରଷ୍ଟ ହୋଇଯାଇଥିବାର ବିଭାଗର କୁମ୍ଭୀରକାନ୍ଦଣା ସତ୍ତ୍ବେ ତଳୁ ଉପର ପର୍ଯ୍ୟନ୍ତ କର୍ମଚାରୀ , ଅଧିକାରୀଙ୍କ ହାତଚିକ୍କଣ ଯେ ହେଉନାହିଁ , ଏହା ପରବର୍ତ୍ତୀ ଅନୁସନ୍ଧାନରେ ଜଣାପଡିବ । ତେବେ ସରକାର କେନ୍ଦୁପତ୍ର ରାଜସ୍ବରୁ ଶହ ଶହ କୋଟିର ହେଣ୍ଡି ମାରୁଥିବାରୁ ପ୍ରତିବର୍ଷ ଆଉ କେତେ ଶହକୋଟିର ବାଟମାରଣାର ଅଭିଯୋଗକୁ ଆଖିବୁଜି ଦେଉଥିବା ନିରାଟ ସତ ! ଏତଦ୍ ବ୍ୟତୀତ ଏହି ବିଭାଗଟିରେ ଯାବତୀୟ ପରିଚାଳନାଗତ ତ୍ରୁଟିକୁ ସରକାର ନଜରଅନ୍ଦାଜ୍ କରି ଦେଇଥା’ନ୍ତି । ଯଥା : ନିଯୁକ୍ତି , ବଦଳି , ଅନିୟମିତତାର ତଦନ୍ତକୁ ଚପାଇ ଦେବା , ଡେପୁଟେସନ୍ , ଭାରପ୍ରାପ୍ତ ନିଯୁକ୍ତି ଇତ୍ୟାଦି । ଏବେ ବି ରାଜ୍ୟର ୩ ଟି ସର୍କଲରେ ଅଧିକାଂଶତଃ ଭାରପ୍ରାପ୍ତ ରେଞ୍ଜରଙ୍କୁ ଅବସ୍ଥାପିତ କରାଯାଇ ସେମାନଙ୍କ ହାତରେ କୋଟି କୋଟି ସମ୍ପତ୍ତି ଓ ସରକାରୀ ରାଜସ୍ବର ଦାୟିତ୍ବ ଛାଡି ଦିଆଯାଇଛି ! ସିଜନ୍ ପରେ ଅଧିକାରୀଙ୍କୁ ଏପଟସେପଟ କରି ଗୁରୁତର ଦୁର୍ନୀତିକୁ ଚପାଇ ଦେବା ଏକ ସୁନିୟୋଜିତ କୌଶଳ ବୋଲି ଲୋକେ କହୁଛନ୍ତି ।