ବିଡିଓଙ୍କୁ ଅଫିସ୍ ରେ ପଶି ଅଶ୍ଳୀଳ ଶୋଧା : ସରପଞ୍ଚ ସଂଘ ସଭାପତିଙ୍କ ବିରୁଦ୍ଧରେ ଥାନାରେ ଏତଲା : ସରପଞ୍ଚ ସଂଘର ଧାରଣା : ସାମିଲ୍ ହେଲେନି ସମସ୍ତେ !
ଭବାନୀପାଟଣା : ଗତବର୍ଷଠାରୁ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ୍ ରେ ଜନପ୍ରତିନିଧିମାନେ ଠିକାକାମ କରିବା ଓ ଠିକାକାମର ବିଲ୍ କୁ ନେଇ ବିବାଦ ଲାଗିରହିଛି । ଏପରିକି ବିଭାଗୀୟ କନିଷ୍ଠଯନ୍ତ୍ରୀ ଓ କର୍ମଚାରୀଙ୍କ ନାଁ’ରେ କାର୍ଯ୍ୟାଦେଶରେ ହେଉଥିବା ପୁର୍ବର କେତେକ ପୁରୁଣାକାମକୁ ବିନା ପ୍ରଶାସନିକ ଅନୁମୋଦନରେ କରିଦେଇ କେତେକ ସରପଞ୍ଚ , ସରପଞ୍ଚଙ୍କ ସ୍ବାମୀ ଓ ସମିତିସଭ୍ୟମାନେ ଏବେ ବଦଳିହୋଇ ଆସିଥିବା ନୂଆ ବିଡିଓଙ୍କ ଉପରେ ଆକ୍ରୋଶ ଓ ଆକ୍ରମଣ କରି ରାଗ ସୁଝାଉଥିବା ବ୍ଲକ୍ ପରିବେଶକୁ ବିଶୃଙ୍ଖଳିତ କରିଦେଇଛି । ମୁଖ୍ୟତଃ ବ୍ଲକ୍ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷାଙ୍କ ସମିତିସଭ୍ୟ ସ୍ବାମୀ ଓ ସରପଞ୍ଚ ସଂଘ ମଧ୍ୟରେ ବୁଝାମଣା ଅଭାବରୁ ଏଭଳି ଅପ୍ରିୟ ପରିସ୍ଥିତି ଥମିବାର ନାଁ ନେଉନାହିଁ । ଏହା ପଛରେ ଯାବତୀୟ ଅନିୟମିତତା ଓ ଏପରିକି ଯୌନବ୍ୟଭିଚାରରେ ଜଡିତ ପୂର୍ବତନ ବିଡିଓଙ୍କର ଏଠାରୁ ଅନ୍ୟତ୍ର ବଦଳି ହୋଇ ଯାଇଥିବା ସତ୍ତ୍ୱେ ବରାବର ପ୍ରଚ୍ଛନ୍ନ ଇଙ୍ଗିତ ରହୁଥିବା ଚର୍ଚ୍ଚା ହେଉଛି ।
ଗତ ସପ୍ତାହରେ ଫଟକାମାଲ ପଞ୍ଚାୟତର ସରପଞ୍ଚ ତଥା କେସିଙ୍ଗା ବ୍ଲକ୍ ସରପଞ୍ଚ ସଂଘ ସଭାପତି ସୁବୋଧ ରଣା ବିଡିଓଙ୍କ ଅଫିସ୍ ଭିତରକୁ ପଶି ଅଭଦ୍ର ଅଶ୍ଳୀଳ ଭାଷାରେ ଶୋଧାଶୋଧି କରି ଆକ୍ରମଣ ଉଦ୍ୟମ କରିଥିବା ବିଡିଓଙ୍କ ପକ୍ଷରୁ କେସିଙ୍ଗା ଥାନାରେ ଏତଲା ଦିଆଯାଇଛି । ଅଭିଯୁକ୍ତ ଫେରାର୍ ଥିବାରୁ ତାଙ୍କ ମତାମତ ନିଆଯାଇ ପାରିନାହିଁ । ତେବେ ଗତ ୧୭ ତାରିଖରେ ବ୍ଲକ୍ ପ୍ରଶାସନର ମନମୁଖୀ କାର୍ଯ୍ୟ ଅଭିଯୋଗରେ ଚାଞ୍ଚେର ସରପଞ୍ଚ ତଥା ସଂଘର ଉପ ସଭାନେତ୍ରୀ ଅଞ୍ଜୁ କୁମାରଙ୍କ ନେତୃତ୍ବରେ ବ୍ଲକ୍ ସମ୍ମୁଖରେ ରାଜରାସ୍ତା କଡରେ ସଂଘ ପକ୍ଷରୁ ଏକ ଗଣଧାରଣା ଦିଆଯାଇଛି । ଏଥିରେ ‘ ଆମ ଓଡିଶା : ନବୀନ ଓଡିଶା ‘ କାର୍ଯ୍ୟକ୍ରମ , ନୂଆ / ପୁରୁଣା ଯୋଜନାର ଅର୍ଥ ହେରଫେର , ଲୋକପ୍ରତିନିଧିଙ୍କ ମତକୁ ଅସ୍ବୀକାର କରି ପଞ୍ଚାୟତଗୁଡିକୁ ମନଇଚ୍ଛା ଖେଳ ସାମଗ୍ରୀ ଦିଆଯାଉ ନଥିବା , ଠିକାଦାରଙ୍କୁ ହଇରାଣ କରାଯାଉଥିବା , ଦୀର୍ଘ ଅଢେଇବର୍ଷ ହେଲା କୌଣସି କାମକୁ ମଞ୍ଜୁର କରାଯାଉ ନଥିବା , ମନରେଗା କାମ ଅନୁମୋଦନ ନ କଳିବା , ପିସି କାରବାର ଓ ୫- ଟି କାମର ଦୁଇବର୍ଷ ହେଲା ଠିକାଦାରଙ୍କୁ ବିଲ୍ ଦିଆଯାଉ ନଥିବା ଇତ୍ୟାଦି ୪ ଦଫା ଦାବି ଅନ୍ତର୍ଭୁକ୍ତ ।
ଏହି ଆନ୍ଦୋଳନରେ ପୂର୍ବର ବାଲସି ସରପଞ୍ଚଙ୍କ ସ୍ବାମୀ କରିଥିବା ଠିକା ବିଲ୍ ଫେରସ୍ତ ଓ ଅନ୍ୟାନ୍ୟ ଜଣେ ମହିଳାଜେଇ ଅଧ୍ୟକ୍ଷଙ୍କୁ କଶୃପଡା ହରିଜନପଡା ସଂଯୋଗରାସ୍ତାକାମର ୭ ଲକ୍ଷ ଟଙ୍କାର ଚେକ୍ ଦେଇଥିବା ଅଭିଯୋଗର ଆଲୋଚନା ବିଷୟ ବି ପଡିଥିଲା । ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ଦାୟିତ୍ୱରେ ରହିଥିବା ଦିପ୍ତିରାଣୀ ପ୍ରଧାନ ଏହି ଦାବିପତ୍ର ଗ୍ରହଣ କରି ତଦନ୍ତ ପ୍ରତିଶ୍ରୁତି ଦେଇଥିବା ପ୍ରକାଶ । ଏହା ଉପରେ ଉପାଧ୍ୟକ୍ଷାଙ୍କ ସ୍ବାମୀ ସମିତିସଭ୍ୟ ମନୋଜ ପଟ୍ଟନାୟକ ବ୍ଲକ୍ ର ଉପରୋକ୍ତ ଦୁର୍ନୀତି ଅଭିଯୋଗକୁ ସମର୍ଥନ କରିଥିବା ବେଳେ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ‘ ସବୁ ଅଭିଯୋଗର ଏକ ପ୍ରକ୍ରିୟା ରହିଥିବା ବେଳେ ପୂର୍ବରୁ ଅଭିଯୋଗ ନ କରି ଭୁଲ୍ ର ତଦନ୍ତ ଦାବି ବଦଳରେ ହଠାତ୍ ଆନ୍ଦୋଳନକୁ ନାପସନ୍ଦ କରିଥିବା ପ୍ରକାଶ । ତେବେ ଏହି ଧାରଣା ବା ଆନ୍ଦୋଳନରେ ବ୍ଲକ୍ ର ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ଯୋଗ ଦେଇ ନଥିବାରୁ ସଂଘରେ ଏକତା ନଥିବା ପ୍ରକାଶ ପାଇଛି ।
ତେବେ ଗତବର୍ଷ ସେପ୍ଟେମ୍ବରରୁ ପୂର୍ବତନ ବିଡିଓ ଥିବା ପ୍ରଫୁଲ୍ଲ କୁମାର ଓଡୁଙ୍କ ପରେ ଏହି ବ୍ଲକ୍ ରେ ବିଡିଓ ଭାବେ ଯୋଗ ଦେଇଥିବା ପଦ୍ମନାଭ ପୁରୋହିତଙ୍କ ମତାମତ ନିଆଯାଇଥିଲା । ସେ ଏହାକୁ ‘ଦୁର୍ଭାଗ୍ୟପୂର୍ଣ୍ଣ ‘କହିବା ସହିତ ତାଙ୍କ ଅମଳରେ ବ୍ଲକ୍ ରେ ଅଭିଯୋଗ ଅନୁଯାୟୀ ସେଭଳି କିଛି ଅନିୟମିତତା ହେଉ ନଥିବା ପ୍ରକାଶ କରିଛନ୍ତି । ତେବେ ଏହି ଆନ୍ଦୋଳନର କାରଣସ୍ବରୂପ ଜଣାଯାଇଛି ଯେ , ଗତବର୍ଷର କେତୋଟି ମନରେଗା ଓ ଅନ୍ୟାନ୍ୟ ପ୍ରକଳ୍ପରେ ‘ ଗୋଇଂ ଅନ୍ ‘ ଉଲ୍ଲେଖ ନଥିବାରୁ ସେଗୁଡିକ ଅନ୍ ଲାଇନ୍ ତାଲିକାରୁ ଡିଲିଟ୍ ହୋଇଯାଇଥିଲା । ଚାହିଁଥିଲେ ଆଉଥରେ ପ୍ରସ୍ତାବ ଆଗତ କରି ତାକୁ ଆରମ୍ଭ କରାଯାଇ ପାରିଥା’ନ୍ତା । ଏଥିମଧ୍ୟରେ ଅଭିଯୁକ୍ତ ଫଟକାମାଲ ସରପଞ୍ଚଙ୍କର କେତୋଟି ପ୍ରକଳ୍ପ ରହିଥିଲା ।
ସେହିପରି ଭତ୍ତା ହଡପ ଘଟଣାରେ କେତେକ ସରପଞ୍ଚ ଓ ଇଓଙ୍କର ସମ୍ପୃକ୍ତି ରହିଛି । ଆହୁରି ମଧ୍ୟ ଆନ୍ଦୋଳନର ନେତୃତ୍ବ ନେଇଥିବା ଚାଞ୍ଚେର ସରପଞ୍ଚଙ୍କ ସ୍ବାମୀ ପଞ୍ଚାୟତ ବିଲଡିଂର ଉପରମହଲାର ନିର୍ମାଣର କାର୍ଯ୍ୟାଦେଶ ଜେଇ ନାମରେ ଥିଲେ ହେଁ , ସେ ହିଁ ଠିକା କରୁଛନ୍ତି । ଏଣୁ ଏଇ କେତୋଟି ପ୍ରକଳ୍ପଗୁଡିକର ‘ ଅନ୍ ଗୋଇଂ ‘ ଉଲ୍ଲେଖ ନଥିବାରୁ ଡିଲିଟ୍ ହୋଇଯାଇଥିବା ନିମନ୍ତେ ଅଭିଯୁକ୍ତ ବିଡିଓଙ୍କ ହାତଥିବା ସନ୍ଦେହରୁ କାଣ୍ଡଜ୍ଞାନ ହରାଇ ଏଭଳି ଉଗ୍ରରୂପ ପ୍ରଦର୍ଶନ କରିଥିଲେ ବୋଲି ଚର୍ଚ୍ଚା ହେଉଛି ।
ତେବେ ସେ ଯାହାହେଉ , ଏହି ବ୍ଲକ୍ ସମେତ ବିଭିନ୍ନ ପଞ୍ଚାୟତ ଓ ପଞ୍ଚାୟତ ସମିତିଗୁଡିକରେ ନିର୍ବାଚିତ ଜନପ୍ରତିନିଧିମାନେ ବିଭିନ୍ନ ଉପାୟରେ ଠିକାକାମ କରୁଥିବା ବା ନିର୍ମାଣସାମଗ୍ରୀ ଯୋଗାଣରେ ଜଡିତ ରହି ସରକାରୀ ଯୋଜନାର ମୁନାଫା ଉଠାଇଥିବାର ଜ୍ବଳନ୍ତ ଉଦାହରଣ ଏହିଠାରେ ଦେଖିବାକୁ ମିଳିଛି ।