ପୁଲିସ୍ କୁ ହାତ କରି ଦାଦନସର୍ଦ୍ଦାରର ମିଛମାମଲା ?
କଣ୍ଟାବାଞ୍ଜି : ଗତ ଅକ୍ଟୋବର ୨ ତାରିଖରେ ଭବାନୀପାଟଣା ସଦରଥାନାରେ ତୁରେକେଲା ଖୁଟଲୁମୁଣ୍ଡା ଗ୍ରାମର ଆକବର ଖାଁ ନାମକ ଦାଦନସର୍ଦ୍ଦାରଙ୍କ ଏତଲାକ୍ରମେ ୧୦ ଜଣିଆ ଡକାୟତି ଦଳ ଡକାୟତି କରିଥିବା ଓ ୪ଜଣ ସାମ୍ବାଦିକଙ୍କ ସମେତ ଜଣେ ଦୋକାନୀଙ୍କୁ ରାସ୍ତାରେ ଅଟକାଇ ଟଙ୍କା ଲୁଟ୍ ଅଭିଯୋଗରେ ଏକ ମାମଲା ଋଜୁ କରି ପୁଲିସ୍ ଗିରଫ କରି ଜେଲ୍ ପଠାଇବା ଖବରର କେତେ ସତ୍ୟତା ରହିଛି ବୋଲି ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି । ହାସ୍ୟାସ୍ପଦ କଥା ଏହା ଯେ , ଏହି ତଥାକଥିତ ଡକାୟତିରେ ଅଭିଯୁକ୍ତଙ୍କ ଠାରୁ ପୁଲିସ୍ କୌଣସି ଅସ୍ତ୍ରଶସ୍ତ୍ର ଜବତ କରି ନଥିବା ସହ ଜଣେ ଦାଦନସର୍ଦ୍ଦାରଙ୍କୁ ବ୍ୟବସାୟୀ ଦର୍ଶାଇ ଲୁଟ୍ ହୋଇଥିବା ୨ ଲକ୍ଷ ୫୫ ହଜାର ଟଙ୍କାରୁ ୬୮ ହଜାର ୧୦୦ଟଙ୍କା ଉଦ୍ଧାର କରିପାରିଛି । ଯଦିଓ ଅଭିଯୁକ୍ତଙ୍କ ଠାରୁ କାର୍ ମୋବାଇଲ , ବାଇକ୍ ଆଦି ପୁଲିସ୍ ଜବତ କରିଥିବା ପ୍ରକାଶ । କିନ୍ତୁ ଯଥେଷ୍ଟ ବିଳମ୍ବରେ ପୁଲିସ୍ ଏହି ଖବରଟିର ପର୍ଦ୍ଦାଫାଶ୍ କରିଥିବାରୁ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ପ୍ରକାଶ ।
ତେବେ ଆଜିକାଲି ଉଏବ୍ ସାମ୍ବାଦିକଙ୍କ ଉପଦ୍ରବ ପ୍ରାୟ ସର୍ବତ୍ର ଜଣାଶୁଣା । ଏବେ ଚାଲିଛି ଦାଦନଶ୍ରମିକ ଚାଲାଣ ଋତୁ । କଣ୍ଟାବାଞ୍ଜି ଅଞ୍ଚଳ ବା ଖୁଟୁଲୁମୁଣ୍ଡା ଗ୍ରାମଟି ବିଧାୟକ ଲକ୍ଷ୍ମଣ ବାଗଙ୍କର ଘର । ଅଧିକନ୍ତୁ କଣ୍ଟାବାଞ୍ଜି ଅଞ୍ଚଳରେ ମୁସଲମାନ ସର୍ଦ୍ଦାରଙ୍କର ପ୍ରାଦୁର୍ଭାବ ରହିଛି । ଏହି ପରିପ୍ରେକ୍ଷୀରେ କାର୍ ରେ ବେଆଇନ୍ ଦାଦନଚାଲାଣ କରିଥିବା ବା ଏହି ମଣିଷବେପାରର ପେମେଣ୍ଟ୍ ଆଣିବାକୁ ଯାଇ ଫେରୁଥିବା ଜଣେ ପ୍ରଭାବଶାଳୀ ଦାଦନସର୍ଦ୍ଦାରର ହାତବାରିସୀ ହୋଇ ଭବାନୀପାଟଣା ସଦରଥାନା ପୁଲିସ୍ ଜବତ ନ ଦର୍ଶାଇ ଏତଲାରେ ଦର୍ଶାଯାଇଥିବା ଲକ୍ଷାଧିକ ଟଙ୍କା ଅଭିଯୋଗକାରୀ ସର୍ଦ୍ଦାର ସାଙ୍ଗରେ ସଲାସୁତୁରାରେ ନିଜହାତ ଚିକ୍କଣ କରି ଉପରୋକ୍ତ ଚାନ୍ଦାମଗା ସାମ୍ବାଦିକଙ୍କୁ ମିଛମାମଲାରେ ଫସାଇ ଗିରଫ କରି ଜେଲ୍ ପଠାଇଥିବା ସ୍ଥାନୀୟ ଲୋକଙ୍କ ଚର୍ଚ୍ଚାରୁ ପ୍ରକାଶ । ନୂଆ ସରକାରରେ ବି ଭରତପୁର ସମେତ ଥାନାପୁଲିସ୍ ର ଏତେ କାଣ୍ଡ କାର୍ଖାନାରୁ ଶିକ୍ଷାଲାଭ ନକରି କଳାହାଣ୍ଡି ବନାମ ଭବାନୀପାଟଣା ସଦରଥାନା ପୁଲିସ୍ ର ଏତାଦୃଶ ପ୍ରକୃତ ଘଟଣାକୁ ଭିନ୍ନମୋଡ ଦେବାର ଦୁଃସାହସ ଆଶ୍ଚର୍ଯ୍ୟଜନକ ବୋଲି ଜନମତ ପ୍ରକାଶ ପାଇଛି । ପୁଲିସ୍ ଉକ୍ତ ସାମ୍ବାଦିକଙ୍କୁ ଯୋର୍ ଜବରଦସ୍ତି ରାସ୍ତାରେ ଅଟକାଇ ଚାନ୍ଦାଆଦାୟ ଅଭିଯୋଗରେ ବି ଗିରଫ କରିପାରିଥାଆନ୍ତା ! ସର୍ବୋପରି ସେଇ ଭବାନୀପାଟଣାର ମିଡିଆବନ୍ଧୁମାନେ ବି ସମପେଶାର ସାମ୍ବାଦିକ ଭାଇମାନଙ୍କ ବିରୁଦ୍ଧରେ ରାଗ ସୁଝାଇଲା ଭଳି ବଡ ବଡ ହେଡ୍ ଲାଇନ୍ ରେ ଖବରଟିକୁ ପ୍ରକାଶ କରିଥିବା ଗ୍ରହଣୀୟ ହେଉନାହିଁ !
ଆକବର ଖାଁ ପ୍ରକୃତରେ ନିଜେ ଦାଦନଶ୍ରମିକ ଠିକାଦାର ନା ଅନ୍ୟକେଉଁ ପ୍ରଭାବଶାଳୀ ସର୍ଦ୍ଦାରର ଅନୁଚର , ସେ ହାଇଦ୍ରାବାଦର କେଉଁ ସେଠ୍ କୁ ଶ୍ରମିକ ପଠାଇଛନ୍ତି ଓ ତା ଅଭିଯୋଗର କେତେ ସତ୍ୟତା ରହିଛି , ବରିଷ୍ଠ ଅଧିକାରୀମାନେ ସମୀକ୍ଷା କରିବା ଆବଶ୍ୟକ । ସର୍ଦ୍ଦାର ଆକବର ଖାଁଙ୍କର ପୂର୍ବାପର କାର୍ଯ୍ୟକଳାପର ମଧ୍ୟ ଅଧିକ ତଦନ୍ତ ଜରୁରୀ । କାରଣ ଏଠାରେ ଚୋରାଗଞ୍ଜେଇ ଚାଲାଣର କଥା ଉଠିଛି ।
ଏ ସମ୍ପର୍କରେ ଅଭିଯୋଗକାରୀ ଆକବର ଖାଁ ବା ତଦନ୍ତକାରୀ ଅଧିକାରୀ ଭବାନୀପାଟଣା ସଦରଥାନା ଆଇଆଇସି ନରେଶ ପ୍ରଧାନଙ୍କର ମତାମତ ନିମନ୍ତେ ଚେଷ୍ଟା କରାଯାଇଥିଲେ ହେଁ , ନିଆଯାଇପାରିନାହିଁ । ଜନସାଧାରଣଙ୍କ ଚର୍ଚ୍ଚା ଓ ଆଲୋଚନା ଆଧାରରେ ଏହି ସନ୍ଦେହଜନକ ମାମଲାଟିର ତର୍ଜମା ପୂର୍ବକ ଉଚ୍ଚଅଧିକାରୀଙ୍କ ଦ୍ବାରା ଅଧିକ ତଦନ୍ତ ନିମନ୍ତେ ଦୃଷ୍ଟି ଆକର୍ଷଣ କରାଯାଇଛି । ଯଦିଓ ଏହି ପ୍ରକାଶିତ ଖବରଟି ପରିବେଷଣ କରିଥିବା ସାମ୍ବାଦିକ ଜଣକ ଏଥିସହ ତାଙ୍କର ଏକ ମନ୍ତବ୍ଯ ପୋଷ୍ଟ କରିଛନ୍ତି ଯେ , ଚାନ୍ଦା ଆଦାୟ କରୁଥିବା ଉଏବ୍ ସାମ୍ବାଦିକଙ୍କ ଏପରି କାର୍ଯ୍ୟକଳାପକୁ ସେ ପ୍ରଶୟ ଦେଉ ନଥିଲେ ହେଁ , ଜଣେ ଦାଦନସର୍ଦ୍ଦାରଙ୍କ ଠାରୁ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ସେମାନଙ୍କୁ ପୁଲିସ୍ ଗିରଫ କରିବା ବଦଳରେ ଡକାୟତି ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିବା ତାଙ୍କର ହଜମ ନ ହେବାରୁ ସେ ଏହି ଖବରଟି ପ୍ରକାଶ କଲେ ।
ସେ ଯାହାହେଉ , ସତରେ କ’ଣ ଏଭଳି ଆରୋପ ନିରାଧାର ?