କିଛି ଗଡବଡ ଥିଲା ?
ସୋନପୁର : ଚଳିତ ଖରିଫଋତୁରେ ଧାନକିଣା ଆରମ୍ଭ ହେବା ପୂର୍ବରୁ ସରକାରଙ୍କ ସକ୍ରିୟତା ସହ କ୍ଷମତାସୀନ ଦଳର ଦଳୀୟ ପାଣ୍ଠି ଅସୁଲି (?) ଓ ନୂତନ ସରକାରଙ୍କ ଧାର୍ଯ୍ୟ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଲାଗୁ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବ୍ଲକ୍ ଅନ୍ତର୍ଗତ ଖଲିଆପାଲିର ଏକ ରାଇସ୍ ମିଲ୍ ରେ ୯ ତାରିଖରେ ଯୋଗାଣ ବିଭାଗ ତରଫରୁ ଯାଞ୍ଚ କରାଯାଉଥିଲା । ତେବେ ଆସନ୍ନସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଅଫିସ୍ ର ଅତିରିକ୍ତ ଯୋଗାଣ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଆସି ପହଞ୍ଚିଥିଲେ । ସେତେବେଳେ କେତେକ ବରିଷ୍ଠ ସାମ୍ବାଦିକ ସେଠାରେ ଦୈବାତ୍ ପହଞ୍ଚିଯିବାରୁ ମିଲ୍ ମାଲିକ ଗେଟ୍ ବାହାରକୁ ବାହାରିଆସି ଅନୁନୟ ବିନୟ ହୋଇ ସେମାନଙ୍କୁ ଭିତରକୁ ଛାଡି ନ ଥିଲେ । ସେହିପରି ଯୋଗାଣ ଅଧିକାରୀମାନେ ମୁହଁ ଲୁଚାଇ ମିଲ୍ ଭିତରକୁ ପଶିଯାଇଥିଲେ । କିଛି ଗଡବଡ ଥିଲା ?
ଲୋକଙ୍କ ଚର୍ଚ୍ଚାରୁ ପ୍ରକାଶ ଯେ , ବର୍ଷ ତମାମ୍ ଏହି ମିଲ୍ ର ଟାର୍ଗେଟ୍ ଓ ଷ୍ଟକ୍ ଆଦି ସହିତ ମିଲିଂରେ ବହୁତ ଅନିୟମିତତା ରହିଆସୁଛି । ଏପରିକି ଏହି ମିଲ୍ ଟି ବଲାଙ୍ଗୀର- ସମ୍ବଲପୁର ମୁଖ୍ୟସଡକରୁ ବୁର୍ଡା ରାସ୍ତାଦେଇ ଅର୍ଜୁନପୁର – ସୋନପୁରକୁ ଭିତରିଆ ରାସ୍ତା ହୋଇଥିବାରୁ ଏହି ମିଲ୍ ଓ ଏହି ରାସ୍ତାରେ ପଡୁଥିବା ବଲାଙ୍ଗୀର ଜିଲ୍ଲାର ଅନ୍ୟାନ୍ୟ ମିଲ୍ ଗୁଡିକ ପ୍ରକୃତରେ ଧାନ କିଣି ମିଲିଂ କରି ଚାଉଳ ପ୍ରସ୍ତୁତ ନ କରି ବିଭିନ୍ନ ସରକାରୀ ଯୋଜନାର ଚାଉଳ ଚୋରାରେ କିଣି କଷ୍ଟମ୍ ମିଲିଂ ବୋଲି ଦର୍ଶାଇ ଆସୁଥିବା ଅଭିଯୋଗ କରାଯାଉଛି । ଏହି ଅର୍ଜୁନପୁର- ବୁର୍ଡା ଚୋରାଚାଲାଣ ରାସ୍ତାର ପାର୍ଶ୍ବବର୍ତ୍ତୀ ମିଲ୍ ଗୁଡିକରେ ଅଭିଯୋଗ ହେଉଥିବା ଏଭଳି ସନ୍ଦେହଜନକ ଅନିୟମିତତା ବା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି । ବଲାଙ୍ଗୀର ବା ସୁବର୍ଣ୍ଣପୁରର ଯୋଗାଣ ବିଭାଗ- ମିଲର୍ସ – ବେପାରୀ ଓ କଳାବଜାରୀଙ୍କର ମିଳିତ ମଧୁଚନ୍ଦ୍ରିକାରେ ବର୍ଷ ବର୍ଷ ଧରି ଏଭଳି ବେଆଇନ୍ କାର୍ଯ୍ୟକଳାପ ଚାଲିଥିବା ଜଣାପଡିଛି । ଉକ୍ତ ମିଲ୍ ଗୁଡିକର ବିଦ୍ୟୁତ୍ ବିଲ୍ , ମିଲିଂ କାପାସିଟି ସହିତ ବଏଲିଂ ରିପୋର୍ଟ ଇତ୍ୟାଦିର ସମୟ ସମୟରେ ଅଚାନକ ଚଢାଉ କରି ତଦନ୍ତ କରାଗଲେ , ଏହା ଧରାପଡିବ ବୋଲି ଚର୍ଚ୍ଚା ହେଉଛି ।
ଉଲ୍ଲେଖନୀୟ ଯେ , ସୁବର୍ଣ୍ଣପୁର ଜିଲ୍ଲାର କେତେକ ରାଇସ୍ ମିଲ୍ ଉପରେ ସାଂସଦ ସଙ୍ଗୀତା ସିଂଦେଓ , ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ଓ ଜିଲ୍ଲାପାଳ ଅନ୍ୟା ଦାସ ପ୍ରମୁଖ ସଦଳବଳେ ଯାଇ କିଛିଦିନତଳେ ସନ୍ଧ୍ୟାରେ ଚଢାଉ କରି ସିଲ୍ କରିଦେଇଥିଲେ ଓ ଦିନକ ପରେ ତଦନ୍ତ କମିଟି ଗଠନ କରି ଷ୍ଟକ୍ ଯାଞ୍ଚ ଠିକ୍ ଠାକ୍ ବାହାରିଥିବା ଦର୍ଶାଇ ସିଲ୍ ଖୋଲାଯାଇଥିବା ଘଟଣାର ଚର୍ଚ୍ଚା ହୋଇଥିଲା । ଏଥିରେ ଅନ୍ୟ ରାଇସ୍ ମିଲ୍ ଗୁଡିକ ମଧ୍ୟରେ ଛନକା ପଶି ଯାଇଥିଲା । ଏହା ସହିତ ରାଇସ୍ ମିଲ୍ ଗୁଡିକରୁ ବିଜେପି ଦଳର ନେତାନେତ୍ରୀମାନେ ୫ ରୁ ୭ ଲକ୍ଷ ଟଙ୍କା ଚାନ୍ଦା ନେଉଥିବା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପ୍ରେସ୍ ବିବୃତି ପରେ ବିଜେପି ଦଳ ବା ସାଂସଦଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ପ୍ରକାଶ ପାଇନାହିଁ । ତେବେ ଏହାପରେ ମିଲର୍ସ , ଯୋଗାଣ ବିଭାଗ ଓ ସରକାରଙ୍କ ଭିତରେ ଛାନିଆ ପଶିଯାଇଛି । ଏଣୁ ଯୋଗାଣବିଭାଗ ପକ୍ଷରୁ ଲୁଚାଣିଆ ଭାବରେ ଉପରୋକ୍ତ ମିଲ୍ ଗୁଡିକର ଷ୍ଟକ୍ ଓ ଅନ୍ୟାନ୍ୟ ଅନିୟମିତତାକୁ ସଜଡା ଯାଉଥିବା କୁହାଯାଉଛି ।
ସେ ଯାହାହେଉ ,ଏଭଳି ରାଇସ୍ ମିଲ୍ ଗୁଡିକ ଚଳିତ ଖରିଫ ଋତୁରେ ୩୧୦୦ ଟଙ୍କା ଧାନ କୁଇଣ୍ଟାଲ ପ୍ରତି କିଣିବାର ବ୍ୟବସ୍ଥା ସଠିକ୍ ଭାବରେ ଚାଲି ଚାଷୀଙ୍କୁ ଉପଯୁକ୍ତ ପାଉଣା ମିଳିବା ପ୍ରତି ସରକାରଙ୍କ ଆଭିମୁଖ୍ଯକୁ ଯୋଗାଣ ବିଭାଗ କିପରି ତୁଲାଉଛି , ଦେଖିବାକୁ ବାକି ରହିଲା !