ବଲାଙ୍ଗୀର : ଚଳିତ ଖରିଫ୍ ଋତୁରେ ବଲାଙ୍ଗୀର ଜିଲ୍ଲାରେ ଚାଉଳକଳ ମାଲିକ ବା ମିଲର୍ସଙ୍କ ମଧ୍ୟରେ ଖୋଲାଖୋଲି ପ୍ରଶାସନ ବନାମ ସରକାରଙ୍କ ନୀତି ଓ କାର୍ଯ୍ୟକଳାପ ବିରୋଧରେ ଅସନ୍ତୋଷ ଥମିନାହିଁ । ଏହାର ପ୍ରତିଫଳନ ସ୍ବରୂପ କଟନୀଛଟନୀ ହେବନାହିଁ ବୋଲି ସରକାରୀ ଘୋଷଣାକୁ ମିଲର୍ସ ମାନୁ ନଥିବା ବେଳେ ଠିକ୍ ସମୟରେ ମଣ୍ଡିରୁ ଧାନ ଉଠାଉନାହାଁନ୍ତି !
ପ୍ରଥମେ ପରିବହନ ଓ ମିଲିଂର ପୁରୁଣାଦର ସଂଶୋଧନ କରାଯାଇ ନୂତନଦର ବୃଦ୍ଧି ଓ ଅନ୍ୟାନ୍ୟ କ୍ଷତିଭରଣା ଇତ୍ୟାଦି ଦାବିରେ ମିଲର୍ସମାନେ ଧାନ ନ କିଣିବାର ବିଦ୍ରୋହ କରିଥିବା ସହ କଟନୀଛଟନୀ କଟକଣାକୁ ମାନୁ ନଥିବା ବେଳେ ମଣ୍ଡିରୁ ଧାନ ଉଠାଇବାରେ ଅହେତୁକ ବିଳମ୍ବ କରୁଥିବା ଲକ୍ଷ୍ୟ କରାଯାଇଛି । ଆହୁରିମଧ୍ୟ ପ୍ରଥମେ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଓ ଏହାକୁ ଭିତ୍ତିକରି ଜଣେ ବରିଷ୍ଠ ନେତାଙ୍କ ଅଭିଯୋଗ ଅନୁଯାୟୀ , ଶାସକଦଳର ନେତାଙ୍କ ମିଲ୍ ରୁ ଅବୈଧ ବଟି ଆଦାୟ ଅଭିଯୋଗ ମିଲର୍ସଙ୍କ ଅସନ୍ତୋଷର ଏକ ପ୍ରମୁଖ କାରଣ ବୋଲି ଧରିନିଆଯାଇପାରେ । ପ୍ରଶାସନ ଜରିଆରେ ଶାସକଦଳର ନିର୍ବାଚିତ ଲୋକପ୍ରତିନିଧିଙ୍କର ଏଭଳି ଜିଜିୟାକର ଅସୁଲି ଇତିହାସରେ ପ୍ରଥମ ବୋଲି ଚର୍ଚ୍ଚା ହେଉଛି । ଜିଲ୍ଲାପାଳଙ୍କ ବିରୋଧରେ ମଧ୍ୟ ଏଭଳି ଅଭିଯୋଗ ପ୍ରକାଶ ପାଇଛି । ମିଲ୍ ର ମିଲିଂକାପାସିଟି ଅନୁଯାୟୀ ଟାର୍ଗେଟ୍ ଦିଆ ନଯାଇ ପାତରଅନ୍ତର କରାଯାଉଥିବା ଏହି ଅଭିଯୋଗର ଏକ ପ୍ରମୁଖ କାରଣ । ସବୁଠାରୁ ଗୁରୁତର ଅଭିଯୋଗ ଏହା ଯେ ,ରାଜନୈତିକ ଚାପରେ ପ୍ରଶାସନ ଯୋଗାଣ ବିଭାଗର ସହାୟତାରେ ଶେଷପର୍ଯ୍ୟାୟରେ ମଧ୍ୟ କେତୋଟି ମିଲ୍ କୁ ଅହେତୁକ ଅନୁକମ୍ପା ଦେଖାଇ ଅଧିକ ଟାର୍ଗେଟ୍ ଦେଇଥିବା ବେଳେ କେତେକ ମିଲର୍ସ ବଞ୍ଚିତ ହୋଇଛନ୍ତି । ଏବେ ବି ବିଭିନ୍ନ ଅବ୍ୟବସ୍ଥା ବିରୁଦ୍ଧରେ ୮ ଦଫା ଦାବିରେ କୃଷକମଞ୍ଚ ପକ୍ଷରୁ ପ୍ରଶାସନ ନିକଟରେ ଦାବି କରାଯାଇଛି ।

ଏକଥା ସତ୍ୟ ଯେ ଚଳିତବର୍ଷ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ସରକାରଙ୍କର ଚାଷୀଙ୍କୁ ଏକ ବଡ ସହାୟତା ହୋଇଥିବା ବେଳେ , ମଣ୍ଡିରେ ମିଲର୍ସଙ୍କ ଆଧିପତ୍ୟ ଓ ଦଲାଲି ହ୍ରାସ ପାଇନାହିଁ । ସବୁସତ୍ତ୍ବେ ଚାଷୀ ଅଭାବୀବିକ୍ରିର ଶିକାର ହେଉଛି । କିଏ ଚାଷୀ ଓ କିଏ ବେପାରୀ ଚିହ୍ନିବା ମୁସ୍କିଲ୍ ! ମିଲ୍ ଗୁଡିକୁ ଅଧିକ ମଣ୍ଡିରୁ ଧାନ ଉଠାଇବାର ଦାୟିତ୍ୱ ଦିଆଯାଇଥିଲା ବେଳେ ମିଲର୍ସଙ୍କ ପାଖରେ ଯଥେଷ୍ଟ ଗାଡି ନଥିବା ଦେଖାଯାଇଛି । ଏହାବ୍ଯତୀତ ଜଣେ ଜଣେ ପେକ୍ସ ସେକ୍ରେଟେରୀଙ୍କୁ ଦୁଇ ଦୁଇଟି ପେକ୍ସ ଦାୟିତ୍ୱ ଲଦି ଦିଆଯାଇଥିବା ବେଳେ ଦୁଇଟି ପେକ୍ସ ମଧ୍ୟରେ ଦୂରତାକୁ ବିଚାରକୁ ନିଆଯାଇନାହିଁ । ଉଦାହରଣ ସ୍ୱରୂପ , ଲାଠୋର ସମ୍ପାଦକ ପ୍ରାୟ ୪୦ / ୪୫ କିମି ଦୂରରେ ଥିବା ଲୁହାସିଂହା ବନାମ ଜୁରିଆ ପେକ୍ସ ଦାୟିତ୍ୱରେ ରହିଛନ୍ତି । ଝାଙ୍କରପାଲି ପେକ୍ସର ସମ୍ପାଦକ ଶିବତଲା ପେକ୍ସ ଦାୟିତ୍ୱରେ ରହିଛନ୍ତି । ଆହୁରି ଅନ୍ୟାନ୍ୟ ପେକ୍ସରେ ସମ୍ପାଦକମାନେ ମଧ୍ୟ ଏକାଧିକ ପେକ୍ସର ଦାୟିତ୍ୱରେ ରହିଥିବାରୁ କିପରି ଏହାର ପରିଚାଳନା କରୁଥିବେ , ଅନୁମାନ ସାପେକ୍ଷ । ଅଧିକାଂଶ ପେକ୍ସରେ ଡିଇଓ ମାନେ ହିଁ ଧାନ କିଣାରେ ସକ୍ରିୟ ରହିଛନ୍ତି । କ୍ବାଲିଟି ଆନାଲିଷ୍ଟ୍ ନାମରେ ସାଧାରଣ ଯୁବକଙ୍କୁ ନିୟୋଜିତ କରାଯାଇଛି , ଯେଉଁମାନଙ୍କୁ ତଥାକଥିତ ୩ ମାସିଆ ତାଲିମ ସତ୍ତ୍ୱେ ସେମାନେ ଏଫ ଏ କ୍ୟୁ ବା ଧାନ ଚିହ୍ନିବାରେ ସମର୍ଥ ନଥିବା ଦେଖାଯାଇଛି ।
ଏସବୁ ବ୍ୟତୀତ ମଣ୍ଡିରେ ଜାଗା , ଉପକରଣ , ଆନୁସଙ୍ଗିକ ଯନ୍ତ୍ରପାତି ଇତ୍ୟାଦିର ଅଭାବ ରହିଛି । ଖୋଲା ଆକାଶତଳେ ଧାନବସ୍ତା ରଖାଯାଇଛି । କେତେକ ମଣ୍ଡିରେ ଅଖାବସ୍ତା ତ ଅଧିକାଂଶ ମଣ୍ଡିରେ ଜରି ବସ୍ତାରେ ଧାନ ଭର୍ତ୍ତିକରି ରଖାଯାଇଥିବା ଦେଖାଯାଇଛି । ସବୁ ମଣ୍ଡିରେ ୫ ରୁ ୭ କେଜି କଟନୀଛଟନୀ ଚାଲିଛି ।
ଏପରିକି କେତେକ ମିଲ୍ ରେ ଧାନ ଟ୍ରକ୍ ନ ଆସି ସିଧାସଳଖ ମିଲ୍ କୁ ଯାଉଥିବାର ଅଭିଯୋଗ ମିଳୁଛି । ତୁଷୁରା ଅଞ୍ଚଳରେ ଏଭଳି ଅଭିଯୋଗ ଶୁଣାଯାଇଛି ।

ଏ ସମ୍ପର୍କରେ ଏକ ସରଜମିନ୍ ସର୍ବେକ୍ଷଣ କରିବାକୁ ଆମ ପ୍ରତିନିଧି ଜରାସିଂହା , ତୁଷୁରା , ଝାଙ୍କରପାଲି , ଶିବତଲା , ଯୋଗୀମୁଣ୍ଡା ,ଖପ୍ରାଖୋଲ , ଲାଠୋର , ଲୁହାସିଂହା ଇତ୍ୟାଦି ମଣ୍ଡି ବୁଲି ଦେଖିଥିଲେ । କେହି ଅବ୍ୟବସ୍ଥା ସମ୍ପର୍କରେ ମୁହଁ ଖୋଲୁ ନଥିଲେ ହେଁ , ଅଧିକାଂଶ ସ୍ଥାନରେ ଉପରୋକ୍ତ ଅବ୍ୟବସ୍ଥା ଲକ୍ଷ୍ୟ କରାଯାଇଛି । ଏ ସମ୍ପର୍କରେ ବିଶଦରିପୋର୍ଟ ପରେ ପ୍ରକାଶ ପାଇବ ।