ଦୁଇଟି କୋଶଲୀପୁସ୍ତକ ଉନ୍ମୋଚିତ
ବଲାଙ୍ଗୀର : ଗତ ୧୯ ତାରିଖ ରକ୍ଷାବନ୍ଧନ ଦିନ ସାମ୍ବାଦିକ ଭବନରେ ଜିଲ୍ଲା ଲେଖକ ପରିଷଦ ପକ୍ଷରୁ ବିଶିଷ୍ଟ କବି , ଗୀତିକାର , ନାଟ୍ଯକାର ଓ ଲେଖକ କୃଷ୍ଣଚନ୍ଦ୍ର ବାରିକଙ୍କର ଦୁଇଟି କୋଶଳୀ ପୁସ୍ତକ ଉନ୍ମୋଚିତ ହୋଇଯାଇଛି ।

ପରିଷଦର ସଭାପତି ମଳୟ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ସର୍ବପ୍ରଥମେ ଦିବଂଗତ କୋଶଳ ଗୌରବ ବିଶିଷ୍ଟ କବି ରାମଭକ୍ତ ଫରିକାର ଓ ସଦ୍ୟତମ କୋଶଳୀ କବି ତଥା ଗବେଷକ ନିମେଇଁ ଚରଣ ପାଣିଗ୍ରାହୀଙ୍କ ଅମରଆତ୍ମାର ସଦ୍ ଗତି ନିମନ୍ତେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ବଲାଙ୍ଗୀର ନଗରପାଳ ଶ୍ରୀମତୀ ଲିକା ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କୋଶଳୀ ନାଟକ ‘ ସଉତେନ୍ ‘ ଓ କୋଶଳୀ ଗଳ୍ପ ସଂକଳନ ‘ ନୀଏ ‘ ପୁସ୍ତକଦୁଇଟିର ଶୁଭ ଉନ୍ମୋଚନ କରିଥିଲେ ।
ଅନ୍ୟାନ୍ୟ ନିମନ୍ତିତ ଅତିଥି ଭାବରେ ନାଟ୍ଯଭୂଷଣ ଜଗଦାନନ୍ଦ ଛୁରିଆ , ଅଧ୍ୟାପକ ନବୀନ ବିଶ୍ବବନ୍ଧୁ , ପରିଷଦର ଉପ-ସଭାପତି ତଥା ‘ ପଞ୍ଚମ ‘ ସାଂସ୍କୃତିକ ଅନୁଷ୍ଠାନର ପ୍ରତିଷ୍ଠାତା ମୁରଲୀଧାରୀ ପତି , ପରିଷଦର ସମ୍ପାଦକ କପିଳେଶ୍ବର ଖମାରୀ ଓ ଲେଖକ କୃଷ୍ଣଚନ୍ଦ୍ର ବାରିକ ପ୍ରମୁଖ ମଞ୍ଚାସୀନ ଥିଲେ । କବି ଓ ଅଧ୍ୟାପକ ସନ୍ଦୀପ କୁମାର କୁଅଁରଙ୍କ ସଂଯୋଜନାରେ ନିମନ୍ତିତ ଅତିଥି ଓ ବକ୍ତାମାନେ ଶ୍ରୀ ବାରିକଙ୍କର ଲେଖକୀୟ ଜୀବନ ଓ ସର୍ଜନାର ଆଲୋଚନାରେ ଭୂୟସୀ ପ୍ରଶଂସା କରିଥିଲେ । ଲେଖକ ଓ ତାଙ୍କର ପ୍ରକାଶିକା ପତ୍ନୀ କଣ୍ଠଶିଳ୍ପୀ ଉଷାରାଣୀ ବାରିକ ସେମାନଙ୍କର ଅଭିମତ ପ୍ରକାଶ କରିଥିଲେ । କବି ତଥା ନାଟ୍ୟ ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ବନଛୋର ଲେଖକଦମ୍ପତିଙ୍କର ଜୀବନ ଓ ସାରସ୍ବତ ସର୍ଜନା ସମ୍ପର୍କରେ ଏକ ସରସ ଆଲୋଚନା କରିଥିଲେ ।
କବୟତ୍ରୀ ସବିତା ମହରା ମଧ୍ୟ ଲେଖକଙ୍କ ନାଟକ ସମ୍ପର୍କରେ ଆଲୋଚନା କରିଥିଲେ । ସଭାପତି ତଥା ଗାଳ୍ପିକ ମଳୟ ମିଶ୍ର କହିଥିଲେ ଯେ , ସମସ୍ତଙ୍କର କାହାଣୀକୁ ଗଳ୍ପ କରିବାର କଳାକାରିଗରୀ ନଥାଏ ଓ ବନ୍ଧୁ କୃଷ୍ଣ ଚନ୍ଦ୍ର ବାରିକ ଏହି ପୁସ୍ତକଟିରେ କୋଶଳୀ କଥାନୀକୁ ଗଳ୍ପରେ ପରିଣତ କରିବାର ଦକ୍ଷତା ପ୍ରତିପାଦନ କରିଛନ୍ତି ଓ ସମ୍ଭବତଃ ଏଭଳି ଉତ୍ତରଣ ପ୍ରଥମ । ସେ ମଧ୍ୟ ଲେଖକଙ୍କ ସହ ତାଙ୍କର ଆବାଲ୍ଯରୁ ନିବିଡ ବନ୍ଧୁତା ତଥା ନାଟକୀୟ ସର୍ଜନା ସମ୍ପର୍କରେ ଆଲୋଚନା କରିଥିଲେ । କବି , ଗବେଷକ ଓ ଅଧ୍ୟାପକ ନବୀନ ବିଶ୍ବବନ୍ଧୁ ପୁସ୍ତକର ଏକ ସୁନ୍ଦର ତଥ୍ୟପୂର୍ଣ୍ଣ ସମୀକ୍ଷାତ୍ମକ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଶ୍ରୀ ପତି ‘ ସଉତେନ୍ ‘ ନାଟକଟିକୁ ଫିଲ୍ମ କରିବାର ସୂଚନା ଦେଇଥିଲେ । ମୁଖ୍ୟଅତିଥି ଆମ ଭାଷା , ଗଳ୍ପ ବା ସାରସ୍ବତ ରଚନାରେ ସମାଜର ବିଭିନ୍ନ ଦିଗର ପ୍ରତିଫଳନ ସମାଜକୁ ଉତ୍ତମ ଦିଗ୍ ଦର୍ଶନ ଦେଇଥାଏ ବୋଲି ତାଙ୍କ ବକ୍ତବ୍ଯରେ ପ୍ରକାଶ କରିଥିଲେ ।

ସମ୍ପାଦକ ଶ୍ରୀ ଖମାରୀ ସମ୍ପାଦକୀୟ ବିବରଣୀ ପଠନ କରିଥିଲାବେଳେ ପରିଷଦର କୋଷାଧ୍ୟକ୍ଷ ଅଜିତ କୁମାର ମହାନ୍ତି ପ୍ରାରମ୍ଭିକ ସ୍ବାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରିଷଦର ସହସମ୍ପାଦକ ‘ ପ୍ରେରଣା’ ର ସମ୍ପାଦକ ଏଡଭୋକେଟ ରଘୁନନ୍ଦନ ସିଂ ଶେଷରେ ଧନ୍ୟବାଦ ଦେଇଥିଲେ । ସହରର ମାନ୍ୟଗଣ୍ୟ ସାହିତ୍ୟପ୍ରେମୀ , କବି , କବୟତ୍ରୀ , ଲେଖକ ଲେଖିକା , ସାମ୍ବାଦିକ , ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତୀ ଓ ଅନୁରାଗୀ ବହୁଶ୍ରୋତା ଏହି ଉତ୍ସବରେ ଯୋଗଦେଇଥିଲେ । ଅସୁସ୍ଥତା ଯୋଗୁଁ ଅନ୍ୟତମ ସମ୍ମାନିତ ମୁଖ୍ୟବକ୍ତା ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ ଆସିବାର ସମ୍ମତି ଦେଇଥିଲେ ହେଁ , ଆକସ୍ମିକ ଗୁରୁତର ହୋଇ ପଡିବାରୁ ଆସିପାରି ନଥିଲେ ।ଅନ୍ୟତମ ସମ୍ମାନିତ ବକ୍ତା ଶ୍ରୀ ଛୁରିଆ ତାଙ୍କ ଅଭିଭାଷଣରେ ନାଟକ ସମ୍ପର୍କରେ ମନୋଜ୍ଞ ବକ୍ତବ୍ଯ ପ୍ରଦାନ କରିଥିଲେ ।