ତେବେ ଅଭିଯୋଗ କିଏ କରିବ ?
ପ୍ରମାଣିତ ହେଲେ ତ ?
ଭୁବନେଶ୍ବର : ଆଜି ଏକ ବହୁଳ ପ୍ରସାରିତ ଦୈନିକ ଓଡିଆ ସମ୍ବାଦପତ୍ରରେ ପ୍ରକାଶ ପାଇଛି ‘ ନିର୍ଣ୍ଣାୟକ ନିଷ୍ପତ୍ତି ‘ ଶୀର୍ଷକରେ ଉପରୋକ୍ତ ଗୁରୁତ୍ୱପୂର୍ଣ୍ଣ କଲମ୍ ଖବରଟି ।
ଏହି ଅନୁଯାୟୀ , ‘ ସାଂସଦ ହୁଅନ୍ତୁ କିମ୍ବା ବିଧାୟକ , ସେମାନଙ୍କୁ ଲାଞ୍ଚଗ୍ରହଣ ମାମଲାରେ ସୁରକ୍ଷା ମିଳିପାରିବନାହିଁ ।
ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ ମକଦ୍ଦମା ଚାଲିପାରିବ । ‘ ଭୋଟ୍ ପାକ ଲାଞ୍ଚ ‘ ମାମଲାରେ ସୁପ୍ରିମକୋର୍ଟ ଚଳିତବର୍ଷ ମାର୍ଚ୍ଚ ୪ ତାରିଖରେ ଏଭଳି ଏକ ଐତିହାସିକ ରାୟ ଦେଇଥିଲେ । କୋର୍ଟ କହିଥିଲେ ଯେ ସାଂସଦ କିମ୍ବା ବିଧାୟକଙ୍କ ଦ୍ବାରା ଦୁର୍ନୀତି ଓ ଲାଞ୍ଚ କାରବାର ଭାରତର ସଂସଦୀୟ ଗଣତନ୍ତ୍ରକୁ ଧ୍ବଂସ କରିଦେବ । ତତ୍କାଳୀନ ପ୍ରଧାନ ବିଚାରପତି ଡି ଉଆଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ୭ ଜଣିଆ ସମ୍ବିଧାନ ପୀଠ ୧୯୯୮ରେ ଏହି ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ରବ୍ଦ କରିଦେଇଥିଲେ । ୨୯୯୮ରେ ସର୍ବୋଚ୍ଚ ଅଦାଲତଙ୍କ ୫ ଜଣିଆ ସମ୍ବିଧାନ ପୀଠ ଦେଇଥିବା ରାୟରେ ସାଂସଦ , ବିଧାୟକଙ୍କୁ ଲାଞ୍ଚ ମାମଲାରେ ସୁରକ୍ଷା ପ୍ରଦାନ କରିଥିଲେ ।
୧୯୯୮ର ଏହି ରାୟକୁ ରବ୍ଦ କରି ଜଷ୍ଟିସ୍ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠ କହିଥିଲେ ଯେ ସମ୍ବିଧାନର ଧାରା ୧୦୫ ଏବଂ ୧୯୪ ରେ ରହିଥିବା ବ୍ୟବସ୍ଥାର ଏହା ବିରୁଦ୍ଧାଚରଣ କରୁଛି । ଦୁର୍ନୀତି କାରବାରରେ ସାଂସଦଙ୍କୁ ସଂସଦୀୟ ସ୍ବାଧୀକାର ବ୍ୟବସ୍ଥାରେ ସୁରକ୍ଷା ଦିଆଯାଇନାହିଁ । ‘ – ଯଦିଓ ଏହି ପ୍ରକାଶିତ ଉଦ୍ଧୃତିରେ ବା ଅନୁବାଦିତ ବ୍ୟାଖ୍ୟାରେ ଉପରୋକ୍ତ ଆଇନର ସଠିକ୍ ତର୍ଜମା ଉଲ୍ଲେଖ କରାଯାଇ ପାରି ନଥାଏ , ତଥାପି ଏହାର ଅର୍ଥ ବୁଝିବାରେ ଅସୁବିଧା ହେଉନାହିଁ ଯେ , ଆମ ଗାଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକଙ୍କ ଦ୍ବାରା ନିର୍ବାଚିତ ଓ ଶପଥ ନେଇଥିବା ପ୍ରତିବଦ୍ଧ ଲୋକ ପ୍ରତିନିଧି ବନାମ ସାଂସଦ ଓ ବିଧାୟକମାନଙ୍କର ଲାଞ୍ଚନେବା ଏକ ଦୁର୍ନୀତି ଅଟେ ଓ ଏହା ବିରୁଦ୍ଧରେ ମାମଲା ଋଜୁ କରାଯାଇପାରିବ।
ଏହି ପରିପ୍ରେକ୍ଷୀରେ ଏଠାରେ ଉଲ୍ଲେଖଯୋଗ୍ୟ ଯେ , ନିକଟରେ ଆମରାଜ୍ୟର ସୁବର୍ଣ୍ଣପୁର ,ବଲାଙ୍ଗୀର ଓ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ସଭା ଅବସରରେ ବରଗଡ ଜିଲ୍ଲାରେ ରାଇସ୍ ମିଲର୍ସ ଓ ଛତୁଆୟୁନିଟ୍ ଏସ୍ ଏଚ୍ ଜି ଗୁଡିକରୁ ଜଣେ ସାଂସଦ , ଜଣେ ବିଧାୟକ ଓ ସେମାନଙ୍କ ନୋମିନୀମାନଙ୍କ ବିରୁଦ୍ଧରେ ଏଭଳି ଲକ୍ଷ ଲକ୍ଷ କୋଟି ଟଙ୍କାର ଲାଞ୍ଚ ଅସୁଲି କରାଯାଇଥିବା ଓ ସାଂସଦ ପ୍ରତ୍ୟେକ୍ଷ ଭାବେ ଲାଞ୍ଚ ନେଉଥିବାର ଅଭିଯୋଗ ଗଣମାଧ୍ୟମରେ ପ୍ରକାଶ ପାଇଛି । ଅପରପକ୍ଷରେ ଏଯାବତ୍ ସେମାନଙ୍କ ପକ୍ଷରୁ ଏହି ଚର୍ଚ୍ଚିତ ଅଭିଯୋଗର ଖଣ୍ଡନ କରାଯାଇନାହିଁ । ଜଣେ ବରିଷ୍ଠ ବିଳୋଧୀ ନେତା ମଧ୍ୟ ଏ ବିଷୟରେ ସାମାଜିକ ଗଣମାଧ୍ୟମରେ ବିବୃତି ଦେଇଥିଲେ ହେଁ , ଅଭିଯୁକ୍ତଙ୍କ ନାମ ଉହ୍ୟ ରଖିଛନ୍ତି । ସେହିପରି ଏକ ଜିଲ୍ଲାର ମିଲର୍ସ ସଂଘ ପକ୍ଷରୁ ଲିଖିତ ଭାବରେ କରାଯାଇଥିବା ଅଭିଯୋଗପତ୍ରରେ ମଧ୍ୟ ସିଧାସଳଖ ଭାବରେ ସାଂସଦ ବା ବିଧାୟକଙ୍କ ନାମୋଲ୍ଲେଖ କରାଯାଇ ନଥିଲେ ହେଁ ତାଙ୍କର ପ୍ରତିନିଧା ବା ନୋମିନୀମାନଙ୍କର ନାମୋଲ୍ଲେଖ କରାଯାଇଛି । ଅନ୍ୟ ଏକ ଜିଲ୍ଲାରେ ସଂଗୃହୀତଚାନ୍ଦା ସମ୍ପର୍କରେ ପ୍ରକାଶିତ ଖବରର ଅଭିଯୁକ୍ତଙ୍କ ନାମୋଲ୍ଲେଖ ପ୍ରକାଶ ପାଇନାହିଁ ! କିନ୍ତୁ ଉକ୍ତ ଅଭିଯୋଗଗୁଡିକ ଲୋକଙ୍କ ଚର୍ଚ୍ଚାରେ ରହିଛି ।
ସେ ଯାହାହେଉ , ମାନ୍ୟବର ସୁପ୍ରିମକୋର୍ଟଙ୍କ ଉପରୋକ୍ତ ରାୟ ପରିପ୍ରେକ୍ଷୀରେ ଉପରୋକ୍ତ ଲୋକଲୋଚନକୁ ଆସିଥିବା ଅଭିଯୋଗର ନିର୍ଦ୍ଦିଷ୍ଟ ଭାବରେ କେହି ଅଭିଯୋଗକାରୀ ସମ୍ମୁଖକୁ ଆସୁ ନଥିବା ଉକ୍ତ ଆଇନର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦ୍ୱିତୀୟତଃ ସମସ୍ତେ ଜାଣୁଥିଲେ ବି ଉକ୍ତ ପ୍ରଭାବଶାଳୀ ଅଭିଯୁକ୍ତଙ୍କ ବିରୁଦ୍ଧାଚରଣର ଦୁଃସାହସ କରି ପ୍ରମାଣ ଦେବା ଏହି ଅଭିଯୋଗର ଗୁରୁତ୍ୱ ଯେତେ ଥାଉନା କାହିଁକି , ଏହାକୁ ପ୍ରମାଣିତ କରିବା କଷ୍ଟକର !
ସର୍ବୋପରି ଏକ ଗାଣତାନ୍ତ୍ରିକ ରାଷ୍ଟ୍ରୀୟବ୍ୟବସ୍ଥାରେ ବହୁଜନମତର ପ୍ରତିଫଳନ ଗଣମାଧ୍ୟମରେ ପ୍ରକାଶିତ ଅଭିଯୋଗକୁ ଗ୍ରହଣ କରାଯାଇପାରେ କି ?