ବାରମ୍ବାର ପୁଲିସ୍ କୁକୁର ସନ୍ଦିଗ୍ଧ ବ୍ୟକ୍ତିର ଘରକୁ ଯାଇଥିଲା ।
ସନ୍ଦିଗ୍ଧ ଉପରେ ଏକାଧିକ ନରବଳି ଆରୋପର ଚର୍ଚ୍ଚା
ଥାନାରେ ସପରିବାର ଜଣେ ଅଟକ : ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତା ଅବରୋଧ : ପୁଲିସକୁ ମାଡ
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଲାଠୋର ଥାନା ଜଲପାଙ୍କେଲ ଗ୍ରାମର ଏକ ନାବାଳକ ମଣ୍ଟୁ ଓରଫ ସୋମନାଥ ବେମାଲ ( ୧୧ )ର କ୍ଷତାକ୍ତ ମୃତଦେହ ନିକଟସ୍ଥ ଏକ ପାହାଡ ଉପରୁ ମିଳିବା ପରେ ପରିବାର ଓ ଗ୍ରାମବାସୀଙ୍କ ସନ୍ଦେହ କ୍ରମେ ପୁଲିସ୍ ଗ୍ରାମର ଜଣେ ସନ୍ଦିଗ୍ଧ ବ୍ୟକ୍ତିକୁ ସପରିବାର ଥାନାରେ ଅଟକ ରଖି ତଦନ୍ତ କରୁଛି । ଖପ୍ରାଖୋଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶବବ୍ୟବଚ୍ଛେଦ କରାଯାଇଛି ଓ ଅଦ୍ୟାବଧି ପୋଷ୍ଟମର୍ଟମ୍ ରିପୋର୍ଟ ମିଳିନାହିଁ । ଶବଟିର ପଞ୍ଚନାମା ସହିତ କେତେକ ପାରିପାର୍ଶ୍ବିକ ସଙ୍କେତ , ପୂର୍ବାପର ଘଟଣା ଓ ଅଟକ ଅଭିଯୁକ୍ତର ପୂର୍ବ ଅପବାଦ ସହିତ ଅନୁସନ୍ଧାନରେ ଆସିଥିବା ପୁଲିସ୍ ଡଗ୍ ସ୍କ୍ବାର୍ଡର ଡି ଟେ କ୍ ସ ନ୍ ଇତ୍ୟାଦିରୁ ଏହାକୁ ଏକ ବଳିକାଣ୍ଡ ବୋଲି ଦୃଢ ସନ୍ଦେହ କରାଯାଉଛି । ଏହାକୁ ନେଇ ସମଗ୍ର ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ସଠିକ୍ ତଦନ୍ତ ଦାବି କରି ଗ୍ରାମବାସୀମାନେ ଲାଠୋର – ଖପ୍ରାଖୋଲ ରାସ୍ତାକୁ ଅବରୋଧ କରିଥିଲେ । ଲାଠୋର ଥାନାର ଜଣେ ପୁଲିସ୍ ଏ ଏସ୍ ଆଇଙ୍କୁ ମଦପିଇ ଲୋକଙ୍କୁ ଏଣୁତେଣୁ କହିବା ଅଭିଯୋଗରେ ତାଙ୍କୁ ଉତ୍ତ୍ୟକ୍ତ ଲୋକେ ମାଡ ମାରିଥିବା ପ୍ରକାଶ ।
ଘଟଣାରୁ ପ୍ରକାଶ ଯେ , ଗତ ୧୭ ତାରିଖର ଅପରାହ୍ନ ପ୍ରାୟ ୩ ଟା ବେଳ ଠାରୁ ଘରୁ ବାହାରି ଉକ୍ତ ଗ୍ରାମର ତପନ ବେମାଲଙ୍କର ସାନପୁଅ ମଣ୍ଟୁ ଓରଫ ସୋମନାଥ ସନ୍ଧ୍ୟାସୁଦ୍ଧା ଘରକୁ ନ ଫେରିବାରୁ ପରିବାରର ଲୋକେ ବହୁ ଖୋଜାଖୋଜି କରି ନିରାଶ ହେବା ପରେ ଲାଠୋର ଥାନାରେ ଯାଇ ରାତିରେ ଏକ ନିଖୋଜ୍ ଏତଲା ଦେଇ ଉପରୋକ୍ତ ସନ୍ଦିଗ୍ଧ ବ୍ୟକ୍ତିଟି ଉପରେ ସନ୍ଦେହ ବ୍ୟକ୍ତ କରିଥିଲେ । ପୁଲିସ୍ ରାତିତମାମ୍ ଖୋଜାଖୋଜି କରି ନ ପାଇବା ସହିତ ସନ୍ଦିଗ୍ଧ ବ୍ୟକ୍ତିକୁ ଘରୁ ଥାନାକୁ ନେଇ ଛାଡି ଦେଇଥିଲା ।
ତେବେ ପରଦିନ ସକାଳେ ନିକଟବର୍ତ୍ତୀ ଗ୍ରାମ ଝଲିଆଲିଟି ଗ୍ରାମର ବଡଡୁଙ୍ଗୁରି ପାହାଡ ଶୀର୍ଷରେ ପିଲାଟିର ମୃତଦେହ ମିଳିଥିଲା । ମୃତଦେହର ମୁଣ୍ଡ ପଛପଟେ ଏକ ଆଘାତଜନିତ କ୍ଷତ , କାନ ପାଖରେ ଓ ଛାତି , ପେଟରେ ଅଳ୍ପ କଟାଚିହ୍ନ ସହ ରକ୍ତ ଲାଗିଥିବା , ଏଭଳିକି ଲିଙ୍ଗଚ୍ଛେଦନ କରାଯାଇଥିବା ଇତ୍ୟାଦି ଲୋକଙ୍କ ଚର୍ଚ୍ଚାରୁ ପ୍ରକାଶ ।
ଏହା ସହିତ ଘଟଣାସ୍ଥଳରୁ ଏକ ଭଙ୍ଗାବାଡି ଜବତ କରାଯାଇଥିବା ସହିତ ଶବ ପଡିଥିବା ସ୍ଥାନ ନିକଟରେ ଏକ ଗାତ ଖୋଳାଯାଇଥିବାରୁ ଶବଟିକୁ ବଳି ଚଢାଇ ହତ୍ୟା ପରେ ପୋତିଦେବାକୁ ହତ୍ୟାକାରୀ ଯୋଜନା କରିଥିବା ଓ ପଥର ପଡିବାରୁ ଅଧିକ ଗଭୀର ପର୍ଯ୍ୟନ୍ତ ଖୋଳି ନପାରି ଛାଡି ଦେଇଥିବା ଲୋକଙ୍କ ଚର୍ଚ୍ଚାରୁ ପ୍ରକାଶ । ଉକ୍ତଦିନ ଗୁରୁବାର ସଂକ୍ରାନ୍ତି ସହିତ ପୂର୍ଣ୍ଣିମା ଥିବାରୁ ତାନ୍ତ୍ରିକଙ୍କ ପାଇଁ ଏହା ବଳିଚଢାଇବାର ଏକ ଉପଯୁକ୍ତ ତିଥି ଥିବା କୁହାଯାଉଛି । ଭବାନୀପାଟଣାରୁ ଆସିଥିବା ଡଗ୍ ସ୍କ୍ବାର୍ଡର ପୁଲିସ୍ କୁକୁରଟି ବାରମ୍ବାର ସିଧା ଘଟଣାସ୍ଥଳରୁ ସନ୍ଦିଗ୍ଧ ବ୍ୟକ୍ତିର ଘରକୁ ଯିବାରୁ ପୁଲିସ୍ ଓ ଗ୍ରାମବାସୀଙ୍କ ସନ୍ଦେହ ତା’ରି ଉପରେ ଦୃଢୀଭୂତ ହୋଇଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ଏହା ଯେ ୧୧ ବର୍ଷତଳେ ଗତ ୨୦୧୩ ଏହିଠାରୁ ଗ୍ରାମର ଅନ୍ୟ ଏକ ନାବାଳକର ଗଳିତ ମୃତଦେହକୁ ଉଦ୍ଧାର କରାଯାଇଥିଲା । ତେବେ ସେତେବେଳେ ତାହାର ଉପଯୁକ୍ତ ତଦନ୍ତ କରାଯାଇ ପାରି ନଥିଲା କିମ୍ବା କାହାକୁ ଦୋଷୀ ସାବ୍ଯସ୍ତ କରାଯାଇ ପାରି ନଥିଲେ ହେଁ , କେତେକ କାରଣରୁ ଏବର ସନ୍ଦିଗ୍ଧ ଅଟକ ବ୍ୟକ୍ତି ଉପରେ ସନ୍ଦେହ କରାଯାଇଥିଲା । ଆହୁରି ମଧ୍ୟ , ଉକ୍ତ ସନ୍ଦିଗ୍ଧ ଅଟକ ବ୍ୟକ୍ତିଜଣକ ମୂଳନିବାସୀ ପଡୋଶୀ ନୂଆପଡା ଜିଲ୍ଲାର କୋମନା ଥାନା ଚାଉଲଡିଆ ଗ୍ରାମରେ ଓ ସେଠାରେ ତାଙ୍କୁ ଏଇପରି ଏକାଧିକ ବଳି ସନ୍ଦେହରେ ଗ୍ରାମବାସୀମାନେ ଗ୍ରାମରୁ ତଡି ଦେଇଥିବାରୁ ସେ ଆସି ଏଠାରେ ଘର କରି ରହୁଥିଲେ ବୋଲି ତାଙ୍କ ବିରୋଧରେ ଅପବାଦର ଚର୍ଚ୍ଚା ହେଉଛି ।
ଏହା ସହିତ ଏହି ଗ୍ରାମରେ ଘଟିଥିବା ୧୧ ବର୍ଷ ତଳର ବଳି ସନ୍ଦେହ ଘଟଣାରେ ସେ ହିଁ ସମ୍ପୃକ୍ତ ଥିବା କୁହାଯାଉଛି । କାରଣ ଏହି ଗ୍ରାମର ସୋନୁ ରଣାଙ୍କ ପୁଅ ମୃତ ମଧୁ ରଣା ( ୧୮ ) ଉକ୍ତ ସନ୍ଦିଗ୍ଧ ବ୍ୟକ୍ତିର ପୁଅ ସାଙ୍ଗରେ ସାଙ୍ଗ ହେଉଥିଲା ଓ ଚତୁରତା ପୂର୍ବକ ସେ ଗ୍ରାମର ଏକ ଝିଅକୁ ପ୍ରେମ କରୁଥିବା ପ୍ରଚାର କରାଯାଇ ସେହି ଘଟଣାକୁ ଏକ ପ୍ରେମଜନିତ ଆତ୍ମହତ୍ୟାର ରୂପ ଦେଇଦିଆଯାଇଥିବା ଗ୍ରାମର କେତେକ ଲୋକେଙ୍କ ସୂତ୍ରରୁ ପ୍ରକାଶ।
ଏଣୁ ଏବେ ଥାନାରେ ଅଟକ ଥିବା ଉକ୍ତ ସନ୍ଦିଗ୍ଧ ବ୍ୟକ୍ତି ଉପରେ ପୁଲିସ୍ ର ସନ୍ଦେହ ଦୃଢୀଭୂତ ହୋଇଛି । ଏହାସହିତ ମଣ୍ଟୁର ବଳି ଆସାମୀ ନିଜ ଘରଭିତରେ ହିଁ ଘରେ ପୂଜା କରୁଥିବା ଦେବୀଙ୍କ ସମ୍ମୁଖରେ ଘଟାଇଥିବା ଓ ଏଥିରେ ଘରଲୋକଙ୍କର ସମ୍ପୃକ୍ତି ରହିଥିବା ସନ୍ଦେହରେ ତଦନ୍ତକାରୀ ପୁଲିସ୍ ଉକ୍ତ ସନ୍ଦିଗ୍ଧ ବ୍ୟକ୍ତି ସମେତ ତା’ର ପତ୍ନୀ , ବୋହୁ , ଭାଇ ପ୍ରମୁଖଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି । ଉକ୍ତ ବ୍ୟକ୍ତିର ଏକ ପୁଅ ସେତେବେଳେ ଘରେଥିବା ବୋଲି ମୃତକର ପରିବାରଙ୍କର ମଧ୍ୟ ସନ୍ଦେହ ରହିଛି । ତେବେ ଶବବ୍ୟବଚ୍ଛେଦ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ଓ ପୁଲିସ୍ ତଦନ୍ତ ନ ସରିବା ଯାଏଁ , ଏହା ବଳିକାଣ୍ଡ ବା ଅନ୍ୟକାରଣରୁ ହତ୍ୟାକାଣ୍ଡ ଓ ଏଥିରେ ଏହି ସନ୍ଦିଗ୍ଧ ବ୍ୟକ୍ତି ସମ୍ପୃକ୍ତ କି ନୁହେଁ , ସଠିକ୍ ଭାବେ କିଛି କୁହାଯାଇ ପାରୁନାହିଁ ।
ସଂପ୍ରତି ବଲାଙ୍ଗୀର ଏସପି ଋଷିକେଶ ଲାଗୁରୀଙ୍କ ନିର୍ଦ୍ଦେଶକ୍ରମେ ପାଟଣାଗଡ ଏସଡିପିଓ ସଦାନନ୍ଦ ପୂଜାରୀ , କଣ୍ଟାବାଞ୍ଜି ଏସଡିପିଓ ଗୌରାଙ୍ଗ ଚରଣ ସାହୁ ଓ ବଲାଙ୍ଗୀରର ବରିଷ୍ଠ ପୁଲିସ୍ ଅଧିକାରୀମାନେ ତଦନ୍ତ ଚଳାଇଛନ୍ତି । ଲାଠୋର ଥାନାଧିକାରୀ ପ୍ରକାଶ ବେହେରା ଏହି ମାମଲାର ତଦନ୍ତକାରୀ ଅଛନ୍ତି । ଏ ସମ୍ପର୍କରେ ଏବେ ତଦନ୍ତକାରୀ ପୁଲିସ୍ ମୁଁହ ଖୋଲି ନଥିଲେ ହେଁ , କାଲିସୁଦ୍ଧା ସବୁ ଜଣାପଡିଯିବ ବୋଲି ଅଞ୍ଚଳବାସୀ ଆଶା କରୁଛନ୍ତି ।