ଅପରାଧ

ଲାଠୋର ବାଳକହତ୍ୟା ମାମଲା  : ଅଭିଯୁକ୍ତ ବାପପୁଅ ଗିରଫ

Email :

ସିବିଆଇ ତଦନ୍ତ ଦାବି

ଲାଠୋର  : ଗତ ୧୭ ତାରିଖରେ ଜଲପାଙ୍କେଲ ଗ୍ରାମର ତପନ ବେମାଲଙ୍କର ସାନପୁଅ ମଣ୍ଟୁ ଓରଫ ସୋମନାଥ ( ୧୧ ) ର କ୍ଷତବିକ୍ଷତ ମୃତଦେହ ପରଦିନ ସକାଳେ ନିକଟସ୍ଥ ଝଲିଆଲିଟି ବଡଡୁଙ୍ଗୁରି ଉପରୁ ମିଳିବାପରେ ଏହା ଏକ ବଳିକାଣ୍ଡ ବୋଲି ଗ୍ରାମବାସୀଙ୍କ ମଧ୍ୟରେ ଚର୍ଚ୍ଚା ପ୍ରକାଶ ପାଇଥିଲା ଏଥିପାଇଁ ଗ୍ରାମର ଜଣେ ସନ୍ଦିଗ୍ଧ ବ୍ୟକ୍ତି ଉପରେ ପ୍ରବଳ ଆକ୍ରୋଶ ଓ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏପରିକି ପରଦିନ ଖପ୍ରାଖୋଲ- ଲାଠୋର ରାସ୍ତା ଅବରୋଧ କରାଯାଇ ସଠିକ୍ ତଦନ୍ତ ଦାବି କରାଯାଇଥିଲା ଓ ଜଣେ ପୁଲିସ୍ ଅଧିକାରୀଙ୍କୁ ଦୁର୍ବ୍ଯବହାର ଅଭିଯୋଗରେ ମାଡ ମଧ୍ୟ ମରାଯାଇଥିଲା ।  ସେହିଦିନ ଏ ସମ୍ପର୍କରେ ସ୍ଥାନୀୟ ଲାଠୋର ଥାନାରେ ପରିବାର ପକ୍ଷରୁ ଏତଲାକ୍ରମେ ଏକ ମାମଲା ଋଜୁ କରି ତଦନ୍ତ ପୁଲିସ୍ ତନାଘନା ତଦନ୍ତ ଚଳାଇ ସନ୍ଦେହ ଓ ସୁରକ୍ଷା ଦୃଷ୍ଟିରୁ ଉକ୍ତ ସନ୍ଦିଗ୍ଧବ୍ୟକ୍ତିକୁ ସପରିବାର ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ସହ ଶବବ୍ୟବଚ୍ଛେଦ ପୂର୍ବକ ବଲାଙ୍ଗୀରରୁ ସାଇଣ୍ଟିଫିକ୍ ସ୍କ୍ବାର୍ଡ ସହ ବଲାଙ୍ଗୀର ଓ ଭବାନୀପାଟଣାରୁ ଡଗ୍ ସ୍କ୍ବାର୍ଡ ମଗାଇ ଅନୁସନ୍ଧାନ ଚଳାଇଥିଲା ।  ତେବେ ଭବାନୀପାଟଣାର ସନ୍ଧାନୀକୁକୁରର  ଅଭିଯୁକ୍ତର ଘରକୁ ବାଡାଡେଇଁ ପଶି ବନ୍ଦଦରଜାରେ ଭୁକିବାର ଦୁଇଥରର ଡି ଟେ କ୍ ସ ନ୍ ରେ ଲୋକଙ୍କ ସନ୍ଦେହ ଦୃଢୀଭୂତ ହୋଇଥିଲା ।  ଅଟକ ଅଭିଯୁକ୍ତର ପୂର୍ବ ଅପବାଦ ଦୃଷ୍ଟିରୁ ଏହା ଗୁଣିଗାରଡି ବା ଗୁପ୍ତଧନ ପାଇଁ ଏକ ବଳିକାଣ୍ଡ ବୋଲି ଲୋକେ ଦୃଢ ଦାବି କରି ଆସୁଥିଲେ ।

ପ୍ରକାଶ ଯେ ଅଭିଯୁକ୍ତ ଜଣକ ନିକଟବର୍ତ୍ତୀ କରୁଆଁଝର ଗ୍ରାମର ହୋଇଥିଲେ ହେଁ , ପ୍ରାୟ ୨୦/ ୨୫ ବର୍ଷ ପୂର୍ବେ ତା’ର ବଡଭାଇ ତାଙ୍କ ଗ୍ରାମ ଚଉଲଡିଆରେ ପୋଖରୀଆଡିରେ ଏକ କୁଡିଆରେ ତନ୍ତ୍ରବିଦ୍ୟାଦି ପୂଜା କରୁଥିବାର ସେଠାକୁ ଗାଧୁଆପାଧୁଆଦି କରିବାକୁ ଯାଉଥିବା ଝିଅବୋହୁଙ୍କ ଅଭିଯୋଗକ୍ରମେ ଗ୍ରାମବାସୀଙ୍କ ପକ୍ଷରୁ ଉକ୍ତ କୁଡିଆକୁ ଭଙ୍ଗାରୁଜା କରି ତାକୁ ଲଣ୍ଡା କରିଦିଆଯାଇଥିଲା ଓ କିଛିଦିନ ପରେ ତାଙ୍କର ମୃତ୍ୟୁ ମଧ୍ୟ ହୋଇଯାଇଥିଲା ।  ବଡଭାଇ ସାଙ୍ଗରେ ପ୍ରାୟତଃ ପୂଜାପୂଜି କଲାବେଳେ ଯାଉଥିବା ସାନଭାଇ ଏହି ସନ୍ଦିଗ୍ଧ ଅଭିଯୁକ୍ତ ତା’ପରେ ଗାଁ’ରୁ ପଳାଇଆସି  ତା’ ଶଶୁରଘର ଏହି ଜଲପାଙ୍କେଲ ଗ୍ରାମରେ ରହୁଥିବା ଓ ପରେ ତା’ର ସାନଭାଇ ମଧ୍ୟ ଆସି ସେମାନେ ଅନ୍ୟମାନଙ୍କ ଭଳି ସରକାରୀ ଗୋଚର ଜମି ଜବରଦଖଲ କରି ଘରତିଆରି କରି କିଛିବର୍ଷ ହେଲା ରହୁଛନ୍ତି । 

ଆହୁରି ମଧ୍ୟ , ପ୍ରାୟ ୧୧ ବର୍ଷତଳେ ୨୦୧୩ ରେ ଏହି ଜଲପାଙ୍କେଲ ଗ୍ରାମର ସୋନୁ ରଣାଙ୍କ ପୁଅ ମଧୁ ରଣା ( ୧୮ ) ଙ୍କର ଗଳିତ ମୃତଦେହ ନିଖୋଜ୍ ହେବାର ୪/ ୫ ଦିନ ପରେ ଏହି ଗ୍ରାମନିକଟସ୍ଥ ଝଲିଆଲିଟି ବଡଡୁଙ୍ଗୁରି ଉପରୁ ଉଦ୍ଧାର କରାଯାଇଥିଲା ।  ମୃତ ମଧୁ ଏହି ଅଭିଯୁକ୍ତର ପୁଅ ମିଥୁନ୍ ସହ ସାଙ୍ଗ ହେଉଥିବା ଓ ଗାଁ’ର ଏକ ଝିଅ ସହ ପ୍ରେମଫ୍ରେମ ଚକ୍କରରେ ଏହା ଏକ ଆତ୍ମହତ୍ୟା ବା ମିଥୁନ୍ ଦ୍ବାରା ମଧୁକୁ ହତ୍ୟା ଏ ନେଇ ସ୍ପଷ୍ଟ ହୋଇପାରି ନଥିଲେ ହେଁ , ସେତେବେଳେ ଏହାକୁ ଗୁଣିଗାରେଡି ଜନିତ ଏକ ବଳି ଓ ଅଭିଯୁକ୍ତ ଓ ତା’ର ପୁଅ ମିଥୁନର ଏଥିରେ ଜଡିତ ଥିବା ଚର୍ଚ୍ଚା ହୋଇଥିଲା ।  ତେବେ କଥା ଏଇଠି ସରି ନଥିଲା ଓ ଗ୍ରାମର କିଛିଲୋକ ନିଖୋଜ୍ ମଧୁକୁ ଖୋଜିବାକୁ ସନ୍ଦେହ କରାଯାଉଥିବା ମିଥୁନକୁ ବାଇକ୍ ରେ ବସାଇ ନେଇ ଯାଇଥିବାବେଳେ କୁଆଡେ ମିଥୁନ୍ ଗାଡିରୁ ଡେଇଁ ପଳାଇ ଯାଇଥିବା ସାଙ୍ଗରେ ନେଇଥିବା ଗାଁ’ର ଲୋକମାନେ ଫେରି କହିଥିଲେ ।  ଏହାର କିଛିଦିନ ପରେ କଣ୍ଟାବାଞ୍ଜି ନିକଟସ୍ଥ ରେଳଧାରଣାରୁ ମିଥୁନର ଶବ ମିଳିଥିଲା । ଯାହାକୁ ତା’ର ବାପା ଏହି ଅଭିଯୁକ୍ତ ସେଠାକୁ ଯାଇ ଚିହ୍ନଟ କରିଥିଲେ ।  ସେତେବେଳେ ମଧୁକୁ ବାପପୁଅ ବଳି ଚଢାଇ ନିଜକୁ ଲୁଚାଇବାକୁ ଅନ୍ୟ କାହାର ଶବକୁ ଏହି ଅଭିଯୁକ୍ତ ନିଜପୁଅର ବୋଲି ମିଛପ୍ରଚାର କରିଥିବା ଓ ଏବେ ବି ବାହାରେ କେଉଁଠି ରହି ମିଥୁନ୍ ବଞ୍ଚିଥିବା ଗ୍ରାମରେ କୁହାଯାଉଛି ।  ସେତେବେଳେ ତା’ପୁଅ ଓ ତାକୁ ମିଛ ଅପବାଦ ଦେଉଥିବା ଘଟଣାରେ ଗାଁ’ରେ ନେତୃତ୍ବ ନେଉଥିବା ଦଳ ବେମାଲଙ୍କ ନାତି ଏହି ମଣ୍ଟୁ ଓରଫ ସୋମନାଥକୁ  ପୂର୍ବଶତ୍ରୁତା ଯୋଗୁଁ  ଉକ୍ତ ସନ୍ଦିଗ୍ଧ ଅଭିଯୁକ୍ତ ହତ୍ୟା କରିଥିବା  ଏହାର ତଦନ୍ତ କରି ଉକ୍ତ ସନ୍ଦିଗ୍ଧ ଅଭିଯୁକ୍ତ ଡୋଲାମଣି ରଣା ( ୫୫ ) ଓ  ତା’ର ପୁଅ ମୁକେଶ ରଣା ( ୩୨ ) କୁ ପୁଲିସ୍ ଗିରଫ କରି ଆଜି ଉପରବେଳା କୋର୍ଟ ଚାଲାଣ କରିଛି ।

ଆଜି ପାଟଣାଗଡ ଥାନା ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପାଟଣାଗଡ ଏସଡିପିଓ ସଦାନନ୍ଦ ପୂଜାରୀ ଓ ଲାଠୋର ଥାନାଧିକାରୀ ରାକେଶ ବେହେରା ପ୍ରକାଶ କରିଛନ୍ତି ଯେ , ପୂର୍ବ ଶତ୍ରୁତାରୁ ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତ ବାଳକଟିକୁ ଅପହରଣ କରିନେଇ ଡୁଙ୍ଗୁରି ଉପରେ ହିଁ ନୃଶଂସ ଭାବରେ ବାଡିରେ ପିଟି ମୁଣ୍ଡକୁ ଗୋଜିଆ ପଥରରେ ଛେଚି ହତ୍ୟା କରି ପାଖରେ ଏକ ଖାଲ ଖୋଳି ପୋତିଦେବାକୁ ଉଦ୍ୟମ କରିଥିବା ଓ କୌଣସି କାରଣରୁ ଖୋଳାଖାଲକୁ ଅଧା ଛାଡିଦେଇ ପଳାଇଥିବା ପ୍ରକାଶ ।  ଶବବ୍ୟବଚ୍ଛେଦ ରିପୋର୍ଟ ଜଣାପଡିପାରି ନ ଥିଲେ ହେଁ , ପିଲାଟିର କେବଳ ମୁଣ୍ଡ ପଛପଟେ ଦୁଇ / ତିନୋଟି ଗଭୀର ଆଘାତ ରହିଛି ଓ ଘଟଣାସ୍ଥଳରେ ରକ୍ତ ଜମାହୋଇ ଯାଇଥିଲା । ଦେହର ଅନ୍ୟ କୌଣସି ସ୍ଥାନରେ ଆଉ କୌଣସି ଆଘାତ ନଥିବା କୁହାଯାଉଛି । ମୃତ୍ୟୁର ସମୟ ସନ୍ଧ୍ୟା ସମୟରେ ହିଁ ଘଟିଥିବା ପୁଲିସ୍ ସୂତ୍ରରୁ ପ୍ରକାଶ ।

ତଦନ୍ତକାରୀ ପୁଲିସ୍ ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ରକ୍ତଲଗା ଖଣ୍ଡ ଖଣ୍ଡ ଭଙ୍ଗାବାଡି , ପଥର ସହ ପରେ ସିନ୍ ରିକ୍ରିଏସନ୍ କଲାବେଳେ ରଫା ଓ ଅନ୍ୟାନ୍ୟ ସନ୍ଦେହଜନକ କେତେକ ଜିନିଷ ଜବତ କରିଛି ।  ଏସ୍ ପି ଋଷିକେଶ ଖିଲାରୀଙ୍କ ନିର୍ଦ୍ଦେଶରେ ଏହି ମାମଲାର ତତ୍ତ୍ବାବଧାନ କରୁଥିବା ଏସ୍ ଡି ପି ଓ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତ ଦୋଷ ସ୍ବୀକାର କରିଥିବା ଓ ତା’ର ରକ୍ତଲଗା ସାର୍ଟ ଜବତ କରାଯାଇଛି ବୋଲି ପ୍ରକାଶ
କରିଛନ୍ତି ।

ତେବେ ଏହାକୁ ଗ୍ରାମବାସୀଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ଭାବରେ ଗ୍ରହଣ କରାଯାଇ ନାହିଁ ।  ଗ୍ରାମବାସୀଙ୍କ ପକ୍ଷରୁ ପୁଲିସ୍ ର ଏହି ତଦନ୍ତରେ ଠିକ୍ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କୁହାଯାଇ ଥିଲେ ହେଁ , ହତ୍ୟାର କାରଣକୁ ଗ୍ରହଣ କରାଯାଇନାହିଁ । ଏବେ ମଧ୍ୟ ହତ୍ୟାର କାରଣ ନରବଳି ବୋଲି ଚର୍ଚ୍ଚା ହେଉଛି ।  ହୁଏତ ପ୍ରଥମେ ଲୋକେ ଦାବି କରିଥିବା ଅଭିଯୁକ୍ତର ଘରର ବନ୍ଦ ଦୁଇଟି ବଖରା ଖୋଲିଥିଲେ , ତା’ ଭିତରେ ଲୁଚାଇ ରଖାଯାଇଥିବା ପିଲାଟି ମିଳିପାରିଥା’ନ୍ତା ! ଯାହାକୁ ପୁଲିସ୍ ଏହି କୋଠରୀରେ କବାଡିସାମାନ୍ ଅଛି ବୋଲି କହି ଟାଳି ଦେଇଥିବା ଗ୍ରାମବାସୀଙ୍କ ଠାରୁ ପ୍ରକାଶ । ଆହୁରି ମଧ୍ୟ , ଯେଉଁ ଫଟୋଟି ଉଠାଯାଇ ସୋସିଆଲ୍ ମିଡିଆରେ ଛଡାଯାଇଛି , ତାହା ଅନ୍ୟତମ ଅଭିଯୁକ୍ତ ମୁକେଶର ପୂଜାକୋଠରୀ ଓ  ମୁଖ୍ୟ ଅଭିଯୁକ୍ତ ଡୋଲାମଣିର ପୂଜାକୋଠରୀରେ କାଳୀଫଟୋ , ମାଟିହାଣ୍ଡିରେ ଆଉ ଏକ ଦେବୀମୂର୍ତ୍ତି ରହିଥିବା ମୃତ ବାଳକର ବାପାଙ୍କ ଠାରୁ ପ୍ରକାଶ ।  ମୃତ ପିଲାଟିର ବାପା ତପନ ବେମାଲ କହିଛନ୍ତି ଯେ , ଏହା ଏକ ବଳିକାଣ୍ଡ ।  ଯଦି ମୋ ବାପାଙ୍କ ସହିତ ଡୋଲାମଣିର ପୂର୍ବଶତ୍ରୁତା ରହିଥିଲା , ସେ ମୋ’ ବାପାଙ୍କୁ ନ ମାରି ମୋ’ ପୁଅକୁ ମାରିଲା କାହିଁକି  ? ପୁଲିସ୍ ର ଏ କାହାଣୀରେ ଆମେ ସନ୍ତୁଷ୍ଟ ନୋହୁଁ ଓ  ଆମେ ଏହାର ସିବିଆଇ ତଦନ୍ତ ଦାବି କରୁଛୁଁ ।  ପୁଲିସ୍ ମିସିନ୍ ( ପଲିଗ୍ରାଫ୍ ଓ ନାର୍କୋଟିକ୍ ଟେଷ୍ଟ୍ ଇତ୍ୟାଦି ) ଲଗାଇ ଏହାର ଅଧିକ ତଦନ୍ତ କରୁ  ! ‘

ଏଣୁ ଏହାକୁ ଏଡାଯାଇ ନ ପାରେ ।  ପୁଲିସ୍ ର  ଉପରୋକ୍ତ ଗପ ବି ବିଶ୍ବାସଯୋଗ୍ୟ ଲାଗୁ ନଥିବା ଲୋକମାନଙ୍କ ମତରୁ ପ୍ରକାଶ ।  କେତେକଙ୍କ ମତରେ ହୁଏତ ଅଭିଯୁକ୍ତ ପିଲାଟିକୁ ଅପହରଣ କରିନେବା ପରେ ଘରେ ଲୁଚାଇ ରଖିଥିଲା ଓ ତାକୁ ସନ୍ଦେହରେ ଗ୍ରାମବାସୀଙ୍କ ତା’ର ଘରକୁ ଯାଇ ଘେରାଉ କରିବାରୁ ସେ ଜୀବନ ଭୟରେ ଥାନାକୁ ସପରିବାର ପଳାଇବା ଓ କିଛି ସମୟ ପରେ ଥାନାରୁ ପୁଲିସ୍ ତା’କୁ ଛାଡିଦେବାପରେ ସେ ଓ ତା’ ପରିବାରର ଲୋକେ ମିଶି ପିଲାଟିକୁ ଡୁଙ୍ଗୁରି ଉପରକୁ ନେଇ ମାରି ପୁଣି ପଳାଇ ଆସିଥିବା ଅନୁମାନ କରାଯାଉଛି । ହୁଏତ ସେଇ କାରଣରୁ ଉକ୍ତ ବନ୍ଦକୋଠରୀ ଦୁଇଟି ଖୋଲାଯାଇ ନଥିଲା  !

ତେବେ ସେ ଯା’ ହେଉ ଆଜି ପରବର୍ତ୍ତୀ ସମୟରେ ସିନ୍ ରିକ୍ରିଏନ୍ ବେଳେ ଏକ ବଣତୁଳସୀବୁଦା ଘେରା ଗଛମୂଳରୁ ମଦପାଉଚ୍ , ଗ୍ଲାସ୍ ଓ ଏକ ପିଙ୍କ୍ ରଙ୍ଗର କୁର୍ତ୍ତା ଆଦି ପୁଲିସ୍ ଜବତ କରିଥିବା ଘଟଣାକୁ ମୃତବାଳକର ବାପାଙ୍କ ସମେତ ଗ୍ରାମବାସୀମାନେ ସେତେଟା ବିଶ୍ବାସ କରୁନାହାଁନ୍ତି ।

ଏଣୁ ଏହି ବାଳକମୃତ୍ୟୁର ପ୍ରକୃତକାରଣ କ’ଣ , ଏବେ ବି ରହସ୍ୟମୟ ରହିଛି ।

Related Tag:

Leave a Reply

Your email address will not be published. Required fields are marked *

Related Post