ଦଲାଲ୍ – ଅଧିକାରୀ – ପରିବାର ଲୋକଙ୍କ ମିଳିତଷଡଯନ୍ତ୍ର !
ଅଦ୍ୟାପି ପୁନର୍ବାସ ଓ ଥଇଥାନ ହୋଇନାହିଁ : ବାସ୍ତୁହରା ହେଇ ବୁଲୁଛନ୍ତି କ୍ଷତିଗ୍ରସ୍ତ ପ୍ରଜା
ନୂଆପଡା : ଗତ ୨୦୦୫- ୦୬ ରେ ହୋଇଥିବା ଲୋୟର୍ ଇନ୍ଦ୍ର ବନାମ ତିଖାଲି ଜଳଅମଳ ପ୍ରକଳ୍ପ ପାଇଁ କ୍ଷତିଗ୍ରସ୍ତ ବାସଚ୍ୟୁତଙ୍କ ସମ୍ପୂର୍ଣ୍ଣ କ୍ଷତିପୂରଣ ରାଶି ପ୍ରଦାନ ବାକି ରହିଥିବା ବେଳେ ସେମାନଙ୍କୁ ଅଦ୍ୟାବଧି ଥଇଥାନ କରାଯାଇ ପାରିନାହିଁ । ବିଡମ୍ବନାର ବିଷୟ ଏହା ଯେ , ଏବେ ମଞ୍ଜୁର ହୋଇଥିବା କ୍ଷତିପୂରଣ ଟଙ୍କାକୁ ପରିବାରର ଜଣେଅଧେ ସ୍ବାର୍ଥପର ସଦସ୍ୟଙ୍କୁ ହାତକରି ସ୍ଥାନୀୟ ଦଲାଲ୍ ମାନେ ଅଧିକାରୀଙ୍କ ସହ ମିଳିତ ଷଡଯନ୍ତ୍ର କରି ହଡପ କରିବାକୁ ସକ୍ରିୟ ହୋଇ ଉଠିଥିବା ଅଭିଯୋଗ ହୋଇଛି ।
ପ୍ରକାଶିତ ଅଭିଯୋଗ ଅନୁଯାୟୀ , ପେଣ୍ଡରାବନ୍ଧ ପଞ୍ଚାୟତର ଝାଲକୁସୁମ ଗ୍ରାମର ବଂଶୀଧର ମାଝୀଙ୍କ ନାଁ’ରେ ମଞ୍ଜୁର ହୋଇ ଆସିଥିବା ତାଙ୍କର ମୋଟ ୧୫ . ୯୫ ଏକର ଜମିର କ୍ଷତିପୂରଣ ରାଶି ୧ କୋଟି ୬ ଲକ୍ଷ ୯୮ ହଜାର ୫୬୦ ଟଙ୍କାରୁ ୩୫ ଲକ୍ଷ ଟଙ୍କା ଦଲାଲ୍ ଙ୍କ ଜରିଆରେ ଅଧିକାରୀମାନେ ତାଙ୍କଠାରୁ ବ୍ଲାଙ୍କ୍ ଚେକ୍ ରେ ଅଗ୍ରୀମ ଦସ୍ତଖତ କରାଇ ନେଇ ହଡପ ଉଦ୍ୟମ କରିଥିବା ବାପଘର ଭେଲା ନିକଟସ୍ଥ ଛତା ଗ୍ରାମ ଅଥବା ଢୋର୍ଲାମୁଣ୍ଡାରେ ୨ ଝିଅଙ୍କୁ ଧରି ରହୁଥିବା ଶାନ୍ତି ମାଝି ନୂଆପଡା ଜିଲ୍ଲାପାଳଙ୍କ ସମେତ ସରକାରଙ୍କୁ ଅଭିଯୋଗ କରିଥିଲେ । ସେଠାରୁ ଏହାର ତୁରନ୍ତ ତଦନ୍ତ ନିମନ୍ତେ ବିଭାଗୀୟ ସଚିବ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳ ମଧୁସୂଦନ ଦାଶ ଏ ସମ୍ପର୍କରେ ଖଡିଆଳ ସ୍ବତନ୍ତ୍ର ଭୂ- ଅର୍ଜନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ ।
ଏ ସମ୍ପର୍କରେ ଆମ ପ୍ରତିନିଧିଦଳ ଖଡିଆଳ ଲୋୟର ଇନ୍ଦ୍ର ଜଳଅମଳ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀଙ୍କ ଅଫିସ୍ ସଂଲଗ୍ନ ସ୍ବତନ୍ତ୍ର ଲ୍ୟାଣ୍ଡ୍ ଏକ୍ଜ୍ୟୁସନ୍ ଅଧିକାରୀଙ୍କ ଅଫିସ୍ ସମେତ ଝାଲକୁସୁମ ଗାଁ’ରେ ପହଞ୍ଚି ଅନୁସନ୍ଧାନ କରିବାରୁ ଏହି ଗାଁ’ର ବାସଚ୍ୟୁତଙ୍କର ଅଦ୍ୟାବଧି କୌଣସି ଘରଦ୍ବାର ନଥିବା ଓ ଅପନ୍ତରାରେ କୁଡିଆ କରି ପିଲାଛୁଆ ଧରି ମୁଣ୍ଡଗୁଞ୍ଜି ଦୀର୍ଘ ବର୍ଷ ଧରି ପଡିରହିଥିବା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ! ଝାଲକୁସୁମ ଗାଁ’ର ସ୍କୁଲ୍ ପାଖରେ ରହୁଥିବା ତାଙ୍କ ବଂଶଧରମାନେ ଓ ଗ୍ରାମବାସୀମାନେ ବଂଶୀଧର ମାଝୀଙ୍କର କୌଣସି ଘରଦ୍ବାର ନଥିବା , ତାଙ୍କ ପରିବାରର ସ୍ତ୍ରୀଝିଅ ସ୍ତ୍ରୀଙ୍କର ଉପରୋକ୍ତ ବାପଘରେ ରହୁଥିବା ଓ ସେ କୁଆଡେ କୁଆଡେ ବୁଲାବାଉତି ପରି ବୁଲୁଥିବା କହିଥିଲେ । ତେବେ କିଛିସମୟ ପରେ ପହଞ୍ଚି ସାମ୍ବାଦିକମାନଙ୍କୁ ବଂଶୀଧରଙ୍କ ଜଣେ ପୁତୁରା କର୍ଣ୍ଣ ମାଝି କହିଥିଲେ ଯେ , ସେମାନଙ୍କର ତିନିଜଣ ଅଜାଙ୍କର ପୁଅଝିଅ ମିଶି ୯/ ଜଣଙ୍କର ଏହି କ୍ଷତିପୂରଣ ଟଙ୍କା ୩ ଟି ଆକାଉଣ୍ଟ୍ ବା ଖାତାରେ ପଡିବ । ଏବସୁଦ୍ଧା ଖାତାକୁ ଆସିନାହିଁ । କେବଳ ତିନିଜଣ ବିବାହିତା ପିଉସୀମାନେ ଦସ୍ତଖତ ଦେଉ ନଥିବାରୁ ସେମାନଙ୍କୁ ଜଣପ୍ରତି ୫ ଲକ୍ଷ ଲେଖାଏଁ ଟଙ୍କାର ଅଗ୍ରୀମ ଚେକ୍ କାଟି ଦିଆଯିବାରୁ ବଂଶୀଧରର ପତ୍ନୀ ଆନୁମାନିକ ସନ୍ଦେହରେ ଓକିଲ ଜରିଆରେ ଏଭଳି ମିଥ୍ୟା ଅଭିଯୋଗ କରିଛି । ଯଦିଓ ବଂଶୀଧର ବଂଶର ବଡଅଜାର ବଡପୁଅର ବଡଭାଇ । ସେ ଅଧିକ ପାଇବାର ହକ୍ ଅଛି । ତେବେ ଗାଁ’ର ଯେଉଁ ମୁଖିଆ ବା ମଧ୍ୟସ୍ଥିମାନେ ଲଢାଭିଡା କରୁଛନ୍ତି , ସେମାନେ ବି କିଛି ପାଇବା କଥା । ‘ ସେ ଏହିପରି ଜଣକର ନାଁ କହିଥିଲେ ଓ ଅଳ୍ପସମୟ ପରେ ତାଙ୍କ ଅଞ୍ଚଳର ଏଇସବୁ କ୍ଷତିପୂରଣ ବୁଝାବୁଝି କରୁଥିବା ଜଣେ ନେତୃସ୍ଥାନୀୟ ବ୍ୟକ୍ତିଙ୍କର ଫୋନ୍ ଆସିଲା । ସେ କହିଲେ ଯେ , ଏଥିରେ ଦଲାଲ୍ ଫଲାଲ୍ କଥା ସତ ନୁହେଁ । ବରଂ ଆଖପାଖ ପାଞ୍ଚପାଲିରେ ସେ ଏଭଳି ଲୋକଙ୍କର ସହାୟତା କରି କିଛି ପାଉଣା ପାଇଥା’ନ୍ତି । ଏହି ଘଟଣାରେ ଅଦ୍ୟାବଧି ଖାତାରେ ଟଙ୍କା ପଡିନଥିବା ବେଳେ କିଏ କିପରି ହଡପ କଲା ବୋଲି ଯାହା କୁହାଯାଉଛି ଓ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି , ତାହା ଭିତ୍ତିହୀନ ।
ସେ ଯାହାହେଉ , ଏବେସୁଦ୍ଧା ବାକିଥିବା ଏହି ପ୍ରକଳ୍ପର କ୍ଷତିପୂରଣ ପାଇବା ଆଗରୁ ଦଲାଲ୍ ମାନେ ଅଧିକାରୀଙ୍କ ସହ ମିଶି ଆଗତୁରା ଏଭଳି ଚକ୍ରାନ୍ତ ଚଳାଇଥିବା ସତ୍ୟ । ଉଲ୍ଲେଖନୀୟ ଯେ ଏଇ ପ୍ରକଳ୍ପର କ୍ଷତିପୂରଣ ପାଇବା ପାଇଁ ହକ୍ ଦାରଙ୍କ ମଧ୍ୟରୁ କେତେକଙ୍କର ଏ ଭିତରେ ମୃତ୍ୟୁ ମଧ୍ୟ ହୋଇଗଲାଣି । କେତେକ ବାସ୍ତୁହରା ହୋଇ , ମଦ୍ୟପ ହୋଇ ଓ ଦାଦନ ହୋଇ ଏଣେତେଣେ ପଳାଇ ଗଲେଣି । କ୍ଷତିପୂରଣ ପ୍ରଦାନ ଦାୟିତ୍ୱରେ ଥିବା କର୍ମଚାରୀ ବା ଅଧିକାରୀମାନେ ପରିବାରର ଜଣକଠାରୁ ଅଗ୍ରୀମ ଚେକ୍ ରେ ଦସ୍ତଖତ କରାଇନେଇ ବିପୁଳ ଅର୍ଥ ହଡପ କରୁଛନ୍ତି ବୋଲି ଚର୍ଚ୍ଚା ଓ ଅଭିଯୋଗ ହେଉଛି । ଏଣୁ ଜିଲ୍ଲାପାଳଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିବିଶେଷ ଓ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇ ସମସ୍ତ ହକ୍ ଦାର ପ୍ରଜାଙ୍କ ମଧ୍ୟରେ ଏହା ବଣ୍ଟନ କରାଯିବାକୁ ଅଞ୍ଚଳବାସୀ ସରକାରଙ୍କ ଠାରେ ଦାବି କରନ୍ତି ।