ଜିଲ୍ଲା

‘ମାତୃଛାୟା ବୃଦ୍ଧାଶ୍ରମ ‘ ବିରୋଧରେ ସାଙ୍ଘାତିକ୍ ଅଭିଯୋଗ

Email :1

ଅନ୍ତେବାସୀଙ୍କ ରହସ୍ୟମୟ ମୃତ୍ୟୁ  :  ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ !

ବଲାଙ୍ଗୀର  : ବଲାଙ୍ଗୀର ସହରର ଆଦର୍ଶପଡାରେ ରହିଛି ଏକ ତଥାକଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସମ୍ପୂର୍ଣ୍ଣା ‘ର ‘ ମାତୃଛାୟା ବୃଦ୍ଧାଶ୍ରମ ‘। ତିନିବର୍ଷ ତଳେ ପଞ୍ଜୀକରଣ ହେଲାପରେ ପ୍ରଥମେ ଚନ୍ଦ୍ରଶେଖର ନଗର ଓ ଏବେ ଏଠାରେ ମାସିକ ୭ ହଜାର ଟଙ୍କାରେ ଭଡାଘରେ ଚାଲିଛି ଆରମ୍ଭରୁ ୪/୫ ଜଣଙ୍କୁ ନେଇ ଏଇ ତଥାକଥିତ ବୃଦ୍ଧାଶ୍ରମ । ଗତ ୧୭ ତାରିଖରେ ଜଣକର ମୃତ୍ୟୁ ହେବାପରେ ଏବେ ଏହାର ଅନ୍ତେବାସୀଙ୍କ ସଂଖ୍ୟା ମାତ୍ର ୪ । ତହିଁରୁ ୩ ବୃଦ୍ଧା ଓ ଜଣେ ପୁରୁଷ । ପୁରୁଷ ଜଣକ ଅନ୍ତେବାସୀ ହୋଇଥିବା ସହ କେୟାର୍ ଟେକର୍ ।  ଏମାନଙ୍କ ନାମଧାମ ହେଲା , ବଲାଙ୍ଗିର ପୁଇଁତଳା ବ୍ଲକ୍ ର  ସାତମାଇଲ୍ ମୋତିଝରିଆର କାମିନୀ ଠେଲା ( ୭୬ ) ,  ସ୍ଥାନୀୟା ମିଥିଳା ସାହୁ , ଶଶୀମୁଖୀ ଦାଶ , ଦେଓଗାଁ’ ଅଞ୍ଚଳର ବିପିନ ନାଗ ( ୬୦ ) ।

ଏହି ‘ସମ୍ପୂର୍ଣ୍ଣା ‘ ଏନ୍ ଜି ଓ ର ୧୦ ଜଣିଆ କର୍ମକର୍ତ୍ତୀମାନେ ହେଲେ ବଲାଙ୍ଗୀରରେ ରହୁଥିବା ବେଲପଡା ସରକାରୀ ସିଏଚସିର ମେଡିକାଲ ଅଫିସର ଡା ରବୀନ୍ଦ୍ର ମେହେରଙ୍କର ଧର୍ମପତ୍ନୀ ସଭାନେତ୍ରୀ ଶ୍ରୀମତୀ ସନ୍ତୋଷୀ ମେହେର , ବଲାଙ୍ଗୀରରେ ରହି ବ୍ୟବସାୟ କରୁଥିବା ପାଟଣାଗଡର ସମ୍ପାଦିକା ଶ୍ରୀମତୀ ରଶ୍ମୀ ପାତ୍ର ( ବହିଷ୍କୃତା ) , ବଲାଙ୍ଗିରର  ଜଣେ ବ୍ୟବସାୟୀଙ୍କ ଧର୍ମପତ୍ନୀ କୋଷାଧ୍ୟକ୍ଷା ଶ୍ରୀମତୀ ସଞ୍ଜଳୀ ଶତପଥୀ ଓ ସର୍ବ ଶ୍ରୀମତୀ ପୁଷ୍ପା ମେହେର ( ବଲାଙ୍ଗୀର ଜଳସେଚନ ଡିଭିଜନର ନିର୍ବାହୀଯନ୍ତ୍ରୀ ଇଂ ଗୋପାଳ ମେହେରଙ୍କ ଧର୍ମପତ୍ନୀ ) , ମମତା ମେହେର , ସବିତା ମେହେର ,ସଚଳା ମେହେର ଓ ଉପଦେଷ୍ଟା ଜଣେ ଅବସରପ୍ରାପ୍ତ ବ୍ୟାଙ୍କ ଅଫିସର  ରାଧାକୃଷ୍ଣ ମେହେର ( ସଭାନେତ୍ରୀଙ୍କ ବାପା ) ପ୍ରମୁଖ । ପ୍ରକାଶ ଯୋଗ୍ୟ ଯେ , ଏମାନେ ସଭାନେତ୍ରୀଙ୍କର ସମ୍ପର୍କୀୟା ଭଉଣୀ , ଭଉଣୀ ଓ ବାପା ଇତ୍ୟାଦି ଆତ୍ମୀୟ ସ୍ବଜନ ଅଟନ୍ତି । ଯାହାକି ସ୍ବେଚ୍ଛାସେବୀ ଅନୁଷ୍ଠାନର ନିୟମବିରୁଦ୍ଧ । ସଭାନେତ୍ରୀଙ୍କର ବଲାଙ୍ଗୀର ସହରର କଲେଜଛକରେ ‘ସୌନ୍ଦର୍ଯ୍ୟ ‘ ନାମରେ ଏକ ବିୟୁଟି ପାର୍ଲର୍ ଅଛି । ଆହୁରି ମଧ୍ୟ ଏମାନଙ୍କର ‘ ସମୃଦ୍ଧି ‘ ନାମରେ ଏକ ଏସ୍ ଏଚ୍ ଜି ରହିଥିବା ସହିତ ଏହାକୁ ସଂପ୍ରତି ଦୁଇ ନମ୍ବର ଉଆର୍ଡରେ ପ୍ରାୟ ୧୨ ଲକ୍ଷ ଟଙ୍କାର ଏକ ରାସ୍ତାନିର୍ମାଣ ଠିକାକାମ କାଉନସିଲରଙ୍କ ମାର୍ଫତ୍ ରେ ମିଳିଥିବା ପ୍ରକାଶ। ଏହା ଉଲ୍ଲେଖ କରିବାର ଉଦ୍ଦେଶ୍ୟ ଏହା ଯେ , ବଡବଡିଆ ଡାକ୍ତର / ଇଞ୍ଜିନିୟର / ବ୍ୟାଙ୍କ ଅଫିସର ଓ କୋଟିପତି ବ୍ୟବସାୟୀଘରର ଉକ୍ତ ଧନୀମାନୀ ମହିଳାମାନେ ଏଭଳି ଦୁଇଚାରି ଜଣ ବୁଢାବୁଢୀଙ୍କୁ ଅସୁରକ୍ଷିତ ଭାବେ ଗୋଟିଏ ଘରଭଡା ନେଇ ରଖି ତଥାକଥିତ ଅବୈଧ ସ୍ବେଚ୍ଛାସେବୀ ଅନୁଷ୍ଠାନ ବନାମ ବୃଦ୍ଧାଶ୍ରମ ଚଳାଇବାର ଅସଲ ଉଦ୍ଦେଶ୍ୟ ତଦନ୍ତ ସାପେକ୍ଷ ।  ସବୁଠାରୁ ଗୁରୁତର ବିଷୟ ଯେ , ଏବେ ଏହି ସଂସ୍ଥାରୁ ବାହାରିଯାଇଥିବା କର୍ମକର୍ତ୍ତୀ ବା ସଦସ୍ୟାମାନେ ସଂସ୍ଥା ଓ ସଭାନେତ୍ରୀ / କୋଷାଧ୍ୟକ୍ଷା / ରହିଥିବା ସଦସ୍ୟାଙ୍କ ବିରୋଧରେ ବହୁ ଗୁରୁତର ଅଭିଯୋଗ ଆଣିଛନ୍ତି । ଏ ସମ୍ପର୍କରେ ବହିଷ୍କୃତା ସମ୍ପାଦିକା ରଶ୍ମୀ ପାତ୍ର ଓ ତାଙ୍କ ସମେତ ୪ ଜଣ ସଦସ୍ୟା ଶ୍ରୀମତୀ ନଳିନୀପ୍ରଭା ଶତପଥୀ , ଶ୍ରୀମତୀ ମିଲୁରାଣୀ ପଟ୍ଟନାୟକ , ମମତା ବେହେରା କରିଥିବା ଅଭିଯୋଗରେ ବିଭିନ୍ନ ଅଭିଯୋଗ ମଧ୍ୟରୁ ସଭାନେତ୍ରୀ ଓ କୋଷାଧ୍ୟକ୍ଷା ମନଇଚ୍ଛା ବେଆଇନ୍ ପ୍ରସ୍ତାବ ପାସ୍ କରି ସଦସ୍ୟାମାନଙ୍କୁ ବାହାର କରିଦେବା , ଆର୍ଥିକ ଅନିୟମିତତା କରିବା ଓ ଯାବତୀୟ କେଳେଙ୍କାରୀରେ ଲିପ୍ତ ରହିଥିବା ଇତ୍ୟାଦି ରହିଛି । ସେମାନେ ଏ ସମ୍ପର୍କରେ ମଧ୍ୟ ଗତ ୯। ୭ । ୨୦୨୩ ତାରିଖରେ ସାମାଜିକ ସୁରକ୍ଷା ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।  ମୁଖ୍ୟକଥା ହେଉଛି , ଉକ୍ତ ସଂସ୍ଥାର ଏହି ବୃଦ୍ଧାଶ୍ରମଟି କରିବାର କୌଣସି ସରକାରୀ ଅନୁମତି ନଥିବା ଜଣାଯାଇଛି । 

ଆମ ପ୍ରତିନିଧିଦଳଙ୍କ ଆଗରେ ବହିଷ୍କୃତା ସମ୍ପାଦିକା ଶ୍ରୀମତୀ ପାତ୍ର ପ୍ରକାଶ କରିଛନ୍ତି ଯେ , ସରକାରୀ ଅନୁଦାନ ମିଳୁ ନଥିଲେ ମଧ୍ୟ ବହୁ ବଦାନ୍ୟବ୍ୟକ୍ତି ଏହି ଅନୁଷ୍ଠାନକୁ ଅକୁଣ୍ଠ ଆର୍ଥିକ ସହାୟତା ପ୍ରଦାନ କରିଥା’ନ୍ତି । ଏହା କର୍ମକର୍ତ୍ତୀଙ୍କର ବ୍ୟକ୍ତିଗତ ଫୋନ୍ ପେ , ଆକାଉଣ୍ଟ୍ ଓ ସ୍ବାମୀଙ୍କ ଆକାଉଣ୍ଟ୍ ଓ ବିଉଟିପାର୍ଲରକୁ ଆସିଥାଏ । ମଝିରେ ମଝିରେ ଏଭଳି ଆକାଉଣ୍ଟ୍ କୁ ବନ୍ଦ କରି ଦିଆଯାଇଥାଏ । ଏଣୁ ଏଭଳି ନଗଦଦାନ ବା ଆୟର ସ୍ରୋତର କୌଣସି ପ୍ରମାଣ ମିଳିବା ସମ୍ଭବ ନୁହେଁ। ତେବେ ଆଦୌ ସେବା ବା ମହାନତା ନୁହେଁ , ବରଂ ଏହା ଅର୍ଥ ରୋଜଗାରର ଏକ ମାଧ୍ୟମ ପାଲଟିଛି । ଯିଏ ବିରୋଧ କଲା , ତା’କୁ ମନଇଚ୍ଛା ବାହାର କରିଦିଆଯାଉଛି । ‘

ଅଥଚ ଏଭଳି ଅଭିଯୋଗକୁ ସଭାନେତ୍ରୀ ଓ କୋଷାଧ୍ୟକ୍ଷା ଅସ୍ବୀକାର କରନ୍ତି । ସେମାନେ ସେବା ମନୋଭାବ ନେଇ ଏହି ସଂସ୍ଥାଟି ବହୁକଷ୍ଟରେ ଚଳାଇ ଆସୁଥିବା ବେଳେ ନ୍ୟସ୍ତସ୍ବାର୍ଥ ଦୃଷ୍ଟିରୁ ତାଙ୍କୁ ଅଯଥା ବଦନାମ କରାଯାଉଛି ବୋଲି ସେମାନେ ସଫେଇ ଦେଇଛନ୍ତି । ଏମିତି ହେଲେ , ବାଧ୍ୟହୋଇ ସେମାନେ ଏହାକୁ ବନ୍ଦ କରିଦେବେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି । ତେବେ ସଦ୍ୟତମ ଘଟଣାଟି ହେଲା , ଏହି ତଥାକଥିତ ବୃଦ୍ଧାଶ୍ରମଟି ନିହାତି ଅସୁରକ୍ଷିତ ହୋଇପଡିଛି । କେତେକ ଘଟଣାରୁ ଏହା ସୁସ୍ପଷ୍ଟ ।

ପ୍ରକାଶଯୋଗ୍ୟ ଯେ , ଗତ ୧୩ ତାରିଖରେ ଏହି ବୃଦ୍ଧାଶ୍ରମରେ ଗତ ପ୍ରାୟ ତିନିବର୍ଷ ହେଲା ରହୁଥିବା ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଅଞ୍ଚଳର ଜଣେ ସମ୍ପନ୍ନ ସ୍ବଚ୍ଛଳ ମାରୁଆଡି ବୀରେନ୍ ଅଗ୍ରବାଲ ( ୬୦ ) ନିଖୋଜ୍ ହୋଇ ଯାଇଥିଲେ । ( ଅବଶ୍ୟ ତାଙ୍କର ବୟସ ସମ୍ପର୍କରେ ଭୁଲ୍ ତଥ୍ୟ ଦର୍ଶାଯାଇଥିବା,  ସେ ବୁଢା ନଥିବା ଓ ତାଙ୍କର ପ୍ରକୃତବୟସ ୫୦ ରୁ ୫୫ ବର୍ଷ ଭିତରେ ବୋଲି ଅଭିଯୋଗକାରିଣୀଙ୍କୁ ସୂତ୍ରରୁ ପ୍ରକାଶ । ) ତାଙ୍କ ସମ୍ପର୍କରେ କୁହାଯାଇଛି ଯେ , ପାରିବାରିକ ଅଶାନ୍ତି ଯୋଗୁଁ ତାଙ୍କର ପତ୍ନୀ ଓ ବଡ ବଡ ଉଚ୍ଚଶିକ୍ଷିତ ପୁଅଝିଅ ଥିଲେ ମଧ୍ୟ ତାଙ୍କ ପତ୍ନୀ  ସିଏ କରୁଥିବା ଝିଅ ସହ ବରଗଡର ତାଙ୍କ ମାଆଘରେ ରହୁଥିବା ସହ ତାଙ୍କ ପୁଅ ଜମ୍ମୁରେ ଉଚ୍ଚଶିକ୍ଷା ଗ୍ରହଣ କରୁଛି । ସ୍ନାୟବିକ ରୋଗରେ ପଡି ସେ କୁଆଡେ ନିଜେ ଏଠାକୁ ଆସି ରହୁଥିଲେ । ବଲାଙ୍ଗୀରର ଜଣେ ଜଣାଶୁଣା ମାରୁଆଡି ବ୍ୟବସାୟୀ ତଥା ସାମ୍ବାଦିକ ତାଙ୍କ ପାଇଁ ମାସିକ ୧୦ ହଜାର ଟଙ୍କା ଦେଉଥିଲେ । ଉକ୍ତ ବ୍ୟକ୍ତି ମଧ୍ୟ ପଚାରିବାରୁ ଏହା ସ୍ବୀକାର କରିଛନ୍ତି । ତେବେ ଏହି ଟଙ୍କା ପାଇଁ ଏହି ବୃଦ୍ଧାଶ୍ରମରେ ତାଙ୍କୁ ରଖାଯାଇଥିବା ଅଭିଯୋଗକାରିଣୀଙ୍କ ସୂତ୍ରରୁ ପ୍ରକାଶ ।

ସେ ଯାହାହେଉ , କୁଆଡେ ସେ ଡାକ୍ତରଖାନାକୁ ଔଷଧ ଆଣିବାକୁ ଯାଉଛି କହି ଗତ ୧୩ ତାରିଖରେ ବୃଦ୍ଧାଶ୍ରମରୁ ବାହାରିଯାଇ ଆଉ ଫେରି ନଥିଲେ । ଏହାର ଦୁଇଦିନ ପରେ ତାଙ୍କୁ ସ୍ଥାନୀୟ କଦମପଡା ରେଳଧାରଣାରୁ ଗୁରୁତର କ୍ଷତବିକ୍ଷତ ଅଚେତ ଅବସ୍ଥାରେ ଲୋକଙ୍କ ଦ୍ବାରା ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହାସପାତାଳରେ ଭର୍ତ୍ତି କରାଯାଇଥିଲା ।  ସେଠାରେ ଅବସ୍ଥାରେ ସୁଧାର ନହେବାରୁ ଡାକ୍ତରଖାନା ପକ୍ଷରୁ ତାଙ୍କୁ ବୁର୍ଲା ଭୀମସାରକୁ ପଠାଯାଇ ଭର୍ତ୍ତି କରାଯାଇଥିଲେ ହେଁ ଗତ ୧୭ ତାରିଖରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।  ତେବେ ଏହାସତ୍ତ୍ବେ ଖବର ଦିଆଯାଇଥିଲେ ହେଁ , ତାଙ୍କ ପରିବାରରୁ କିମ୍ବା ସଂସ୍ଥାର କେହି ଯାଇ ତାଙ୍କର ଅବସ୍ଥା ସମ୍ପର୍କରେ ତତ୍ତ୍ବାବଧାନ ନେଇ ନଥିଲେ  ! ପୁଲିସ୍ ମଧ୍ୟ ଏ ସମ୍ପର୍କରେ ସଂସ୍ଥାକୁ ଆସି ତଦନ୍ତ କରି ନଥିବା ପ୍ରକାଶ । ତେଣୁ ଏହି ବ୍ୟକ୍ତିଙ୍କର ଏଭଳି ରହସ୍ୟମୟ ମୃତ୍ୟୁର କାରଣ ଅଦ୍ୟାପି ଅସ୍ପଷ୍ଟ ରହିଛି । ତେବେ ଏହି ସଂସ୍ଥାର ଏହା ଏକମାତ୍ର ଏଭଳି ଅନ୍ତେବାସୀଙ୍କର ମୃତ୍ୟୁଘଟଣା ନୁହେଁ । କିଛିଦିନ ତଳେ ଏକ ବୃଦ୍ଧବୃଦ୍ଧା ଦମ୍ପତି ଆସି ଏଠାରେ ରହୁଥିଲେ ଓ ଏଠାରେ ବୃଦ୍ଧା ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ କେୟାର୍ ଟେକର୍ ର ନିର୍ଯ୍ଯାତନା ଯୋଗୁଁ ବୃଦ୍ଧସ୍ବାମୀ ଜଣକ ଏଠାରୁ ପଳାଇ ଯାଇଥିବା ପ୍ରକାଶ। ସଂପ୍ରତି ଏଠାରେ ମାତ୍ର ୩ ଜଣ ବୃଦ୍ଧାଙ୍କ ସହିତ ରହୁଥିବା ଜଣେମାତ୍ର ପୁରୁଷ ଅନ୍ତେବାସୀ ବନାମ ତଥାକଥିତ କେୟାର୍ ଟେକର୍ ଙ୍କର ସମ୍ପର୍କରେ କେତେକ ଆପତ୍ତିଜନକ କାର୍ଯ୍ୟକଳାପର ଅଭିଯୋଗକାରିଣୀଙ୍କ ପକ୍ଷରୁ ମଧ୍ୟ ଆଭାସ ମିଳିଛି । ତେଣୁ ସେବା ଆଳରେ ଏହାକୁ ଜରିଆ କରି ଏଠାରେ କ’ଣ ସବୁ ଚାଲିଛି , ଏହା ତଦନ୍ତସାପେକ୍ଷ ।

ଏଣୁ ଏହିସବୁ ଅଭିଯୋଗ ଓ ଅବ୍ୟବସ୍ଥା ସହିତ ଏଭଳି ଅସୁରକ୍ଷିତ ତଥାକଥିତ ସଂସ୍ଥା ତଥା ଏହି ତଥାକଥିତ ବୃଦ୍ଧାଶ୍ରମଟିର ପ୍ରଶାସନ ପକ୍ଷରୁ ଉଚିତ୍ ତଦନ୍ତ କରାଯିବାକୁ ଅଭିଯୋଗକାରିଣୀ ପୂର୍ବ ସଦସ୍ୟା ଓ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି ।

ସର୍ବୋପରି ଏହି ମାରୁଆଡି ଅନ୍ତେବାସୀଙ୍କ ରହସ୍ୟଜନକ ମୃତ୍ୟୁପରେ ରେଳବାଇ ପୁଲିସ୍ , ଡାକ୍ତରଖାନା ବା ଶବବ୍ୟବଚ୍ଛେଦ ଓ ତାଙ୍କ ଆତ୍ମୀୟସ୍ବଜନ ଏବଂ ଏନଜିଓ ବୃଦ୍ଧାଶ୍ରମ କର୍ତ୍ତୃପକ୍ଷଙ୍କର କି କି ଭୂମିକା ରହିଛି , ଜଣାପଡିପାରିନାହିଁ । ଏଥରୁ ଏକ ଆପରାଧିକ ଷଡଯନ୍ତ୍ରର ଗନ୍ଧ ଆସୁଛି ଓ ଏହାପଛରେ ମୃତବ୍ୟକ୍ତିଙ୍କର ସମ୍ପତ୍ତିବାଡି ବା ଜୀଡନବୀମାର କୌଣସି ସମ୍ପୃକ୍ତି ଅଛି କି ନାହିଁ , ନିଃସନ୍ଦେହ ନୁହେଁ । ଏହି ଅର୍ଥଖୋର୍ ରାକେଟ୍ ରେ ଜଣେ ଡାକ୍ତରଙ୍କ ପରୋକ୍ଷ ସମ୍ପୃକ୍ତି ରହିଥିବାରୁ ଏହା ଯେ ଏକ କାଜୁଆଲ୍ ଘଟଣା ନୁହେଁ , ସନ୍ଦେହ ଉପୁଜିବା ସ୍ବାଭାବିକ ବୋଲି କେତେକ କହନ୍ତି । ଏଣୁ ଏହି ସଂସ୍ଥା ଓ ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ଜରୁରୀ । ଦ୍ବିତୀୟତଃ ଏହି ତଥାକଥିତ ସଂସ୍ଥାର ହିସାବକିତାବ ସଭାନେତ୍ରୀଙ୍କ ସ୍ବାମୀ ଡାକ୍ତରଥିବା ଅଞ୍ଚଳ ବେଲପଡାର ଜଣେ ସିଏଙ୍କ ଦ୍ବାରା କରାଯାଇଥିବା ଅଭିଯୋଗରୁ ପ୍ରକାଶ । ଏଣୁ କିଛି ତ ଗଡବଡ ରହିଛି ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *

Related Post