ଅପରାଧ

ମାମଲା ଋଜୁ କରି ତଦନ୍ତକୁ ଚାପିଦେଲେ !

Email :

ବଲାଙ୍ଗୀର : ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିବା ଗୃହବିଭାଗ ଅଧୀନସ୍ଥ ପୁଲିସ ବିଭାଗ ଓ ଉପମୁଖ୍ୟମନ୍ତ୍ରୀଙ୍କ ଅଧୀନସ୍ଥ ମହିଳା ଓ ଶିଶୁ ବିଭାଗ ଲୋକଙ୍କ ଆସ୍ଥାଭାଜନ ହୋଇପାରି ନଥିବା ବଲାଙ୍ଗୀରରେ ବାରମ୍ବାର ସରକାରୀ ଡାକ୍ତରଖାନାରୁ ଶିଶୁଚୋରି ଘଟଣାର ତଦନ୍ତରୁ ଲକ୍ଷ୍ୟ କରାଯାଇଛି । ଏପରିକି ସୁପ୍ରିମକୋର୍ଟ ଏଥିନେଇ ତାଗିଦ୍ କଲାପରେ ବି ସରକାର ଚେତି ନାହାଁନ୍ତି ! ସର୍ବୋପରି ତଦନ୍ତକାରୀ ପୁଲିସ ଏଭଳି ଗୁରୁତର ମାମଲାକୁ ହାଲୁକା ଭାବେ ଗ୍ରହଣ କରିବା ପଛର ଉଦ୍ଦେଶ୍ଯ ଅସ୍ପଷ୍ଟ ।

ଉଲ୍ଲେଖଯୋଗ୍ଯ ଯେ , ଏହି କିଛିଦିନ ମଧ୍ଯରେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ, ଲାଠୋର , ସଇଁତଳା ଓ ମୁରିବାହାଲ ଇତ୍ୟାଦି ସ୍ଥାନରେ ଶିଶୁ ଚୋରି ମାମଲା ଘଟି ଆସୁଥିବା ବେଳେ ଗତ ମାସର ଗୋଟିଏ ସପ୍ତାହର ଦିନେ ଦୁଇଦିନ ବ୍ୟବଧାନରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହାସପାତାଳରୁ ଲାଗ୍ ଲାଗ୍ ୨ ଟି ଶିଶୁଚୋରି ଓ ଶିଶୁଚାଲାଣ ମାମଲା ଘଟିଛି । ପ୍ରଥମଟି ଗତମାସର ୬ ତାରିଖର ଏକ ଶିଶୁପୁତ୍ର ବିକ୍ରି ଘଟଣାରେ ସି ଡବ୍ଲୁସିର ଏତଲାକ୍ରମେ ବଲାଙ୍ଗୀର ଟାଉନ୍ ଥାନାରେ ଟିଟିଲାଗଡ ଅଞ୍ଚଳର ୩ ଜଣ ( ୨ ମହିଳା ଓ ଜଣେ ପୁରୁଷ ) ଙ୍କ ବିରୋଧରେ ଏକ ମାମଲା ଋଜୁ କରାଯାଇଛି । ପୁଲିସ୍ ରିପୋର୍ଟରେ ସେମାନଙ୍କର ଠିକଣା ଟିଟିଲାଗଡ ଦର୍ଶାଯାଇ ଥିଲେ ହେଁ , ପ୍ରକୃତରେ ସେମାନେ ହେଲେ ସଇଁତଳା ଥାନାନ୍ତର୍ଗତ ଭଦ୍ରା ଗ୍ରାମର ବରଗାଁ ଛକରେ ସେଲୁନ୍ ଓ ଫେନ୍ସି ଦୋକାନ କରିଥିବା ଶୋଭାକର ପଶାୟତ, ଶୋଭାକରର ସଢୁ ଟିଟିଲାଗଡ ଥାନା ଅନ୍ତର୍ଗତ ଶଗଡଘାଟରେ ସେଲୁନ୍ ଖୋଲିଥିବା ଗଏଲଭାଡି ଗ୍ରାମର ଦିଲିପ ପଶାୟତଙ୍କ ସ୍ତ୍ରୀ କୁନି ପଶାୟତ ଓ ଶୋଭାକରର ଶଳାର ସ୍ତ୍ରୀ କଳାହାଣ୍ଡି ଜିଲ୍ଲାର ନର୍ଲା ଥାନା ଅନ୍ତର୍ଗତ ନର୍ଲା ଗ୍ରାମର ଭାଗ୍ୟବତୀ ବାରିକ । ଏହାକୁ ଶୋଭାକରର କେବଳ ୩ ଟି ଝିଅ ସନ୍ତାନ ଥିବାରୁ ତଥା ପୁଅଟିଏ ଆବଶ୍ୟକ ଥିବାରୁ ସେମାନଙ୍କୁ ବଲାଙ୍ଗୀର ମାଲପଡାରେ ରହୁଥିବା ଅବୈଧ ଶିଶୁପୁତ୍ରଟିର ଗରିବ ବିଧବା ମାଆ ଲାଳନପାଳନ କରି ନ ପାରି ପୋଷ୍ୟସନ୍ତାନ ଭାବରେ ଡାକ୍ତରଖାନାରେ ଦେଇ ଦେଇଥିବା ଓ ସେମାନେ ଔଷଧପତ୍ର ପାଇଁ ୫ ହଜାର ଟଙ୍କା ଫୋନ୍ ପେ ରେ ଆର୍ଥିକ ସାହାଯ୍ଯ କରିଥିବା ଏବଂ କିଛିଦିନ ପୂର୍ବରୁ ପଞ୍ଚାୟତର ମିଶନଶକ୍ତିର କର୍ମକର୍ତ୍ତୀ ଶୋଭାକରର ସ୍ତ୍ରୀ ପିଙ୍କି ବଲାଙ୍ଗୀର ଡିପିସିୟୁକୁ ଯାଇ ପିଲାଟିଏ ପୋଷ୍ୟସନ୍ତାନ କରିବାକୁ ବୁଝାବୁଝି କରି ଫେରିବା ପରେ ଏହି ଶିଶୁପୁତ୍ରଟିକୁ ଆଣିଥିବା ଓ ପରଦିନ ଯାଇ ବିଧିବଦ୍ଧ କାଗଜପତ୍ର କରିଥା’ନ୍ତେ ବୋଲି ସଫେଇ ଦିଆଯାଇଛି । କିନ୍ତୁ ଶୋଭାକର ରଖିଥିବା କାର୍ ରେ ବାରମ୍ବାର ରାୟପୁର ଓ ନର୍ଲାକୁ ଯାଉଥିବାରୁ ସେ ଏଭଳି ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ବୋଲି ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରନ୍ତି । ସେହିପରି ଏହି ଘଟଣାର ଅନୁସନ୍ଧାନ ବେଳେ ଟଙ୍କାପଇସା ନେଇ ଖବର ପ୍ରକାଶ ନ କରିବାକୁ ଶୋଭାକର ଓ ଟିଟିଲାଗଡ ହାଟପଦାପଡାର ସମ୍ପର୍କୀୟଙ୍କ ଘରେ ସସ୍ତ୍ରୀକ ଲୁଚିଥିବା ତାର ସଢୁ ଦିଲିପ ଓ ଅଭିଯୁକ୍ତା କୁନି ପଶାୟତ ଅନୁରୋଧ କରିଥିଲେ ।

ଭୀମଭୋଇ ହାସପାତାଳର ଶିଶୁବିକ୍ରି ମାମଲା

ତେବେ ଘଟଣାଟି ପ୍ରଘଟ ହୋଇ ଚର୍ଚ୍ଚିତ ହୋଇପଡିବାରୁ ଓ ପ୍ରଶାସନିକ ତନାଘନା ପରେ ଶିଶୁ ମଙ୍ଗଳ ସମିତିର ଏତଲାକ୍ରମେ ପୁଲିସ ଶିଶୁପୁତ୍ରଟିକୁ ନର୍ଲାରୁ ଉଦ୍ଧାର କରିଥିଲେ ହେଁ , ଟିଟିଲାଗଡରୁ ଉଦ୍ଧାର କରିଥିବା ଦର୍ଶାଇଛି । ତେବେ ପୂର୍ବ ଘଟଣା ପରି ଶିଶୁପୁତ୍ରଟିକୁ ରାୟପୁରର ଆନ୍ତଃରାଜ୍ୟ ରାକେଟ୍ ହାତରେ ଚୋରାଚାଲାଣ କରିଥିବାକୁ ଥିବାର ସନ୍ଦେହ ପ୍ରକାଶ ପାଇଥିଲେ ହେଁ , ତଦନ୍ତକାରୀ ପୁଲିସ, ପ୍ରଶାସନ, ସିଡବ୍ଲୁସି ବା ଡିପିସିୟୁ ପକ୍ଷରୁ ଏଯାବତ୍ କୌଣସିପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାଯାଇନାହିଁ ! ଏହି ମାମଲାଟିକୁ ଚପାଇ ଦିଆଯାଇଥିବା ଲୋକଙ୍କ ପକ୍ଷରୁ ଅଭିଯୋଗର ଚର୍ଚ୍ଚା ହେଉଛି ।

କାରଣ ଠିକ୍ ଏହି ଘଟଣାର ମାତ୍ର ୨/୩ ଦିନ ପରେ ସେହି ଭୀମଭୋଇ ହାସପାତାଳରୁ ଅର୍ଥାତ୍ ଗତମାସ ୯ ତାରିଖରେ ଜନ୍ମିତା ଟିଟିଲାଗଡ ନିକଟସ୍ଥ ମୁରିବାହାଲ ଥାନା ଅନ୍ତର୍ଗତ କର୍ଲା ଗ୍ରାମର ଏକ ଦାଦନଶ୍ରମିକ ଦମ୍ପତ୍ତିଙ୍କ ଯାଆଁଳା ଝିଅଙ୍କ ମଧ୍ଯରୁ ଗୋଟିଏ ଶିଶୁକନ୍ୟାକୁ ତୁରେକେଲା ଅଞ୍ଚଳର ଜଣେ ପରିଚିତ ବ୍ୟକ୍ତିଙ୍କ ମଧ୍ଯସ୍ଥତାରେ ଦେଓଗାଁ ଥାନା ଅନ୍ତର୍ଗତ ଚୋରମରା ଗ୍ରାମର ( ପୁଲିସ ଭୁଲ୍ ନାମ ଏତଲାରେ ଦର୍ଜ କରିଥିବା )ଜଣେ ଯୁବକଙ୍କ ଜରିଆରେ ଛତିଶଗଡର ଦୁର୍ଗର ଜଣେ ମହିଳାଙ୍କୁ ଲାଳନପାଳନ କରି ନ ପାରିବାରୁ ପୋଷ୍ୟସନ୍ତାନ ଭାବେ ଦେଇ ଦେଇଥିବା ଶିଶୁକନ୍ୟାଟିର ବାପା ଓ ଏହା କୌଣସିପ୍ରକାର ଶିଶୁବିକ୍ରି ବୋଲି ଅଦ୍ୟାବଧି ପ୍ରମାଣ ମିଳିପାରି ନ ଥିବା ସହିତ ତଦନ୍ତ ଚାଲିଥିବା ବଲାଙ୍ଗୀର ଏସ୍ ପି ଅଭିଳାଷ ଜି ପ୍ରକାଶ କରିଛନ୍ତି । ପୁଲିସ ଦୁର୍ଗରୁ ଉକ୍ତ ଦୁଇଜଣ ମହିଳାଙ୍କୁ ଆଣିବା ସହ ଶିଶୁକନ୍ୟାଟିକୁ ଉଦ୍ଧାର କରିଛି । ତେବେ ପୁଲିସ ଏବେ ଉକ୍ତ ଦୁଇଜଣ ମହିଳାଙ୍କ ସହ ନୂଆପଡା ଜିଲ୍ଲାର କୋମନା ଅଞ୍ଚଳରୁ ଲୁଚିଥିବା ଉକ୍ତ ଦଲାଲକୁ ଛାଡିଦେଇଥିବା କୁହାଯାଉଛି । ଏଥିରୁ ଏହି ମାମଲାରେ ତଦନ୍ତକାରୀ ପୁଲିସର କାର୍ଯ୍ୟକଳାପ ସ୍ପଷ୍ଟ । ଏହି ଶିଶୁପୁତ୍ର ଓ ଶିଶୁକନ୍ୟା ଦୁଇଟି ବଲାଙ୍ଗୀର ‘ସା’ ରେ ଅଛନ୍ତି । କିନ୍ତୁ ଏଥିରେ ଶିଶୁବିକ୍ରି ରାକେଟ୍ ର ହାତ ଥିବା ସିଡବ୍ଲୁସି ପକ୍ଷରୁ ସନ୍ଦେହ ପ୍ରକାଶ କରାଯାଇଛି ।

ତେବେ ଏହାପୂର୍ବରୁ ଖପ୍ରାଖୋଲ ବ୍ଳକ ଲାଠୋର ଥାନାର ବଡ ଗୁର୍ଜିଭଟା ଗ୍ରାମ ସଂଲଗ୍ନ ପାଲିପଡା ଗ୍ରାମର ନିକଟସ୍ଥ ସୁନାମୁଦି ସରକାରୀ ସ୍ବାସ୍ଥ୍ୟଉପକେନ୍ଦ୍ରରେ ଜନ୍ମିତା ଏକ ଦାଦନଶ୍ରମିକ ପରିବାରର ୮ ମ ସନ୍ତାନ କୁହାଯାଉଥିବା ଏକ ଶିଶୁକନ୍ୟାର ତିନି ଲକ୍ଷ ଟଙ୍କାରେ ବିକ୍ରି ଅଭିଯୋଗ ମାମଲାରେ ଉପମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପରେ ଲାଠୋର ପୁଲିସ ରାୟପୁରରୁ ଉଦ୍ଧାର କରିଥିବା ସହ ଉକ୍ତ ସ୍ବାସ୍ଥ୍ୟଉପକେନ୍ଦ୍ରର ଜଣେ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ସମେତ ଲାଠୋର ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖସ୍ଥ ଏକ ଔଷଧଦୋକାନର ମାଲିକ ଓ ତାଙ୍କ ସମ୍ପର୍କୀୟ କଳାହାଣ୍ଡି ଜିଲ୍ଲାର ମଦନପୁର-ରାମପୁରରର ଜଣେ ମାରୁଆଡି ବ୍ୟବସାୟୀକୁ ଗିରଫ କରି ଜେଲ୍ ପଠାଇ ଦେଇଥିଲା । ଅବଶେଷରେ ଉକ୍ତ ଶିଶୁକନ୍ୟାଟିକୁ ତା’ର ବାପମାଆ ପ୍ରଶାସନକୁ ଆସି ଫେରାଇ ଦେବା ପରି ବିଳମ୍ବିତ ଘଟଣା ଘଟିଛି ।

ଏହା ପୂର୍ବରୁ ଗତବର୍ଷ ଟିଟିଲାଗଡ ଉପଖଣ୍ଡ ହାସପାତାଳର ମାତୃ ଓ ଶିଶୁ ଚିକିତ୍ସାଳୟରେ ଏକ ଅସହାୟା ବିଧବାର ଅବୈଧ ଶିଶୁପୁତ୍ରକୁ ଅଢେଇଲକ୍ଷ ଟଙ୍କାରେ ବିକ୍ରି ଉଦ୍ୟମର ସୂଚନା ପାଇ ଚାଇଲ୍ଡ ଲାଇନ ପକ୍ଷରୁ ଟିଟିଲାଗଡ ପୁଲିସ ସହାୟତାରେ ଚଢାଉ କରାଯାଇ ଉଦ୍ଧାର କରାଯାଇଥିଲା । ଏଥିରେ ଛତିଶଗଡର ଜଣେ ଦଲାଲର ସମ୍ପୃକ୍ତି ଥିବା ଚର୍ଚ୍ଚା ପ୍ରକାଶ ପାଇଥିଲା । ଉକ୍ତ ଶିଶୁପୁତ୍ରଟି ମଧ୍ଯ ଏବେ ବଲାଙ୍ଗୀର ପୋଷ୍ୟସନ୍ତାନ ଗ୍ରହଣ କେନ୍ଦ୍ର ‘ ସା ‘ ରେ ରହିଛି । ଏହା ପୂର୍ବ ବର୍ଷ ମାନଙ୍କରେ ମଧ୍ଯ ଟିଟିଲାଗଡରେ ଶିଶୁଚାଲାଣ ମାମଲା ଘଟିଛି ଓ ସେଥିରେ ରାୟପୁରର ଆନ୍ତଃରାଜ୍ୟ ଶିଶୁଚାଲାଣ ରାକେଟ୍ ର ସମ୍ପୃକ୍ତି ଥିବା ଶୁଣାଯାଇ ଆସିଛି ।

ଏଣୁ ଏତେସବୁ ଜ୍ବଳନ୍ତ ଉଦାହରଣ ସତ୍ତ୍ବେ ପୁଲିସ,ପ୍ରଶାସନ, ସିଡବ୍ଲୁସି , ଡିପିସିୟୁ ବା ସରକାର ବଲାଙ୍ଗୀରର ଶିଶୁଚୋରି ବା ଶିଶୁଚାଲାଣ ମାମଲାକୁ ହାଲୁକା ଭାବରେ ନେଇ ମୁଣ୍ଡରୁ ଦାୟିତ୍ବ ଖସାଇ ଥିବା ବିଡମ୍ବନାର ବିଷୟ ବୋଲି ଲୋକଙ୍କ ଚର୍ଚ୍ଚାରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *

Related Post