ଦୁର୍ନୀତି

ମଣ୍ଡି ହିଁ  ଧାନକିଣା ଦୁର୍ନୀତିର ମୂଳପୀଠ

Email :

ମଣ୍ଡିରେ ଧାନକିଣାର ଫଲ୍ସଏଣ୍ଟ୍ରି  !

ବଲାଙ୍ଗୀର / ସୋନପୁର :  ଏଥର ଏହା କେବଳ ବଲାଙ୍ଗୀର ବା ସୋନପୁର ଜିଲ୍ଲାର କଥା ନୁହେଁ , ବରଂ ସବୁଠି ଏକାଢଙ୍ଗରେ ଚାଲିଛି ।ଚଳିତ ଖରିଫ୍ ଋତୁରେ ନୂତନ ସରକାରଙ୍କ ଘୋଷିତ ନୂତନ ଏମ୍ ଏସ୍ ପି ବା ସର୍ବନିମ୍ନ ସହାୟକ ମୂଲ୍ୟ  କେନ୍ଦ୍ରର ୨୩୦୦+ ରାଜ୍ୟର ୮୦୦ ଇନ୍ ପୁଟ୍ ମିଶି କୁଇଣ୍ଟାଲ୍ ପିଛା ୩୧୦୦ ଟଙ୍କା ହେବା ଓ କଟନୀଛଟନୀ ପୁରା ବନ୍ଦ ଘୋଷଣା ସହ କଡା କଟକଣା ଇତ୍ୟାଦି ହେଉଥିବା ସତ୍ତ୍ବେ ଆଦୌ କେହି ନ ମାନିବା ଅପ୍ରିୟ ସତ୍ୟ । ଏହାର ମୂଳପୀଠ ହେଲା ମଣ୍ଡି । ମଣ୍ଡିରେ ହିଁ ଦୁର୍ନୀତିର ଆରମ୍ଭ ।

ଗତବର୍ଷ ସୋନପୁର ଜିଲ୍ଲାର ତରଭା ବ୍ଲକ୍ ର କମସରା ପେକ୍ସରେ ପ୍ରାୟ ପଇଁତିରିଶ ଲକ୍ଷ ଟଙ୍କା ମୂଲ୍ୟର ଖରିଫ୍ ଧାନର ଫେକ୍ ଭେଣ୍ଡର୍ ଅଭିଯୋଗ ପରେ ଡିଇଓ ଓ ସମ୍ପାଦକଙ୍କୁ  ଗ୍ରାମର କଙ୍ଗାରୁକୋର୍ଟରେ ଫଇସଲା କରାଯାଇ ଦୋଷମୁକ୍ତ ହେବା ସହ ୧୫ ଲକ୍ଷ ଟଙ୍କାର ଜମି ବନ୍ଧାପକାଇ ବେପାରୀଙ୍କୁ ସୁଝିବା ଘଟଣା ଚର୍ଚ୍ଚିତ ହୋଇପଡିଥିଲେ ହେଁ , ତଦନ୍ତ ସୁଦ୍ଧା ନହେବା ଚଳିତବର୍ଷ ଦୁର୍ନୀତିଗ୍ରସ୍ତଙ୍କ ଦୁଃସାହସକୁ ବଢାଇଦେଇଛି । ଏବେ ବି ଏହି ଦୁଇ ଜିଲ୍ଲାରେ ସେଇ ସମାନଢଙ୍ଗରେ ଫଲ୍ସଏଣ୍ଟ୍ରି ଜାରୀ ରହିଛି ।

ବଲାଙ୍ଗୀର ଜିଲ୍ଲାର ୫୮ ଟି ପେକ୍ସ ଓ ୧୮ଟି ଏସ୍ ଏଚ୍ ଜି ଦ୍ବାରା ଚଳିତ ଖରିଫ୍ ଧାନକିଣା ଚାଲିଛି ।  ଏଥିରେ ଦ୍ରୁତଗତିରେ ଧାନ କିଣାର ତୃତୀୟଥରର ବୃଦ୍ଧି ଟାର୍ଗେଟ୍ ସରିଯିବା ଉପରେ ।  ପ୍ରଥମ ପର୍ଯ୍ୟାୟରେ ମିଲର୍ସ ସେମାନଙ୍କୁ ପରିବହନାଦି ଦର ପୋଷାଉ ନଥିବା ଦର୍ଶାଇ ଆନ୍ଦୋଳନ କରିଥିବା ବେଳେ , ଏବେ ସେଇଦରରେ  ୧୦ ଟି ମିଲ୍ ସେମାନଙ୍କୁ କୋରାପୁଟରୁ ମଧ୍ୟ ଧାନ କିଣିବାକୁ ଅନୁମତି ଆବେଦନ କରିଥିବା କୌତୁହଳ ସୃଷ୍ଟି କରିଛି । ପ୍ରକୃତରେ ଫଲ୍ସଏଣ୍ଟ୍ରିରେ ହଜାର ହଜାର କୁଇଣ୍ଟାଲ୍ ଧାନ ଆରମ୍ଭରୁ ଇ ମିଲ୍ ରେ ରହିଥିବା ଓ ପରେ ଫଲ୍ସଏଣ୍ଟ୍ରି ଦ୍ବାରା ତାକୁ ସ୍ବୀକୃତ କରାଯାଇଥିବା କୁହାଯାଉଛି ।  ମୁଖ୍ୟତଃ ଜିଲ୍ଲାସୀମାନ୍ତବର୍ତ୍ତୀ ବଙ୍ଗୋମୁଣ୍ଡା ଓ ଅନ୍ୟାନ୍ୟ ଅଞ୍ଚଳରେ ଏହା ଅଧିକ ଚାଲିଥିବା କୁହାଯାଉଛି । ଜରାସିଂହା ଓ ତୁଷୁରା ପରି କେତେକ ପେକ୍ସକୁ ଧାନ ନଆସି ସିଧା ମିଲ୍ କୁ ଯାଉଥିବା ବିଶ୍ବସ୍ତସୂତ୍ରରୁ ପ୍ରକାଶ । ଏହି ଅଞ୍ଚଳର ବଲାଙ୍ଗୀର ଓ କଳାହାଣ୍ଡିର ଜିଲ୍ଲା ସୀମାନ୍ତବର୍ତ୍ତୀ ମିଲ୍ ଗୁଡିକରେ ଧାନ ଏପଟସେପଟ ହେଉଥିବା ଅଭିଯୋଗ ହେଉଛି । ଗତବର୍ଷ ଖପ୍ରାଖୋଲ ବ୍ଲକ୍ ର ତେଲେନପାଲି ପେକ୍ସର ସମ୍ପାଦକ ପ୍ରକାଶ କରିଥିଲେ ଯେ ପ୍ରାୟ ସବୁଧାନ ଛତିଶଗଡକୁ ଚୋରାଚାଲାଣ ହୋଇଯାଇଥିବାରୁ ତାଙ୍କ ଟାର୍ଗେଟ୍ ପୁରି ପାରି ନଥିଲା । ଏବର୍ଷ ବି ସେଇ ପୂର୍ବ କାରବାରର ସମ୍ଭାବନାକୁ ଏଡାଯାଇ ପାରୁନାହିଁ ।

ଏଥିସହ ଚଳିତବର୍ଷଠାରୁ ଆଉ ଆଦୌ କଟନୀଛଟନୀ ହେବନାହିଁ ବୋଲି ସରକାର ଘୋଷଣା କରିଥିବା ବେଳେ ୩ ରୁ ୫ କେଜି ଧାନ କଟାଯାଉଛି । ମଣ୍ଡିରେ କର୍ମଚାରୀମାନେ ମଧ୍ୟ ଏହାକୁ ସ୍ବୀକାର କରୁଛନ୍ତି।ତେବେ କଥାଉଠୁଛି , ଏହି କଟନୀଛଟନୀର ଧାନ ଯାଉଛି କୁଆଡେ ?

ଅଳ୍ପଦିନ ତଳେ ଲୋଇସିଂହା ଅଞ୍ଚଳର ବଡଟୀକା ପେକ୍ସରେ ପ୍ରାୟ ୪ଶହ କୁଇଣ୍ଟାଲ୍ ଧାନ କଟନୀଛଟନୀ ହୋଇଥିବା ଧରାପଡିଥିଲା । ତେବେ ସେତିକି ପରିମାଣ ଧାନର ହିସାବ କୁଆଡେ ଗଲା ?  କୁହାଯାଉଛି ଯେ , ଏସବୁ ତଥାକଥିତ ହଜାର ହଜାର କୁଇଣ୍ଟାଲ୍ କଟନୀଛଟନୀର ଧାନ ମିଲ୍ କୁ ହିଁ ଯାଉଛି । ମାସଶେଷରେ ଚାଷୀଙ୍କୁ କାର୍ଡ ପିଛା ୧୦ ଟଙ୍କା ଦେଇ ବାକି ସବୁ ପେକ୍ସ ଓ ବ୍ୟାଙ୍କର ମିଳିତ ସହାୟତାରେ ମିଲର୍ସ ସେକ୍ରେଟାରୀ ବା କର୍ମଚାରୀଙ୍କୁ ଦେଇ ଦେଇଥା’ନ୍ତି । ତେଣୁ ମଣ୍ଡିରୁ ହିଁ ମିଲର୍ସ ଓ ବେପାରୀ ଏହି କଳାବେପାର ଆରମ୍ଭ ହେଉଥିବା ସମ୍ପର୍କରେ ଡିଆରସିଏସ୍ , ଏଆରସିଏସ୍ , ଯୋଗାଣ ବିଭାଗ ଓ ପ୍ରଶାସନ ସହିତ ସମସ୍ତଙ୍କର ସମ୍ପୂର୍ଣ୍ଣ ଜ୍ଞାତସାରରେ ଚାଲିଛି ।  ପେକ୍ସରେ ଚାଷୀଙ୍କୁ ଏଣ୍ଟ୍ରି କରାଯାଉଥିବା ଖାତାକୁ ତଦନ୍ତ କରାଗଲେ , କେବେ କେଉଁ ମିଲ୍ କୁ କେଉଁଗାଡିରେ କେତେ ଧାନ ପଠାଗଲା , ତହିଁର ଜାଲିଆତି ଧରାପଡିଯିବ ବୋଲି କୁହାଯାଉଛି । 

ଚଳିତବର୍ଷର ରବି ଓ ଖରିଫ୍ ଋତୁର ଧାନକିଣା ବେଳକୁ ସୁବର୍ଣ୍ଣପୁର ସିସିଏସ୍ ଓ ଓ ବଲାଙ୍ଗୀର ସିସିଏସ୍ଓ , ଭାରପ୍ରାପ୍ତ ଏ ଏସ୍ ଏମ୍ ପ୍ରମୁଖଙ୍କ ଭିଜିଲାନ୍ସ ହାତରେ ଗିରଫ ହେବା ସହ ବଲାଙ୍ଗୀର ସିସିଏସ୍ଓ ପଦ ବେଶ୍ କିଛିଦିନ ଧରି ଖାଲି ପଡିବା ଦୁର୍ନୀତିଖୋର୍ ଙ୍କୁ ସୁହାଇଛି ।  ଧାନକିଣାର ଏତେଦିନ ବିତିଗଲାପରେ ଏଇ ଦୁଇତିନିଦିନ ତଳେ ରଞ୍ଜନ ପଣ୍ଡା ବଲାଙ୍ଗୀର ସିସିଏସ୍ଓ ଭାବେ ଆସି କାର୍ଯ୍ୟରେ ଯୋଗ ଦେଇଛନ୍ତି । ସେହିପରି ପେକ୍ସରେ ରହିଥିବା ସମ୍ପାଦକ ପଦ ଖାଲି , ଏକାଧିକ ପେକ୍ସର ଭାରପ୍ରାପ୍ତ ଦାୟିତ୍ୱ , ଏଫ୍ ଏ କ୍ୟୁ ସମ୍ପର୍କରେ ଜ୍ଞାନ ନଥିବା ନାମମାତ୍ର କ୍ବାଲିଟି ଆନାଲିଷ୍ଟ୍ ବା ସୁପରଭାଇଜର୍ ଓ ନୋଡାଲ୍ ଅଧିକାରୀଙ୍କୁ ନିୟୋଜିତ କରାଯିବାରେ ଯଥେଚ୍ଛାଚାର କାରଣରୁ ଏ ଉଭୟଜିଲ୍ଲାର ଧାନକିଣାରେ ବ୍ୟାପକ ଅନିୟମିତତା ଓ ଅବ୍ୟବସ୍ଥା ଦେଖାଯାଇଛି ।

ପଡୋଶୀ କଳାହାଣ୍ଡି ଜିଲ୍ଲାର ରାମପୁର , ସୁବର୍ଣ୍ଣପୁର ଜିଲ୍ଲାର କମସରା ସମେତ କେତୋଟି ପେକ୍ସ , ବଲାଙ୍ଗୀର ଜିଲ୍ଲାର ତୁଷୁରା , ଜରାସିଂହା , ଅର୍ଜୁନପୁର , ଗଉଡଗୋଠ , ମହୀମୁଣ୍ଡା ,ମହଲେଇ , ଉପରଝର , ବଡଟୀକା , ଡୁଡୁକା , ଆଗଲପୁର , ଭାରେଲ , ଦଶପୁର , ଶିବତଲା , ଯୋଗୀମୁଣ୍ଡା , ଖପ୍ରାଖୋଲ , ଲାଠୋର , ରାମଚନ୍ଦ୍ରପୁର , ତେଲେନପାଲି ଓ ଅନ୍ୟାନ୍ୟ କେତେକ ପେକ୍ସରେ ଅନୁଧ୍ୟାନ ପରେ ଉପରୋକ୍ତ ରିପୋର୍ଟ ମିଳିଛି । ପରେ ଅନ୍ୟାନ୍ୟ ପେକ୍ସ ଓ ଏସ୍ ଏଚ୍ ଜି ର ସର୍ବେକ୍ଷଣ ପରେ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଦୁଇଟି ଜିଲ୍ଲାର ସମ୍ପୂର୍ଣ୍ଣ ପୁଙ୍ଖାନୁପୁଙ୍ଖ ବିବରଣୀ ପ୍ରକାଶ ପାଇବ ।

Leave a Reply

Your email address will not be published. Required fields are marked *

Related Post