ଓ ମାଓପ୍ରବଣ ଇଲାକାରେ ବାରୁଦ ଚୋରାଚାଲାଣ !
ବଲାଙ୍ଗୀର : ଅଳ୍ପଦିନ ତଳେ ଗତ ମେ ୨୭ ତାରିଖରେ ସୁନ୍ଦରଗଡ ଜିଲ୍ଲାର କେ ବଲାଙ୍ଗ ଥାନା ବାଙ୍କୋ ପଥର ଖଣି ନିକଟରୁ ମାଓବାଦୀଙ୍କ ଦ୍ବାରା ଟ୍ରକ୍ ଭର୍ତ୍ତି ୫ ହଜାର କେଜି ବିସ୍ଫୋରକ ସାମଗ୍ରୀ ଲୁଟ୍ ଏବଂ ବଲାଙ୍ଗୀର ଜିଲ୍ଲାର ବେଲପଡା ଥାନାନ୍ତର୍ଗତ କର୍ଲାବାହାଲି ସ୍ଥିତ କଣ୍ଟାବାଞ୍ଜିର ଦୀପକ ଚନ୍ଦ ଜୈନ ଓ ଅନୁପ ଅଗ୍ରବାଲଙ୍କ କଳିଙ୍ଗ ଆଣ୍ଡ୍ କମ୍ପାନୀରୁ ଯାଇ ଗତ ୫ ତାରିଖରେ କଳାହାଣ୍ଡିର ଜୟପାଟଣା ପୁଲିସ ଦ୍ବାରା ଧରାପଡିଥିବା ଦୁଇଟି ପିକଅପ୍ ଭ୍ୟାନ୍ ରେ ସାଢେ ୬ ଟନ୍ ବାରୁଦ ଓ ବିସ୍ଫୋରକ ଜବତ ହେବା ଘଟଣା ଚାଞ୍ଚଲ୍ଯ ସୃଷ୍ଟି କରିଛି । ଉଲ୍ଲେଖଯୋଗ୍ଯ ଯେ , ଏହି ଉଭୟ ଜିଲ୍ଲା ମାଓପ୍ରବଣ ଅଟେ । ଶେଷୋକ୍ତ ଘଟଣାରେ ଜୟପାଟଣା ପୁଲିସ ପ୍ରଥମେ ଚାରିଜଣ ଏହା ଯାଉଥିବା ଜଗନ୍ନାଥ କ୍ରସରର ମାଲିକ ଜଗନ୍ନାଥ ତିୱାରୀ , ଟ୍ରକ୍ ଚାଳକ ରଞ୍ଜନ କ୍ଷିତି ଓ ପିକଅପ୍ ଚାଳକ ଧର୍ମୁ ପୋଢ , ଅରୁଣ କୁମାର ଏବଂ ଏବେ ଆଉଜଣେ ଫେରାର୍ କ୍ରସର ମାଲିକ ବିକ୍ରମ ଗୁପ୍ତାଙ୍କୁ ବିଶାଖାପାଟଣାରୁ ମୋଟ ୫ ଜଣଙ୍କୁ ଗିରଫ କରିଥିବା ପ୍ରକାଶ । କିନ୍ତୁ ପାଟଣାଗଡ ଏସଡିପିଓଙ୍କ ଅଧୀନସ୍ଥ ବେଲପଡା ପୁଲିସ ଅଦ୍ୟାବଧି କଣ୍ଟାବାଞ୍ଜି ନିବାସୀ କର୍ଲାବାହାଲିର ଦୁଇ ପାର୍ଟନର୍ ବାରୁଦ ଗୋଦାମ ମାଲିକଙ୍କୁ ଗିରଫ କରିପାରିନାହିଁ ! ଏ ସମ୍ପର୍କରେ ପଚରାଯିବାରୁ ବେଲପଡା ଥାନାଧିକାରୀ ଅନନ୍ତ ପ୍ରଧାନ ବରଂ ସେମାନଙ୍କ ଗୋଦାମର ଷ୍ଟକ୍ ଯାଞ୍ଚ ନ କରି ମଧ୍ଯ ସେମାନେ ଆହୁରି ଅଧିକ ବିସ୍ଫୋରକ ରଖିପାରିବେ ବୋଲି ସାମ୍ବାଦିକଙ୍କୁ ଭୁଲ୍ ସୂଚନା ଦେଇଥିବା ପ୍ରକାଶ । ଏଥିରୁ ଏଭଳି କ୍ଷମତା ବହିର୍ଭୂତ ବିସ୍ଫୋରକ ଚାଲାଣର ପୁଲିସର ବେଖାତିର୍ ମନୋଭାବ , କୋହଳ କାର୍ଯ୍ୟାନୁଷ୍ଠାନ ଓ ସନ୍ଦିଗ୍ଧ ଭୂମିକାର ସଂକେତ ମିଳୁଛି !

ପ୍ରକାଶଯୋଗ୍ୟ ଯେ , ପୂର୍ବରୁ ଏହି କଣ୍ଟାବାଞ୍ଜି ସହରର ଅନ୍ଯାନ୍ଯ ବାରୁଦ ଗୋଦାମ ଓ ଲାଇସେନ୍ସ ନିୟମ ଉଲଂଘନ ସମ୍ପର୍କରେ କେତେକ ଅଭିଯୋଗ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ! ତେବେ ସେସବୁ ଅଭିଯୋଗକୁ କଣ୍ଟାବାଞ୍ଜି , ବେଲପଡା ,ଲାଠୋର , ଖପ୍ରାଖୋଲ, ତୁରେକେଲା ଇତ୍ୟାଦି ମାଓପ୍ରବଣ ଥାନା ସମେତ ବଲାଙ୍ଗୀର ପୁଲିସ ନଜରଅନ୍ଦାଜ କରିଆସୁଥିବା ଲକ୍ଷ୍ୟ କରାଯାଇ ଆସୁଛି । ଫଳସ୍ୱରୂପ, ଏବେ ଏପରି ବଡଧରଣର ସମ୍ବେଦନଶୀଳ ଚୋରାଚାଲାଣ ଘଟଣା ଘଟିଛି । କିଏ ଏହି ବିସ୍ଫୋରକ ଗୋଦାମର ସମୟ ସମୟରେ ଚେକ୍ ଓ ସମୀକ୍ଷା କରିବାକଥା ? ଏସବୁ ଯେ କେବଳ କ୍ରସର୍ ଫଟାଇବାରେ ବ୍ୟବହୃତ ହେଉଛି ଓ ମାଓବାଦୀଙ୍କ ହାତକୁ ଯାଉନାହିଁ , କିଏ କହିପାରିବ ? ଉଲ୍ଲେଖଯୋଗ୍ଯ ଯେ ଏହି ବଲାଙ୍ଗୀର ଜିଲ୍ଲାର ପାଟଣାଗଡଠାରେ ପାର୍ଶଲ୍ ବୋମା ବିସ୍ଫୋରଣ ପରି ବହୁଚର୍ଚ୍ଚିତ ଘଟଣା ଅଦ୍ୟାପି ଚର୍ଚ୍ଚାରେ ରହିଛି ଓ ତାହାକୁ ଚର୍ଚ୍ଚାରେ ରଖିବାକୁ ଏହା ଉପରେ ପ୍ରସ୍ତୁତ ଏକ ଫିଲ୍ମ ‘ ମାଇଣ୍ଡ୍ ଗେମ୍ ‘ କୁ କିଛିଦିନ ସଚେତନ ବ୍ୟକ୍ତିବିଶେଷଙ୍କ ବିରୋଧ.ସତ୍ତ୍ବେ କିଛି ବାହାରଜିଲ୍ଲାର ତଥାକଥିତ ବିରୋଧୀ ରାଜନୈତିକ ନିରାଶ ନେତା ଏବଂ ପ୍ରତିକ୍ରିୟାଶୀଳ ସଂଗଠନର ସନ୍ଦିଗ୍ଧ ଚରିତ୍ରର ବ୍ୟକ୍ତି ବୁଲି ବୁଲି ପ୍ରଦର୍ଶନ ଜାରୀ ରଖିଛନ୍ତି !
ସେହିପରି କେ ବଲାଙ୍ଗ ଖଣି ଅଞ୍ଚଳରୁ ପାର୍ ହୋଇଥିବା ବାରୁଦର ବହୁଳାଂଶ ମାଓବାଦୀମାନେ ଲୁଚାଇ ରଖିଥିବା ସରଣ୍ଡା ଜଙ୍ଗଲରୁ ଗତ ୨ ତାରିଖରେ ସେଥିରୁ ଓଡିଶାର ଏସଓଜି , ଡିଭିଏଫ ଏବଂ ଝାଡଖଣ୍ଡର ଜାଗୁଆର କମାଣ୍ଡୋ ଓ ସି ଆରପି କୋବ୍ରା ମିଳିତ ଜବାନଙ୍କ ଅପରେସନରେ ୨.୫ ଟନ୍ ଜବତ କରାଯାଇଥିବା ପ୍ରକାଶ । ଅତଏବ ଆହୁରି ଅଧା ବିସ୍ଫୋରକ ମାଓବାଦୀଙ୍କ କବ୍ଜାରେ ରହିଛି !
ତେବେ ପୂର୍ବରୁ ଓ ଇତିମଧ୍ୟରେ ମାଓବାଦୀଙ୍କ ଲ୍ୟାଣ୍ଡ୍ ମାଇନ୍ ବିସ୍ଫୋରଣରେ ଜବାନ୍ ଓ ପୁଲିସମାନେ ମୃତ୍ୟୁବରଣ କରୁଥିବାର ଖବର ପ୍ରକାଶ ପାଉଥିବାରୁ ସେମାନେ ଏଇପରି ଚୋରାବାରୁଦ ଓ ବିସ୍ଫୋରକ ବ୍ୟବହାର କରୁଥିବା ଅନୁମାନ କରାଯାଉଛି ।
ତେଣୁ ଏଭଳି ଘୁସ୍ ଖୋର୍ ପୁଲିସ କର୍ମଚାରୀଙ୍କ ଅକ୍ଷମଣୀୟ ଉଦାସୀନତା ସମ୍ପର୍କରେ ବରିଷ୍ଠ ପୁଲିସ ଅଧିକାରୀ ଓ ସରକାର ଦୃଷ୍ଟିଦେବାକୁ ଲୋକେ ଦାବି କରୁଛନ୍ତି ।