ଦୁର୍ନୀତି

ବଲାଙ୍ଗୀର,ସୁବର୍ଣ୍ଣପୁର ଜିଲ୍ଲାର ମିଲ୍ ରେ ଭର୍ତ୍ତି ଛତିଶଗଡୀ ଧାନ !

Email :

ସରକାରଙ୍କ ତୁମ୍ବିତୋଫାନକୁ ମିଲର୍ସଙ୍କ ଫୁଃ…

ସିଂହଦେଓଙ୍କ ସିଂହଗର୍ଜନର ପରୋକ୍ଷ ଉଦ୍ଦେଶ୍ଯ ଭିନ୍ନ

ବଲାଙ୍ଗୀର/ ସୋନପୁର : ଚଳିତବର୍ଷର ଧାନର ସର୍ବନିମ୍ନ ସହାୟକ ଦର ୩୧୦୦ ଟଙ୍କାକୁ ବୃଦ୍ଧି ବା ବରଗଡରୁ ରାଜ୍ୟ ସରକାରଙ୍କ ୮୦୦ ଟଙ୍କାର ଇନ୍ ପୁଟ୍ ପ୍ରଦାନ ସହିତ ମଣ୍ଡିରେ କଟନୀଛଟନୀ ବନ୍ଦ ଘୋଷଣାକୁ ବେଖାତିର୍ କରି ବରଗଡରୁ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାରେ ଗତ ଖରିଫ ଋତୁରେ ମିଲର୍ସଙ୍କ ମନମାନୀ ପରେ ଏବେ ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ରବିଧାନ କିଣାରେ ମିଲ୍ ଗୁଡିକରେ ଶହଶହ ଟ୍ରକ୍ ଛତିଶଗଡୀ ଧାନ ଭର୍ତ୍ତି ହୋଇଗଲାଣି । ଏ ସମ୍ପର୍କରେ ପ୍ରାୟ ପ୍ରତିଦିନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ଏହା ସହିତ ମଣ୍ଡି ଓ କ୍ରୟକେନ୍ଦ୍ର ଗୁଡିକରେ ସରକାର ଘୋଷଣା କରିଥିବା ଉପଯୁକ୍ତ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଅଭାବରୁ ଖୋଲାଆକାଶ ତଳେ ପଡି ରହି ବର୍ଷାରେ ଚାଷୀଙ୍କ ଧାନ ଭିଜୁଛି । ଠିକ୍ ସମୟରେ ଟୋକନ ଆସୁନାହିଁ । ଅନ୍ଯାନ୍ଯ ପରିଚାଳନାଗତ ବିଶୃଙ୍ଖଳା ହେତୁ ହଇରାଣ ହେଉଥିବାରୁ ଚାଷୀଙ୍କ ଅସନ୍ତୋଷ ବୃଦ୍ଧି ପାଇଲାଣି । ପ୍ରକାଶିତ ଖବର ଅନୁଯାୟୀ , ବସ୍ତା ପିଛା କଟନୀଛଟନୀ ୪/୫ କେଜିରୁ ବଢି ୧୨ / ୧୫ କେଜିରେ ପହଞ୍ଚିଛି । ଆହୁରି ମଧ୍ଯ ମଣ୍ଡିକୁ ନ ଯାଇ କ୍ବିଣ୍ଟାଲ ପିଛା ୧୮୦୦ ରୁ ୨୦୦୦ ଟଙ୍କାରେ ଚାଷୀଙ୍କ ଠାରୁ ବେପାରୀ ଧାନ କିଣି ନେଉଛନ୍ତି ବୋଲି ଖପ୍ରାଖୋଲ ଅଞ୍ଚଳର ଜଣେ ଚାଷୀ ବଲାଙ୍ଗୀର ଜିଲ୍ଲା ଯୋଗାଣ ବିଭାଗ ଅଫିସରେ ଜଣେ ଅଧିକାରୀଙ୍କ ସମ୍ମୁଖରେ ଅନୌପଚାରିକ ଆଲୋଚନା ବେଳେ କ୍ଷୋଭପ୍ରକାଶ କରିଛନ୍ତି ।

ଏପରି ଅବ୍ୟବସ୍ଥା ସମ୍ପର୍କରେ ବଲାଙ୍ଗୀର ଜିଲ୍ଲା ଯୋଗାଣ ବିଭାଗ ଅଫିସରେ ‘ବଲାଙ୍ଗୀର ଜିଲ୍ଲାର ମିଲ୍ କୁ ଛତିଶଗଡ ରୁ ଧାନ ଆସି ପଶୁଛି କି ? ଗଣମାଧ୍ୟମର ପ୍ରକାଶିତ ଖବର ଅନୁଯାୟୀ ଆପଣମାନେ ଏହା ଜାଣିଲେଣି କି ? ଏବର୍ଷ କୋରାପୁଟରୁ ଧାନ ଆଣିବାକୁ ଅନୁମତି ଦିଆଯାଇଛି କି ?କେତେକ ମିଲର୍ସ ବିନା ପରିବହନ ଖର୍ଚ୍ଚରେ କୋରାପୁଟରୁ ଧାନ ଆଣିବାକୁ ରାଜି ବୋଲି ଲିଖିତ ଭାବେ ଜଣାଇଛନ୍ତି କି ଓ ତହିଁରେ ସେମାନଙ୍କର କି ସ୍ବାର୍ଥ ନିହିତ ରହିଛି ? ମିଲ୍ ଗୁଡିକର ଷ୍ଟକ୍ ଯାଞ୍ଚ ଆରମ୍ଭ ହେଲାଣି କି ? ‘ ଇତ୍ୟାଦି ପଚାରିବାରୁ ସିସିଏସଓ ରଞ୍ଜନ କୁମାର ପଣ୍ଡାଙ୍କ ଅନୁପସ୍ଥିତିରେ ସିଏସ୍ ଓ ବେଣୁଧର ପାଣିଗ୍ରାହୀଙ୍କୁ ପଚରାଯିବାରୁ ସେ ତାଙ୍କର ଏଠାରୁ କେନ୍ଦ୍ରାପଡାକୁ ବଦଳି ହୋଇଯାଇଛି ବୋଲି ନିର୍ବିକାର ଭାବରେ ଦାୟିତ୍ବକୁ ଏଡାଇ ଯାଇ ‘ ହଁ , ଟିଟିଲାଗଡ, କଣ୍ଟାବାଞ୍ଜି ଓ ବେଲପଡା ଅଞ୍ଚଳର କେତେକ ମିଲର୍ସ ( ୭ ଜଣ ) ଏଭଳି କଳାହାଣ୍ଡି ଦରରେ ପରିବହନ ଖର୍ଚ୍ଚ ଦିଆଯିବାକୁ ଓ ଧାନ ମିଳୁ ନଥିବାରୁ ଏପରି ଲେଖି ଜଣାଇଥିବା , କେତେକ ମିଲ୍ ସାମ୍ନାରେ ଧାନଟ୍ରକ୍ ଧାଡି ଠିଆହୋଇଥିବା ଓ ଅଦ୍ୟାବଧି ମିଲ୍ ଗୁଡିକର ଷ୍ଟକ୍ ଯାଞ୍ଚ କରାଯାଇ ନ ଥିବା ପ୍ରକାଶ କରିଛନ୍ତି । ଏଭଳି ବିଭାଗୀୟ ଉଦାସୀନତାର କାରଣ ପଛରେ କୌଣସି ରାଜନୈତିକ ଚାପ ରହିଛି କି ? ‘ର ଉତ୍ତରକୁ ସେ ସୁଚତୁର ଭାବେ ରହସ୍ଯମୟ ସ୍ମିତ ହସ ହସି ଏଡାଇ ଯାଇଥିଲେ ।

ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ମିଲ୍ ରେ ପଶୁଛି ଛତିଶଗଡୀ ଧାନ

ସୁବର୍ଣ୍ଣପୁର ଜିଲ୍ଲାର ମିଲ୍ ଗୁଡିକରେ କିଛିଦିନ ଆଗରୁ ଛତିଶଗଡୀ ଧାନ ପଶୁଥିବାର ଖବର ପ୍ରକାଶ ପାଇଥିଲା ଓ ଦୁଇଟି ଟ୍ରକ୍ ମଧ୍ଯ ଧରା ପଡିଥିଲା । ଏହାସତ୍ତ୍ବେ ଅଦ୍ୟାବଧି ଯୋଗାଣ ବିଭାଗ ବା ପ୍ରଶାସନ ତରଫରୁ ଉକ୍ତ ଜିଲ୍ଲାର ମିଲ୍ ଗୁଡିକର ଷ୍ଟକ୍ ଯାଞ୍ଚ କରାଯାଇ ନଥିବା ଜଣାଯାଇଛି । ଏଠାରେ ଉଲ୍ଲେଖଯୋଗ୍ଯ ଯେ , ଚଳିତବର୍ଷର ଖରିଫ୍ ଋତୁରେ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ଜିଲ୍ଲାପାଳ ଅନ୍ୟା ଦାସଙ୍କ ସମେତ ଦୁଇଦିନ ଧରି ସନ୍ଧ୍ୟାରେ ଏକାଧିକ ମିଲ୍ ରେ ଷ୍ଟକ୍ ଯାଞ୍ଚ ଆଳରେ ଚଢାଉ କରି ମିଲ୍ ଗୁଡିକୁ ସିଲ୍ କରି ଦେଇଥିଲେ । ପରେ ଅବଶ୍ଯ ଯାଞ୍ଚ କମିଟି ଗଢି ଯାଞ୍ଚ ପରେ କୌଣସି ଅନିୟମିତତା ନଥିବା ଦର୍ଶାଇ ଖୋଲି ଦିଆଯାଇଥିଲା । ଏହାପଛରେ ମିଲ୍ ପିଛା ୭ ଲକ୍ଷ ଟଙ୍କାର ଡିଲ୍ ହୋଇଥିବା ଗଣମାଧ୍ୟମର ଖବର ହୋଇଥିବା ସହ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଏକ ବିବୃତି ଦେବାରୁ ଯୋଗାଣ ମନ୍ତ୍ରୀ ତାହା ଖଣ୍ଡନ କରିଥିଲେ ଓ ଏ ସମ୍ପର୍କରେ ମିଲର୍ସ ସଂଘ ନାଁ’ ରେ ଉପମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଏକ ଚିଠି ପଠାଯାଇଥିବା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯଦିଓ ପୁଣି ଆଉ ଏକ ସଂଘ ନାଁ’ରେ ଚିଠି ଜାରୀ ହୋଇ ସୋସିଆଲ ମିଡିଆରେ ତାହାକୁ ଜାଲ୍ ବୋଲି ସଫେଇ ଦିଆଯାଇଥିଲା । ଏଣୁ ଏବେ ସେହି ଉପାଖ୍ୟାନ ଲୋକଙ୍କ ଚର୍ଚ୍ଚାର ବିଷୟ ହୋଇଛି ।

କାରଣ ଗତ ୧୭ ତାରିଖରେ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବଲାଙ୍ଗୀରରେ ରାଜ୍ୟ ସ୍ତରୀୟ କୃଷକ ଶକ୍ତି ସମାବେଶରେ ଯୋଗଦେଇଥିବା ଅବସରରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ତାଙ୍କ ଅଭିଭାଷଣରେ ସେ ଏଭଳି ଛତିଶଗଡରୁ ଏହି ଧାନ ପଶୁଥିବାର ବିରୁଦ୍ଧରେ ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଓ ଯେଉଁମାନେ ବାହାରର ଧାନ ଆଣି ଆମ ରାଜ୍ୟରୁ ଟଙ୍କା ନେବାର ଚେଷ୍ଟା କରୁଛନ୍ତି ; ଏହାର ପ୍ରମାଣ ମିଳିଲେ ସମ୍ପୃକ୍ତ ମିଲ୍ କୁ କଳାତାଲିକାଭୁକ୍ତ କରାଯିବ ବୋଲି ଚେତାବନୀ ଦେଇଥିଲେ ।

ତେବେ ଯାହା ଦେଖାଯାଉଛି , ସରକାରଙ୍କ ଏପରି ଗର୍ଜନକୁ ମିଲର୍ସଙ୍କ ବେଖାତିର୍ ଓ ପ୍ରଶାସନ ବନାମ ଯୋଗାଣ ବିଭାଗର ସାମାନ୍ଯ ଭ୍ରୂକ୍ଷେପ ବା ସକ୍ରିୟତା ନାହିଁ । ଏହାପଛର କାରଣ କ’ଣ ? ‘- ବୋଲି ଲୋକେ ବିଭିନ୍ନ ଆଲୋଚନା ଆରମ୍ଭ କରି ଦେଇଛନ୍ତି ।

କେତେକ ବିରୋଧୀଙ୍କ ପକ୍ଷରୁ ଏହାକୁ ‘ ଏପଟେ ଗର୍ଜନ ତର୍ଜନ ଓ ସେପଟେ ପୂର୍ବ ପରି କ ଲେ କ୍ ସନ୍ ? ‘ ବୋଲି କଟାକ୍ଷ କରୁଛନ୍ତି !

ଏବେ ଦେଖିବାକୁ ବାକି ରହିଲା , ସରକାର କେବେ କେତୋଟି ମିଲ୍ କୁ ଧରି ପାରୁଛନ୍ତି ଓ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ? ‘ – ବୋଲି ଲୋକେ ଅପେକ୍ଷା କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Post