ପ୍ରତିବାଦ କରିବାରୁ ବହିଷ୍କାର ନୋଟିସ୍
ବଲାଙ୍ଗୀର : ଗତ ବିଜେଡି ସରକାର ଅମଳରେ ଆରମ୍ଭ କରାଯାଇଥିବା ମିଶନଶକ୍ତିର ଜୀବିକା ନିର୍ବାହ ମିଶନର ଗୁମର ଏବେ ଖୋଲିବାକୁ ଲାଗିଛି । ପ୍ରଥମତଃ ଏହା ମହିଳାଙ୍କୁ ସ୍ବାବଲମ୍ବୀ କରିବା ଆଳରେ ସେମାନଙ୍କୁ ଦଳୀୟ ରାଜନୀତିରେ ବ୍ୟବହାର କରାଯାଉଥିବା ବେଳେ ଏବେ ତଳୁ ଉପରସ୍ତର ପର୍ଯ୍ୟନ୍ତ ଏଥିରେ ଯୋଗାଇ ଦିଆଯାଉଥିବା ସରକାରୀ ପାଣ୍ଠିକୁ ବାଟମାରଣା କରାଯାଉଥିବା ଓ ଏଥିରେ ପ୍ରତିବାଦ କରିବାରୁ ସୁଚିନ୍ତିତ ଷଡଯନ୍ତ୍ରରେ ସେମାନଙ୍କୁ ବହିଷ୍କାର କରିବାକୁ ନୋଟିସ୍ ପଠାଯାଇଥିବା ଜଣାଯାଇଛି । ବଙ୍ଗୋମୁଣ୍ଡା ବ୍ଲକ୍ ର ଓଏଲଏମରେ ଗତବର୍ଷଠାରୁ ଏପରି ବିବାଦୀୟ ସ୍ଥିତି ଲାଗିରହିଥିବା ସତ୍ତ୍ୱେ କୌଣସି ସମାଧାନର ଉଦ୍ୟମ କରାଯାଇନାହିଁ । ଅଧିକନ୍ତୁ ଉପରିସ୍ଥ ଅଧିକାରୀଙ୍କୁ ଏ ସମ୍ପର୍କରେ ଭ୍ରମିତ କରାଯାଇ ପ୍ରତିବାଦ କରୁଥିବା ତଳିଆ ମହିଳା କର୍ମକର୍ତ୍ତୀଙ୍କୁ ଓଲଟି ଏସବୁ ଆର୍ଥିକ ବାଟମାରଣାରେ ଜଡିତ ବ୍ଳକ୍ ରୁ ଜିଲ୍ଲାସ୍ତରର ଅଧିକାରୀଙ୍କର ମିଳିତ ପକ୍ଷପାତର ଶିକାର ହେବାକୁ ପଡିଛି । ଏଇ ଯୋଜନାରେ କୋଟି କୋଟି ଟଙ୍କାର ଋଣପ୍ରଦାନ , ଗୃହ ନିର୍ମାଣ , ବିଭିନ୍ନ ପ୍ରକଳ୍ପ ଚାଲିଛି । କୁଆଡେ ବଟି ନ ଛିଣ୍ଡିଲେ ଆକାଉଣ୍ଟରେ ଟଙ୍କା ପଡେନାହିଁ !
ଏହି ପ୍ରକାଶିତ ଖବର ଅନୁଯାୟୀ , ବିଏଲସି ସତ୍ୟପ୍ରିୟ ବେହେରା କେତେକ ଏସଏଚଜିର ସଭାନେତ୍ରୀ ଓ ସମ୍ପାଦିକାଙ୍କୁ ହାତବାରିସୀ କରି ଓ କେତେକ ସିଆରପିଙ୍କୁ ମଧ୍ୟ ହାତରେ ରଖି ସେମାନଙ୍କ ଜରିଆରେ ବିପିଏମ ଓ ଅନ୍ୟାନ୍ୟ ଉପରିସ୍ଥ ଅଧିକାରୀଙ୍କ ସହ ମିଶି ବିଭିନ୍ନ ଋଣ ପ୍ରଦାନ , ପାଣ୍ଠି , ନିଯୁକ୍ତି , ମିଟିଂ ଆଦି ଖର୍ଚ୍ଚବାର୍ଚ୍ଚରୁ ବାଟମାରଣାରେ ଜଡିତ ରହିଆସିଛନ୍ତି । ଏପରିକି ବ୍ଲକ୍ ରେ ସିଆରପି ନିଯୁକ୍ତିରେ ସେ ଜଣପିଛା ୨୦ରୁ ୨୫ ହଜାର ଟଙ୍କା ଲେଖାଏଁ ଉତ୍କୋଚ ନେଇଥିବା ଓ ଏମବିକେ , ସିଆରପି , ବ୍ୟାଙ୍କମିତ୍ର , ପ୍ରାଣୀମିତ୍ର , କୃଷିମିତ୍ର ପ୍ରମୁଖଙ୍କର ବର୍ଦ୍ଧିତ ଦରମାର ଏରିଅରରୁ ତାଙ୍କର ଲକ୍ଷ ଲକ୍ଷ ଟଙ୍କା ବହୁଳ ଖର୍ଚ୍ଚକରି ବିବାହବେଳେ ପ୍ରତ୍ୟେକଙ୍କ ଠାରୁ ୫ ହଜାର ଟଙ୍କା ଲେଖାଏଁ ଅସୁଲ କରିଥିବା ଏବଂ ଏକଦା ତାଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ଥିବାବେଳେ ଏବେ ସେ କାର୍ , ସିମେଣ୍ଟଛଡ ଦୋକାନ ଓ କୋଠାଘରଦ୍ବାରର ମାଲିକ ହୋଇଯାଇଥିବା ଉକ୍ତ ଅଭିଯୋଗରୁ ପ୍ରକାଶ । ଏସବୁ ଗଣମାଧ୍ୟମରେ ପ୍ରକାଶ ପାଇବାରୁ ସେ ବିଚଳିତ ହୋଇ ପଡିଥିବା କୁହାଯାଉଛି ।
ଏପରିକି ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାରୁ ଏହି ବ୍ଲକ୍ ର ଜଣେ ବିଏଲସି ସତ୍ୟପ୍ରିୟ ବେହେରାଙ୍କ ପକ୍ଷରୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରିବର୍ତ୍ତେ ଜଣେ ଏମବିକେଙ୍କୁ ଏଥିପାଇଁ ଦାୟୀ କରାଯାଇ ଅଦାଲତରେ ମାମଲା ଋଜୁ କରିବାକୁ ଓକିଲ ନୋଟିସ୍ ପଠାଯାଇଛି ।
ଅଭିଯୋଗରୁ ପ୍ରକାଶ ଯେ , ବଙ୍ଗୋମୁଣ୍ଡା ବ୍ଲକ୍ ର ଓଏଲଏମରେ ଗତ ୨୦୧୮ରୁ ବିଏଲସି ଥିବା ଜଣେ ସ୍ଥାନୀୟ ଯୁବକ ସତ୍ୟପ୍ରିୟ ବେହେରାଙ୍କ ଦ୍ବାରା ଯାବତୀୟ ଆର୍ଥିକ ବାଟମାରଣା କରାଯାଇ ଆସୁଥିବା ଓ ଏହାର ପ୍ରତିବାଦ କରିବାରୁ ମୁଣ୍ଡପଦର ଏମବିକେଙ୍କ ବିରୁଦ୍ଧରେ ଉପରିସ୍ଥ ଅଧିକାରୀଙ୍କ ଠାରେ ଅହେତୁକ ଅଭିଯୋଗ କରାଯାଇ ତାଙ୍କର ଗତବର୍ଷ ଅକ୍ଟୋବରରୁ ଦରମା ବନ୍ଦ କରିଦିଆଯାଇଛି । ତାଙ୍କର କୌଣସି ଆର୍ଥିକ କ୍ଷମତା ନଥିବା ବେଳେ ତାଙ୍କୁ ଉକ୍ତ ପଞ୍ଚାୟତ ବା ଜିପିଏଲଏଫ୍ ର ଏସ୍ ଏଚ୍ ଜି ର ମହିଳା ସଦସ୍ୟାମାନେ ଋଣ ନେଇ ସୁଝି ନଥିବା ସକାଶେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଏଲସି ଲାଗି ପଢିଛନ୍ତି ବୋଲି ଉକ୍ତ ଏମବିକେ ଚନ୍ଦ୍ରିକା ସଗରିଆ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ , ତାଙ୍କ ଜିପିଏଲଏଫ୍ ର କଣ ଓ କିପରି ଆର୍ଥିକ ଅନିୟମିତତାରେ ତାଙ୍କୁ ଦାୟୀ କରାଯାଇଛି , ସେ ସମ୍ପର୍କରେ କେବେ କେହି ତାଙ୍କୁ ଏଯାବତ୍ ହିସାବପତ୍ର ମାଗି ନାହାଁନ୍ତି । ସେ ଜଣେ ଉଚ୍ଚଶିକ୍ଷିତା ଓ ପୂର୍ବରୁ ବିଭାଗର ଉଲ୍ଲେଖନୀୟ କାମ ନିମନ୍ତେ ପୁରସ୍କାର ପାଇଛନ୍ତି । ସେ ମଧ୍ୟ ବଲାଙ୍ଗୀର ଡିପିଏମ ପ୍ରମୁଖଙ୍କୁ ଭେଟି ଫି ଲ୍ ଡକୁ ଆସି ପ୍ରକୃତ ସ୍ଥିତି ତଦାରଖ କରିବାକୁ ଅନୁରୋଧ କରିଥିଲେ । ତେବେ ଉକ୍ତ ବିଏଲସିଙ୍କ ମିଥ୍ୟାଅଭିଯୋଗର ଗତବର୍ଷ ଏପ୍ରିଲରେ ଏକ ବ୍ଲକ୍ ସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇ ତଦନ୍ତ କରାଯାଇଥିଲା ଓ ଏହି ତଥାକଥିତ ଅଭିଯୋଗ ଓ ପକ୍ଷପାତ ତଦନ୍ତରିପୋର୍ଟ ଆଧାରରେ ତାଙ୍କୁ ଓ ତାଙ୍କୁ ସମର୍ଥନ କରୁଥିବା ୪ ଜଣ ସିଆରପିଙ୍କୁ ଅଦ୍ୟାବଧି ବହିଷ୍କାର ନୋଟିସ୍ ଜିପିଏଲଏଫ୍ ଜରିଆରେ ପଠାଯାଇଛି । ଏହା ସମ୍ପୂର୍ଣ୍ଣ ରୂପେ ଅନ୍ୟାୟୋଚିତ ଓ ଆବଶ୍ୟକ ସ୍ଥଳେ ସେ ଏହା ବିରୋଧରେ ଆଇନ ଅଦାଲତର ଆଶ୍ରୟ ନେବାକୁ ବାଧ୍ୟ ହେବେ ବୋଲି ପ୍ରକାଶ କରିଛନ୍ତି ।
ଏ ସମ୍ପର୍କରେ ବଲାଙ୍ଗୀର ଭାରପ୍ରାପ୍ତ ଡିପିଏମ ସୁମନ ଦ୍ବିବେଦୀ , ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ , ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ପ୍ରଭାତ କୁମାର ମହାପାତ୍ର ଓ ଓଏଲଏମ ଏପିଡି ସୁମିତ୍ରା ସ୍ବାଇଁ , ବଙ୍ଗୋମୁଣ୍ଡା ବିଡିଓ ବାସନ୍ତୀ ସେଠୀ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଡିପିଏମ ଚଳିତ ମାସ ଶେଷସୁଦ୍ଧା ବଙ୍ଗୋମୁଣ୍ଡା ବ୍ଲକ୍ କୁ ଯାଇ ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟ ପକ୍ଷରେ ଏ ସମ୍ପର୍କରେ ପଚାରିବାରୁ ବିପିଏମ ବିଜୟ ବେହେରା ଉକ୍ତ ଏମବିକେଙ୍କ ବିରୁଦ୍ଧରେ ୧୨ /୧୩ ଲକ୍ଷ ଟଙ୍କାର ହିସାବ ଦେଉ ନଥିବା କହିଥିବା ଓ ବିଏଲସି ସତ୍ୟପ୍ରିୟ ବେହେରା ଏଭଳି ଅଭିଯୋଗକୁ ଅସ୍ବୀକାର କରନ୍ତି । ମୁଣ୍ଡପଦର ଏମବିକେ ଚନ୍ଦ୍ରିକା ସଗରିଆ କହିଲେ ଯେ , ମୋର ବା ବହିଷ୍କାର ନୋଟିସ୍ ପାଇଥିବା ସିଆରପିଙ୍କର କୌଣସି ଆର୍ଥିକକ୍ଷମତା ନଥିବା ବେଳେ ଗାଇଜଲାଇନରେ ମଧ୍ୟ କୌଣସି ପ୍ରକାରର ଏସ୍ ଏଚ ଜିଙ୍କର ଋଣ ପରିଶୋଧ ଇତ୍ୟାଦି ନିମନ୍ତେ ଆମକୁ ଦାୟୀ କରାଯାଇ ପାରିବ ବୋଲି ନିୟମ ନାହିଁ । ଆମେ କୌଣସିପ୍ରକାରର ଆର୍ଥିକ ଅନିୟମିତତାରେ ସମ୍ପୃକ୍ତ ନୋହୁଁ । ଏହା କେବଳ ଆମ ଉପରେ ପ୍ରତିଶୋଧ ସୁଝାଇବାକୁ ବିଏଲସିଙ୍କ ଏକ ସୁନିୟୋଜିତ ମିଥ୍ୟା ଆରୋପ ଓ ଷଡଯନ୍ତ୍ର । ଏଣୁ ଆମେ ଏଭଳି ଅନ୍ୟାୟ ଆଗରେ ମୁଣ୍ଡ ନୋଇଁବାର ପ୍ରଶ୍ନ ଉଠୁନାହିଁ ।

ତେବେ ଜିଲ୍ଲାସ୍ତରରେ ଗତବର୍ଷଠାରୁ ଅଦ୍ୟାବଧି ଏହାର କୌଣସି ନିରପେକ୍ଷ ତଦନ୍ତ ସୁଦ୍ଧା ହେଉ ନଥିବାରୁ ଏ ସମ୍ପର୍କରେ ଭୁବନେଶ୍ବର ଓଏଲଏମର ଉପ- ନିର୍ଦ୍ଦେଶକ ଅମ୍ବିକା ପ୍ରସାଦ ଦାଶ , ସଚିବ ବିଶାଳ ଭରଦ୍ବାଜ ଓ ସଂପ୍ରତି ଏହା ଉପ-ମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ପ୍ରମୁଖ ଙ୍କ ଅଧୀନରେ ଥିବାରୁ ଏହାକୁ ଭାତହାଣ୍ଡିରୁ ଗୋଟିଏ ଭାତ ଚିପିବା ନ୍ୟାୟରେ ସମଗ୍ର ରାଜ୍ୟରେ ଏହା ଭିତରେ କଣ ଚାଲିଛି , ଏକ ଉଚ୍ଚସ୍ତରୀୟ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଗଲେ ଅସଲ ଚିତ୍ର ସାମ୍ନାକୁ ଆସିବ ବୋଲି ଲୋକେ ଆଲୋଚନା କରୁଛନ୍ତି । ବଲାଙ୍ଗୀର ଜିଲ୍ଲାର ବଲାଙ୍ଗୀର ସଦରରେ ଥିବା ଜଣେ ବିପିଏମଙ୍କର ଗୁଡଭେଲାବ୍ଲକ୍ କୁ ବଦଳି ହୋଇଛି ଓ ତାଙ୍କ ବିରୋଧରେ ଜନପ୍ରତିନିଧିଙ୍କର ଅଭିଯୋଗ ରହିଥିବା ସେ ପ୍ରକାଶ କରନ୍ତି । ଅନ୍ୟାନ୍ୟ ବ୍ଲକ୍ ରେ ମଧ୍ୟ କଣ ଚାଲିଛି , ତଦନ୍ତ ସାପେକ୍ଷ । ତେବେ ସୋନପୁର , କଳାହାଣ୍ଡି , ବରଗଡ , ନୂଆପଡା , ବୌଦ୍ଧ ଆଦି ଜିଲ୍ଲାର ଓଏଲଏମରେ ମଧ୍ୟ ସମାନ ଅଭିଯୋଗର ସୂଚନା ମିଳିଛି । ଉଲ୍ଲେଖନୀୟ ଯେ କେନ୍ଦ୍ରାପଡାରେ ମଧ୍ୟ ସେଠାକାର ଅଧିକାରୀଙ୍କ ବିରୋଧରେ ମହିଳାମାନେ ଅଫିସ୍ ସମ୍ମୁଖରେ ଧାରଣା ଦେଇଥିବା ଖବରରୁ ପ୍ରକାଶ ।
ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ସମେତ କେତେକ ବିପିଏମ , ବିଏଲସିଙ୍କ ବଦଳି କରାଯିବ ବୋଲି ସୂଚନା ମିଳିଛି । ପ୍ରକୃତପକ୍ଷେ ଏହି ଯୋଜନାଟି ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଉଦ୍ଦିଷ୍ଟ ଥିବାବେଳେ , ଜଣେ ଅଭିଯୁକ୍ତ ବିଏଲସିଙ୍କ ଅପପ୍ରରୋଚନାରେ ମହିଳା ଏମବିକେ ଓ ସିଆରପିଙ୍କୁ ସେମାନଙ୍କର କୌଣସି ଆର୍ଥିକ କ୍ଷମତା ନଥିବା ବେଳେ ଏପରି ଅପମାନଜନକ ଭାବରେ ବାହାର କରିଦେବା କ୍ଷୋଭ ଓ ଘୋର ପରିତାପର ବିଷୟ ବୋଲି ଲୋକେ ଆଲୋଚନା କରୁଛନ୍ତି । ଏଣୁ ପ୍ରଥମେ ଜିଲ୍ଲାପାଳ ଏହାକୁ ଉପରଠାଉରିଆ ଭାବରେ ଉପରୋକ୍ତ ଦୀର୍ଘଦିନ ଧରି ଚେର ମାଡି ରହିଥିବା ଅଧିକାରୀଙ୍କ କାନକୁହା ଓ ଭ୍ରମାତ୍ମକ ରିପୋର୍ଟକୁ ବିଶ୍ବାସ ନକରି ପ୍ରକୃତ ତଥ୍ୟ ଜାଣିବାକୁ ବଙ୍ଗୋମୁଣ୍ଡା ଓଏଲଏମରେ ଯାଇ ପ୍ରତ୍ୟେକ୍ଷ ତଦନ୍ତ କରିବାକୁ ଲୋକେ ଆହ୍ବାନ କରନ୍ତି ।