ଅଫିସ ଭିତରେ , ଘରୁ ଟାଣିଆଣି , ରାସ୍ତାରେ ଘୋଷାଡି , ଥାନା ସମ୍ମୁଖରେ ରକ୍ତାକ୍ତ କରି ମରଣାନ୍ତକ ମାଡ
ଖପ୍ରାଖୋଲ / ବଲାଙ୍ଗୀର/ ଭୁବନେଶ୍ବର : ରାଜ୍ୟରେ ଭାଜପା ସରକାର ଆସିଲାପରେ ଏବଂ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ବିଧାୟକ ଉପମୁଖ୍ୟମନ୍ତ୍ରୀ ହେଲାପରେ ମୁଖ୍ଯତଃ କନକ ବର୍ଦ୍ଧନ ସିଂହଦେଓଙ୍କ ନିର୍ବାଚନ ମଣ୍ଡଳୀର ଖପ୍ରାଖୋଲ ବ୍ଳକ ଅଞ୍ଚଳରେ ତାଙ୍କ ଦଳୀୟନେତା ବନାମ ଗୁଣ୍ଡାଙ୍କର ଆତଙ୍କରାଜ ବୃଦ୍ଧି ପାଇଛି । ଏହି ଅସାମାଜିକ ବ୍ୟକ୍ତିଙ୍କ ଦ୍ବାରା ପଞ୍ଚାୟତିରାଜ, ଜଳସମ୍ପଦ, ପୂର୍ତ୍ତ , ରାସ୍ତା ଓ ଗୃହନିର୍ମାଣ ଓ ଅନ୍ଯାନ୍ଯ ବିଭାଗ ଗୁଡିକରେ ଅଧିକାରୀ ଓ ଯନ୍ତ୍ରୀଙ୍କୁ ଆତଙ୍କିତ କରି ବିଭିନ୍ନ ସରକାରୀ ଯୋଜନାର ବାଟମାରଣା କରିବାକୁ କୋଟି କୋଟି ଟଙ୍କାର ମିଥ୍ୟାବିଲ୍ କରାଯାଉଛି । ଏଥିରେ ସିଧାସଳଖ ଉପମୁଖ୍ୟମନ୍ତ୍ରୀ ଓ ତାଙ୍କ ସାଂସଦପତ୍ନୀ ବଲାଙ୍ଗୀର ଲୋକସଭା ସାଂସଦ ସଂଗୀତା ସିଂହଦେଓଙ୍କ ସମର୍ଥନ ରହୁଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । ନିକଟରେ ଖପ୍ରାଖୋଲରେ ଘଟିଥିବା ଏକ ଅପରାଧ ଘଟଣାରୁ ଏହା ସ୍ପଷ୍ଟ । ଏ ସମ୍ପର୍କରେ ବିଧାନସଭାରେ ମଧ୍ଯ ବିରୋଧୀଦଳର ବିଜେଡି ବିଧାୟକ ବ୍ୟୋମକେଶ ରାୟ ପ୍ରଶ୍ନ ଉପସ୍ଥାପନ କରିଛନ୍ତି ।
ପୁଲିସ ରଖିଲାନି ଏତଲା : ଓଲଟି ଅଭିଯୁକ୍ତ ପକ୍ଷରୁ ମିଥ୍ୟାମାମଲା !
ଘଟଣାରୁ ପ୍ରକାଶ ଯେ ଗତ ୨୮ ତାରିଖ ଦିନ ପ୍ରାୟ ଅଢେଇଟା ବେଳେ ଖପ୍ରାଖୋଲ କ୍ଷୁଦ୍ରଜଳସେଚନ ଉପଖଣ୍ଡର ଜଣେ କନିଷ୍ଠଯନ୍ତ୍ରୀ ଲୋହିତ କିଶୋର ବଳଙ୍କୁ ପାଣି ପଞ୍ଚାୟତ ଓ ଅନ୍ଯାନ୍ଯ କାମର ମିଥ୍ୟାବିଲ୍ ନ କରିବାରୁ ଓ ବଟି ଦାବିକରି ନ ଦେବାରୁ ସ୍ଥାନୀୟ ମହୁରୁଣ୍ଡି ଗ୍ରାମ ନିବାସୀ ସାହାଜପାଣି ସମିତିସଭ୍ଯ ଉପେନ୍ଦ୍ର ଭୋଇ ନିଜ ଧଳା ସ୍କୋର୍ପିଓ ଗାଡିରେ ସହଯୋଗୀ ଗୁର୍ଜିଭଟା ଗ୍ରାମର ଅସାମାଜିକ ଯୁବକ ଗୋପାଳ ସାହୁ ଓ ଅନ୍ଯମାନଙ୍କ ନେଇ ଯାଇ ଅଫିସ ଭିତରେ ପଶି ପ୍ରଥମେ ମହାରାଜ ବନାମ ଉପମୁଖ୍ୟମନ୍ତ୍ରୀଙ୍କ ନାଁ’ ଧରିଏକ ବେଆଇନ ବିଦେଶୀ ପିସ୍ତଲ ଦେଖାଇ ଜୀବନରେ ମାରିଦେବାକୁ ଧମକ ଦେବା ସହ ମାଡ ମାରିଥିଲେ । ମାଡଖାଇ ଉକ୍ତ ଜେଇ ନିକଟସ୍ଥ ଖପ୍ରାଖୋଲ ଥାନାକୁ ଯିବା ପୂର୍ବରୁ ଥାନାଧିକାରୀ ଥିବା ନରେନ୍ଦ୍ର ଛତର ଜେଇଙ୍କୁ ଫୋନ୍ ରେ ତାଙ୍କୁ ଭୟଭୀତ କରାଇ ଥିବା ଓ ତଥାପି ଉକ୍ତ ଜେଇ ଜଣକ ପ୍ରାୟ ଦୁଇଶହ ମିଟର ଦୂରରେ ଅବସ୍ଥିତ ଥାନାକୁ ଯାଇ ଅଭିଯୋଗ କରିବାରୁ ଥାନାଧିକାରୀ ତାଙ୍କ ଅଭିଯୋଗ ଶୁଣି ନଥିଲେ ଓ ‘ ସେମାନେ କ୍ରିମିନାଲ୍ , ପଲିଟିକାଲ୍ ଲୋକ ‘ ବୋଲି କହି ଥାନାରୁ ପଳାଇ ଥିଲେ ।
ଏହାପରେ ଉକ୍ତ ଜେଇ ଜଣକ ବସାକୁ ଖାଇବାକୁ ଯିବାରୁ ଅଭିଯୁକ୍ତ ଉପେନ୍ଦ୍ର ଭୋଇ ଗୋପାଳ ଓ ଦଳବଳ ସହ ସେଠାକୁ ପହଞ୍ଚି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ସେ ରହୁଥିବା ବ୍ଲକର ଜଣେ ସାଙ୍ଗ ବ୍ଲକ୍ ର ଜେଇ ମେହେରଙ୍କ ସାମ୍ନାରେ ‘ ଥାନାକୁ କାହିଁକି ଯାଇଥିଲୁ ? ‘ ବୋଲି ଧମକ ଦେଇ ଘର ଭିତରୁ ଟାଣିଆଣି ରାସ୍ତାଉପରେ ନିସ୍ତୁକ ମାଡ ମାରିଥିଲେ । ରାସ୍ତା ଉପରେ କନିଷ୍ଠଯନ୍ତ୍ରୀ ଜଣକ ଚେତାଶୂନ୍ଯ ହୋଇ ପଡିଗଲାପରେ ଓ କିଛିସମୟ ପରେ ଚେତାଶୁନ୍ଯ ଫେରିବାପରେ ପୁଣି ଉଠାଇ ମରଣାନ୍ତକ ମାଡ ମାରିଥିଲେ । ଏପରିକି ଥାନାସମ୍ମୁଖସ୍ଥ ରାସ୍ତାରେ ନେଇ ତାଙ୍କ ଅଫିସରେ ବସାଇ ଥିଲେ । କନିଷ୍ଠଯନ୍ତ୍ରୀ ଜଣକ ଅତିଶୟ ଭୟଭୀତ ହୋଇପଡି ସେମାନଙ୍କ ଗୋଡତଳେ ପଡି ପ୍ରାଣଭିକ୍ଷା କରିବା ସହିତ ରଖିଥିବା ଅଙ୍ଗୁର ସେଓ କଦଳୀ ଇତ୍ୟାଦି ଫଳମୂଳ ବାହାରକରି ଖାଇବାକୁ ଅନୁରୋଧ କରିଥିଲେ । ପ୍ରବଳମାଡରେ ତାଙ୍କର ମୁହଁ , କାନ ଓ ନାକ ଫାଟି ରକ୍ତସ୍ରାବ ହୋଇ ପିନ୍ଧିଥିବା ସାର୍ଟ ଭିଜିଯାଇଥିବାରୁ ଅଭିଯୁକ୍ତ ଉପେନ୍ଦ୍ର ପାଖ ଦୋକାନରୁ ଏକ ଗଞ୍ଜି କିଣି ଅଣାଇ ଯୋରଜବରଦସ୍ତି ପିନ୍ଧାଇ ଡାକ୍ତରଖାନାକୁ ନେବାକୁ ଉଦ୍ୟମ କରିଥିଲା । ଏହାପରେ ତାଙ୍କୁ ତା’ ଗାଡିରେ ବସାଇ ପାଟଣାଗଡ ବାଟଦେଇ ବଲାଙ୍ଗୀର ଦେଇ ଘରକୁ ପଳାଇଯିବାକୁ ପରାମର୍ଶ ଦେଇଥିଲା । ଗାଡି ଭିତରେ ଗୁରୁତର ଆଘାତପ୍ରାପ୍ତ ଜେଇ ଜଣକ ବାନ୍ତି କରି ପକାଇବାରୁ ଓ ସେ ମାଡରେ ତାଙ୍କ ଚଷମା ଭାଙ୍ଗିଯାଇଥିବାର ବାହାନା କରି କୌଣସିମତେ ଆକ୍ରମଣକାରୀଙ୍କ କବଳରୁ ଖସି ଆସି ଲୁଚି ବସ୍ ରେ ବଲାଙ୍ଗୀର ପହଞ୍ଚିଥିଲେ । ଏସ୍.ଡି ଓଙ୍କୁ ଅନୁରୋଧ କରି ବଲାଙ୍ଗୀର ବିଭାଗୀୟ ବଙ୍ଗଳାରେ ରହି ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଭେଟି କାନ୍ଦି କାନ୍ଦି ସବୁ ଘଟଣା କହିଥିଲେ । କିନ୍ତୁ ବଲାଙ୍ଗୀର କ୍ଷୁଦ୍ର ଜଳସେଚନ ଅଧୀକ୍ଷଣ ଯନ୍ତ୍ରୀ ରବୀନ୍ଦ୍ର କୁମାର ସେଠୀ ଓଲଟି ତାଙ୍କୁ ସହାନୁଭୂତି ଜଣାଇବା ପରିବର୍ତ୍ତେ ଅଭିଯୁକ୍ତଙ୍କ କଥା ମାନିନେବାକୁ ପରାମର୍ଶ ଦେଇଥିବା ପ୍ରକାଶ ! ( ଏଥରୁ ଚଳିତ ମାର୍ଚ୍ଚମାସ ବିଲ୍ ରେ ରାଜନୈତିକ ଚାପରେ ଏହି ବିଭାଗରେ କେତେ ମିଥ୍ୟାବିଲ୍ ହୋଇଥିବ ତଦନ୍ତ ସାପେକ୍ଷ ।)

ଏହାପରେ ଉକ୍ତ ପୀଡିତ କନିଷ୍ଠ ଯନ୍ତ୍ରୀ ଜଣକ ବଲାଙ୍ଗୀର ଏସ୍ ପି ଅଫିସ୍ କୁ ଯାଇ ଖପ୍ରାଖୋଲ ଥାନାଧିକାରୀ ତାଙ୍କ ଏତଲା ରଖି ନଥିବା ଅଭିଯୋଗ କରିଥିଲେ । ଉଲ୍ଲେଖଯୋଗ୍ଯ ଯେ , ସମ୍ଭବତଃ ଅଭିଯୁକ୍ତ ଜଣକ ଉପମୁଖ୍ୟମନ୍ତ୍ରୀଙ୍କ ଲୋକ ହୋଇଥିବା ଜାଣିପାରି ନିକଟରେ ଯୋଗଦେଇଥିବା ନୂତନ ଯୁବ ଆଇପିଏସ୍ ଏସ୍ ପି ଅଭିଳାଷ ଜୀ ଅଫିସ୍ ରେ ଉପସ୍ଥିତ ଥିଲେ ହେଁ , ଉକ୍ତ ପୀଡିତ ଜେଇଙ୍କୁ ନିଜେ ଦେଖା ନକରି ଅଧସ୍ତନ ଅଧିକାରୀଙ୍କ ଦ୍ବାରା ବଲାଙ୍ଗୀର ଟାଉନ ଥାନାକୁ ପଠାଇ ଦେଇଥିଲେ ! ଶେଷରେ ବଲାଙ୍ଗୀର ଟାଉନଥାନାରେ ଏହି ମାମଲାଟି ଋଜୁ ହୋଇଥିଲା । ଉକ୍ତ କନିଷ୍ଠଯନ୍ତ୍ରୀଙ୍କ ପକ୍ଷରୁ ହ୍ବାଟ୍ସ ଆପ୍ ରେ ସ୍ଥାନୀୟ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା। କୁଆଡେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ତାଙ୍କୁ ମୃଦୁ ଧମକ ଦେଇ ପଚାରିଥିଲେ ଯେ ‘ ସତ କହୁଛ ତ ? ନହେଲେ ଭିତରେ ଭରିଦେବି ! ‘ ଏ ସମ୍ପର୍କରେ ତାଙ୍କର ମତାମତ ମିଳିପାରିନାହିଁ । ଏହାପରେ ଯାଇ ଏତଲାକାରୀଙ୍କୁ ତାଙ୍କ ଏତଲାର ନକଲ ଥାନାରୁ ମିଳିପାରିଥିବା ପ୍ରକାଶ । ପରେ ଉକ୍ତ ମାମଲାଟି ଖପ୍ରାଖୋଲ ଥାନାକୁ ପଠାଇ ଦିଆଯାଇଥିଲା । ସେଠାରେ ଏହା ଗ୍ରହଣ କରାଯାଇ ଋଜୁ ହୋଇଥିବା ପ୍ରକାଶ।
ଅପରପକ୍ଷରେ ଖପ୍ରାଖୋଲ ଥାନାରେ ଓଲଟା ଉକ୍ତ ପୀଡିତ ଜେଇଙ୍କ ବିରୋଧରେ ଅଭିଯୁକ୍ତ ଉପେନ୍ଦ୍ର ଭୋଇର ଏକ ମିଛ ଏତଲାକୁ ଭିତ୍ତିକରି ପୁଲିସ ଏକ କାଉଣ୍ଟର କେସ୍ ଋଜୁ କରି ଏହି ଗୁରୁତର ମାମଲାଟିକୁ ଆଇନର ଫନ୍ଦିରେ ଛନ୍ଦି ଅହେତୁକ ବିଭ୍ରାନ୍ତ କରିବାକୁ ଅପଚେଷ୍ଟା କରିଛି । ଏହାକୁ ଭିତ୍ତିକରି କେତେକ ସ୍ଥାନୀୟ ସାମ୍ବାଦିକ ମଧ୍ଯ ସବୁ ଜାଣିଶୁଣି ଦ୍ବନ୍ଦାତ୍ମକ ବିବାଦୀୟ ଖବର ପରିବେଷଣ କରିଛନ୍ତି । ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତର ଓ ପାଟଣାଗଡ ଏସ୍ ଡିପିଓ ସଦାନନ୍ଦ ପୂଜାରୀଙ୍କର ଏହି ମାମଲାରେ ପକ୍ଷପାତ କାର୍ଯ୍ୟାନୁଷ୍ଠାନର ଭୂମିକା ସମୀକ୍ଷାସାପେକ୍ଷ ।
ଏଠାରେ ଉଲ୍ଲେଖଯୋଗ୍ଯ ଯେ , ଅଭିଯୁକ୍ତ ଉପେନ୍ଦ୍ର ଭୋଇ କିଛିବର୍ଷ ପୂର୍ବରେ ଖପ୍ରାଖୋଲ ତହସିଲଦାରଙ୍କୁ ମଧ୍ଯ ଅଫିସ ଭିତରୁ ଟାଣିଆଣି ଆକ୍ରମଣ କରି ଗିରଫ ହୋଇଥିଲା । ଏହି ଘଟଣାର ତା’ର ସହଯୋଗୀ ଅଭିଯୁକ୍ତ ଗୋପାଳ ସାହୁ ମଧ୍ଯ ଜଣେ ଅପରାଧୀର ଯୁବକ ଓ ତା’ର ମାନସମ୍ମାନକୁ ଥିବା କୁହାଯାଇଥାଏ । ଖପ୍ରାଖୋଲ ଅଞ୍ଚଳଟି ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ସରକାର ଏହି ଦିଗ ପ୍ରତି ଦୃଷ୍ଟିଦେବା ଆବଶ୍ୟକ ।
ଖପ୍ରାଖୋଲ ଅଞ୍ଚଳରେ ଘଟଣାଟି ବିଭିନ୍ନ ଗଣମାଧ୍ୟମ ଓ ଲୋକମୁଖରେ ଚର୍ଚ୍ଚାର ବିଷୟ ହୋଇପଡିବା ପରେ ପାଟଣାଗଡ ପୂର୍ବତନ ବିଧାୟକ ସରୋଜ ମେହେର ନିଜ ବିଜେଡି ସମର୍ଥକଙ୍କ ଯାଇ ଖପ୍ରାଖୋଲ ଥାନାଧିକାରୀଙ୍କ ସହ ଆଲୋଚନା ପୂର୍ବକ କନିଷ୍ଠ ଯନ୍ତ୍ରୀଙ୍କୁ ଅଫିସ ଭିତରେ ବନ୍ଧୁକ ଧରି ଏଭଳି ଆକ୍ରମଣ କରିବା ଓ ପୁଲିସ ର ପକ୍ଷପାତିତା ବିରୁଦ୍ଧରେ ଥାନାଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦେଇ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନଗଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ।
ଏହି ଘଟଣାରେ ପୁଲିସର ପକ୍ଷପାତିତାର ଆଉ ଏକ ପ୍ରମାଣ ମିଳିଛି । ମାମଲାରେ ବନ୍ଧୁକ ଦେଖାଇବାର ଓ ଅନ୍ଯାନ୍ଯ ଗୁରୁତର ଦଫା ଉଲ୍ଲେଖ ଥିବା ସତ୍ତ୍ବେ ତଦନ୍ତକାରୀ ପୁଲିସ ଅଧିକାରୀଙ୍କ ଦ୍ବାରା ଏଭଳି ଅଭିଯୁକ୍ତଙ୍କୁ ଥାନାରୁ ପି ଆର୍ ବଣ୍ଡରେ ଜାମିନରେ ଛାଡି ଦିଆଯାଇଥିବା ଶୁଣାଯାଇଛି । ଗଣମାଧ୍ୟମରେ ଅଭିଯୁକ୍ତ ଭୋଇ କନିଷ୍ଠଯନ୍ତ୍ରୀଙ୍କ ଅଭିଯୋଗକୁ ଅସ୍ୱୀକାର କରି କେତେବେଳେ ସେ ତାଙ୍କୁ ଚିହ୍ନି ନଥିବା , କାଉଣ୍ଟର ଅଭିଯୋଗରେ କନିଷ୍ଠଯନ୍ତ୍ରୀ ତାଙ୍କୁ ବାଇକ୍ ରୁ ଟାଣି ତଳେ ପକାଇଦେଇଥିବା ଉଲ୍ଲେଖ କରିଛନ୍ତି । ଏପରି ଏତଲାକୁ ଭିତ୍ତିକରି ଖପ୍ରାଖୋଲ ଥାନାରେ ଗତ ୩୦ ତାରିଖରେ ଏକ ପ୍ରତିମାମଲା ଋଜୁ କରାଯାଇଛି ।
ତେବେ ଗତ ୨୮ ତାରିଖର ଦିନ ପ୍ରାୟ ୩ ଟାରୁ ସାଢେ ୪ ଟା ପର୍ଯ୍ଯନ୍ତ ଖପ୍ରାଖୋଲ- ଲାଠୋର ରାସ୍ତାର ଇଲେକ୍ଟ୍ରିକ୍ ଅଫିସ, ଜେଇଙ୍କ ବସାଘର , ପେଟ୍ରୋଲ ପମ୍ପ, ବନବିଭାଗର ରେଞ୍ଜର ଅଫିସ, ଥାନା ଇତ୍ୟାଦିର ସିସିଟିଭି ଗୁଡିକୁ ଅଭିଯୁକ୍ତମାନେ ଧମକ ଦେଇ ଡିଲିଟ୍ କରିଦେଇଥିବା ପ୍ରକାଶ ।
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗୁହାରୀ
ଏଥିରୁ ମୁଖ୍ଯମନ୍ତ୍ରୀ ହେବାପୂର୍ବରୁ ତତ୍କାଳୀନ ବରିଷ୍ଠ ବିଧାୟକ ମୋହନ ଚରଣ ମାଝିଙ୍କୁ ଥାନାରେ ଥାନାଧିକାରୀଙ୍କ ଦୁର୍ବ୍ୟବହାର, ତାଙ୍କ ଶାସନକାଳରେ ବହୁଚର୍ଚ୍ଚିତ ଭରତପୁର ଥାନା ମାମଲା ଓ ରାଜ୍ଯର ସମସ୍ତ ଥାନାରେ ଏତଲା ରଖାଯିବା ବାଧ୍ୟତାମୂଳକ ବୋଲି ମୁଖ୍ଯମନ୍ତ୍ରୀଙ୍କ ନିର୍ଦ୍ଦେଶ କେତେଦୂର କାର୍ଯ୍ୟକାରୀ ହେଉଛି ଇତ୍ୟାଦି ସମୀକ୍ଷାସାପେକ୍ଷ ! ସର୍ବଶେଷ ଖବର ଅନୁଯାୟୀ , ଉକ୍ତ ପୀଡିତ କନିଷ୍ଠ ଯନ୍ତ୍ରୀଙ୍କ ପକ୍ଷରୁ ଗତ ୩ ତାରିଖରେ ଏ ସମ୍ପର୍କରେ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏକ ଦରଖାସ୍ତ ଦିଆଯାଇଛି ।
ସର୍ବୋପରି ଜଣେ ଉପମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ତାଙ୍କ ଅନୁଗତ ଜଣେ ଦଳୀୟନେତା ସରକାରୀ ଯୋଜନାର ମିଥ୍ୟାବିଲ୍ କରିବାକୁ ଏକ ସରକାରୀ ଅଫିସ ଭିତରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ହତ୍ୟା କରିବାକୁ ଧମକ ଦେବା , ଏକ ସମ୍ବେଦନଶୀଳ ମାଓ ଉପଦ୍ରୁତ ଅଞ୍ଚଳରେ ଚାଇନିଜ୍ ପିସ୍ତଲ ବ୍ୟବହୃତ ହେଉଥିବା , କେବଳ ଏଭଳି ଅସାମାଜିକ ବ୍ୟକ୍ତିମାନେ ଦଳୀୟନେତା ହୋଇଥିବା ଓ ସ୍ପଷ୍ଟ ଦିବାଲୋକରେ ସର୍ବସାଧାରଣଙ୍କ ସମ୍ମୁଖରେ ସଂଘବଦ୍ଧ ହୋଇ ଜଣେ ସରକାରୀ ଚାକିରିଆ ଇଞ୍ଜିନିୟରଙ୍କୁ ଘୋଷାଡି.ଘୋଷାଡି ମରଣାନ୍ତକ ମାଡମାରିବା ଏବଂ ଏସବୁ ଘଟିଥିବା ଥାନାର ଜଣେ ଦାୟିତ୍ବପୂର୍ଣ ଯୁବ ଶିକ୍ଷିତ ଥାନାଧିକାରୀ ଜାଣିଶୁଣି ରାଜନୈତିକ ଆଶଙ୍କାରେ ଏଭଳି ଆପରାଧିକ ସମ୍ବେଦନଶୀଳ ମାମଲାକୁ ଚପାଇ ବିଭ୍ରାନ୍ତ କରିବା ଅଭିଯୋଗ ଏହି ଡବଲଇଞ୍ଜିନ୍ ସରକାରଙ୍କ ସ୍ବରୂପ କି ?