କୋଠାବାଡି ଉ ଦ୍ ଘା ଟ ନ ଓ ପ୍ରସ୍ତାବିତ ଲାନ୍ଥର ଭିତ୍ତିପ୍ରସ୍ତର ସ୍ଥାପନ
ବଲାଙ୍ଗୀର : ‘ ବଲାଙ୍ଗୀର ଦିନ୍ ‘ ପାଳନର ଉ ଦ୍ ଯା ପ ନୀ ଦିବସରେ ଚଳିତ ଡବଲ୍ ଇଞ୍ଜିନ୍ ସରକାରଙ୍କର ପ୍ରଥମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ବଲାଙ୍ଗୀରକୁ ୮୯୦ ଟି ପ୍ରକଳ୍ପ ଭେଟି ଦେଇଥିବା ଓ ଏହାକୁ ଦାଦନ ସମସ୍ୟାର ସମାଧାନକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକତା ବୋଲି ବର୍ଣ୍ଣନା କରାଯାଇଛି । ମୁଖ୍ୟମନ୍ତ୍ରୀ ମଧ୍ୟ ଏହା କେବଳ ଡବଲଇଞ୍ଜିନ୍ ନୁହେଁ , ବରଂ ‘ଟ୍ରିପଲ୍ ଇଞ୍ଜିନ୍ ‘ ସରକାର ବୋଲି ଆଜି ସ୍ଥାନୀୟ ସର୍କିଟ୍ ହାଉସ୍ ଠାରେ ଅନୁଷ୍ଠିତ ସାମ୍ବାଦିକସମ୍ମିଳନୀରେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ତେବେ କାହାକୁ ଉପଲକ୍ଷ୍ୟ କରି ଆଉ ଏକ ଅଧିକଶକ୍ତି ବା ଟ୍ରିପଲ୍ଇଞ୍ଜିନ୍ କହିଲେ , ଲୋକେ ସମ୍ପୂର୍ଣ୍ଣ ସ୍ପଷ୍ଟଭାବେ ବୁଝି ପାରି ନଥିଲେ ହେଁ , ଅନ୍ୟତମ ଉପ- ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପାଞ୍ଚଥରର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କୁ ତାଙ୍କର ସେମାନଙ୍କୁ ‘ମହାରାଜ୍’ ଓ ‘ମହାରାଣୀ ‘ସମ୍ବୋଧନ କରିବାର ସ୍ତାବକତାରୁ ବୁଝୁଥିବା ଚର୍ଚ୍ଚା ହେଉଛି । ସେ ଯାହାହେଉ , ସର୍ବୋପରି ଏ ସରକାର ଅମଳରେ ବଲାଙ୍ଗୀରର ସର୍ବାଙ୍ଗୀନ ଉନ୍ନତି ବା ବିଜ୍ଞାପନ ଅନୁଯାୟୀ ତ୍ବରିତ ବିକାଶ ପଥେ ବଲାଙ୍ଗୀର ଜିଲ୍ଲା ବୋଲି ଜିଲ୍ଲାବାସୀ ଆଶାବାନ୍ ରହିଛନ୍ତି ।
ତେବେ ପୂର୍ବର କଂଗ୍ରେସ୍ ସରକାର ଓ ଦୀର୍ଘ ୨୪ ବର୍ଷର ବିଜେଡି ବନାମ ନବୀନ ସରକାର ପରେ ଏହି ମୋହନ ସରକାରର ଏଭଳି ଘୋଷଣା , ପ୍ରତିଶ୍ରୁତି , କେତୋଟି ପ୍ରକଳ୍ପର ଲୋକାର୍ପଣ ବା କେତୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନର ରାଜନୈତିକ ପ୍ରତିଦ୍ୱନ୍ଦିତାତ୍ମକ ଘୋଷଣାରେ ଲୋକେ କେତେ ଆସ୍ଥାବାନ୍ , ଭବିଷ୍ୟତ ତାହାର ଉତ୍ତର ଦେବ । ତେଣୁ ଲୋକଙ୍କ ସମାଲୋଚନା ଓ ସମୀକ୍ଷାରୁ ଯାହା ତର୍ଜମା ପ୍ରକାଶ ପାଇଛି , ତାହାକୁ ଭିତ୍ତିକରି ଗଣତନ୍ତ୍ରର ଚତୁର୍ଥସ୍ତମ୍ଭର ଭୂମିକାନୁଯାୟୀ ଆମର ଏ ପ୍ରତିବେଦନ ।
ଏଥିରେ ତୁଷୁରା ବଡଙ୍ଗୋମୁଣ୍ଡା ଠାରେ ଅବସ୍ଥିତ ପୁରାତନ ଏୟାର୍ ଷ୍ଟ୍ରିପ୍ ର ୬୫ କୋଟି ଟଙ୍କାରେ ୧୩୩୦ ମିଟରର ରନ୍ ଉଏର ନବୀକରଣର ଭିତ୍ତିପ୍ରସ୍ତର ସ୍ଥାପନ ହେଉ ବା ୮.୭୮ କୋଟି ଟଙ୍କାର ବଲାଙ୍ଗୀର ପୁରାତନ ସର୍କିଟ୍ ହାଉସ୍ କୋଠାର ୧୨ ଟି କୋଠରୀ ବିଶିଷ୍ଟ ନୂତନ ସୌଧନିର୍ମାଣର ଲୋକାର୍ପଣ ହେଉ , ନିର୍ଦ୍ଧାରିତ ସମୟରେ ସରିବାର ପ୍ରତିଶ୍ରୁତିର ପ୍ରାଥମିକ ବ୍ୟୟ ଅଟକଳର ୩୦୧ କୋଟିର ଅପର ଲାନ୍ଥ ଜଳସେଚନ ପ୍ରକଳ୍ପ ହେଉ ଅଥବା ବିଭିନ୍ନ ରାସ୍ତା ବା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଓ ବାଇପାସ୍ ରାସ୍ତାନିର୍ମାଣର ତାଲିକା ହେଉ ; ସେଗୁଡିକ କେବଠାରୁ କିଭଳି ଦାଦନ ସମସ୍ୟାର ସମାଧାନରେ ଉପଯୋଗୀ ହେବ , ଲୋକେ ବୁଝିପାରିଲେ ନାହିଁ !
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ , ଗତ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ବ କେନ୍ଦ୍ରସରକାରଙ୍କ ଅମଳରୁ ଏହି ପୁରାତନ ପ୍ରସ୍ତାବିତ ବେଲପଡା ଅଞ୍ଚଳର ଅପରଲାନ୍ଥ ଜଳସେଚନ ପ୍ରକଳ୍ପଟି ନିମନ୍ତେ ଏହି ସାମ୍ବାଦିକ ତତ୍କାଳୀନ ବଲାଙ୍ଗୀର ଜଳସେଚନ ବିଭାଗର ଇନ୍ ଭେଷ୍ଟିଗେସନ୍ ବିଭାଜନରୁ ସର୍ଭେ ତଥ୍ୟାଦି ସଂଗ୍ରହ କରି ଏକ ରିପୋର୍ଟ ପ୍ରକାଶ କରିବା ପରେ ପୂର୍ବତନ କେନ୍ଦ୍ର ଜଳସେଚନ ମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କ ଦ୍ବାରା ଲୋକସଭାରେ ଉପସ୍ଥାପିତ ହୋଇ ପ୍ରକଳ୍ପଟି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏତେଦିନପରେ ଏହି ପ୍ରକଳ୍ପର ମାତ୍ର ଭିତ୍ତିପ୍ରସ୍ତର ସ୍ଥାପନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସାଧନ ହେବାକୁ ତଥାପି ଆହୁରି ଅନେକ ଡେରି ! ସବୁ ସରକାର ନିଜ ନିଜର ଏଭଳି ପ୍ରକଳ୍ପ ସରିବାର ପ୍ରତିଶ୍ରୁତି ଦେଇଥା’ନ୍ତି । ଗତ ସରକାରଙ୍କର ଦୀର୍ଘ ୨୪ ବର୍ଷର ବଲାଙ୍ଗୀର ଲୋୟର୍ ସୁକତେଲ ପ୍ରକଳ୍ପ ଏହାର ଜ୍ବଳନ୍ତ ଉଦାହରଣ । ସେ ଯାହାହେଉ , ଏହି ସରକାର ଆସିବାର ପ୍ରାୟ ଛଅମାସ ମଧ୍ୟରେ ଏଥିପାଇଁ ଧ୍ୟାନଦେବା ଆଶ୍ବାସନାର ବିଷୟ ।
ଏ ସରକାର ଜିଲ୍ଲାର ଦାଦନ ସମସ୍ୟାର ସମାଧାନ ନିମନ୍ତେ ଟାକ୍ସଫୋର୍ସ ଗଠନ କରିଛନ୍ତି ଓ ଜିଲ୍ଲାର ସର୍ବାଧିକ ଦାଦନପ୍ରବଣ ବେଲପଡା , ଖପ୍ରାଖୋଲ , ପାଟଣାଗଡ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରହିଥିବାବେଳେ ଖୋଦ୍ ପାଟଣାଗଡର ବିଧାୟକ ତଥା ଉପମୁଖ୍ଯମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏହି ଟାସ୍କଫୋର୍ସର ଅଧ୍ୟକ୍ଷ ରହିଛନ୍ତି । ସେହିପରି ସଂଲଗ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ଲକ୍ଷ୍ମଣ ବାଗ ଜଣେ ପୂର୍ବତନ ଦାଦନସର୍ଦ୍ଦାର ବନାମ ତାଙ୍କ ନିଜଭାଷାରେ ‘ ଅନ୍ନଦାତା ‘ ବୋଲି ଲୋକଙ୍କ ଠାରୁ ପ୍ରକାଶ । ତେଣୁ ଏଇ ସମସ୍ୟାଟି ସମ୍ପର୍କରେ ଏ ସରକାର ଭଲଭାବରେ ଅବଗତ । ତେବେ ଏ ଦାଦନ ସମସ୍ୟାର ସମାଧାନ ଉଦ୍ୟମର ଘୋଷଣା ହେଲାବେଳକୁ ଜିଲ୍ଲାରୁ ଅଦ୍ୟାବଧି ଲକ୍ଷାଧିକ ଲୋକେ ଗାଁ’ ଛାଡି ଘରଦ୍ବାର ମୁହଁରେ କଣ୍ଟାତାଟି ଛାପି ବାହାରକୁ ପଳାଇ ରାଜ୍ୟବାହାର ସେଠ୍ ସର୍ଦ୍ଦାରଙ୍କ ଠାରୁ ବଇନା ଛିନି ପଳାଇ ଗଲେଣି । ତେଣୁ କେବେ ଓ କେଉଁମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏହାର ସମାଧାନ ପାଇଁ କି ପ୍ରାଥମିକତା ଦେଲେ ବୋଲି ଲୋକେ ପଚାରୁଛନ୍ତି ? କେବଠାରୁ ବଲାଙ୍ଗୀରାଦି ଜିଲ୍ଲାରୁ ଲୋକେ ଆଉ ବାହାରକୁ ଦାଦନ ଖଟିବାକୁ ଯିବେନାହିଁ , ସରକାର ଡେଟ୍ ଲାଇନ୍ ଦିଅନ୍ତୁ ବୋଲି ମଧ୍ୟ ଲୋକେ ଦାବି କରୁଛନ୍ତି ।
ସର୍ବୋପରି ଏସବୁ ଜନହିତକର ଘୋଷିତ ଯୋଜନା ବା ପ୍ରକଳ୍ପଗୁଡିକ ପାଇଁ ସରକାର କେଉଁ କେଉଁ ହେଡ୍ ରୁ ଅର୍ଥ ଡାଇଭଟ୍ କରିବେ , ଏକ ଶ୍ବେତପତ୍ର ପ୍ରକାଶ କରିବାକୁ ମଧ୍ୟ ଲୋକେ ଦାବି କରନ୍ତି । କାରଣ ପୂର୍ବ ସରକାର ଅମଳରେ ଏଭଳି ହାତସଫେଇ ଲୋକେ ଦେଖିଛନ୍ତି ଓ ଏବର କ୍ଷମତାସୀନ ଦଳର ସରକାର ସେହି କେନ୍ଦ୍ରୀୟଯୋଜନାର ହାଇଜେକ୍ ଇତ୍ୟାଦି ଅଭିଯୋଗ କରିଛନ୍ତି । ଏବେ ପୂର୍ବସରକାରର ସବୁଜରୁ ଗୈରିକ ରଙ୍ଗବଦଳ ପରି ଏ ସରକାର ତହିଁର ଉତ୍ତରଦାୟୀ ହେବା ଆବଶ୍ୟକ ବୋଲି ଜନମତରୁ ପ୍ରକାଶ ।