ରାଜନୀତି

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତର ପ୍ରଭାବ

Email :

ନା ପ୍ରଶାସନିକ ଢାଞ୍ଚା ବଦଳିଛି ନା ନିର୍ବାଚିତ ଲୋକପ୍ରତିନିଧିଙ୍କ ଚରିତ୍ର !

କୃଷକ ଶକ୍ତିସମାବେଶରେ ବାହାପିଆଙ୍କ ବାରବାଟୀ ଚାଷ

ବଲାଙ୍ଗୀର : ଗଲା ୧୭ ତାରିଖରେ ବଲାଙ୍ଗୀର ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କୃଷକ ଶକ୍ତି ସମାବେଶରେ ଉଦ୍ ବୋଧନ ଦେଇ ତାଙ୍କ ଡବଲ ଇଞ୍ଜିନ୍ ସରକାରଙ୍କ ଏକବର୍ଷ ପୂର୍ତ୍ତିର ସଫଳତା ବଖାଣିବା ସହିତ ବଲାଙ୍ଗୀର ଜିଲ୍ଲାର କୃଷିକ୍ଷେତ୍ରର ଦୁଇଗୁଣା ବିକାଶର ପ୍ରତିଶ୍ରୁତି ଦେଇ ଯାଇଛନ୍ତି । ଚିରମରୁଡି ପ୍ରପୀଡିତ ଓ ଦାଦନ ଅଧ୍ୟୁଷିତ ଜିଲ୍ଲାର ଜଳସେଚନ ନିମନ୍ତେ ତଥାପି ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରି ନଥିବା ଲୋୟର ସୁକତେଲ ଜଳଅମଳ ପ୍ରକଳ୍ପର ବିଳମ୍ବ, ଜଳସେଚନ , କ୍ଷୁଦ୍ରଜଳସେଚନ ବିଭାଗ ସମେତ ବିଭିନ୍ନ ବ୍ଲକ୍ ର ଚେକ୍ ଡ୍ୟାମ୍ ନିର୍ମାଣରେ ବ୍ୟାପକ ଅନିୟମିତତା ଏବଂ ଗତ ଖରିଫ ଋତୁ ଠାରୁ ଅଦ୍ୟାବଧି ଚାଲିଥିବା ସରକାରୀ ଧାନକିଣାରେ ସରକାରଙ୍କ କଟନୀଛଟନୀ ଓ ମଣ୍ଡିରେ ସରକାରୀ ନିୟମ /କଟକଣାକୁ ବେଖାତିର୍ କରି ମିଲର୍ସ-ଯୋଗାଣ ବିଭାଗ – ଦଲାଲଙ୍କ ମଧୁଚନ୍ଦ୍ରିକା ଠାରୁ ସଂପ୍ରତି ରବିଋତୁରେ ଶହ ଶହ ଟ୍ରକ୍ ଛତିଶଗଡୀ ଧାନ ପଶୁଥିବାର ଅଭିଯୋଗ ଓ କୃଷି ବିଭାଗ , ଉଦ୍ୟାନକୃଷି ବିଭାଗ ବା ଜିଲ୍ଲାର ଅର୍ଥନୀତିକୁ ବଳ ଦେବାକୁ ହେଉଥିବା ଧଳାସୁନା କୁହାଯାଉଥିବା କପାଚାଷ ବିଷୟରେ କିଛି କୁହାଯାଇ ନ ଥିଲା । ଏଣୁ ଉପରୋକ୍ତ ବିଷୟର ଅଣଦେଖା କରି, ଚାଷୀଶୋଷଣକୁ ନଜରଅନ୍ଦାଜ କରାଯାଇ ଚାଷୀଙ୍କ ଉନ୍ନତିର ଡିଣ୍ଡିମ ପିଟାକୁ ଚାଷୀ ଓ ଜିଲ୍ଲାବାସୀ କେତେଦୂର ଗ୍ରହଣ କଲେ , ଭବିଷ୍ୟତ କହିବ ?

ଜିଲ୍ଲାର ଦୁଇଜଣ ମନ୍ତ୍ରୀ ବନାମ ଜଣେ ଉପମୁଖ୍ୟମନ୍ତ୍ରୀଙ୍କ ଉପଲକ୍ଷ୍ୟ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ‘ ଜିଲ୍ଲାରେ ଟ୍ରିପଲ ଇଞ୍ଜିନ୍ ସରକାର ‘ ଚାଲିଛି ବୋଲି ତାଙ୍କ ଉଦ୍ ବୋଧନରେ ଚାଟୁକାରୀତା ଛଡା ଆଉକିଛି ନୁହେଁ ବୋଲି ସଭାସ୍ଥଳରେ ଲୋକେ ଆଲୋଚନା କରୁଥିବା ଗୁଞ୍ଜରଣ ଶୁଣାଯାଇଥିଲା ।

ଟ୍ରିପଲ୍ ଇଞ୍ଜିନ୍ ସରକାରର ବାହାସ୍ଫୋଟ : ଉପମୁଖ୍ୟମନ୍ତ୍ରୀଙ୍କ ରାଜତାଉ !

ସର୍ବୋପରି ଓଡିଶାରେ ବିଜେପି ସରକାର ବା କେନ୍ଦ୍ରର ବିଜେପି ସରକାରଙ୍କୁ ମିଶାଇ ତଥାକଥିତ ଡବଲ ଇଞ୍ଜିନ୍ ସରକାରଙ୍କ ଏକବର୍ଷର ଶାସନର ସଫଳତା ଭାବେ କେବଳ ବଡ ବଡ ପ୍ରତିଶ୍ରୁତି ଓ ଘୋଷଣା ଛଡା ଆଖିଦୃଶିଆ କିଛି ଉନ୍ନତି ହୋଇଥିବା ଲୋକେ ଅନୁଭବ କରିନାହାଁନ୍ତି । ନା ପ୍ରଶାସନିକ ଢାଞ୍ଚା ବଦଳିଛି ନା ନିର୍ବାଚିତ ଲୋକପ୍ରତିନିଧିଙ୍କ ଚରିତ୍ର ! ଥାନାରେ ପୁଲିସର କ୍ଷମତାର ଅପବ୍ୟବହାର ଓ ବ୍ଲକରେ ପିସି ବନ୍ଦ ହୋଇନାହିଁ ! ବରଂ ବଡବଡ ରାଜନେତାମାନେ ଖୋଲାଖୋଲି ବଟି , ପିସି ଆଦାୟ କରୁଥିବା ପ୍ରକାଶ ପାଇଛି । ଆଇନଶୃଙ୍ଖଳାର ଘୋର ଅବନତି ଘଟିଛି । ଟାସ୍କଫୋର୍ସ ଗଠନ ଓ ଜିଲ୍ଲାର ପାଟଣାଗଡ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ତହିଁରେ ଅଧ୍ୟକ୍ଷ ରହିଥିବା ସତ୍ତ୍ବେ ଦାଦନଶ୍ରମିକ ଚାଲାଣ ବୃଦ୍ଧି ପାଇଛି କେବଳ ନୁହେଁ , ବିଜେପି ନେତାମାନେ ଦାଦନଚାଲାଣରେ ସମ୍ପୃକ୍ତ ରହିଛନ୍ତି ବୋଲି କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରେସ୍ ବିବୃତି ଦେଇଛନ୍ତି , ବିଡମ୍ବନାର କଥା ଯେ ତାଙ୍କ ଅମଳରେ ସେ ଏଥିରେ ଦାଦନସେଠ୍ ଙ୍କୁ ସୁରକ୍ଷା ଦାବିରେ ଥାନାଘେରାଉ କରିଥିଲେ । ବିଭାଗରେ ପୂର୍ବାପେକ୍ଷା ଦୁର୍ନୀତି ନିରଙ୍କୁଶ ହୋଇପଡିଛି । ଜିଲ୍ଲାରେ ସରକାରୀ ହାସପାତାଳରୁ ଶିଶୁବିକ୍ରି ଓ ଆନ୍ତଃରାଜ୍ୟ ଚୋରା ଶିଶୁଚାଲାଣ , ଅପରାଧ, ଗଞ୍ଜେଇ ଚୋରାଚାଲାଣ, ଚାଉଳ ଦୁର୍ନୀତି , ଗାଁ ଗାଁ ରେ କ୍ବାକ୍ , ମନରେଗାରେ ମିଛଶ୍ରମିକଙ୍କ ନାଁରେ କୋଟି କୋଟି ଟଙ୍କାର ବାଟମାରଣା ଇତ୍ୟାଦି ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ପୂର୍ବ ସରକାରଙ୍କ ଅମଳ ପରି ଜାରୀ ରହିଛି । ନୂଆବୋତଲରେ ପୁରୁଣାମଦ ପରି ଖାଲି ମିଛ ପ୍ରଚାର ଚାଲିଛି ବୋଲି ଲୋକେ ତର୍ଜମା ପ୍ରକାଶ କରୁଛନ୍ତି ।

ରାତିଅଧିଆ ସାଂସଦଙ୍କ ମିଲ୍ ଯାଞ୍ଚ ଉପାଖ୍ୟାନ

ଏହି ସମାବେଶରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଭିଭାଷଣ ଆହୁରି ବାହାସ୍ଫୋଟରେ ଭରି ଯାଇଥିଲା । ଏଥରର କୃଷିବଜେଟ୍ ଦୁଇଗୁଣା ବୋଲି କହିବା ସହ ସେ ଜିଲ୍ଲାରୁ କଲରା , ଭେଣ୍ଡି ଆଦି ପନିପରିବା ସହ ଆମ୍ବ ଓ ବିଭିନ୍ନ ଫଳ ଚାଷ ହୋଇ ବିଦେଶକୁ ରପ୍ତାନୀ ହେଉଥିବା ସେ ତାଙ୍କ ଭାଷଣରେ ପ୍ରଚାର କରିଥିଲେ । ତେବେ ମନ୍ତ୍ରୀଙ୍କ ନିଜସ୍ବ ଫାର୍ମରୁ ଥରେ ଅଧେ ଦୁବାଇକୁ ସେ ଡ୍ରାଗନ୍ ଫ୍ରୁଟ୍ ପଠାଇଥିବା ଓ ଚଳିତବର୍ଷର ଆମ୍ବଋତୁରେ ଜଣେ ଆମ୍ବଚାଷୀ ବିଦେଶକୁ ଆମ୍ବ ପଠାଇ ଏହି ସଭାରେ ସମ୍ବର୍ଦ୍ଧିତ ହୋଇଥିବାରେ ଓ ଜଣେ ମହିଳା ଦୁଗ୍ଧ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ଘଟଣାରେ ଚଳିତ ସରକାର ଅମଳରେ ଏସବୁ କୃଷି ଉତ୍ପାଦନ କରାଯାଇ ଥିଲା କି ବୋଲି ଲୋକେ ପଚାରିଛନ୍ତି ? ତେବେ ଦେଓଗାଁ ଚିନିକଳର ପୁନରୁଦ୍ଧାର କୃଷିମନ୍ତ୍ରୀଙ୍କର ଏକ ଉଲ୍ଲେଖଯୋଗ୍ଯ ଘୋଷଣା ଓ ପଦକ୍ଷେପ ହୋଇଥିଲେ ହେଁ , ବିଗତ ସରକାରମାନଙ୍କ ଅମଳରୁ ପୋନ୍ନି ସୁଗାର୍ସ , ପରେ ତାହା ବିଜୟାନନ୍ଦ ସମବାୟ ସହଯୋଗ ସମିତି ଲିଃ ଓ ଏବେ ୧୩ ବର୍ଷ ପରେ ପ୍ରାୟ ୫୦ ହଜାର ଏକରର ଆଖୁଚାଷ ଓ ୫ ହଜାର କର୍ମଚାରୀଙ୍କ ନିଯୁକ୍ତିସୁଯୋଗର ପୁନରୁଦ୍ଧାର ପ୍ରତି ଲୋକଙ୍କର ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ୍ । କେବସୁଦ୍ଧା ଏହି ଚିନିକଳଟିର ନବରୂପାନ୍ତର ହୋଇ ଏହା କାର୍ଯ୍ୟକ୍ଷମ ହେବ , ମନ୍ତ୍ରୀଙ୍କ ଘୋଷଣାକୁ ଅପେକ୍ଷା ରହିଛି । ଦ୍ବିତୀୟତଃ ଚଳିତ ରବିଋତୁରେ ସୁବର୍ଣ୍ଣପୁର ସମେତ ଜିଲାର ମିଲ୍ ଗୁଡିକୁ ପ୍ରଚୁରମାତ୍ରାରେ ଟ୍ରକ୍ ଟ୍ରକ୍ ଛତିଶଗଡୀ ଧାନ ପଶୁଥିବା ଘଟଣାରେ ଶ୍ରୀ ସିଂହଦେଓଙ୍କ ହୁଙ୍କାର ରେ ପୂର୍ବପରି ରାତିଅଧିଆ ସାଂସଦଙ୍କ ମିଲ୍ ଯାଞ୍ଚ ଉପାଖ୍ୟାନ ପରି ଅଦ୍ୟାବଧି ଯୋଗାଣ ବିଭାଗର ଷ୍ଟକ୍ ଯାଞ୍ଚ ନ ହେବା ମୂଳରେ ଭିନ୍ନ ଚର୍ଚ୍ଚାର ଅବକାଶ ମଧ୍ଯ ରହିଛି । ତେବେ ଉପମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳରେ ଏଥିନେଇ ଧମକପୂର୍ଣ୍ଣ ଅଭିଭାଷଣ ସହ ମୁଖ୍ଯମନ୍ତ୍ରୀଙ୍କ ଭାଷଣ ନ ଶୁଣି ପଳାଉଥିବା ଲୋକଙ୍କୁ ଆଦେଶ ଲୋକଙ୍କ ଚର୍ଚ୍ଚାର ବିଷୟ ହୋଇଥିଲା ।

ଲଲିପପ୍ ଦେଖାଇ ଖଣି ଲୁଣ୍ଠନର ଫିସାଦ ?

ସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ଡା ମୁକେଶ ମହାଲିଙ୍ଗ , ପଞ୍ଚାୟତ ରାଜମନ୍ତ୍ରୀ ତଥା ଜିଲ୍ଲାର ପ୍ରଭାରୀ ଦାୟିତ୍ବରେ ଥିବା ରବି ନାରାୟଣ ନାଏକ ଓ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଏବଂ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ପ୍ରମୁଖଙ୍କ ଭାଷଣରେ ପୂର୍ବ ସରକାରଙ୍କ ଦୀର୍ଘବର୍ଷର ଶାସନକାଳରେ ପାଣ୍ଡିଆନ୍ ଉପାଖ୍ୟାନର ଦୃଷ୍ଟ୍ବାନ୍ତ ଦେଇ କିଛି ବିକାଶ ହୋଇ ନଥିବା ଓ ମାତ୍ର ଏହି ଗୋଟିଏ ବର୍ଷରେ ନୂତନ ସରକାର କିପରି ଯାହା କହିଥିଲେ , କରି ଦେଖାଇଦେଇଛନ୍ତି ବୋଲି ବାହାସ୍ଫୋଟ ମାରିବାକୁ ଲୋକେ ହଜମ କରିପାରି ନଥିଲେ ।

ଏହି ସମାବେଶ ଅଭିଯାନର ଅଂଶବିଶେଷ ମୁଖ୍ଯମନ୍ତ୍ରୀଙ୍କ ଦ୍ବିତୀୟବାର ବଲାଙ୍ଗୀର ଗସ୍ତ ସଭାର ପ୍ରଭାବ ଲୋକଙ୍କ ଉପରେ ଯାହା ପଡୁ କି ନପଡୁ, ପରବର୍ତ୍ତୀ ବିରୋଧୀ ବିଜେଡି ଓ କଂଗ୍ରେସ ଦଳର ନେତାମାନଙ୍କ ସାମ୍ବାଦିକ ସମ୍ମିଳନୀର ପ୍ରତିବାଦ -ଉ ଦ୍ ଗା ର ଯଥେଷ୍ଟ ପ୍ରଭାବହୀନ ରହିଥିବାର ଜଣାଯାଏ । ବିଜେଡିର ଜିଲ୍ଲା ସଭାପତି ସରୋଜ ମେହେର ଓଗେରଙ୍କ ଉପସ୍ଥିତିରେ ପୂର୍ବତନ ମନ୍ତ୍ରୀ ଟୁକୁନୀ ସାହୁଙ୍କ ଚିରାଚରିତ ବିରୋଧୀଦଳୀୟ ଦୋଷାରୋପ ହେଉ ଅଥବା ପୂର୍ବତନ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ‘ ଚିନିକଳ ସରକାରଙ୍କ ଲଲିପପ୍ ‘ ଆକ୍ଷେପ ହେଉ , ସେତେଟା ଯୁକ୍ତିଯୁକ୍ତ ଲାଗି ଗ୍ରହଣୀୟ ହୋଇପାରିନାହିଁ ।

ତେବେ ଦେଓଗାଁ ଚିନିକଳ ପୁନରୁଦ୍ଧାର ଘୋଷଣା ସାଲେପାଲି ଓ ମାଗୁରବେଡା ଇତ୍ୟାଦି ଖଣିଖନନ ବିରୋଧରେ ଉଠିଥିବା ଜନଅସନ୍ତୋଷର ଏକ ମିଛଆଶ୍ବାସନା ହେଇପାରେ ବୋଲି କିଛିଲୋକ ଅନୁମାନ ପ୍ରକାଶ କରନ୍ତି ! ହେଇପାରେ ?

Leave a Reply

Your email address will not be published. Required fields are marked *

Related Post