ହତ୍ୟା ଅଭିଯୋଗ ନେଇ ବାପାଙ୍କ ଆବେଦନ
ଝାରସୁଗୁଡା : ଦୁଇବର୍ଷ ତଳେ ଗୁଳିରେ ହତ୍ୟାର ଶିକାର ହୋଇଥିବା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁର କିଛିମାସ ପୂର୍ବରୁ ତାଙ୍କ ବାସଭବନରେ ତାଙ୍କର ଜଣେ ଯୁବ ରୋଷେଇୟା ଲଳିତ ସାହୁଙ୍କ ସନ୍ଦେହଜନକ ମୃତ୍ୟୁମାମଲାଟି ଏବେ ଭିନ୍ନମୋଡ ନେଇଛି । ଏହି ଘଟଣା ଏବେ ଗଣମାଧ୍ୟମରେ ଶିରୋନାମା ଖବର ପାଲଟି ଚର୍ଚ୍ଚାର ବିଷୟ ହୋଇଛି ।
ପାପ ଲୁଚି ରହେନାହିଁ !

ଗତ ୨୦୨୨ ଅପ୍ରେଲ ୨୭ ତାରିଖରେ ନବଙ୍କ ଝାରସୁଗୁଡା ସ୍ଥିତ ବାସଭବନରେ ଜଣେ ରୋଷେଇଆ ଭାବରେ କାମ କରୁଥିବା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଡେଙ୍ଗବୋରେଇ ଗ୍ରାମର ବେଲାଳସେନ୍ ସାହୁଙ୍କ ପୁଅ ଲଳିତ ( ୨୪ ) ଙ୍କ ମୃତଦେହ ତଳେ ପାଦ ଲାଗିଥିବା ଓ ନବଙ୍କ ବାସଭବନ ପଛପଟ ସର୍ଭେଣ୍ଟସ୍ କ୍ବାଟରରୁ ଛାତରୁ ବେକରେ ଫାଶ ବନ୍ଧାହୋଇ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତେବେ ଉକ୍ତ ଯୁବକଙ୍କ ମୃକଦେହକୁ ସଙ୍ଗେ ସଙ୍ଗେ ରାତିଅଧିଆ ସରକାରୀ ଡାକ୍ତରଖାନାର ଡାକ୍ତର ଓ ପୁଲିସ୍ ର ସହାୟତାରେ ଶବବ୍ୟବଚ୍ଛେଦ କରାଯାଇ ତାଙ୍କ ଘରକୁ ପଠାଇଦିଆଯାଇଥିଲା । ଖବରପାଇ ସେଠାକୁ ପହଞ୍ଚିଥିବା ଗଣମାଧ୍ୟମର ପ୍ରତିନିଧିଙ୍କୁ ଝାରସୁଗୁଡାରୁ ଯାଇ ଜଗିଥିବା ନବଙ୍କ ଜଣେ ଜଗୁଆଳୀ ଡ୍ରାଇଭରର ତାଙ୍କ ପରିବାରର କାହାକୁ ଭେଟାଇ ନ ଦେଇ ଧମକ ଦେଇ ତଡିଦେବା , ଶବ ପୋଡାଯିବା ପର୍ଯ୍ୟନ୍ତ ନବଙ୍କ ଲୋକ ସେଠାରେ ଜଗିରହିବା ,ଜୋର୍ ଜବରଦସ୍ତି ପୁଲିସ୍ ମୃତ ଯୁବକଙ୍କ ବାପାଙ୍କ ଠାରୁ କିଛି କାଗଜରେ ଦସ୍ତଖତ କରାଇନେଇଥିବା , ନବଙ୍କ ଝିଅ ଦୀପାଳି ଦାସଙ୍କ ଆକାଉଣ୍ଟରୁ ୯ ଲକ୍ଷ ଟଙ୍କା ମୃତଯୁବକଙ୍କ ପରିବାରକୁ ପଠାଯାଇଥିବା ଇତ୍ୟାଦି ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ସେତେବେଳେ ଏହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ମଧ୍ୟ ପ୍ରକାଶ ପାଇଥିଲା । ଏଥିମଧ୍ୟରେ ଉକ୍ତ ସୌମ୍ୟଦର୍ଶନ ଯୁବରୋଷେଇୟା ସହିତ ତାଙ୍କ ପରିବାରର କାହା ସହିତ କୌଣସି ଆପତ୍ତିଜନକ ଅବୈଧସମ୍ପର୍କର ଚର୍ଚ୍ଚା ମୁଖ୍ୟ ରହିଥିଲା । ଏହି ଘଟଣାର ପ୍ରାୟ ୬ ମାସ ପରେ ତତ୍କାଳୀନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା ସଂଘଟିତ ହୋଇଥିଲା । ସେତେବେଳେ ମଧ୍ୟ ଉକ୍ତ ତାଙ୍କର ଉକ୍ତ ଯୁବରୋଷେୟାର ସନ୍ଦେହଜନକ ମୃତ୍ୟୁ ମାମଲାଟି ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଥିଲା । ତେବେ ଉକ୍ତ ଲଳିତ ସାହୁ ହତ୍ୟା ଅଭିଯୋଗ ଓ ନବ ଦାସ ହତ୍ୟା ମାମଲା ଏଇ ଦୁଇଟି ବହୁଚର୍ଚ୍ଚିତ କାଣ୍ଡ ମଧ୍ୟରେ କୌଣସି ଲିଙ୍କ୍ ଥିଲା କି ନାହିଁ , ଏ ସମ୍ପର୍କରେ ସ୍ଥାନୀୟଲୋକଙ୍କ ସନ୍ଦେହ ଓ ଚର୍ଚ୍ଚା ସତ୍ତ୍ୱେ ତଦନ୍ତକାରୀ ସଂସ୍ଥା ମୁଣ୍ଡ ଖେଳାଇ ନଥିଲେ ହେଁ , ପୁଲିସ୍ ମହଲରେ ଚାପା ଗୁଞ୍ଜରଣ କର୍ଣ୍ଣଗୋଚର ହୋଇଥିଲା । ତଥାପି ଏହାକୁ ଚପାଇ ଦିଆଯାଇଥିଲା ।
ତଦନ୍ତରେ ତ୍ରୁଟି ଥିବା ପୁଲିସ୍ ର ସ୍ବୀକାର
ସେ ଯାହାହେଉ , ଲଳିତ ସାହୁ ଅପମୃତ୍ଯୁ / ତତ୍କାଳୀନ ତଦନ୍ତକାରୀ ପୁଲିସ୍ ଅନୁଯାୟୀ , ଆତ୍ମହତ୍ୟା ବା ପରିବାର ଲୋକଙ୍କ ସନ୍ଦେହ ଅନୁଯାୟୀ , ହତ୍ୟାକାଣ୍ଡ ଅଭିଯୋଗର ଏବେ ଏତେଦିନ ପରେ ମୃତ ଲଳିତଙ୍କ ବାପାଙ୍କ ଡିଜିଙ୍କୁ ଆବେଦନକ୍ରମେ ଡିଜି ପୁନଃତଦନ୍ତର ନିର୍ଦ୍ଦେଶ ଦେଇଥିବା ସହ ପୂର୍ବତଦନ୍ତରେ ବହୁ ଗୁରୁତର ତ୍ରୁଟି ରହିଯିବା ପ୍ରକାଶ ପାଇଛି ।ଏଥିମଧ୍ୟରେ ତତ୍କାଳୀନ ଥାନାଧିକାରିଣୀ ସାବିତ୍ରୀ ବଳଙ୍କ ଭୂମିକା ସନ୍ଦେହଜନକ , ଅଦ୍ୟାବଧି ମୃତକଙ୍କ ପରିବାରକୁ ଶବବ୍ୟବଚ୍ଛେଦ ରିପୋର୍ଟର କପି ମିଳି ନଥିବା ଓ ଘଟଣାର ୮ ମାସ ପରେ ଝାରସୁଗୁଡା ଶବବ୍ୟବଚ୍ଛେଦ ଗୃହରୁ ଲଳିତ ସାହୁ ମୃତ୍ୟୁର ଭିସେରା ରିପୋର୍ଟ ଚୋରି ହୋଇଯିବା ଗୁରୁତ୍ୱପୂର୍ଣ୍ଣ । ଆଗାମୀ ଅପ୍ରେଲ୍ ୧୭ ତାରିଖରେ ଲଳିତ ସାହୁ ସନ୍ଦେହଜନକ ହତ୍ୟା ମାମଲାକୁ ୩ ବର୍ଷ ପୁରିବାକୁ ଥିଲାବେଳେ ଏହି ପୁନଃତଦନ୍ତ କରାଯାଉଥିବାରୁ ଲୋକେ ‘ ପାପ ଲୁଚି ରହେନାହିଁ ‘ ବୋଲି ଚର୍ଚ୍ଚା ହେଉଛି । ତେବେ ସର୍ବୋପରି ଏହି ନୂତନ ସରକାରଙ୍କ ଏଇ ପୁନଃତଦନ୍ତରେ ପ୍ରକୃତକଥା ଜଣାପଡିବ କି ବୋଲି ଜନସାଧାରଣଙ୍କ ପକ୍ଷରୁ ପ୍ରଶ୍ନ କରାଯାଇଛି । ଯଦି ସତରେ ଏହା ଏକ ପାପ ଥିଲା , ତାହା କ’ଣ ? ଲଳିତଙ୍କୁ ମାରିଦିଆ ଯାଇଥିଲା ? ଯଦି ମାରିଦିଆଯାଇଥିଲା , ଏହାର କାରଣ କ’ଣ ଥିଲା ? ବଡଘର ବଡଗୁମର କଥା କି ? କେଉଁ କଥା ପ୍ରଘଟ କରାଇ ନଦେବାକୁ ମନ୍ତ୍ରୀଙ୍କ ଗୁଣ୍ଡା କାହା ନିର୍ଦ୍ଦେଶରେ ମୃତକଙ୍କ ଗାଁ’କୁ ଯାଇ ଜଗିଥିଲା ? କାହିଁକି ଦୀପାଳି ଦାସଙ୍କ ଆକାଉଣ୍ଟରୁ ଏତେଟଙ୍କା ମୃତ ଯୁବକଙ୍କ ପରିବାରକୁ ପଠାଯାଇଥିଲା ? ସଂପ୍ରତି ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାରି ହତ୍ୟା କରିଥିବା ଅଭିଯୁକ୍ତ ପୁଲିସ୍ ଅଧିକାରୀ ଗୋପାଳ ଦାସ ସେତେବେଳେ କେଉଁଠି ଡିଉଟି କରୁଥିଲେ ? ତାଙ୍କ ଦ୍ବାରା କୌଣସି ଆପରାଧିକ ପ୍ରମାଣ ନଷ୍ଟ ପରି କିଛି ଅପକର୍ମ କରାଯାଇଥିଲା ଓ ପରବର୍ତ୍ତୀ ସମୟରେ ତାହା ବାହାର କରି ତାଙ୍କୁ ବ୍ଲାକ୍ ମେଲିଂ କରାଯିବାର ଅପଚେଷ୍ଟାରୁ ନବଙ୍କୁ ଗୁଳିମରା ଗଲା କି ? – ଏପରି ବହୁ ଅସମାହିତ ପ୍ରଶ୍ନ ଜନସାଧାରଣଙ୍କ ମନରେ ସୃଷ୍ଟି ହୋଇଛି । ଅଧୁନାତନ କଳୁଷିତ ପ୍ରତିଶୋଧାତ୍ମକ କ୍ଷମତା ରାଜନୀତି , ସମ୍ପୃକ୍ତ ଅଞ୍ଚଳରେ କୋଇଲା ଚୋର ମାଫିଆଙ୍କ ରାକେଟ୍ , ତଦନ୍ତକୁ ଚପାଇବାକୁ କୋଟି କୋଟି ଟଙ୍କାର ଉତ୍କୋଚ କାରବାରର ସମ୍ଭାବନା ଇତ୍ୟାଦି ମଧ୍ୟରେ ଏତେଦିନ ପରେ ଆଉ ଯେ ଏହି ଦୁଇଟି ବହୁଚର୍ଚ୍ଚିତ ଚାଞ୍ଚଲ୍ୟକର ନରହତ୍ୟାମାମଲାର ପ୍ରକୃତ ସତ୍ୟ ଉଦ୍ଘାଟିତ ହେବ , ଏ ଆଶା ମରିଯାଉଛି । ଏତେଦିନ ପରେ ମୃତ ଯୁବକଙ୍କ ବାପା କାହା ପ୍ରରୋଚନା ବା କାହିଁକି ଏକଥା ଉଠାଇଛନ୍ତି ଓ ସରକାର କେଉଁ ଉଦ୍ଦେଶ୍ୟରେ ଏହାର ପୁନଃତଦନ୍ତ ନିର୍ଦ୍ଦେଶ ଦେଲେ , ଏହା ମଧ୍ୟ ତର୍ଜମାସାପେକ୍ଷ । ତଥାପି ଦେଖାଯାଉ ଆଗକୁ କ’ଣ ହେଉଛି ?