ଜିଲ୍ଲା

ନରସିଂହଙ୍କ ଘରେ ଧର୍ମେନ୍ଦ୍ର କୁଣିଆ !

Email :

ବଲାଙ୍ଗୀର ରାଜନୀତିର ନୂଆ ସମୀକରଣ ଚର୍ଚ୍ଚା

ବଲାଙ୍ଗୀର : ଏବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ସରକାରୀ ତଥା ଦଳୀୟ କାର୍ଯ୍ୟକ୍ରମରେ ବଲାଙ୍ଗୀର ଗସ୍ତରେ ଆସି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ସାନପୁଅ କଂଗ୍ରେସ ନେତା ସମରେନ୍ଦ୍ରଙ୍କ ଓଭୋ ଫାର୍ମର ଉଦ୍ ଘାଟନ କରିବା ସହିତ ଜିଲ୍ଲାର ଜଣେ ମନ୍ତ୍ରୀ ଓ ଦୁଇଜଣ ଭାଜପା ବିଧାୟକଙ୍କ ସହ ତାଙ୍କ ଘରକୁ ଯିବା ନେଇ ଜିଲ୍ଲାର ରାଜନୀତି ଚର୍ଚ୍ଚିତ ହୋଇପଡିଛି । ଏ ନେଇ ସ୍ଥାନୀୟ ଗଣମାଧ୍ୟମରେ ଜିଲ୍ଲାର ରାଜନୀତିର ନୂତନ ସମୀକରଣ ନେଇ ବିଲୁଆବିଚାର ମଧ୍ୟ ଆରମ୍ଭ ହୋଇଯାଇଛି । ଅଦ୍ୟାପି ନରସିଂହ ଏ ସମ୍ପର୍କରେ ମୁହଁ ଖୋଲି ନ ଥିଲେ ହେଁ , ସମରେନ୍ଦ୍ର ଏନେଇ କହିଛନ୍ତି ଯେ , ‘ ଏହା ଏକ ବ୍ୟକ୍ତିଗତ ସମ୍ପର୍କର କଥା । କେନ୍ଦ୍ରମନ୍ତ୍ରୀ ତାଙ୍କ ଗସ୍ତ କାର୍ଯ୍ୟକ୍ରମରେ ଆସିଥିବା ସମୟରେ ଆମେ ଆମର ଫାର୍ମ ଉଦ୍ଘାଟନ ପାଇଁ ତାଙ୍କୁ ବ୍ୟକ୍ତିଗତ ଅନୁରୋଧ କରିଥିଲୁଁ । ଏହାକୁ ନେଇ ଲୋକଙ୍କ ଭାବନା ଉପରେ ଆମର କଣ୍ଟ୍ରୋଲ ନାହିଁ । ‘

ସେ ଯାହାହେଉ, ନରସିଂହ ମିଶ୍ର ରାଜ୍ଯ ରାଜନୀତିରେ ଜଣେ ଛୋଟିଆ ନେତା ବା ତାଙ୍କ ସୁପୁତ୍ର ବି ଜଣେ ଅଜଣା ନେତା ନୁହଁନ୍ତି । ଜିଲ୍ଲାର ଜଣେ ବିଚକ୍ଷଣ ଆଇନଜ୍ଞ ନରସିଂହ ମିଶ୍ର ବିଗତ ଜନତାଦଳର ବିଜୁ ପଟ୍ଟନାୟକ ସରକାରଙ୍କ ଆଇନ୍ ମନ୍ତ୍ରୀ , ତିନିଥର କଂଗ୍ରେସ ବିଧାୟକ, ପଶ୍ଚିମଓଡିଶା ପରିଷଦର ପ୍ରଥମ ଅଧ୍ୟକ୍ଷ , ଜାତୀୟ ଲ’ କମିଶନ ସଦସ୍ଯ ଓ ବିଭିନ୍ନ ଉଚ୍ଚ କମିଟିରେ ରହିଆସିଛନ୍ତି । ସମରେନ୍ଦ୍ର ମିଶ୍ର କଂଗ୍ରେସର ରାଜ୍ଯ କମିଟିରେ ରହିଥିବା ସହ ଥରେ କଂଗ୍ରେସର ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ଓ ଗତଥର ମଧ୍ଯ କଂଗ୍ରେସର ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ ଥିଲେ । ଗତ ନିର୍ବାଚନ ବେଳେ ସେ ବିଜେପି ଟିକେଟ ଆଶାୟୀ ହୋଇ ଦିଲ୍ଲୀ ଯାଇଥିବା ଚର୍ଚ୍ଚା ହୋଇଥିଲା । ନରସିଂହଙ୍କ ବିଧାୟକ ଥିବା ସମୟରେ ତତ୍କାଳୀନ ପେଟ୍ରୋଲିୟମ୍ କେନ୍ଦ୍ରମନ୍ତ୍ରୀଙ୍କ ଧର୍ମେନ୍ଦ୍ର ମଧ୍ଯ ପି ଆର୍ ହାଇସ୍କୁଲର ଷ୍ଟାଡିୟମ ଉଦ୍ଘାଟନ କରିଥିଲେ । ସର୍ବୋପରି ନରସିଂହଙ୍କ ସହ ଧର୍ମନ୍ଦ୍ରେଙ୍କର ଦଳନିର୍ବିଶେଷରେ ସୁସମ୍ପର୍କ ରହିଥିବା ଚର୍ଚ୍ଚା ହୋଇଥାଏ । ତେଣୁ ଏବେ ଧର୍ମନ୍ଦ୍ରେଙ୍କ ବଲାଙ୍ଗୀର ଗସ୍ତ ବେଳେ ସେ ନରସିଂହଙ୍କ ଘରକୁ ଯିବା ଏତେ ବିରଳ ଘଟଣା ନୁହେଁ !

ତେବେ କେନ୍ଦ୍ରମନ୍ତ୍ରୀଙ୍କ ସରକାରୀ ଗସ୍ତ ବେଳେ ସେ ମୁଖ୍ଯ ବିରୋଧୀଦଳ କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ ଫାର୍ମ ଉଦ୍ଘାଟନ ପୂର୍ବକ ରାଜ୍ଯ କ୍ୟାବିନେଟ୍ ର ଜଣେ ବରିଷ୍ଠ ମନ୍ତ୍ରୀ ବା ସ୍ବାସ୍ଥ୍ୟମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ , ଟିଟିଲାଗଡ ଦଳୀୟ ବିଧାୟକ ନବୀନ ଜୈନ ଓ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ସାଙ୍ଗରେ ଧରି ତାଙ୍କ ଘରକୁ ଯାଇ ସେଠାରେ ଅତିଥି ହେବା ନିଶ୍ଚିତ ଭାବେ ଗଣମାଧ୍ୟମର ବିଭିନ୍ନ କଳ୍ପନାଜଳ୍ପନାର ଖୋରାକ୍ ଯୋଗାଇବା ଗୁରୁତ୍ବ ପୂର୍ଣ୍ଣ ଅଟେ ।

ଯେହେତୁ କୁହାଯାଏ, ଆଜିର ରାଜନୀତିରେ ଘଡିକେ ଘୋଡା ଛୁଟେ ଓ ରାଜନୀତିରେ ସବୁ ସମ୍ଭବ ! ଏହି ପରିପ୍ରେକ୍ଷୀରେ ଏହି ଘଟଣା କ’ଣ ଘଟିବାର ସଂକେତ ଦେଉଛି ?

ତା’ କ’ଣ ଏହା ଯେ , ରାଜ୍ଯ ବା ଜିଲ୍ଲା ବିଜେପି ଦୁଇ ଗୋଷ୍ଠୀର ବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ତାଙ୍କ ସାଂସଦପତ୍ନୀ ସଂଗୀତା ସିଂହଦେଓ ଭିନ୍ନ ଗୋଷ୍ଠୀର ?

ତେଣୁ ଧର୍ମନ୍ଦ୍ରେଙ୍କ ଅନୁଗତ ମୁକେଶ ଧର୍ମନ୍ଦ୍ରେଙ୍କ ସାଙ୍ଗରେ ନରସିଂହଙ୍କ ଘରକୁ ଯାଇଥିଲା ବେଳେ କେଭି- ସଙ୍ଗୀତା ନରସିଂହଙ୍କ ଘରକୁ କୁଣିଆ ଖାଇ ଗଲେନି ? କଂଗ୍ରେସର ଆଉ ଭବିଷ୍ୟତ ନଥିବା ଲକ୍ଷ୍ୟ କରି ନରସିଂହଙ୍କ ପୁଅ ସମରେନ୍ଦ୍ର କଂଗ୍ରେସ୍ ଛାଡିଦେଇ ବିଜେପିରେ ମିଶିବେ ? ନା ଧର୍ମନ୍ଦ୍ରେଙ୍କ ସ୍ଥିତି ବିଜେପିରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପରି କୋଣଠେସା ହୋଇପଡିଲାଣି ? ସେ କ’ଣ ଓଡ଼ିଶା ଓ ଅନ୍ଯାନ୍ଯ ରାଜ୍ଯରୁ ବିଭିନ୍ନ ଦଳରୁ ଏକ ବଡ ଗୋଷ୍ଠୀର ନେତାଙ୍କୁ ନେଇ ବିଜେପିରୁ ବାହାରି କଂଗ୍ରେସରେ ମିଶିଯିବେ ? ଏହିପରି ବିଭିନ୍ନ ଚର୍ଚ୍ଚା ଲୋକେ ଆରମ୍ଭ କରିଦେଇଛନ୍ତି । କାରଣ ଲୋକଙ୍କ ଭାବନା ଉପରେ କାହାର ନିୟନ୍ତ୍ରଣ ନାହିଁ ?

ଏଣେ ସମ୍ବଲପୁରରେ ମୁଖ୍ଯମନ୍ତ୍ରୀଙ୍କ ଜନଶୁଣାଣୀ ବନାମ ଦ୍ବିତୀୟରାଜଧାନୀ ଉଠିଆସିବା ଟେକାଣିକୁ ନରସିଂହ କଡା ସମାଲୋଚନା କରି ଏହା ଏକ ଡ୍ରାମା ବୋଲି କହିଥିବା ବେଳେ , ସେଠାକୁ ସମ୍ବଲପୁରର ସାଂସଦ ଯାଇ ନଥିବା କଥାକୁ କିଛିଲୋକ ଭ୍ରୁକୁଞ୍ଚନ କରୁଛନ୍ତି ! ଏପଟେ ବଲାଙ୍ଗୀରରେ ନରସିଂହ ପୁଅଙ୍କ ଜିଲ୍ଲାର ଏତେବଡ କୃଷିଭିତ୍ତିକ ଅଣ୍ଡାଫାର୍ମକୁ ଜିଲ୍ଲାର କୃଷିମନ୍ତ୍ରୀ ଥିବା କନକ ବର୍ଦ୍ଧନ ସିଂହଦେଓଙ୍କୁ ଏହାକୁ ଉଦଘାଟନକୁ ନଡାକି କେନ୍ଦ୍ରଶିକ୍ଷାମନ୍ତ୍ରୀଙ୍କୁ ଡାକି ଉଦ୍ଘାଟନ କରାଇବା କି ଶିକ୍ଷା ଦେଲା ବୋଲି କିଛିଲୋକ କଟାକ୍ଷ କରିଛନ୍ତି ?

ଅତଏବ କିଛି ତ ଅଛି , ନିଆଁ ନ ଥିଲେ ଏତେ ଧୂଆଁ ବାହାରୁଛି କାହିଁକି ?

ରାଜନୈତିକ ବିଶ୍ଲେଷକମାନେ କିନ୍ତୁ କହନ୍ତି : ଏଗୁଡା ସବୁ ଧୂଆଁବାଣ ଓ ଆମଜିଲ୍ଲାର କିଛିନେତା ଧୂଆଁବାଣ ଛାଡିବାରେ ମାହିର୍ ! ଆମଲୋକଙ୍କର ତ କିଛି କାମଧନ୍ଦା ନାହିଁ । ତୁଚ୍ଛାକୁ ମାତି ପଡିଛନ୍ତି । କେ’ ଜାଣେ ଗୋବିନ୍ଦର ଗତି !

Leave a Reply

Your email address will not be published. Required fields are marked *

Related Post