ଟିଟିଲାଗଡ ବିଧାୟକ ନବୀନ ଜୈନଙ୍କ ଶଳା ଅଭିଯୁକ୍ତ ସ୍ବାମୀ
ବଲାଙ୍ଗୀର : ଦଶବର୍ଷ ତଳେ ୭ । ଜୁନ୍ । ୨୦୧୫ ତାରିଖରେ ବଲାଙ୍ଗୀର ଜୁନାଡିହିର ର ଜଣେ ଓଡିଆ ନାବାଳିକା ମମତା ମଲ୍ଲିକ ( ୧୪ ) କୁ ତା’ ମାଆ ମଞ୍ଜୁ ମଲ୍ଲିକ , ଭିଣୋଇ ଚିତ୍ତ ରଞ୍ଜନ ବରାଡ , ଭିଣୋଇର ମାଆ ତପସ୍ଵିନୀ ବରାଡ , ଭିଣୋଇର ଭାଇ ପିଣ୍ଟୁ ବରାଡ ତା’କୁ ବଳପୂର୍ବକ ୮୦ ହଜାର ଟଙ୍କାରେ ବିକିଦେଇ ତା’ ଇଚ୍ଛାବିରୁଦ୍ଧରେ ବୁଲିଯିବାକୁ ହରିଶଙ୍କରକୁ ଡାକିନେଇ ସେଠାରେ ବଳପୂର୍ବକ କଳାହାଣ୍ଡି ଧର୍ମଗଡର ଜଣେ ବୟସ୍କ ମାରୁଆଡି ବ୍ୟବସାୟୀ ଅନୁପ ଅଗ୍ରବାଲ ( ୪୦ ) ସହ ବିବାହ କରିଦେଇଥିଲେ । ଏହି ଟଙ୍କା ଯୋଗାଇ ଦେଇଥିଲେ ଅନୁପଙ୍କ ଭିଣୋଇ ଟିଟିଲାଗଡର ନବୀନ ଜୈନ । ଦୁଇବର୍ଷ ପରେ ତାଙ୍କର ଗୋଟିଏ ଝିଅ ଜନ୍ମ ହେଲା ପରେ ‘କାହିଁକି ଝିଅ ଜନ୍ମ କଲୁ ? ‘ ବୋଲି ତା’କୁ ଅକଥନୀୟ ନିର୍ଯାତନା ଦିଆଯିବା ସହିତ ଜୀବନରୁ ମାରିଦେବାକୁ ଉଦ୍ୟମ ଏବଂ ନିଜ ମାଆ , ଭିଣୋଇ ,ଭିଣୋଇର ମାଆ ଓ ଭାଇ ତା’କୁ ପୁଣି ଆଉ ଥରେ ରାଞ୍ଚିରେ ବିକିଦେବାକୁ ଉଦ୍ୟମ କରି ତା’କୁ ଦେହବ୍ଯବସାୟରେ ଲଗାଇବାକୁ ଚାପ ଦେଉଥିବା ସହ ଶାଶୁଘରୁ ପଳାଇ ଆସିବା ପରେ ବାପଘରୁ ତା’କୁ ଓ ତାର ୭ ବର୍ଷର ଝିଅଟିକୁ ତଡିଦେବା ପରେ ସବୁଆଡୁ ନିରାଶ ହୋଇପଡି ଉକ୍ତ ପୀଡିତାମହିଳା ଜଣକ ଗତ ୧୪ । ୧୧ । ୨୦୨୩ ତାରିଖରେ ଥାନାର ଦ୍ବାରସ୍ଥ ହୋଇଥିଲେ । କିନ୍ତୁ ବଲାଙ୍ଗୀର ଟାଉନ୍ ଥାନା ପୁଲିସ୍ ( (ତତ୍କାଳୀନ ଆଇଆଇସି ବିଶ୍ବଜିତ୍ ମନବୋଧ ସଂପ୍ରତି ଟିଟିଲାଗଡ ଆଇଆଇସି ଭାବେ ଅବସ୍ଥାପିତ ) ତାଙ୍କ ଗୁହାରୀ ଶୁଣି ନଥିଲା ।
ବର୍ଷେକାଳ ମହିଳା ନିର୍ଯ୍ଯାତନାର ମାମଲାର ଏତଲାକୁ ପକାଇ ରଖିଥିଲା ପୁଲିସ୍

ଗତ ୧୦ ତାରିଖରେ ସେ ପୁଣି ବଲାଙ୍ଗୀର ଟାଉନ୍ ଥାନା ପୁଲିସ୍ ର ଆଶ୍ରୟ ନେବାକୁ ଯାଇଥିଲେ ହେଁ , ତଥାପି ଥାନାର ଭାରପ୍ରାପ୍ତା ଅଧିକାରିଣୀ ଆଡିସ୍ ନାଲ୍ ଆଇଆଇସି ମଧ୍ୟ ତାଙ୍କ ଅଭିଯୋଗକୁ ଏଡାଇ ଯାଇଥିଲେ ।
କାହା ଚାପରେ ମାମଲା ଋଜୁ କରୁ ନଥିଲା ପୁଲିସ୍ ?
ଗତ ୧୧ ତାରିଖରେ ସେ ଏକ ଲିଖିତ ଏତଲା ଦେବାକୁ ଯିବାରୁ ତାଙ୍କୁ ଥାନା ଭିତରକୁ ନେଇଯାଇ ଥାନାଧିକାରିଣୀ କିଛିସମୟ ବସାଇଦେଇଥିଲେ । ଓଲଟା ଉକ୍ତ ଅଭିଯୋଗକାରିଣୀଙ୍କୁ ସେ ବିଭିନ୍ନ କଟୁକ୍ତି କରି ଭର୍ତ୍ସନା କରିଥିଲେ । ସେ କାହିଁକି ଡିଭୋର୍ସ କେସ୍ ନ କରି ଏପରି ଏତଲା ଦେଉଛନ୍ତି ଓ ସେ ଏବେ ରହୁଥିବା ପଡୋଶୀ ସାଙ୍ଗର ଭାଇ ସାଙ୍ଗରେ ଥାନାକୁ ଯାଉଥିବାରୁ ତାଙ୍କୁ ମଧ୍ୟ ‘ ତୁମ ବିରୋଧରେ ୟା’ ସ୍ବାମୀ ଯଦି କେସ୍ କରିବ , କେମିତି ହେବ ? ‘ ଇତ୍ୟାଦି କହି ଡରାଉଥିବା ମହିଳା ଜଣକ ଅଭିଯୋଗ ପ୍ରକାଶ କରିଛନ୍ତି । ଏପରିକି ‘ ଏ ଏତଲା କିଏ ଲେଖିଦେଲା ? ଏଥିରେ ତାଙ୍କର ବକଲମ (ଦସ୍ତଖତ) କାହିଁ ? ‘ କହି ମଧ୍ୟ ଧମକଚମକ ଦେଇଥିଲେ । ଶେଷରେ କେତେକ ସାମ୍ବାଦିକଙ୍କ ଚାପରେ ଓ ଏସ୍ ପି ଙ୍କୁ ଜଣାଇବାରୁ ଗତକାଲି ବିଳମ୍ବିତ ରାତିରେ ତାଙ୍କର ଏତଲାକ୍ରମେ ଏକ ମାମଲା ( କେସ୍ ନଂ ୭୯୪/ ୨୪ ) ୩୪ ଆଇପିସିର ୪୯୮( ଏ ) / ୩୨୮ / ୩୪୨ / ୫୦୬ /ଓ ବାଳବିବାହ ନିରୋଧ ଆଇନ ଇତ୍ୟାଦି ଦଫାରେ ଋଜୁ କରାଯାଇଛି । ଏହି ଏତଲାକ୍ରମେ ପୁଲିସ୍ ମହିଳାଙ୍କ ବାପଘର ପରିବାରର କେତେକ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚୁରା କରି ଛାଡିଦେଇଥିଲେ ହେଁ , ମୁଖ୍ୟ ଅଭିଯୁକ୍ତମାନଙ୍କୁ ଏଯାବତ୍ ଥାନାକୁ ଡାକି ନଥିବା ପ୍ରକାଶ । ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ଯେ ଏତଲାରେ ଅଭିଯୁକ୍ତ ତାଲିକାରେ ୫ ନମ୍ବରରେ ଉକ୍ତ ଅଭିଯୋଗକାରିଣୀ ଉଲ୍ଲେଖ କରିଥିବା ବଲାଙ୍ଗୀର ଲୋକସଭା ସାଂସଦ ସଙ୍ଗୀତା ସିଂହଦେଓଙ୍କ ବଲାଙ୍ଗୀର ନୋମିନୀ ଦୀନେଶ ଶର୍ମାଙ୍କର ନାଁ’କୁ ପୁଲିସ୍ କାଟିଦେଇଛି !
ଏତଲାରୁ ସାଂସଦଙ୍କ ନୋମିନୀଙ୍କ ନାଁ’ କାଟିଦେଲା ପୁଲିସ୍ !
ଏଣୁ ଏହାପଛରେ ନିଶ୍ଚିତ ଭାବରେ କ୍ଷମତାସୀନ ଦଳର ରାଜନୈତିକ ଚାପ ରହିଥିବା ଅନୁମାନ କରାଯାଉଛି । ତେବେ ଏହି ଅଭିଯୋଗ ସଂପ୍ରତି ସାରାରାଜ୍ୟରେ ନିଆଁ ଭଳି ବ୍ୟାପି ଗଲାଣି । କ୍ରମଶଃ ଏହା ରାଜନୈତିକ ପ୍ରସଙ୍ଗ ପାଲଟୁଥିବାର ଆଭାସ ମିଳୁଛି । ହୁଏତ ଆଗାମୀ ଶୀତକାଳୀନ ବିଧାନସଭା ଅଧିବେଶନରେ ସରକାରଙ୍କ ବିପକ୍ଷରେ ଏହା ବିରୋଧୀଦଳର ଏକ ପ୍ରମୁଖ ମୁଦ୍ଦା ପାଲଟିପାରେ ବୋଲି ଚର୍ଚ୍ଚା ହେଉଛି ।
ସେ ଯାହାହେଉନା କାହିଁକି , ନାରୀ ନିର୍ଯାତନା ବା ମହିଳାଙ୍କ ସୁରକ୍ଷାର ଡିଣ୍ଡିମ ପିଟି ଆସୁଥିବା ଗତ ବିଜେଡି ସରକାର ଅମଳରେ ଗତବର୍ଷ ଉକ୍ତ ମହିଳାଙ୍କ ଏତଲାକୁ ବଲାଙ୍ଗୀର ଟାଉନ୍ ଥାନା ପୁଲିସ୍ ଗ୍ରହଣ ନ କରିବା ସହ ଏବର ବିଜେପି ସରକାରଙ୍କ ଅମଳରେ ମଧ୍ୟ ପୁଲିସ୍ ଏତଲାକୁ ମଧ୍ୟ କୁଣ୍ଠିତ ହୋଇ ଶେଷରେ ବାଧ୍ୟହୋଇ ଗ୍ରହଣ କରିଛି । ଏପରି ଏକ ସମ୍ବେଦନଶୀଳ ମାମଲା ଯୌନ ନିର୍ଯାତନା ଦିଆଯିବା ବିରୁଦ୍ଧରେ ମାମଲା ଋଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଅବହେଳା କରିଥିବା ବିଷୟରେ ଏବର ଡବଲଇଞ୍ଜିନ୍ ସରକାରର ଗୃହବିଭାଗକୁ ହାତରେ ରଖିଥିବା ଲୋକଙ୍କମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଷ୍ଟ୍ବାନ୍ତମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି ।
ଟିଟିଲାଗଡ ଭାଜପା ବିଧାୟକ ନବୀନ ଜୈନ , ପୌରାଧ୍ୟକ୍ଷା ମମତା ଜୈନଙ୍କ ନାମ ଧରି ଧମକାଉଛନ୍ତି
ଉଲ୍ଲେଖନୀୟ ଯେ , ମହିଳାଙ୍କର ଅଭିଯୁକ୍ତ ଭିଣୋଇ ବଲାଙ୍ଗୀରର ଚିତ୍ତ ରଞ୍ଜନ ବରାଡ ଜଣେ ଆଉଟ୍ ସୋର୍ସିଂ ଚାକିରୀ କାରବାର କରୁଥିବା ଯୁବକ ଓ ବଲାଙ୍ଗୀର ଲୋକସଭା ସାଂସଦ ସଙ୍ଗୀତା ସିଂହଦେଓଙ୍କର ବଲାଙ୍ଗୀର ନୋମିନୀ ଦୀନେଶ ଶର୍ମାଙ୍କର ଘନିଷ୍ଠ ବନ୍ଧୁ । ସେହିପରି ତାଙ୍କ ଅଭିଯୁକ୍ତ ସ୍ବାମୀ ଧର୍ମଗଡର ଅନୁପ ଅଗ୍ରବାଲ ସଂପ୍ରତି ଟିଟିଲାଗଡ ବିଧାୟକ ନବୀନ ଜୈନଙ୍କର ଶଳା ଓ ବିଧାୟକଙ୍କ ପତ୍ନୀ ଟିଟିଲାଗଡ ପୌରାଧ୍ୟକ୍ଷା ମମତା ଜୈନଙ୍କର ଭାଇ ଅଟନ୍ତି । ମମତା ମଲ୍ଲିକ ଓରଫ ବିବାହ ପରେ ଶାଶୁଘର ଲୋକେ ତାଙ୍କୁ ଦେଇଥିବା ଅନ୍ୟ ନାମ ପ୍ରିୟା ଅଗ୍ରବାଲଙ୍କ ଅଭିଯୋଗ ଅନୁଯାୟୀ , ତାଙ୍କ ସ୍ବାମୀ ପ୍ରାୟତଃ ପ୍ରତିଦିନ ମଦପିଇ ତାଙ୍କୁ ମାରଧର କରୁଥିବା , ତାଙ୍କ ଛୋଟ ଝିଅର ବେକରେ ଛୁରୀ ଲଗାଇ ଧମକ ଦେଉଥିବା ଓ ଥରେ ତାଙ୍କୁ ଯୋର ଜବରଦସ୍ତି ବିଷ ପିଆଇ ଦେଇଥିବା ସହ ଜୀବନରେ ମାରିଦେବାକୁ ଉଦ୍ୟମ କରୁଥିଲେ । ଏହା ସହିତ ତାଙ୍କ ଭଣଜା ଓ ୫୦୦ ଟଙ୍କା ଦେଇ ଅନ୍ୟମାନଙ୍କ ସହ ଶୋଇବାକୁ ଚାପ ପକାଉଥିଲେ । ସେ ବାର ବାର ମାଆଘରକୁ ପଳାଇ ଆସୁଥିଲେ ହେଁ , ଏଠାରେ ମଧ୍ୟ ମାଆବାପ କେହି ତାଙ୍କ ଦୁଃଖ ନ ଶୁଣି ଓଲଟି ଭିଣୋଇଙ୍କ କଥାମାନିବାକୁ ବାଧ୍ୟ କରୁଥିଲେ । ଭିଣୋଇ ତାଙ୍କୁ ଥରେ ଭୁବନେଶ୍ବରକୁ ନେଇଯାଇ ଉପରୋକ୍ତ ଦୀନେଶ ଶର୍ମା ସାଙ୍ଗରେ ରାତିଟିଏ କଟାଇବାକୁ ଚାପ ପକାଇଥିଲେ । ସେ ନମାନି କନ୍ଦାକଟା କରି ବଲାଙ୍ଗୀର ଆଣି ମାଆବାପ ପାଖରେ ଛାଡିଦେବାକୁ ଜିଦ୍ କରିବାରୁ ଫେରାଇ ଆଣିଥିଲେ । ତେବେ ମାଆ ଆହୁରି ଗାଳିଗୁଲଜ କରି ତାଙ୍କୁ ଓ ତାଙ୍କ ଝିଅକୁ ଖାଇବାକୁ ଦେଇ ପାରିବୁନାହିଁ , ଘରୁ ପଳା କହି ତଡିଦେବାରୁ ସେ ଜଣେ ପଡୋଶୀଙ୍କ ଘରେ ରହୁଛନ୍ତି । ତାଙ୍କୁ ଭିଣୋଇର ଭାଇ ପିଣ୍ଟୁ ବରାଡ ଫୋନ୍ କରି ଘରେ ପଶି ଜୀବନରୁ ମାରିଦେବାକୁ ଧମକ ଦେଇଥିବା କହିଛନ୍ତି । ତାଙ୍କ ଭିଣୋଇ ତାଙ୍କର ସାଢେ ଚାରିଲକ୍ଷ ଟଙ୍କା ହଡପ କରିଥିବା ସହ ତାଙ୍କର ପାସ୍ ବୁକ୍ ଓ ଆଧାରକାର୍ଡ ଆଦି ଫେରାଉ ନଥିବା ମଧ୍ୟ ସେ ଏତଲାରେ ଦର୍ଶାଇଛନ୍ତି । ଏଥିସହ ତାଙ୍କ ସ୍ବାମୀ ମଧ୍ୟ ‘ ମୋ ଭିଣୋଇ ଏମ୍ ଏଲ୍ ଏ , ଦିଦି ଚେୟାରମ୍ୟାନ୍ ଓ ଏମ୍ ପି ସମସ୍ତେ ମୋ ହାତରେ ଅଛନ୍ତି । ମୋର କେହି କିଛି କରିପାରିବେ ନାହିଁ । ତୁ କ’ଣ କରୁଛୁ , କର୍ ‘ ଇତ୍ୟାଦି ଟିଟିଲାଗଡ ଭାଜପା ବିଧାୟକ ନବୀନ ଜୈନ , ପୌରାଧ୍ୟକ୍ଷା ମମତା ଜୈନଙ୍କ ନାମ ଧରି ଧମକାଉଛନ୍ତି । ତାଙ୍କ ଭିଣୋଇ ଚିତ୍ତ ରଞ୍ଜନ ବରାଡ ମଧ୍ୟ ଏମ୍ ପି ଙ୍କ ନୋମିନୀ ଦୀନେଶ ଶର୍ମା ଓ ଲୋକସଭା ସାଂସଦ ସଙ୍ଗୀତା ସିଂହଦେଓଙ୍କ ନାଁ’ ଧରି ଡରାଉଥିବା ଅଭିଯୋଗକାରିଣୀ ମମତା ମଲ୍ଲିକ ଓରଫ ପ୍ରିୟା ଅଗ୍ରବାଲ ମିଡିଆରେ ସିଧାସଳଖ ଲାଇଭ୍ କାଷ୍ଟିଂ ଅଭିଯୋଗ କରିଥିବା ପ୍ରକାଶ ପାଇଛି ।
ଅବଶ୍ୟ ଏହି ଅଭିଯୋଗକୁ ଅଭିଯୁକ୍ତମାନଙ୍କ ପକ୍ଷରୁ ଅସ୍ବୀକାର କରାଯାଇଛି । କିନ୍ତୁ ମିଡିଆରେ ଭାଇରାଲ୍ ଅଭିଯୋଗ ସତ୍ତ୍ୱେ ଉକ୍ତ ଅଭିଯୁକ୍ତ ପକ୍ଷର ବିଧାୟକ ବା ସାଂସଦଙ୍କ ପକ୍ଷରୁ ଏଯାବତ୍ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ !
ତେବେ ଲୋକପ୍ରତିନିଧିଙ୍କର ପ୍ରତିନିଧି ବା ପାଖଲୋକଙ୍କ ଦ୍ବାରା ଏଭଳି ନାରୀ ନିର୍ଯାତନାର ଗୁରୁତର ଅଭିଯୋଗ ସହ ପୁଲିସ୍ ର କାର୍ଯ୍ୟକଳାପ ସରକାରଙ୍କ କିଭଳି ଭାବମୂର୍ତ୍ତି ପ୍ରକାଶ କରୁଛି , ସହଜରେ ଅନୁମେୟ । ଏଇଭଳି ଲୋକଙ୍କୁ ଲୋକେ ଏକ ସ୍ବଚ୍ଛଶାସନ ପାଇଁ ଏଥର ନିର୍ବାଚିତ କରିଛନ୍ତି !