ରାଜ୍ୟ

ନବୀନପ୍ରସଙ୍ଗର ଚର୍ଚ୍ଚା କାହିଁକି ?

Email :1

ଚର୍ଚ୍ଚାରେ ରହିବାକୁ ନା କିଛି ଖେଚୁଡି ରନ୍ଧାବଢା !

ଭୁବନେଶ୍ବର  :  ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ  ‘ ନବୀନ ପଟ୍ଟନାୟକ ‘ ଶୀର୍ଷକରେ ଗୋଟିଏ ବହିଲେଖି ଆନ୍ତର୍ଜାତୀୟ ସ୍ତରୀୟ ସାମ୍ବାଦିକ ରୁବେନ୍ ବାନାର୍ଜୀ  କିଛିବର୍ଷ ତଳେ ଚର୍ଚ୍ଚାରେ ଆସିଥିଲେ । ତେବେ ବହିଟିର ପ୍ରକାଶନ ପୂର୍ବରୁ ବହିଟି ସମ୍ପର୍କରେ ଲୋକଙ୍କର ଯେତେ ଉତ୍କଣ୍ଠା ଥିଲା , ତାହା ପ୍ରକାଶ ପାଇବା ପରେ ସେତେ ରହିଲା କି ନାହିଁ , ପଢିଥିବା ପାଠକେ କହିପାରିବେ । ଏବେ ତହିଁରେ ଆଉ ଛ’ବର୍ଷର ନବୀନଙ୍କ ଶାସନକାଳକୁ ମିଶାଇ ସଂକଳିତ ପୁସ୍ତକଟିକୁ ଚର୍ଚ୍ଚିତ କରାଇବାକୁ ଉନ୍ମୋଚନ କରାଯାଇ ସମୀକ୍ଷାତ୍ମକ ପ୍ରଚାରର ଉଦ୍ୟମ କରାଯାଇଛି । ଏହାପଛରେ ଯେ କୌଣସି ରାଜନୈତିକ ଉଦ୍ଦେଶ୍ୟ ବା ଅଭିସନ୍ଧି ନାଇଁ , ଆଜିର ରାଜନୈତିକ ଯୁଗରେ କୁହାଯାଇ ପାରିବନାହିଁ ।  କାରଣ ଏବେ ରୁବେନ୍ ଏଇଠୁ ସାମ୍ବାଦିକତା ଆରମ୍ଭ କରିଥିବା ଓଡିଶାକୁ ଫେରିଆସି ନବୀନ ପଟ୍ଟନାୟକଙ୍କ ପରି ଜଣେ ରହସ୍ୟମୟ ରାଜନେତାଙ୍କୁ ବିଷୟବସ୍ତୁ କରି ବହି ଲେଖିବା ବା ‘ ମୁଁ ରୁବେନ୍ କହୁଛି ‘ ଶୀର୍ଷକରେ ଏକ ନିଉଜ୍ ପୋର୍ଟାଲ୍ ଆରମ୍ଭ କରି ଓଡିଶାର ରାଜନୈତିକ ପାଣିପାଗ ଉପରେ ଚର୍ଚ୍ଚା ଆରମ୍ଭ କରିବା ଇତ୍ୟାଦି ମୂଳରେ ତାଙ୍କର ବା କାହାର କୌଣସି ଉଦ୍ଦେଶ୍ୟ ନଥିବା ପରି ସରଳଧାରଣା  ବିଭିନ୍ନ କ୍ଷେତ୍ରରେ ପ୍ରତାରିତ ଆମଲୋକଙ୍କର ନାହିଁ ।  ଯଦିଓ ରୁବେନ୍ ଓଡିଶା ପାଇଁ ସେଭଳି ଜଣେ ବିଗ୍- ବି ନୁହଁନ୍ତି । ତେବେ କିଏ ତାଙ୍କୁ ବ୍ୟବହାର କରୁଥାଇ ପାରେ କି ?

ଏଠାରେ କହିରଖିବା ଉଚିତ୍ ହେବ ଯେ , ରୁବେନ୍ ବାନାର୍ଜୀ ଆମର ଶତ୍ରୁ ବା ଜଣେ ବିରୋଧୀବ୍ୟକ୍ତିତ୍ବ ଆଦୌ ନୁହଁନ୍ତି । ବରଂ କେତେ ଦଶନ୍ଧିତଳେ ସେ ଏଇ ସାମ୍ବାଦିକର ବନ୍ଧୁ ଥିଲେ । ତତ୍କାଳୀନ ବଲାଙ୍ଗୀର ବଙ୍ଗୋମୁଣ୍ଡାରେ ପିଲାବିକ୍ରି ଖବରର ତଥ୍ୟସଂଗ୍ରହ ସକାଶେ ସେ ବଲାଙ୍ଗୀର ଆସିଥିଲେ ଓ ଏଇ ସାମ୍ବାଦିକଙ୍କୁ ସାଙ୍ଗରେ ଧରି ସେ ଅଞ୍ଚଳକୁ ଯାଇ ବଙ୍ଗୋମୁଣ୍ଡା ବ୍ଲକ୍ ର ଭାଲୁମୁଣ୍ଡାର ୧୨ ବର୍ଷର ଝି ଭୂମିସୂତାକୁ ୫୦୦ ଟଙ୍କାରେ ଜାମଖୁଣ୍ଟାର ଲିଙ୍ଗରାଜ ପାଢୀଙ୍କୁ କବଲା ଲେଖାଇ ବିକିଥିବା ମାଆ କୁମାରୀ ଭୁଏ ଓ ବାପ ଛୁଟା ଭୁଏଙ୍କୁ ‘ ମୁଁ କିଣିବାକୁ ଚାହୁଁଛି , ଆଉ କିଏ ପିଲା ବିକିବ କି ? ‘ ବୋଲି ପରୀକ୍ଷାମୂଳକ ମୂଲଚାଲ କରିବା ସହ ତତ୍କାଳୀନ ଜିଲ୍ଲାପାଳ ଉପେନ୍ଦ୍ର ପ୍ରସାଦ ସିଂଙ୍କ କଟାକ୍ଷରେ ‘ ଆମେ ମଳୟ ମିଶ୍ରଙ୍କୁ ଗିରଫ କରିପାରୁ ‘ ମୃଦୁଧମକର ଦୃଢ ପ୍ରତିବାଦ କରିଥିଲେ ଇତ୍ୟାଦି । କହିବାବାହୁଲ୍ୟ , ଏଇ ସାମ୍ବାଦିକର ସେ ସମ୍ବାଦ ସେତେବେଳେ ରୁବେନ୍ ଙ୍କ ହାଇଲାଇଟ୍‌ରେ ଆନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚିତ ହୋଇପଡିଥିଲା ।  ଏଇ କିଛିଦିନ ତଳେ ମଧ୍ୟ ରୁବେନ୍ ବଲାଙ୍ଗୀର ଆସିଥିବା ବେଳେ ଏହି ସାମ୍ବାଦିକକୁ ଖୋଜୁଥିବା ତାଙ୍କ ଆତ୍ମୀୟତାର ପ୍ରମାଣ । ସର୍ବୋପରି ରୁବେନ୍ ବଲାଙ୍ଗୀର , କଳାହାଣ୍ଡି ଇତ୍ୟାଦି ମରୁଡି ଓ ଦାରିଦ୍ର୍ଯର ପ୍ରସଙ୍ଗଗୁଡିକୁ ହାଇଲାଇଟ୍‌ କରିଆସୁଥିବା ସହିତ ସେ ଏହି ଅନୁନ୍ନତ ଆଭ୍ୟନ୍ତରୀଣ ଅନ୍ଧାରୀ ଅଞ୍ଚଳ ସମେତ ଓଡିଶାକୁ ଭଲପାଇ ଆସୁଥିବା ଜଣେ ଆତ୍ମୀୟ ଆନ୍ତର୍ଜାତୀୟ ସ୍ତରର ବରିଷ୍ଠ ସାମ୍ବାଦିକ । ତେଣୁ ସେ ଓଡିଶାର ନବୀନ ପଟ୍ଟନାୟକଙ୍କ ପରି ଜଣେ ଜନପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଜୀବନୀମୂଳକ ପୁସ୍ତକ ଲେଖିବା ଅସ୍ବାଭାବିକ ନୁହେଁ । ତେବେ ତାଙ୍କର ଏହି ବହିଟି ନବୀନପଟ୍ଟନାୟକଙ୍କ ସପକ୍ଷରେ ନା ବିପକ୍ଷରେ ଚିତ୍ରଣ କରାଯାଇଛି , ଏଥିରେ ସଂଶୟ ରହିଛି  !

ଏବେ ବିଜେଡି ନେତାମାନେ ରୁବେନ୍ ଙ୍କ ପୁସ୍ତକର ବର୍ଣ୍ଣନା ଉପରେ ଖପ୍ପା ହୋଇ ବିଷୋଦ୍ ଗାର କରୁଥିବା ବେଳେ , ସେ ଓଡିଶା ବୁଲିବା ଆରମ୍ଭ କରିଛନ୍ତି । ନିକଟରେ ରୁବେନ୍ ବଲାଙ୍ଗୀର ଜିଲ୍ଲାର ସାଲେଭଟାର ଏକ ସରସ୍ବତୀ ଶିଶୁ ମନ୍ଦିର ସ୍କୁଲ୍ ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପଛରେ ତାଙ୍କର କିଛି ଦୂରଭିସନ୍ଧି ଥିବା ବି ଚର୍ଚ୍ଚା ହେଉଛି।ସେ କ’ଣ ରାଜ୍ୟସଭା ଯିବାକୁ କ୍ଷେତ୍ରପ୍ରସ୍ତୁତି କରୁଛନ୍ତି ?

ପ୍ରଥମ ସଂସ୍କରଣ ସମୟରେ ଏହାକୁ ନବୀନଙ୍କ ବିପକ୍ଷରେ ଏକ ସମାଲୋଚନା ବୋଲି କେତେକ ଭାବୁଥିଲେ ।  ସେ ସମୟରେ କେତେକ ଗଣମାଧ୍ୟମରେ ଉକ୍ତ ପୁସ୍ତକରେ ପ୍ରକାଶିତ କିଛି ଉଦ୍ଧୃତାଂଶ ସେହି ରୂପରେ ପ୍ରକାଶ କରାଯାଇଥିଲା ।  ନବୀନଙ୍କ ଦୋଷଗୁଣ ଲୋକଲୋଚନକୁ ଆଣିବାର ହୁଏତ କୌଣସି ରାଜନୈତିକ ଅଭିସନ୍ଧି ରହିଲା ପରି ଲୋକେ ଅନୁମାନ କରିଥିଲେ । କିନ୍ତୁ ବହିଟି ପ୍ରକାଶ ପାଇବା ପରେ ଏହି ଧାରଣା ଦୂରୀଭୂତ ହୋଇଥିଲା । ତେବେ ଏହି ଦ୍ବିତୀୟ ପର୍ଯ୍ୟାୟର ସଂକଳନ ପ୍ରକାଶ ପାଇଲାବେଳକୁ ନବୀନ ଏବେ କ୍ଷମତାରୁ ଅପସାରିତ । କିନ୍ତୁ ଏଥିରେ ତାଙ୍କର ପତନ ନିମନ୍ତେ ପାଣ୍ଡିୟାନ୍ ଙ୍କୁ ଦାୟୀ କରାଯାଇଥିବାରୁ ଏହିବହିଟି ଏକ ଉଦ୍ଦେଶ୍ୟମୂଳକ ରାଜନୈତିକ ଆକ୍ରୋଶ ବୋଲି କେତେକ ଭାବୁଛନ୍ତି । ହୁଏତ ନବୀନଙ୍କ ଠାରୁ କିଛି ଅନୁଗ୍ରହ ଆଶାୟୀ ରୁବେନ୍ ଙ୍କ ମହତ୍ତ୍ୱାକାଂକ୍ଷାରେ  ପାଣ୍ଡିୟାନ୍ ପ୍ରତିବନ୍ଧକ ସୃଷ୍ଟି କରିଥିଲେ କି? କାରଣ ବିଭିନ୍ନ ସମୟରେ ଏଭଳି  ସାମ୍ବାଦିକମାନେ  ରାଜନେତା ବନାମ ସରକାରଙ୍କ ସହ ଜଡିତ ରହିଆସିଥିବା ଲକ୍ଷ୍ୟ କରାଯାଇଛି । ଓଡିଶାରେ ମଧ ଚନ୍ଦନ ମିତ୍ରଙ୍କ ଠାରୁ ରୁବେନ୍ ବାନାର୍ଜୀଙ୍କ ପର୍ଯ୍ୟନ୍ତ ଏହାର ଉଦାହରଣ ଦିଆଯାଇପାରେ ।

ସେ ଯାହାହେଉ ନା କାହିଁକି , ଏକ ଆକସ୍ମିକ ଅବିଶ୍ବସନୀୟ ପରିବର୍ତ୍ତନ ପରେ ନୂଆ ସରକାରର ଛ’ ମାସ ନ ପୂରୁଣୁ  ଦୀର୍ଘ ଚବିଶବର୍ଷର ଏକକ ସଂଖ୍ୟାଗରିଷ୍ଠତାର ସ୍ଥାୟୀ ସରକାର ଦେଇଥିବା ନବୀନ ପଟ୍ଟନାୟକ ଓ ତାଙ୍କ ଏକାନ୍ତ ଅନୁଗତ ବିଚକ୍ଷଣଅମଲା ପାଣ୍ଡିୟାନ୍ ଙ୍କର ଭୂତଭୟ ତଡିବାକୁ କେହି ଗୁଣିଆ ଲଗାଇ ଏ ଆୟୋଜନ କରୁଥିବା ଆଶଙ୍କା ମିଛ ନହୋଇପାରେ ବି  !  ଏଥିରୁ ‘ ନଈରେ ବାଳିଆ ଚହଟିଲା ,…….. ପୁଣି ଚାଖିଆ ନେଉଟିଲା ‘ ର ସମ୍ଭାବନା ଜଳଜଳ ହେଇ ଦିଶିଲାଣି  !  ଅର୍ଥାତ୍ ପୁଣି ବିଜେଡି ସପକ୍ଷରେ ହାଉଆ ବୁହାଇବାର ପ୍ରୟାସ  ?  ହେଇପାରେ ଏଭଳି ତର୍ଜମା ଏକ କପୋଳକଳ୍ପିତ ପ୍ରେ ଡି କ୍ ସ ନ୍  !

ତେବେ ଓଡିଶା ରାଜନୀତିରେ ନବୀନ ପଟ୍ଟନାୟକ ଏକ ପ୍ରମୁଖ ଆଲୋଚ୍ୟ ବିଷୟ ବା ଏକମାତ୍ର ନକ୍ଷତ୍ର ନୁହଁନ୍ତି ।  ଶଂସିତ ପୁସ୍ତକଟିରେ ମଧ୍ୟ  ଓଡିଶାରାଜନୀତିର ସେପରି ତର୍ଜମା ପ୍ରକାଶ ପାଇନାହିଁ । ଏହା ଜଣେ କୌଶଳୀ ମୁଖିଆଙ୍କର ଏକଚାଟିଆ ଜଣତନ୍ତ୍ରର ଅଗଣତାନ୍ତ୍ରିକ ଶାସନକାଳ ଓ କ୍ଷମତାକୁ ଜାବୁଡି ଧରି ଶେଷରେ ଅତିରିକ୍ତ ଭରସାର ଅନ୍ଧଆନୁଗତ୍ୟର ହାତଛଡା କରିବାର ବ୍ୟକ୍ତିଗତ ଦୁର୍ଭାଗ୍ୟର କାହାଣୀ । ଏହା ପଢି ରାଜ୍ୟବାସୀଙ୍କର କିଛି ଅମୂଲ୍ୟ ଅଭିଜ୍ଞତା ଅର୍ଜନ ବା ଲାଭକ୍ଷତି ହେବାର ନାହିଁ । ଏହା ମଧ୍ୟ ଓଡିଶାର ରାଜନୈତିକ ଇତିହାସ ନୁହେଁ । 

ଏବେ ତାଙ୍କ ଚରିତକୁ ଫେଣେଇବାର ଉଦ୍ଦେଶ୍ୟ ଏଇଆ ହେଇପାରେ କି ଯେ , ଏ ସରକାର ଉପରେ ଲୋକେ ଆସ୍ଥା ହରାଇ ତାଙ୍କୁ ଝୁରନ୍ତୁ  ଓ ପସ୍ତାନ୍ତୁ  ? କେଜାଣି , ପୋଖରୀର ସେଇ ‘ଧଣ୍ଡସାପ ଓ କାଠଗଡ ଉପାଖ୍ଯାନ’ ପରି ପିଲାଙ୍କୁ ଗୋଟେ ପଶ୍ଚାତାପର ଶିକ୍ଷାଦାନ ସମ୍ବଳିତ ବାଳଗପ ପଢାଇବାର ବିଳାସ କେବଳ !

Leave a Reply

Your email address will not be published. Required fields are marked *

Related Post